ଚିଲିକାରେ ପ୍ରଦୂଷଣ କମାଇବାକୁ ଚାଲିବ ସୌରଚାଳିତ ବୋଟ୍

ଓରେଡା ତରଫରୁ ପ୍ରସ୍ତାବ ଉପସ୍ଥାପନ

ଭୁବନେଶ୍ୱର: ଚିଲିକାରେ ଚାଲିବ ସୌରଚାଳିତ ବା ବ୍ୟାଟେରୀ ଚାଳିତ ବୋଟ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଚିଲିକାରେ ପ୍ରଦୂଷଣ କମାଇବା ଏବଂ କାର୍ବନ ନିର୍ଗମନ ମାତ୍ରାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦୀର୍ଘ ଦିନରୁ ପ୍ରସ୍ତାବିତ ପଦକ୍ଷେପ ଖୁବ୍‌ ଶିଘ୍ର କାର୍ୟ୍ୟକାରୀ ହେବାକୁ ଯାଉଛି। ଏ ସଂପର୍କରେ ଶୁକ୍ରବାର ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା (ଓରେଡା) ତରଫରୁ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପର୍ୟ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ,ଜଙ୍ଗଲ ଓ ପରିବେଶ ବିଭାଗ,ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଓରେଡାର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ଚିଲିକା ହେଉଛି ଏସିଆର ସବୁଠାରୁ ବଡ଼ ଲବଣାକ୍ତ ହ୍ରଦ। ଅନେକ ପ୍ରଜାତିର ସ୍ଥାନୀୟ ଏବଂ ପ୍ରବାସୀ ପକ୍ଷୀଙ୍କର ଏକ ବାସସ୍ଥଳୀ ହେତୁ ଏହା ‘ରାମସାର ସମ୍ମିଳନୀ ଅଧୀନରେ ଅନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମି’ (ରାମସାର ଓ୍ୱେଟ୍ ଲ୍ୟାଣ୍ଡ ଅଫ୍ ଇଣ୍ଟରନ୍ୟାସନାଲ ଇମ୍ପୋର୍ଟାନ୍ସ) ରେ ସ୍ଥାନିତ ହୋଇଛି। ହଜାର ହଜାର ପ୍ରବାସୀ ପକ୍ଷୀଙ୍କ ଦୀର୍ଘ ଯାତ୍ରାରେ ଚିଲିକା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ଥାୟୀ ରହଣି (ଷ୍ଟପ୍ ଓଭର ପଏଣ୍ଟ) ଭାବରେ କାର୍ୟ୍ୟ କରେ। ଚିଲିକା ବିଭିନ୍ନ ପ୍ରଜାତିରମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଓଅନ୍ୟାନ୍ୟ ଜଳଜୀବଙ୍କ ସହ ବିରଳ ଇରଓ୍ୱାଡି ଡଲଫିନ୍ ମାଛଙ୍କ ଘର ଭାବେ ଏହାର ସ୍ୱତନ୍ତ୍ର ପରିଚୟ ରହିଛି। ଏଥି ସହିତ ଚିଲିକାର ଲୁଣାପାଣିଏକ ସମୃଦ୍ଧ ଜୈବ ବିବିଧତାକୁ ସମର୍ଥନ କରେ। ଚିଲିକାରୁ ମାଛ ଧରିବା ହଜାର ହଜାର ପରିବାରଙ୍କ ଜୀବିକାର୍ଜନର ମାଧ୍ୟମ ହୋଇଛି ଓ ସେମାନଙ୍କର ଆଞ୍ଚଳିକ ଅର୍ଥନୀତି ପ୍ରତି ଯୋଗଦାନ ରହିଛି। ବିଦେଶାଗତ ପକ୍ଷୀ, ଡଲଫିନ୍ ମାଛ, କାଳିଜାଇ ମନ୍ଦିର ଏବଂ ବିଭିନ୍ନ ଜଳ କ୍ରୀଡା କାର୍ୟ୍ୟକଳାପ ଯୋଗୁଁ ଚିଲିକାପର୍ୟ୍ୟଟକଙ୍କ ଏକ ପ୍ରମୁଖ ଲକ୍ଷ୍ୟ ସ୍ଥଳ ହୋଇପାରିଛି। ସ୍ଥାନୀୟ ବୋଟ୍ ଚିଲିକାକୁ ଯାତାୟତର ପ୍ରମୁଖ ମାଧ୍ୟମ ଅଟନ୍ତି।

prayash

କିନ୍ତୁ ଦେଖାଯାଇଛି ଯେ, ଚିଲିକାରେଡିଜେଲ ଚାଳିତ ମୋଟର ବୋଟ୍ ବ୍ୟବହାର ଦ୍ୱାରା ଏହା ବିଭିନ୍ନ ପ୍ରକାର ପ୍ରଦୂଷଣର କାରଣ ହେଉଛି। ଏହି ପ୍ରକାର ବୋଟରେ ବ୍ୟବହୃତ ହେଉଥିବା ତେଲ ଅଧିକାଂଶ ସମୟରେ ହ୍ରଦରେ ମିଶୁ ଥିବାରୁ ଜଳ ପ୍ରଦୁଷଣ, ବାୟୁ ପ୍ରଦୁଷଣ ଏବଂ ବୋଟର ଶବ୍ଦରୁ ଶବ୍ଦ ପ୍ରଦୁଷଣହୋଇଥାଏ। ଏଥି ଯୋଗୁଁ ଜଳ ପରିସଂସ୍ଥାରେଅସନ୍ତୁଳନ ଦେଖାଦେଉଛି;ବିଦେଶାଗତ ପକ୍ଷୀମାନଙ୍କ ସଂଖ୍ୟା କମୁଛି ଓ ଡ଼ଲଫିନ୍‌ ମାଛମାନଙ୍କର ଗତି ପଥ ମଧ୍ୟ ହ୍ରଦରୁ ଦୂରେଇ ଯାଉଥିବା ଆଶଂକା ରହୁଛି।
ସୌର ଚାଳିତ ବା ବ୍ୟାଟେରୀ ଚାଳିତ ବୋଟ୍ ପ୍ରାରମ୍ଭିକ ପର୍ୟ୍ୟାୟରେ କିଛିକାଂଶରେ ବ୍ୟୟ ସାପେକ୍ଷ ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାର ବାର୍ଷିକପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍‌ ହୋଇଥାଏ। ଓରେଡା ତରଫରୁ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ସୌରଚାଳିତ ଓ ବ୍ୟାଟେରୀ ଚାଳିତ ବୋଟ୍ ମଡେଲ ଗୁଡିକ ପ୍ରଦର୍ଶିତ କରାଯାଇଥିଲା।

ଏ ଦିଗରେ ‘ଓରେଡା’ ପାଇଲଟ ପ୍ରକଳ୍ପ ଭାବେ କାର୍ୟ୍ୟାରମ୍ଭ କରିବାକୁ ସ୍ଥିର କରିଥିବା ବେଳେ ଏ କ୍ଷେତ୍ରରେ ରହିଥିବା ବୈଷୟିକ-ବାଣିଜ୍ୟିକ ସମ୍ଭାବନାକୁ ସବିଶେଷ ଅନୁଧ୍ୟାନ କରାଯିବ। ବର୍ତ୍ତମାନ ରହିଥିବା ମାଛଧରା, ପର୍ୟ୍ୟଟକ ଡଙ୍ଗାଗୁଡିକରେ ନିର୍ମାଣ ଶୈଳୀରେ ଆବଶ୍ୟକପରିବର୍ତ୍ତନ କରାଯାଇ ତାହାକୁ ସୌରଚାଳିତ ବୈଦ୍ୟୁତିକ ବୋଟରେ ପରିଣତକରାଯିବ। ଏଥି ପାଇଁ ଉପକୃତ ହେବାକୁ ଥିବା ମତ୍ସ୍ୟଜୀବୀ, ପର୍ୟ୍ୟଟକ ବୋଟ ଚାଳକ ଆଦି ଅଂଶୀଦାରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ। ନୂତନ ବୋଟର ସହଜ ପରିଚାଳନା ଓ ସରଳ ରକ୍ଷଣାବେକ୍ଷଣ ପଦ୍ଧିତ ସଂପର୍କରେ ବୁଝାଯିବ। ଶକ୍ତି ବିଭାଗ, ଓଟିଡିସି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ,ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହଯୋଗରେ ଓରେଡା ଏହି ପାଇଲଟ ପ୍ରକଳ୍ପକୁ କାର୍ୟ୍ୟକାରୀ କରିବ। ପ୍ରାଥମିକ ପର୍ୟ୍ୟାୟରେ ଚିଲିକାର ବିଭିନ୍ନ ସ୍ଥାନରେ ସୌର-ବ୍ୟାଟେରୀ ଚାଳିତ ବୋର୍ଟ ଚଳାଇବାକୁ ଆବଶ୍ୟକ ପ୍ରସ୍ତୁତି ପାଇଁ ଓରେଡାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.