ଗଣ୍ଡିସର ରୀନା କହଁର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଭାଗରଥୀ ଲୁହାକୁ ଆଜୀବନ କାରାଦଣ୍ଡ

ବୌଦ୍ଧ: ଗଣ୍ଡିସର ଗ୍ରାମର ବହୁ ଚର୍ଚ୍ଚିତ ରୀନା କହଁର ହତ୍ୟାକାଣ୍ଡ ମାମଲାର ଜିଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ ବିଚାର କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ ବୌଦ୍ଧଥାନା ଅନ୍ତର୍ଗତ ଗଣ୍ଡିସର ଗ୍ରାମର ସାମନ୍ତ ହାତୀଙ୍କ ଝିଅ ରୀନା ବାଉଁଶୁଣୀ ଥାନା ଅନ୍ତର୍ଗତ ମାନେଶ୍ୱର ଗ୍ରାମର ଇନ୍ଦ୍ର କହଁରଙ୍କ ସହିତ ବିବାହ ଦେଇଥିଲେ। କିଛିବର୍ଷ ପରେ ଇନ୍ଦ୍ର କହଁରଙ୍କ ମଧୁମେହ ରୋଗରେ ମୃତ୍ୟୁ ହୋଇଯାଇଥିଲା। ସେହିଦିନ ଠାରୁ ରୀନା ନିଜର ପୈତୃକ ଗ୍ରାମ ଗଣ୍ଡିସରରେ ପରିବାର ସହ ରହି ଆସୁଥିଲା। ଗତ ତା ୦୧.୦୭.୨୦୨୦ ରିଖରେ ରୀନା ଗ୍ରାମର ଆଉଜଣେ ସଂପର୍କିୟ ଝିଅ ସତ୍ୟବତୀ ହାତୀ ସହ ବାହାରକୁୂ ଯାଇ ଆଉ ଘରକୁ ଫେରିନଥିଲେ। ରୀନା ସଂପର୍କରେ ପରିବାରଲୋକ ସତ୍ୟବତୀକୁ ପଚାରିବାପରେ ସେ ମାନେଶ୍ୱର ଗ୍ରାମର ରଥୀ ଲୁହା ସହିତ ଯାଇଥିବା ପ୍ରକାଶ କରିଥିଲା। ରଥୀ ଲୁହା ରୀନାର ପରିବାର ସହିତ ପୂର୍ବ ପରିଚିତ ଥିବାରୁ ସେମାନେ ଝିଅ ଫେରିଆସିବ ଭାବିଥିଲେ।

prayash

କିନ୍ତୁ ଚାରିଦିନ ପର୍ଯ୍ୟନ୍ତ ରୀନା ଘରକୁ ନଫେରିବାରୁ ପରିବାରଲୋକ ତାକୁ ଖୋଜାଖୋଜି କରିଥିଲେ । ଗତ ୦୮.୦୭.୨୦୨୦ ରିଖ ଦିନ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ସ୍ତ୍ରୀ ଲୋକର ମୃତଦେହ ଝୁଲୁଥିବା ସୂଚନା ପାଇ ପରିବାରଲୋକ ସେଠାକୁ ଯାଇ ଦେଖିବା ପରେ ତାହା ରୀନାର ମୃତଦେହ ବୋଲି ଚିହ୍ନଟ କରିବା ସହିତ ତାକୁ କିଏ ମାରି ଦେଇଥିବା ସନ୍ଦେହ କରି ବୌଦ୍ଧଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବୌଦ୍ଧ ପୁଲିସ ଥାନା କେସ ନମ୍ବର ୧୩/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ କରାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପୂର୍ବରୁ ରୀନାକୁ ହତ୍ୟା କରାଯାଇଥିବା ଜଣାପଡିବା ପରେ ପୋଲିସ ୧୮୧/୨୦ ରେ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ପକ୍ଷରୁ ତଦନ୍ତରେ ଅଭିଯୁକ୍ତ ମାନେଶ୍ୱର ଗ୍ରାମର ଭାଗିରଥୀ ଲୁହା ସହିତ ରୀନାର ପ୍ରେମ ସଂପର୍କ ରହିଥିବା ଜାଣିବାକୁ ପାଇଥିଲା। ଏହି ମାମଲାରେ ପୁଲିସ ଅଭିଯୁକ୍ତ ଭାଗିରଥୀ ଲୁହାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାଟି ସ୍ପେଶାଲ କେସ ନମ୍ବର ୧୩ /୨୦ ହୋଇ ଜିଲା ଦୌରାଜଜଙ୍କ ଅଦାଲତରେ ବିଚାର ହୋଇଥିଲା। ୨୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ବିରୋଧରେ ପ୍ରମାଣ ରହିଥିବା ନେଇ ଜିଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ ମାମଲାରେ ଅଭିଯୁକ୍ତ ଭାଗିରଥୀ ଲୁହାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରିଥିଲେ।

Comments are closed.