ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ସଂପାଦକଙ୍କ ପିପିଲି ଗସ୍ତ: ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ବୃଦ୍ଧାଶ୍ରମରେ ଖାଦ୍ୟ ବଣ୍ଟନ ଓ ବୃକ୍ଷରୋପଣ
ପିପିଲି:ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ଅବସରରେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ରାଜକୁମାର ଓ ରାଷ୍ଟ୍ରୀୟ ସଂପାଦକ ଡ଼ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ସୋମବାର ପୂର୍ବାହ୍ନରେ ପିପିଲି ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ଥିବା ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପିପିଲି ବ୍ଲକଛକ ସ୍ଥିତ ବୃଦ୍ଧାଶ୍ରମରେ ଉଭୟେ ପହଞ୍ଚିବା ପରେ ସେଠାରେ ପିପିଲି ପୌରାଧ୍ୟକ୍ଷ ସେକ୍ ବାବୁ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଉତ୍କଳମଣି ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ହେମନ୍ତ କୁମାର ସେଠୀ, ଯୁବ ସମାଜସେବୀ ଅରବିନ୍ଦ ସାହୁ ଓ ବୃଦ୍ଧାଶ୍ରମର ପରିଚାଳିକା ସବିତା ବେହେରା, ରଜତ କୁମାର ରାଉତ ପ୍ରମୁଖ ଫୁଲତୋଡା ଦେଇ ଉଭୟଙ୍କୁ ସ୍ୱାଗତ କରିଥିଲେ। ପରେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ଶ୍ରୀ ରାଜ କୁମାର ଓ ଡ଼ ଆଚାର୍ଯ୍ୟ କିଛି ସମୟ ପାଇଁ ଭାବବିନିମୟ କରିବା ସହ ସେମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ। ଏହା ପରେ ଖଣ୍ଡିଆଗିରି ସ୍ଥିତ ଆଦର୍ଶ ଉଦ୍ୟାନ ପରିସରରେ ଥିବା ପୂଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ସେମାନେ ମାଲ୍ୟାର୍ପଣ କରିବା ସହ ସେଠାରେ ଉପସ୍ଥିତ ଶିଶୁ ମାନଙ୍କୁ ଚକୋଲେଟ୍ ବଣ୍ଟନ କରିଥିଲେ। ପିପିଲି ପୌରାଧ୍ୟକ୍ଷ ସେକ୍ ବାବୁ, କାଉନ୍ସିଲର ରଞ୍ଜୁକ୍ତା ବରାଳ, ଯୁବ ସମାଜସେବୀ ସୁନିଲ ବରାଳ, ନିରଞ୍ଜନ ସ୍ୱାଇଁ ପ୍ରମୁଖ ଏହି ଅବସରରେ ଶ୍ରୀ ରାଜକୁମାର ଓ ଡ଼ ଆଚାର୍ଯ୍ୟଙ୍କୁ ଉପଢୌକନ ଓ ପଟ୍ଟଚିତ୍ର ପ୍ରଦାନ ପୂର୍ବକ ସଂବର୍ଦ୍ଧିତ କରିଥିଲେ। ଉକ୍ତ ଉଦ୍ୟାନ ପରିସରରେ ଉଭୟେ ୩ଟି ଚାରା ରୋପଣ କରିଥିଲେ। ଏଥିସହ ନିକଟସ୍ଥ ଖଣ୍ଡିଆଗିରି ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଉଭୟେ ମାଲ୍ୟାର୍ପଣ କରିଥିଲେ।
ଏହା ପରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦ୍ୱାରା ୧୯୧୯ ମସିହାରେ ପ୍ରତିଷ୍ଠିତ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲକୁ ଉଭୟେ ଗସ୍ତ କ଼ରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରତିଭା ଷଡଙ୍ଗୀ, “ଜନସ୍ୱାର୍ଥ ସୁରକ୍ଷା ସମିତି’ର ମୁଖ୍ୟ ସଂଯୋଜକ ଶିକ୍ଷାବିତ୍ ସନ୍ତୋଷ କୁମାର ମିଶ୍ର, ଶିକ୍ଷାବିତ୍ ପ୍ରସନ୍ନ କୁମାର ଦାସ, ସମାଜସେବୀ ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ଉଭୟଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ। ଏହି ଅବସରରେ ସେଠାରେ ଥିବା ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଉଭୟେ ମାଲ୍ୟାର୍ପଣ କରିବା ସହ ସ୍ୱୃତିଚାରଣ କରିଥିଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ଉକ୍ତ ବିଦ୍ୟାଳୟକୁ ଉଭୟେ ବୁଲି ଦେଖିବା ସହ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା, ପରୀକ୍ଷା ଫଳ ଓ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସଫଳତା ସଂପର୍କରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା ସମିତି ସଦସ୍ୟ ଓ ଅଭିଭାବକଙ୍କ ଠାରୁ ପଚାରି ବୁଝିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ଡ଼ ଆଚାର୍ଯ୍ୟ ଭାବ ବିନିମୟ କରିବା ଅବସରରେ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭଲ ମଣିଷ ଓ ଦେଶ ସେବକ ଭାବେ ନିଜକୁ ଗଢି ତୋଳିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ରାଷ୍ଟ୍ରୀୟ ସଂପାଦକଙ୍କ ସହ ସହଯୋଗୀ ମହେଶ ମଲ୍ଲ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ଗନ୍ଧର୍ବ ପ୍ରଧାନ, ସୁଦର୍ଶନ ସ୍ୱାଇଁ, ପିପିଲି ମହୋତ୍ସବ କମିଟିର ଶଙ୍କର୍ଷଣ ପ୍ରଧାନ, ପ୍ରସନ୍ନ କୁମାର ସାହୁ, ମନୋଜ କୁମାର ସ୍ୱାଇଁ, ବ୍ରଜକିଶୋର ପ୍ରଧାନ, ଶ୍ରୀଧର ନାୟକ, ଯାଦବ ପ୍ରଧାନ, ଯୁବ ସମାଜସେବୀ ସୁନିଲ ବରାଳ, ନିରଞ୍ଜନ ସ୍ୱାଇଁ, ରିଙ୍କି ବରାଳ, ବିଶ୍ୱଜିତ ପ୍ରଧାନ, ‘ସମାଜ’ର ପିପିଲି ପ୍ରତିନିଧି ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.