ଆତଙ୍କବାଦ ଦମନ ପାଇଁ ଭାରତର ସହାୟତା ନେଉ ପାକିସ୍ତାନ: ରାଜନାଥ

0

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆରମ୍ଭ ପାଇଁ ଚର୍ଚ୍ଚା ଚାଲିଥିବାବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି। ରାଜନାଥ କହିଛନ୍ତି ଯେ ଭାରତ ସହ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବାକୁ ହେଲେ ପାକିସ୍ତାନକୁ ପ୍ରଥମେ ଏହାର ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ କରିବାକୁ ହେବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉଦ୍ଦେଶ୍ୟରେ ରାଜନାଥ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଦମନ କରିବାରେ ଇସଲାମାବାଦ ଯଦି ନିଜକୁ ଅସମର୍ଥ ମନେକରୁଛି; ତେବେ ଏହା ନୂଆଦିଲ୍ଲୀର ସହାୟତା ଲୋଡିବା ଦରକାର। ଆମେରିକା ସହାୟତାରେ ଆଫଗାନିସ୍ତାନ ସରକାର ଆତଙ୍କବାଦୀ ଓ ତାଲିବାନଙ୍କୁ ଯେପରି ଦମନ କଲେ ସେହିପରି ଭାରତ ସହାୟତାରେ ପାକିସ୍ତାନ ନିଜ ମାଟିରୁ ଆତଙ୍କବାଦୀଙ୍କୁ ଦମନ କରିବା ଦରକାର। ସେ କହିଛନ୍ତି ଯେ ଭାରତ-ପାକିସ୍ତାନ ବିବାଦର କାରଣ କାଶ୍ମୀର ନୁହେଁ; କାରଣ ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି ଓ ରହିବ। ଦୁଇଦେଶ ମଧ୍ୟରେ ବିବାଦର ମୂଳ କାରଣ ହେଉଛି ଆତଙ୍କବାଦ। ତେଣୁ ପାକିସ୍ତାନ ଏହି ଆତଙ୍କବାଦ ପ୍ରସଙ୍ଗରେ ପ୍ରଥମେ ଆଲୋଚନା କରିବା ଦରକାର।
କରତାରପୁର କରିଡର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଇମ୍ରାନ ଭାରତ ସହିତ ଶାନ୍ତି କଥାବାର୍ତ୍ତା ଲାଗି ପ୍ରସ୍ତାବ ଦେଇଥିଲେ। ସେହିପରି ଆଗାମୀ ସାର୍କ ସମ୍ମିଳନୀ ପାଇଁ ଭାରତକୁ ପାକିସ୍ତାନ ନିମନ୍ତ୍ରଣ କରିଥିବାବେଳେ ନୂଆଦିଲ୍ଲୀ ଏହାକୁ ଅଗ୍ରାହ୍ୟ କରିଦେଇଛି। ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନର ନିମନ୍ତ୍ରଣକୁ ଅଗ୍ରାହ୍ୟ କରି କହିଛନ୍ତି ଯେ ଇସଲାମାବାଦ ନିଜର ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ ନ କରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଦ୍ୱିପାକ୍ଷିକ କଥାବାର୍ତ୍ତା ହେବ ନାହିଁ। ସେ କହିଛନ୍ତି ଯେ କରତାରପୁର କରିଡର ନିର୍ମାଣ ଓ ଦ୍ୱିପାକ୍ଷିକ କଥାବାର୍ତ୍ତା ଭିନ୍ନଭିନ୍ନ ପ୍ରସଙ୍ଗ।
ଅନ୍ୟପଟେ ରାଜନାଥ ସିଂହ ରବିବାର ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରାଲିରେ କହିଛନ୍ତି ଯେ ନିର୍ବାଚନ ପାଖେଇ ଆସିଲେ କଂଗ୍ରେସ ନେତାମାନେ ମନ୍ଦିରରେ ପୂଜା ଓ ପ୍ରାର୍ଥନା କରନ୍ତି। ତେବେ ମନ୍ଦିରରେ ପୂଜା ଓ ପ୍ରାର୍ଥନା କରିବା ବିଜେପି ସଂସ୍କୃତିର ଏକ ଅଂଶବିଶେଷ। ମନ୍ଦିର ଓ ଗାଈ ନିର୍ବାଚନର ପ୍ରସଙ୍ଗ ନୁହେଁ। ଏହା ସତ୍ତ୍ବେ କଂଗ୍ରେସ ନେତାମାନେ ମନ୍ଦିର ଯାଇ ପୂଜା ଓ ପ୍ରାର୍ଥନା କରୁଛନ୍ତି। ନିର୍ବାଚନ ପୂର୍ବରୁ ସେମାନଙ୍କୁ କେବେହେଲେ ମନ୍ଦିରରେ ଦେଖିବାକୁ ମିଳି ନ ଥାଏ। କଂଗ୍ରେସ ଦେଶକୁ ୫୫ବର୍ଷ ଶାସନ କରିଥିବାବେଳେ ଏହା ଏବେ ଏକ ଗରିବ ଦେଶ ଭାବେ ପରିଗଣିତ ହେବ। କଂଗ୍ରେସ ଏହାର ଶାସନ କାଳରେ ଦେଶବାସୀଙ୍କୁ ପ୍ରତାରଣା କରିଛନ୍ତି। ରାଜସ୍ଥାନରେ କଂଗ୍ରେସ ଏହାର ୫୦ବର୍ଷର ଶାସନ ମଧ୍ୟରେ ୧୦୩ଟି ଆଇଟିଆଇ ପ୍ରତିଷ୍ଠା କରିଥିଲା; ମାତ୍ର ବସୁନ୍ଧରା ରାଜେ ୫ବର୍ଷ ମଧ୍ୟରେ ୯୫୮ଟି ଆଇଟିଆଇ ପ୍ରତିଷ୍ଠା କରିଛନ୍ତି ବୋଲି ରାଜନାଥ କହିଥିଲେ।
ମନମୋହନ ସିଂହଙ୍କ ସରକାର ସମୟରେ ସୈନ୍ୟ ବାହିନୀ ପାକିସ୍ତାନ ମାଟିରେ ତିନିଟି ସର୍ଜିକାଲ ଷ୍ଟ୍ରାଇକ କରିଥିବା ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦାବିକୁ ରାଜନାଥ ସମାଲୋଚନା କରିଛନ୍ତି। ମନମୋହନଙ୍କ ନେତୃତ୍ୱ ୟୁପିଏ ସରକାର ସମୟରେ ଯଦି ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା ତେବେ ସରକାର ଏହାକୁ କାହିଁକି ସାର୍ବଜନୀନ କଲେ ନାହିଁ ବୋଲି ରାଜନାଥ ପ୍ରଶ୍ନ କରିଛନ୍ତି। ସେତେବେଳେ ଯଦି ସରକାର ସର୍ଜିକାଲ ଷ୍ଟ୍ରାଇକ ପ୍ରସଙ୍ଗକୁ ସାର୍ବଜନୀନ କରି ନଥିଲେ ତେବେ ବର୍ତ୍ତମାନ ଏହାକୁ ପ୍ରକାଶ କରିବାର କି ଯଥାର୍ଥତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ନରେନ୍ଦ୍ର ମୋଦୀ ସରକାର ସର୍ଜିକାଲ ଷ୍ଟ୍ରାଇକ ନେଇ ଯେଉଁ ଆଲୋଚନା କରୁଛନ୍ତି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ; ମାତ୍ର କଂଗ୍ରେସ ସର୍ଜିକାଲ ଷ୍ଟ୍ରାଇକକୁ ରାଜନୈତିକ ପ୍ରସଙ୍ଗ କରୁଛି।

Leave A Reply