ପଳାଶପଙ୍ଗା-ବାମେବାରୀ ରାସ୍ତା ପାଲଟିଛି ମରଣଯନ୍ତା
କେନ୍ଦୁଝରଗଡ: କେନ୍ଦୁଝର ଜିଲାର ଯୋଡା ଖଣିକ୍ଷେତ୍ରକୁ ସିଧାସଳଖ ସଂଯୋଗ କରୁଥିବା ପଳାଶପଙ୍ଗା-ବାମେବାରୀ ୨୭କି.ମି. ରାସ୍ତାକୁ କେନ୍ଦୁଝର ଇନ୍ଫ୍ରାଷ୍ଟକ୍ଚର ଡେଭଲପମେଣ୍ଟ କମ୍ପାନୀ (କିଡକୋ) ପକ୍ଷରୁ ଉନ୍ନତିକରଣ କରାଯାଇ ଟୋଲ ଟିକସ ଆଦାୟ କରାଯାଇ ଆସୁଥିଲା। ଟିକସ ଆଦାୟ ଅବଧି ଶେଷ ହେବାପରେ ଉକ୍ତ ରାସ୍ତା ଚଳିତବର୍ଷ ଫେବୃୟାରୀ ୧ ତାରିଖରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପରଠାରୁ ଏବେ ଏହି ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତା ଦେଇ ଜିଲା ଓ ଜିଲା ବାହାରର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବନ୍ଦରକୁ ଖଣିଜସମ୍ପଦ ପରିବହନ ହୋଇ ଆସୁଥିବାରୁ ମାତ୍ରାଧିକ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ପୂର୍ତ୍ତ ବିଭାଗକୁ ଏହି ରାସ୍ତା ହସ୍ତାନ୍ତର ପରେ ଏହି ରାସ୍ତାକୁ ଦୁଇଭାଗରେ ବିଭାଜନ କରି କାଳିମାଟି ଠାରୁ ବାମେବାରୀ ପର୍ଯ୍ୟନ୍ତ ୫.୬୨୦କି.ମି. ରାସ୍ତା ୪ଥାକିଆ ନିର୍ମାଣ ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍) ପାଣ୍ଠିରୁ ୬୯କୋଟି ୫୩ଲକ୍ଷ ୪୫ହଜାର ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ଆହ୍ୱାନ ଶେଷ ହୋଇଛି।
ପଳାଶପଙ୍ଗା ଠାରୁ କାଳିମାଟି ପର୍ଯ୍ୟନ୍ତ ଅବଶିଷ୍ଟ ୨୨ କି.ମି. ରାସ୍ତା ପ୍ରଶସ୍ତିକରଣ କରାନଯାଇ କେବଳ ଉନ୍ନତିକରଣ ଓ ମରାମତି ପାଇଁ ନିକଟରେ ଠିକାଦାର ସଚ୍ଚିଦାନନ୍ଦ ଖିଲାରଙ୍କ ସହ ଚୁକ୍ତି ସ୍ୱାକ୍ଷର ହୋଇଥିବା ବେଳେ ଅଦ୍ୟାବଧି କାର୍ଯ୍ୟାରମ୍ଭ ହୋଇନାହିଁ। ଫଳରେ ଉକ୍ତ ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଖଣିଜସମ୍ପଦ ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଧୂଳି ଧୁଆଁ ଯୋଗୁଁ ଅଞ୍ଚଳବାସୀ ବିଶେଷଭାବେ ପ୍ରଭାବିତ ହୋଇଥିବା ସ୍ଥାନୀୟ ଆଦିବାସୀ ଯୁବନେତା ସୁନାରାମ ମାଝୀ କ୍ଷୋଭର ସହ ଏହା କହିଛନ୍ତି। ଆହାରପଶି ଛକ ଠାରୁ ଜଗଦଳା ଡ୍ୟାମ ପର୍ଯ୍ୟନ୍ତ ରାସ୍ତା ଯାତାୟାତ ଯୋଗ୍ୟ ହୋଇ ରହିନଥିବାରୁ ଗତ କିଛି ମାସ ଧରି ଉକ୍ତ ରାସ୍ତାରେ ଯାତ୍ରିବାହୀ ଯାନ ସମ୍ପୂର୍ଣ୍ଣ ଭାବେ ଚଳାଚଳ ବନ୍ଦ କରି ୨୦ନଂ ଜାତୀୟ ରାଜପଥ କଟଲପଶି ଛକ ଠାରୁ ଧାତିକା ଦେଇ ଯାତାୟାତ କରୁଥିବାରୁ କଣ୍ଡରାପଶି ଓ ପର୍ଜନପୁର ପଞ୍ଚାୟତବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାସ୍ତାରୁ ଉଡୁଥିବା ଧୂଳି ସାଙ୍ଗକୁ ଯାନବାହାନର ବିଷାକ୍ତ ଧୂଆଁରେ ଅଞ୍ଚଳବାସୀ ଆକ୍ରାନ୍ତ ହୋଇ ଯକ୍ଷ୍ମା, କାଶ ଓ ଥଣ୍ଡା ଜ୍ୱରରେ ପୀଡିତ ହୋଇ ଆସୁଥିବା ବେଳେ ରାସ୍ତା ମରଣଯନ୍ତା ପାଇଁ ଆମ୍ବୁଲାନ୍ସ ସେବା ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ ବୋଲି ବରିଷ୍ଠ ନାଗରିକ ରାଧାକାନ୍ତ ଖିଲାର କ୍ଷୋଭର ସହ ଏହା କହିଛନ୍ତି।
ପଳାଶପଙ୍ଗା ଠାରୁ କାଳିମାଟି ପର୍ଯ୍ୟନ୍ତ ସଦର ବ୍ଲକର ପଳାଶପଙ୍ଗା, କଣ୍ଡରାପଶି ଓ ପର୍ଜନପୁର, ଝୁମ୍ପୁରା ବ୍ଲକର ମଲଦା, ନୟାଗଡ, ବସନ୍ତପୁର, କୁଟୁଗାଁ ଏବଂ ଯୋଡା ବ୍ଲକର ବଡକାଳିମାଟି ପଞ୍ଚାୟତକୁ ମିଶାଇ ୮ଟି ପଞ୍ଚାୟତର ୫୦ରୁ ଉଦ୍ଧ୍ୱର୍ ଗ୍ରାମର ଲୋକେ ଏହି ରାସ୍ତା ଉପରେ ବିଶେଷ ଭାବେ ନିର୍ଭରଶୀଳ ଥିବାବେଳେ ମାତ୍ରାଧିକ ଭାରିଯାନ ଚଳାଚଳ ଦୃଷ୍ଟିରୁ ଉକ୍ତ ରାସ୍ତାକୁ ମଧ୍ୟ ୪ଥାକିଆ ନିର୍ମାଣ କରାଯାଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ଧନଜୀବନ ସୁରକ୍ଷା ପ୍ରତି ପ୍ରାଧାନ୍ୟ ଦେବାକୁ କଣ୍ଡରାପଶିର ପୂର୍ବତନ ସରପଞ୍ଚ ଯୋଧ୍ୟା ନାଏକ ଦାବି କରିଛନ୍ତି।
ଏପରିକି କାଳିମାଟି-ପଳାଶପଙ୍ଗା ରାସ୍ତା ଦେଇ ଯୋଡା ଖଣିକ୍ଷେତ୍ରର ବିଭିନ୍ନ ଖଣି ଓ ଶିଳ୍ପାନୁଷ୍ଠାନରୁ ଖଣିଜସମ୍ପଦ ଟ୍ରକ ଯୋଗେ ନୟାଗଡ ଓ ପର୍ଜନପୁର ରେଳ ସାଇଡିଂକୁ ପରିବହନ ହୋଇ ଆସୁଥିବାରୁ ଏହି ରାସ୍ତା ଅଧିକାଂଶ ସମୟ ଟ୍ରାଫିକ୍ ସମସ୍ୟା ଦେଖାଦେଇ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହୋଇ ବ୍ୟାପକ ଧନଜୀବନ ହାନୀ ହେଉଥିବାରୁ ପଳାଶପଙ୍ଗା-କାଳିମାଟି ରାସ୍ତାକୁ ମଧ୍ୟ ୪ଥାକିଆ ନିର୍ମାଣ ପାଇଁ ଶ୍ରୀ ପ୍ରଧାନ ଦାବି କରିଛନ୍ତି। ଏଭଳିସ୍ଥିତିରେ କଣ୍ଡରାପଶି ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଯୋଧ୍ୟା ନାଏକଙ୍କ ନେତୃତ୍ୱରେ ସୁନାରାମ ମାଝୀ, ରାଧାକାନ୍ତ ଖିଲାର, ମହେନ୍ଦ୍ର ମହାନ୍ତ, ବୀରବର ମାଝୀ, କୁଶଧ୍ୱଜ ମାଝୀ, ମିଟୁ ତନ୍ତୀ ଓ ନିଳାମ୍ବର ମାଝୀ ପ୍ରମୁଖ ସୋମବାର ଅପରାହ୍ନରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ୨୪ଘଣ୍ଟା ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟର୍ ସହ ପାଣି ସିଞ୍ଚନ କରାନଗଲେ ବୁଧବାର ସକାଳୁ ବାଦ୍ୟ ହୋଇ ରାସ୍ତା ଅବରୋଧ କରାଯାଇ ବ୍ୟାପକ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
Comments are closed.