ପୂର୍ତ୍ତ ସୁପରଭାଇଜରଙ୍କୁ ଆକ୍ରମଣ, ଶ୍ରମିକ ଅଶାନ୍ତି

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଗୋହିରାରୁ ବରହମପୁର ରାସ୍ତା ସମ୍ପ୍ରସାରଣ ହେଉଥିବା ଯୋଗୁ ସୁମନ୍ତ ନାମକ ଜଣେ ଠିକାଦାର ପୂର୍ତ୍ତ ବିଭାଗରୁ ଏହି କାମ ହାତେଇଛନ୍ତି। ତେବେ ରାସ୍ତାକାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କେତେକ ସ୍ଥାନୀୟଲୋକ ଏହି କାମକୁ ତଦାରଖ କରୁଥିବା ୨ଜଣ ସୁପରଭାଇଜରଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ଅଭିଯୋଗରେ ବରହମପୁର ଥାନା ଆଗରେ ଶ୍ରମିକମାନେ ଧାରଣା ଦେଇଥିବା ପରିଲକ୍ଷିତ ହୋଇଛି। ସୁପରଭାଇଜର ତଥା ବାଙ୍କିସାହି ଗାଁର ସୁକାନ୍ତ ବେହେରା ଓ କଳାକାଦ ଗାଁର କେଦାରନାଥ ମହାନ୍ତି ବରହମପୁର ବିନ୍ଧାଣୀଛକ ନିକଟରେ କଂକ୍ରିଟ ରାସ୍ତା କାମରେ ତଦାରଖ କରୁଥିଲେ।

prayash

ଅଚାନକ ସେହି ଅଞ୍ଚଳର ଟାଙ୍ଗୁରୁ ଓରଫ ସନ୍ତୋଷ ବେହେରା, ରବୀନ୍ଦ୍ର ବେହେରା, ଭଗବାନ ସାହୁ, ପୀତାମ୍ବର ବାରିକ ପ୍ରମୁଖ କାର୍ଯ୍ୟସ୍ଥଳରେ ପହଞ୍ଚି କାର୍ଯ୍ୟ ବନ୍ଦ କରିବାକୁ ଧମକ ଦେଇଥିଲେ । କିନ୍ତୁ ଦୁଇ ସୁପରଭାଇଜର କାରଣ ପଚାରନ୍ତେ; ଉପରୋକ୍ତ ଅଭିଯୁକ୍ତମାନେ ସେମାନଙ୍କୁ ଲୁହାଛଡ଼, ଠେଙ୍ଗା ଓ କୋଦାଳରେ ମରଣାନ୍ତର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ସୁପରଭାଇଜର ସୁକାନ୍ତ ଗୁରୁତର ହୋଇଥିବା ବେଳେ କେଦାରନାଥ ଆହତ ହୋଇଛନ୍ତି। ଗୁରୁତରଙ୍କୁ ବରହମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଉକ୍ତ ଘଟଣାରେ କାର୍ଯ୍ୟରତ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲେ। ସେମାନେ ନ୍ୟାୟ ଦାବିରେ ତଥା ଅଭିଯୁକ୍ତଙ୍କୁ ଗିରଫ ଦାବି କରି ବରହମପୁର ଥାନା ଆଗରେ ଧାରଣା ଦେଇଥିଲେ। ଉକ୍ତ ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି। ସେପଟେ ଅଭିଯୁକ୍ତଙ୍କ ପକ୍ଷରୁ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରାଯାଇଥିବା ସୂଚନା ମିଳିଛି।

Comments are closed.