ଗୁରୁପ୍ରିୟା ସେତୁର ସୁରକ୍ଷା ବିପନ୍ନ

0

ଭୁବନେଶ୍ୱର : ମାଲକାନାଗିରି ଜିଲାରେ ଗୁରୁପ୍ରିୟା ସେତୁ ପ୍ରତି ସବୁବେଳେ ବିପଦ ରହିଛି। ଗୁରୁପ୍ରିୟା ସେତୁକୁ କ୍ଷତି ପହଞ୍ଚାଇବା ପାଇଁ ଲାଲ୍‍ ବାହିନୀ ସୁଯୋଗ ଖୋଜୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେତୁର ସୁରକ୍ଷା ପାଇଁ ସୀମା ସୁରକ୍ଷା ବାହିନୀ (ବିଏସ୍‍ଏଫ୍‍) ମୁତୟନ ହୋଇଥିବା ବେଳେ ସିସିଟିଭି ଲାଗିଛି। କିନ୍ତୁ ଉଦ୍‍ଘାଟନ ହେବାର କିଛି ମାସ ଭିତରେ ସୁରକ୍ଷା ଭିତ୍ତିଭୂମି ଦୁର୍ବଳ ହୋଇଗଲାଣି। ଫଳରେ ସେତୁକୁ ସୁରକ୍ଷା ଦେବାରେ ବିଏସ୍‍ଏଫ୍‍ ଯବାନ୍‍ ଏବେ ନିଜକୁ ଦୁର୍ବଳ ମନେ କରୁଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଯଥାଶୀଘ୍ର ଖରାପ ହୋଇଥିବା ସିସିଟିଭି କାର୍ଯ୍ୟକ୍ଷମ କରିବା ଓ ଅନ୍ୟାନ୍ୟ ମରାମତି କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କୁ ବିଏସ୍‍ଏଫ୍‍ ପକ୍ଷରୁ ଅନୁରୋଧ କରାଯାଇଛି।
ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓ ଉପଦ୍ରୁତ ମାଲକାନଗିରି ଜିଲାରେ ଗୁରୁପ୍ରିୟା ସେତୁକୁ ଲୋକାର୍ପିତ କରିଥିଲେ। ନକ୍ସଲ ଆକ୍ରମଣ ଆଶଙ୍କାରେ ଗୁରୁପ୍ରିୟା ସେତୁ ନିର୍ମାଣ କାର୍ଯ୍ୟ ବହୁ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ କାମ ଶେଷ ହେବା ପରେ ମଧ୍ୟ ଆକ୍ରମଣର ଆଶଙ୍କା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ଗୁରୁପ୍ରିୟା ସେତୁର ସୁରକ୍ଷା ପାଇଁ ରାଜ୍ୟ ସରକାର ବିଏସ୍‍ଏଫ୍‍କୁ ନିୟୋଜିତ କରିଛନ୍ତି। ତେବେ ବର୍ତ୍ତମାନ ସେତୁରେ ଲାଗିଥିବା ୬ଟି ସିସିଟିଭି ମଧ୍ୟରୁ ୨ଟି କ୍ୟାମେରା ଅଚଳ ହୋଇ ପଡି ରହିଛି। ସେହିପରି ସେତୁକୁ ଆଲୋକିତ କରିବା ପାଇଁ ଲାଗିଥିବା ୬୦ଟି ଷ୍ଟ୍ରିଟ୍‍ ଲାଇଟ୍‍ ଭିତରୁ ୨୦ଟି ଅଚଳ ହୋଇଯାଇଛି। କେବଳ ଷ୍ଟ୍ରିଟ୍‍ ଲାଇଟ୍‍ ପାଇଁ ବିଦ୍ୟୁତ୍‍ ସଂଯୋଗ ଦିଆଯାଇ ଥିବା ବେଳେ ଅନ୍ୟ କୌଣସି ବିଦ୍ୟୁତ ବ୍ୟବସ୍ଥା ନାହିଁ। ଜେନେରେଟର୍‍ ଅଭାବରେ ବିଦ୍ୟୁତ କାଟ ସମୟରେ ସେତୁରେ ଅନ୍ଧକାର ଛାଇ ଯାଉଛି। ଫଳରେ ବିଏସ୍‍ଏଫ୍‍ ଯବାନ୍‍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେତୁକୁ ୨୪ ଘଣ୍ଟିଆ ସୁରକ୍ଷା ଦେଉଥିବା ବିଏସ୍‍ଏଫ୍‍ ଯବାନ୍‍ଙ୍କ ପାଇଁ ନିୟନ୍ତ୍ରଣ କକ୍ଷ ଆଜି ପର୍ଯ୍ୟନ୍ତ ସ୍ଥାପନ ହୋଇ ପାରିନାହିଁ। ଫଳରେ ପୋଲର ସୁରକ୍ଷା ବିପନ୍ନ ହେଉଛି। ଏହି ଦୁର୍ବଳତାର ସୁଯୋଗରେ ମାଓବାଦୀ ଆକ୍ରମଣ କରିବାର ସମ୍ଭାବନା ରହିଛି। ଏନେଇ ବିଏସ୍‍ଏଫ୍‍ ପକ୍ଷରୁ ଏକାଧିକବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ଏବେ ରାଜ୍ୟ ପୁଲିସ୍‍ ମୁଖ୍ୟାଳୟ ପକ୍ଷରୁ ପୂର୍ତ୍ତ ସଚିବଙ୍କୁ ପତ୍ର ଲେଖାଯାଇ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।

Leave A Reply