ମୃତଦେହ ଖୋଜିବାକୁ ନୃତତ୍ତ୍ୱବିତ୍ଙ୍କ ସହାୟତା ନେଉଛି ପୁଲିସ
ପୋର୍ଟବ୍ଲେୟାର : ଆଣ୍ଡାମାନ୍ ନିକୋବର ଦ୍ୱୀପପୁଞ୍ଜର ନିଷିଦ୍ଧାଞ୍ଚଳରେ ଆଦିମ ଅଧିବାସୀଙ୍କ ତୀରମାଡ଼ରେ ମୃତ ଆମେରିକୀୟ ପର୍ଯ୍ୟଟକ ଜନ୍ ଆଲେନ୍ ଚାଉଙ୍କ ମୃତଦେହ ଉଦ୍ଧାର କରିବାରେ ପୁଲିସ ପ୍ରଶାସନ ଅଦ୍ୟାବଧି ସଫଳ ହୋଇପାରି ନାହିଁ। ଏଥିପାଇଁ ନୃତତ୍ତ୍ୱବିତ୍, ଅଧ୍ୟାପକ, ଶିକ୍ଷାବିତ୍, ବନ ବିଭାଗ, ଆଦିବାସୀ କଲ୍ୟାଣ ବିଭାଗର ଅଧିକାରୀ ପ୍ରମୁଖଙ୍କ ସହାୟତା ନିଆଯାଇଥିବା ଡିଜିପି ଦୀପେନ୍ଦ୍ର ପାଠକ କହିଛନ୍ତି। ଏହି ଅବସରରେ ଜନୈକ ନୃତତ୍ତ୍ୱବିତ୍ କହିଛନ୍ତି ଯେ ଆଦିମ ଅଧିବାସୀଙ୍କ ପାଇଁ ଉପହାର ସ୍ୱରୂପ ନଡ଼ିଆ ଓ ଲୌହସାମଗ୍ରୀ ନେଲେ ଶବ ଉଦ୍ଧାର କାର୍ଯ୍ୟ ସହଜ ହୋଇପାରିବ।
ଆଣ୍ଡାମାନ ପୁଲିସ ମୁଖପାତ୍ର ଯତୀନ ନରୱାଲ୍ଙ୍କ ସୂଚନା ଅନୁଯାୟୀ, ପ୍ରକୃତରେ ତୀର ବିଦ୍ଧ ହୋଇ ଚାଉଙ୍କ ମୃତ୍ୟୁ ଘଟିଛି କିମ୍ବା ଅନ୍ୟ କୌଣସି ମାରଣାସ୍ତ୍ରରେ ତାଙ୍କୁ ହତ୍ୟା କରାଯାଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଚାଉଙ୍କ ଦ୍ୱାରା ଡାଏରିରେ ଲିଖିତ ୧୩ ପୃଷ୍ଠାର ବିବରଣୀକୁ ତାଙ୍କ ବନ୍ଧୁ ଆଲେକ୍ସ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏଥିରୁ ଘଟଣା ସମ୍ପର୍କରେ ଅଧିକ କିଛି ତଥ୍ୟ ମିଳିପାରିବ ବୋଲି କୁହାଯାଉଛି। ନୌସେନା ଓ ତଟରକ୍ଷୀ ବାହିନୀ ଦୃଷ୍ଟିକୁ ଏଡ଼ାଇ ସେ ନିଷିଦ୍ଧାଞ୍ଚଳରେ ପହଞ୍ଚିଥିବାରୁ ନିଜ ମା’ ଓ ଈଶ୍ୱରଙ୍କୁ ସେଥିରେ ଧନ୍ୟବାଦ ଜଣାଇଛନ୍ତି।
ଡିଜିପି କହିଛନ୍ତି ଯେ ନିଷିଦ୍ଧାଞ୍ଚଳକୁ ଯିବା ପାଇଁ ଚାଉ ତାଙ୍କ ବନ୍ଧୁ ତଥା ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ଆଲେକ୍ସଙ୍କ ସମେତ ଜଳକ୍ରୀଡ଼ା ସେବା ପ୍ରଦାନକାରୀ ସଂସ୍ଥା ଓ ୫ଜଣ ମତ୍ସ୍ୟଜୀବୀଙ୍କ ସହାୟତା ନେଇଥିଲେ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ୨୫ହଜାର ଟଙ୍କା ଦେଇଥିଲେ। ଚାଉଙ୍କୁ ସେଠାରେ ଓହ୍ଲାଇଦେବା ପରେ ମତ୍ସ୍ୟଜୀବୀମାନେ ସେଠାରୁ ଚାଲି ଆସିଥିଲେ। କେତେବେଳେ ଓ କେଉଁ ସମୟରେ ସେମାନେ ପୁଣି ଦେଖା ହେବେ ସେ ସମ୍ପର୍କରେ ପୂର୍ବରୁ ସ୍ଥିର ହୋଇଥିଲା। ଧାର୍ଯ୍ୟ ତାରିଖ ନଭେମ୍ବର ୧୭ତାରିଖ ଦିନ ମତ୍ସ୍ୟଜୀବୀମାନେ ସେଠାରେ ପହଞ୍ଚିବା ପରେ ଜଣେ ବ୍ୟକ୍ତିଙ୍କ ଶରୀର ଜଳୁଥିବା ଦେଖିଥିଲେ। ଜଳୁଥିବା ଶରୀର ଚିହ୍ନଟ କରିବା ସହଜ ନଥିଲା । ବେଶପୋଷାକ ଓ ପରିସ୍ଥିତିରୁ ଅଧାପୋଡ଼ା ଶରୀର ଚାଉଙ୍କର ବୋଲି ମତ୍ସ୍ୟଜୀବୀମାନେ ଅନୁମାନ କରିଥିଲେ। ଫେରିବାବେଳେ ସେମାନେ ସେଠାରେ ପଡ଼ିଥିବା କିଛି କାଗଜପତ୍ର ସାଙ୍ଗରେ ନେଇ ଆସିଥିଲେ। ପରେ ତାହା ଚାଉଙ୍କ ବନ୍ଧୁ ଆଲେକ୍ସଙ୍କୁ ହସ୍ତାନ୍ତର କରିଥିଲେ। ଆଲେକ୍ସ ଏ ସମ୍ପର୍କରେ ଆମେରିକାରେ ରହୁଥିବା ଚାଉଙ୍କ ଜଣେ ବନ୍ଧୁ ବବି ପାର୍କଙ୍କୁ ଜଣାଇଥିଲେ। ବବି ଚାଉଙ୍କ ପରିବାରକୁ ସୂଚନା ଦେବା ପରେ ତାଙ୍କ ପରିବାର ଆମେରିକୀୟ ଅଧିକାରୀଙ୍କୁ ଜନ୍ଙ୍କ ମୃତ୍ୟୁ ବିଷୟରେ ଜଣାଇଥିଲେ। ଆମେରିକୀୟ ଦୂତାବାସ ପକ୍ଷରୁ ନଭେମ୍ବର ୧୯ରେ ଚେନ୍ନଇ ପୁଲିସକୁ ଘଟଣା ଓ ଅଭିଯୋଗ ସମ୍ପର୍କରେ ସୂଚନା ଦିଆଯାଇଥିଲା।