ଶିକ୍ଷା ସୁଧାରର ସରଳ ସୂତ୍ର
ଶରତ ଚନ୍ଦ୍ର ଶତପଥୀ
ଶିକ୍ଷା ସୁଧାର ନିମିତ୍ତ ସରକାରୀ ପ୍ରୋତ୍ସାହନରେ ବହୁ ପଣ୍ଡିତ ବ୍ୟକ୍ତି ସଭା କରିଛନ୍ତି, ବକ୍ତୃତା ଅଜାଡ଼ିଛନ୍ତି, ଆମର ସମୟ ଓ ସମ୍ବଳ ବ୍ୟୟକରି ଅନେକ ସୁପାରିସ ଗ୍ରନ୍ଥ ପ୍ରସ୍ତୁତ କରିଛନ୍ତି। ବ୍ୟାବହାରିକ କ୍ଷେତ୍ରରେ ସେସବୁ ବିଶେଷ ଫଳପ୍ରଦ ହୋଇଥିବା ଭଳି ମନେହୁଏ ନାହିଁ। ଏହି ଆଲେଖ୍ୟ ପ୍ରସ୍ତୁତ କାଳରେ, ଦୀର୍ଘ ଶିକ୍ଷକ ଜୀବନର ଅନୁଭୂତି ଓ ଅନୁଭବକୁ ପଥପ୍ରଦର୍ଶକ ମାନକ ରୂପେ ଗ୍ରହଣ କରାଯାଇଛି। ଭରସା ରହିଛି ଯେ କୃଷିବିଜ୍ଞାନୀର ବିଶ୍ୱବିଦ୍ୟାଳୟରୁ ଆନିତ ବୁଦ୍ଧିଠାରୁ, କ୍ଷେତରେ ନିୟୋଜିତ କୃଷକର ଅଭିଜ୍ଞତା କୃଷି କର୍ମରେ ସଫଳତା ଆଣିପାରେ। ଏଠାରେ ଉଲ୍ଲେଖ କରାଯାଇଥିବା ଉପାୟ ସବୁ ସମଗ୍ର ଛାତ୍ରସମାଜ ନିମନ୍ତେ, ପ୍ରାଥମିକ ସ୍ତରରୁ ଉଚ୍ଚଶିକ୍ଷାର ଶେଷ ସୋପାନ ପର୍ଯ୍ୟନ୍ତ, କଳା, ବିଜ୍ଞାନ, ବୈଷୟିକ ଶିକ୍ଷାର ପରିସମାପ୍ତି ପର୍ଯ୍ୟନ୍ତ, ସୁଫଳଦାୟୀ ହେବ ବୋଲି ଆଶାପୋଷଣ କରାଯାଇଛି। ଅଭିଭାବକ, ଶିକ୍ଷାଦାନରେ ନିଯୁକ୍ତ ଶିକ୍ଷକ ବର୍ଗ ଏବଂ ଶିକ୍ଷାର ବିପଣୀ ଖୋଲିଥିବା ବ୍ୟବସାୟୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଅବଗତି ନିମନ୍ତେ ଏହି ନିବେଦନ ମାଧ୍ୟମରେ ଏକ ସତର୍କବାଣୀ ଦେବାକୁ ଚେଷ୍ଟା କରାଯାଇଛି। ସାମୂହିକ ତଥା ସାମଗ୍ରିକ ସମ୍ପୃକ୍ତି , ସହଯୋଗ ଓ ସମର୍ଥନ ଅଭାବରେ ଶିକ୍ଷା ସଂସ୍କାରର ସଫଳତା ମିଳିବା ସହଜ ନୁହେଁ। କୌଣସି ବ୍ୟାଧିର ଉପଶମ ନିମିତ୍ତ ନିଷ୍ଠାପର ବିଧିପାଳନ ରୋଗୀ ଏବଂ ଏହାର ନିରାକରଣରେ ଆଗ୍ରହୀ ବ୍ୟକ୍ତିମାନଙ୍କ ନିମନ୍ତେ ବାଧ୍ୟତାମୂଳକ ପ୍ରାଥମିକ ଆବଶ୍ୟକତା ବୋଲି ମାନିବାକୁ ହେବ। ଏହି ସନ୍ଦର୍ଭରେ ଶିକ୍ଷା ପରିଚାଳନା ସହ ଜଡ଼ିତ ସରକାରୀ ଦପ୍ତର / ବାବୁଭାୟାମାନଙ୍କଠାରୁ ବିଶେଷ ସହାୟତା ଆଶା ନକରାଯିବା ଉଚିତ। ପ୍ରଚଳିତ ନିୟମ କାନୁନର ପ୍ରୟୋଗ ସମ୍ବନ୍ଧରେ ପ୍ରାୟତଃ ଅଜ୍ଞ ଅଧିକାରୀମାନେ ଦୁଇପାଦ ଆଗକୁ ଚିନ୍ତା କରିବାକୁ ନିଜକୁ ସକ୍ଷମ ରଖି ନାହାନ୍ତି ବୋଲି ସାଧାରଣରେ ବିଶ୍ୱାସ କରାଯାଏ। ଆମର ନିଜ ପିଲାମାନଙ୍କର ଶିକ୍ଷା ଦାୟିତ୍ୱ ଯେ ସମ୍ପୂର୍ଣ୍ଣ ଭାବରେ ସରକାର ସମ୍ପାଦନ କରିବେ, ଅଥଚ ଆମର କିଛି ଅବଦାନ ରହିବ ନାହିଁ , ଏମନ୍ତ ବିଚାର ଦେଶ, ଦଶ ନିମନ୍ତେ ହିତକାରୀ ନୁହେଁ। କିନ୍ତୁ ଅଭିଭାବକ ଭାବରେ ସରକାରୀ, ବେସରକାରୀ ବାବୁମାନେ ଏହି ଆଲେଖ୍ୟର ସୂତ୍ରମାନଙ୍କ ସମ୍ବନ୍ଧରେ ଆପଣାକୁ ଅବହିତ ରଖିବା ସେମାନଙ୍କ ପିଲା ବାଳକଙ୍କ ପ୍ରତି ଲାଭଦାୟକ ହେବ ନିଶ୍ଚୟ।
ଉପାୟଟି ବୁଝିବାକୁ ସରଳ, ପ୍ରୟୋଗାତ୍ମକ ପରିସ୍ଥିତିରେ କାର୍ଯ୍ୟକାରୀ କରିବା ସହଜ ଏବଂ ପ୍ରାୟତଃ ବିବାଦଶୂନ୍ୟ। ଏଠାରେ ରାଜନୀତି କଥା କିମ୍ବା ଦାରୁଣ ଆର୍ଥିକ ବୋଝ କାହା ଉପରେ ପଡ଼ିଯିବାର ଭୟ ନାହଁ। କେବଳ ଚିନ୍ତା, ଚେତନା ଉତ୍ତମ ବୁଝାମଣା ଓ ସହଯୋଗ ଲୋଡ଼ା। ଶିଶୁ ଶ୍ରେଣୀଠାରୁ ଡାକ୍ତରୀ ପାଠ, ବିଜ୍ଞାନ ଗବେଷଣା ତଥା ଆଇ.ଆଇ.ଟି ଅନୁଷ୍ଠାନରେ ଯୋଗଦେଉଥିବା ଶ୍ରେଷ୍ଠ ଛାତ୍ର ପର୍ଯ୍ୟନ୍ତ ସମସ୍ତ ବିଦ୍ୟାର୍ଥୀଙ୍କୁ ନିଶ୍ଚିତ ଭାବରେ ଆପଣାର ମାତୃଭାଷା/ପ୍ରାଦେଶିକ ଭାଷା ଏବଂ ଇଂରାଜୀ ଭାଷାରେ ବ୍ୟୁତ୍ପତ୍ତି ଲାଭ କରିବାକୁ ପଡ଼ିବ; ଏହି ସତ୍ୟକୁ କୌଣସି ରାଜନୈତିକ, େବୗଦ୍ଧିକ କୁସ୍ତିକସରତ, ସଭା, ଭାଷଣ, ବିତଣ୍ଡା ତର୍କ ଆଦି ଦ୍ୱାରା ଅସ୍ୱୀକାର କରାଯାଇ ପାରିବ ନାହିଁ। ସାଧାରଣ ସଭାରେ ମାତୃଭାଷା, ଦେଶୀବିଦେଶୀ ଭାଷା, ପ୍ରାଦେଶିକ ଓ ରାଷ୍ଟ୍ରଭାଷା ସମ୍ବନ୍ଧରେ ତର୍ଜନ ଗର୍ଜନ ଛାଡ଼ୁଥିବା ନେତାଏ, ଆପଣା ପିଲାକୁ ଆମ ସରକାରୀ ବିଦ୍ୟାଳୟକୁ ପଠାନ୍ତି ନାହିଁ ଏହା ସମସ୍ତେ ଜାଣନ୍ତି। ଆପଣା ସ୍ୱାର୍ଥରେ ନିଜପିଲାଙ୍କୁ ନାମୀଦାମୀ ଇଂରାଜୀ ମାଧ୍ୟମରେ ଶିକ୍ଷା ଦିଆଯାଉଥିବା ବିଦ୍ୟାଳୟରେ ପ୍ରବେଶ କରାଇଥାନ୍ତି। ଯେଉଁମାନେ ପ୍ରଦେଶର ସୀମା ମଧ୍ୟରେ କାର୍ଯ୍ୟଗ୍ରାହୀ ହୋଇ ରହିବେ, ସେମାନେ ଆପଣା ପ୍ରାନ୍ତ୍ୟ/ ମାତୃଭାଷାରେ ଦକ୍ଷତା ଲାଭ କରିବ ଅନିବାର୍ଯ୍ୟ।
କର୍ମସ୍ଥାନରେ ସେମାନଙ୍କର ଅନ୍ୟାନ୍ୟ ଭାଷା ଏବଂ ଇଂରାଜୀରେ ବିଶେଷ ପ୍ରବେଶ ନଥିଲେ ମଧ୍ୟ ବିଶେଷ ଅସୁବିଧା ନ ହୋଇପାରେ। ଭାଷାଶିକ୍ଷା ଏବଂ ବିଶେଷକରି ମାତୃଭାଷା ଓ ଇଂରାଜୀ ଭାଷା ଅଧ୍ୟୟନ ଉପରେ ଗୁରୁତ୍ୱ ଦେବାର କାରଣ ସୁସ୍ପଷ୍ଟ। ଆମର ସମୁଦାୟ ଜୀବନକାଳ, ପରିବାର, କର୍ମକ୍ଷେତ୍ର, ସମାଜ ବ୍ୟବସ୍ଥା ମଧ୍ୟରେ ବିଭିନ୍ନ କର୍ମରେ ଆପଣାକୁ ବ୍ୟସ୍ତ ରଖିବାରେ ବିତିଯାଏ। ଭାଷା ମାଧ୍ୟମରେ ବ୍ୟକ୍ତି ଭାବ ପ୍ରକାଶ କରେ, ନିେର୍ଦଶ ଦିଏ , ଆଦେଶ ପାଳନ କରେ, ନିୟମ ଗଢ଼େ, ଆଇନର ତର୍ଜମା କରେ, ବିଚାର କରେ, ନିଷ୍କର୍ଷ ପ୍ରତିପାଦନ କରେ ଭଲମନ୍ଦର ପ୍ରଭେଦ ବୁଝେ ବାଟ ଅବାଟ ଚିହ୍ନିପାରେ, ଲେଖା ଯାଇଥିବା ନିେର୍ଦଶ ଅନୁସାରେ ଔଷଧର ଅନୁପାନ ଖାଏ, ଖୁଆଏ ; ରୋଗ ବ୍ୟାଧିରୁ ମୁକ୍ତ ହୁଏ। ଭାଷା ହିଁ ବ୍ୟକ୍ତିର ସମ୍ବଳ। ଭାଷା ଆମର ଆୟୁଧ, ଆତ୍ମରକ୍ଷାର ଉପାୟ,ଆମ ଅସ୍ମିତାର ନିଶାଣ। ଦୁନିଆ ସହ ଆମକୁ ସଂପୃକ୍ତ କରିବାର ନିଗଡ଼ ସୂତ୍ର। ଭାଷା ହିଁ ସଫଳ ଜୀବନଯାତ୍ରାର ଅବଲମ୍ବନ। ଭାଷାରେ ପାରଦର୍ଶିତା ନଥିଲେ ବ୍ୟକ୍ତି ଦୁନିଆରେ ତେଲଲୁଣର ସଂସାର ଚଳେଇବାରେ ମଧ୍ୟ ଅସମର୍ଥ ହୋଇପାରେ। ଚିନ୍ତା କରନ୍ତୁ, ଜଣେ ଭାଷାହୀନ ବ୍ୟକ୍ତି ଜୀବନ କ୍ଷେତ୍ରରେ କ’ଣ ସବୁ ହରାଇଥାଏ।
ସେ ପ୍ରଚଣ୍ଡ ଭାବନାର ଅଧିକାରୀ ହୋଇଥାଇପାରେ; କିନ୍ତୁ ସେ ସବୁକୁ କେବେହେଲେ ଜନହିତରେ ପ୍ରକାଶ କରିପାରେ ନାହିଁ। ପୂର୍ବକାଳରେ ଯେତେବେଳେ ଆଜି ଭଳି ଶିକ୍ଷାର ପ୍ରସାର ପ୍ରଚାର ହୋଇନଥିଲା, ଗାଁ ଗହଳିରେ ଲୋକେ କହୁଥିଲେ ପୁଅ ଯଦି ଭାଗବତ ଅଧ୍ୟାେୟ ପଢ଼ିପାରିଲା, ଝିଅ ଯଦି ଲକ୍ଷ୍ମୀପୁରାଣ ଗାଇପାରିଲା, ତେବେ ଯଥେଷ୍ଟ ଶିକ୍ଷା ଗ୍ରହଣ ହେଲା ବୋଲି ବୁଝିବାକୁ ପଡ଼ିବ। ଏହି ଭାବନା ପ୍ରଚ୍ଛଦରେ ନିଜ ଭାଷାରେ ଦକ୍ଷତାପ୍ରାପ୍ତି ଥିଲା ଉଦ୍ଦେଶ୍ୟ। ଭାଷାରେ ପ୍ରବୀଣତା ହାସଲର ଏହି ଗ୍ରାମୀଣ ମୂଲ୍ୟବାନ ସୂତ୍ରଟି ଆଜି ପ୍ରୟୋଗ କରି ଦେଖାଯାଇପାରେ – କେତେଜଣ ସ୍ନାତକ, ସ୍ନାତକୋତ୍ତର ଉପାଧି ପ୍ରାପ୍ତ ଶିକ୍ଷିତ ଜନ, ଭାଗବତ ପଦ ସବୁକୁ ପ୍ରାଞ୍ଜଳ ଭାବରେ ପାଠ କରିପାରିବେ ? ଲକ୍ଷ୍ମୀପୁରାଣର ପଦସବୁକୁ କେତେଜଣ ଝିଅ ଲାଳିତ୍ୟସହ ଗାଇପାରିବେ ? ଫଳତଃ ଆମେ ଆମର ସଂସ୍କୃତି, ପରମ୍ପରାରୁ ଆପଣା ବଂଶଧରମାନଙ୍କୁ ଉଚ୍ଛେଦ ହେଉଥିବାର ଚିତ୍ର ହତାଶ ହୋଇ ଦେଖିବାକୁ ବାଧ୍ୟ ହେଉଛୁ। କେତେଜଣ ବିଦ୍ୟାର୍ଥୀ ‘ଗାଈ’, ‘ବର୍ଷାଦିନ’ କି ‘ହଡ଼ାବଳଦର ଆତ୍ମକାହାଣୀ’ ବିଷୟରେ ଦଶଟି ନିର୍ଭୁଲ ବାକ୍ୟ ଲେଖିପାରିବେ ? ଦୂରସ୍ଥାନରେ ଛାତ୍ରାବାସରେ ରହୁଥିବା କେତେଜଣ ଛାତ୍ର ବାପାଙ୍କୁ ପଇସା ପଠାଇବାକୁ ଦଶଧାଡ଼ିର ନିର୍ଭୁଲ ଚିଠି ଖଣ୍ଡେ ଲେଖିବାକୁ ସମର୍ଥ ପ୍ରମାଣିତ ହେବେ? କେତେଜଣ କର୍ମରେ ବାହେଲ ବିଦ୍ୱାନବ୍ୟକ୍ତି ଦରଖାସ୍ତ ଶେଷରେ ‘ବଶମ୍ବଦ’, ‘ଆଜ୍ଞାଧୀନ’, ‘ବିଶ୍ୱସ୍ତ’, ଅଧୀନ ଭଳି ଶବ୍ଦର କେଉଁ ସ୍ଥଳରେ ପ୍ରୟୋଗ ହେବ, ତା’ର ଠିକ୍ ଉତ୍ତର ଦେଇପାରିବେ ? ଯଦି ଭାଷାର ବିଭବ ପିଲା ଜାଣିଲା ନାହିଁ, ଭାଷାର ଅନ୍ତର୍ନିହିତ ଶକ୍ତିର ଆକଳନ କରିପାରିଲା ନାହିଁ, ତେବେ ଆପଣାର ଭାବ ପ୍ରକାଶ କରିବାକୁ ସେ କିପରି ସକ୍ଷମ ହେବ? ଏପରି ଅଧାଗଢ଼ା ମାଟି କଣ୍ଢେଇ ପାଲଟି ଗଲେ ସେ ଉତ୍ତମ ନାଗରିକ, ଦାୟିତ୍ୱ ସମ୍ପନ୍ନ ସାମାଜିକ ପ୍ରାଣୀ ହୋଇପାରିବାର ସମ୍ଭାବନା ସନ୍ଦେହମୁକ୍ତ ନୁହେଁ।
ଆମ ପ୍ରଦେଶରେ ପୁରୁଷାନୁକ୍ରମେ ବସବାସ କରୁଥିବା ଅନେକ ଅଣଓଡ଼ିଆ ସଦସ୍ୟଗଣ କଥିତ ଓଡ଼ିଆରେ ପ୍ରଚୁର ଦକ୍ଷତା ଅର୍ଜନ କରିପାରିଥିବାର ପ୍ରମାଣ ମିଳେ। ହୁଏତ ସେମାନେ ଲିଖନ ପଠନରେ ପାରଙ୍ଗମ ନୁହନ୍ତି; କିନ୍ତୁ ସେମାନଙ୍କର କର୍ତ୍ତବ୍ୟକ୍ଷେତ୍ରରେ, ସାମାଜିକ ସ୍ତରରେ ନିପୁଣ ଭାବରେ ଆପଣାର ଭାବ, ଭାବନା, ଚିନ୍ତା, ଆବଶ୍ୟକତାର ସଫଳ ପ୍ରକାଶ କରିପାରୁଛନ୍ତି ଏବଂ ତତ୍ ସଂକ୍ରାନ୍ତୀୟ କାର୍ଯ୍ୟ-କାରଣ ବୁଝି ମଧ୍ୟ ପାରୁଛନ୍ତି। ଭାଷାର ଦକ୍ଷତା ହିଁ , ଅନ୍ୟ ଏକ ନୂତନ ପରିପ୍ରେକ୍ଷୀରେ, ଭିନ୍ନ ଭାଷା ଓ ସାଂସ୍କୃତିକ ବାତାବରଣରେ, ସେମାନଙ୍କୁ ସାମାଜିକ ତଥା କର୍ମକ୍ଷେତ୍ରରେ ସଫଳତା ଆଣିଦେଇଛି। ଯଦି ସେମାନେ ପ୍ରାଦେଶିକ ଭାଷାର ବ୍ୟବହାର ଆୟତ୍ତ କରିନଥାନ୍ତେ, ସେମାନେ ପୁରୁଷାନୁକ୍ରମେ ସହଜରେ ବସବାସ କରିବାରୁ ବିରତ ହୋଇଥାନ୍ତେ ନିଶ୍ଚୟ। ସେମାନଙ୍କର ଭାଷା ପ୍ରବୀଣତା ହିଁ ସେମାନଙ୍କର ସଫଳତାର ସରଳ ସୂତ୍ର। ସେମାନଙ୍କ ମଧ୍ୟରୁ କେହିକେହି ଆମଭାଷାରେ ସୁଲେଖକ ବକ୍ତା ସୁଶିକ୍ଷକ ମଧ୍ୟ ହୋଇଥିବାର ଉଦାହରଣ ମିଳିଥାଏ। ଅଥଚ ଆମର ଟେଲିଭିଜନ ଓ ଏଫ୍ ଏମ୍ ବେତାର କେନ୍ଦ୍ରର ଘୋଷକ, ସାକ୍ଷାତ୍କାର ନେଉଥିବା ବ୍ୟକ୍ତି, ଉପସ୍ଥାପକମାନେ ଶୁଦ୍ଧ ଓଡ଼ିଆ କହି ପାରନ୍ତି ନାହିଁ। ‘ବିରତି’ ବଦଳରେ ‘ବ୍ରେକ୍’ କରି ଖୁସିରେ ହସିଦିଅନ୍ତି, ଅନୁଶୋଚନା ନଥାଏ। ଇଂରାଜୀ, ହିନ୍ଦୀ, ଓଡ଼ିଆ ଫେଣ୍ଟାଫେଣ୍ଟି କରି ମାଟିଗୋଡ଼ି ମିଶା କାଦୁଅଘଣ୍ଟା ଭାଷା କହନ୍ତି। ଗୋଟିଏ କଥାକୁ, ହେଁ, ହାଁ, ଏଁ, ଆଁ କରି ପାଞ୍ଚ ସାତଥର ବିରକ୍ତିକର ଢଙ୍ଗରେ କହିଚାଲନ୍ତି। କାରଣ ସେମାନେ କୌଣସି ଗୋଟିଏ ହେଲେ ଭାଷା ଠିକ୍ କରି କହି ବୋଲି, ପଢ଼ି ଲେଖି ଜାଣିନାହାନ୍ତି। ସେମାନେ ଆମର ଆଧୁନିକ ନିରକ୍ଷର ଗୋଷ୍ଠୀ ବୋଲି ବୁଝିବାକୁ ହେବ। ଏହାଠାରୁ ଅଧିକ ଦୁଃଖଦାୟକ ଅନୁଭୂତି ଆମର ଆଉ କ’ଣ ହୋଇପାରେ ?
ଏକ ଉନ୍ନତ ଭବିଷ୍ୟତ ଗଢ଼ିବାର ସମ୍ଭାବନାରେ ଆଶାରଖି ଏହାର ଶୁଦ୍ଧୀକରଣ ନିମନ୍ତେ ଚିନ୍ତା କରାଯାଇଥିବା ଉଦ୍ୟମର ବିଚାର କରାଯାଇପାରେ। ବର୍ତ୍ତମାନ ସମୟରେ ପ୍ରତ୍ୟେକ ଶିକ୍ଷାବର୍ଷ ଆରମ୍ଭରେ, ଯୁକ୍ତ ଦୁଇ ଶ୍ରେଣୀଠାରୁ ଆରମ୍ଭ କରି, ଡାକ୍ତରୀ, ଇଞ୍ଜିନିୟରିଂ, ଗବେଷଣା ନିମିତ୍ତ ଉଦ୍ଦିଷ୍ଟ ଅନୁଷ୍ଠାନ, ଆଇ.ଆଇ.ଟି, ବିଶ୍ୱବିଦ୍ୟାଳୟମାନଙ୍କର ପ୍ରତ୍ୟେକ ବିଭାଗରେ, ଅନ୍ତତଃ ଦୁଇ ସପ୍ତାହ ପର୍ଯ୍ୟନ୍ତ ସଘନ ପ୍ରଣାଳୀରେ ଓଡ଼ିଆ ବ୍ୟାକରଣ ବାଧ୍ୟତାମୂଳକ ଭାବରେ ପଢ଼ାଯିବା ଉଚିତ। ଏହି ଶିକ୍ଷା କୌଣସି ବିଦ୍ୱାନ, ଅନୁଭୂତି ଓ ଅଭିଜ୍ଞତା ସମ୍ପନ୍ନ ସ୍କୁଲ ଶିକ୍ଷକ ହିଁ ପ୍ରଦାନ କରିବା ଏକ ଅନିବାର୍ଯ୍ୟ ବିଧାନ ବୋଲି ଗ୍ରହଣ କରିବାକୁ ହେବ। କାରଣ ବାକ୍ୟ, ବର୍ଣ୍ଣ, ଶବ୍ଦ, ସନ୍ଧି ପ୍ରକରଣ, କାରକ, ବିଭକ୍ତି, ସମାସ, ପ୍ରତ୍ୟୟ, ପ୍ରତିଶବ୍ଦ ଭଳି ବ୍ୟାକରଣର ସୂତ୍ର/ତତ୍ତ୍ୱ ଆଜି, ଆଧୁନିକ କାଳରେ କର୍ମନିଯୁକ୍ତି ଲାଭ କରିଥିବା କୌଣସି ଅଧ୍ୟାପକ ପ୍ରାଞ୍ଜଳଭାବରେ ପଢ଼ାଇବାକୁ ସକ୍ଷମ ନ ହୋଇପାରନ୍ତି। ପତ୍ରଲିଖନରେ, ‘ବଶମ୍ବଦ’, ‘ଆଜ୍ଞାଧୀନ’, ‘ବିଶ୍ୱସ୍ତ’, ‘ମହାଶୟ’, ‘ମହାଭାଗ’, ‘ଶୁଭଚିନ୍ତକ’, ‘ଅନୁରାଗୀ’, ‘ଶ୍ରଦ୍ଧେୟ’, ‘ଶ୍ରଦ୍ଧାସ୍ପଦ’, ‘ମାନ୍ୟବର’, ‘ମହାମହିମ’ ଭଳି ଶବ୍ଦମାନଙ୍କର ବିଧିସମ୍ମତ ପ୍ରୟୋଗ କେବଳ ଜଣେ ଗୁରୁସ୍ଥାନୀୟ ଓଡ଼ିଆ-ସଂସ୍କୃତରେ ପାରଙ୍ଗମ ସ୍କୁଲ ଶିକ୍ଷକ ହିଁ ଆଧୁନିକ ଛାତ୍ରସମାଜକୁ ଶିକ୍ଷା ଦେଇପାରିବେ।
ସରକାରୀ ନିୟମର ମାୟାଜାଲରୁ ମୁକ୍ତ କରି ସେଭଳି ଶିକ୍ଷକଙ୍କୁ ଶ୍ରେଣୀଗୃହରେ ଗୁରୁ ଭୂମିକାରେ ଉଭା କରାଯିବାର ବ୍ୟବସ୍ଥା ଅଭିଭାବକମାନଙ୍କ ଦ୍ୱାରା ଗ୍ରହଣ କରାଯିବା ଉଚିତ୍। ଏଠାରେ ପ୍ରକୃତ ଶିକ୍ଷାକୁ ଗୁରୁତ୍ୱ ଓ ଶିକ୍ଷକଙ୍କୁ ଉପଯୁକ୍ତ ସମ୍ମାନ ଦିଆଯିବା ଉଚିତ୍। ପଦ ପଦବୀର ଏଠାରେ କୌଣସି ଭୂମିକା ନାହିଁ। ପିଲା ଯଦି ବ୍ୟାକରଣରେ ଜ୍ଞାନୀ ହେଲା, ତେବେ ସେ ସହଜରେ ଶିକ୍ଷାଲାଭର ସବୁ ବିଭାଗରେ ପଢ଼ିବା, ଅର୍ଥ ବୁଝିବା, ସ୍ୱାଧୀନ ମତ ପ୍ରକାଶ କରିବାରେ ଆପଣାକୁ ଦକ୍ଷଛାତ୍ର ଭାବରେ ଆବିଷ୍କାର କରିବ। ସେ ମାନସିକ ସ୍ତରରେ ଭୟମୁକ୍ତ ହେବା ସହ ଜ୍ଞାନ ପ୍ରତ୍ୟାଶୀ ହେବ। ଅନେକ ବ୍ୟକ୍ତିଙ୍କ ଜୀବନକାଳରେ ସେମାନଙ୍କ ମାତୃଭାଷା ବ୍ୟତୀତ ଅନ୍ୟଭାଷାର ଉପଯୋଗ ନିମିତ୍ତ ପରିସ୍ଥିତି ନ ଆସିପାରେ। ତେଣୁ ଅତିକମ୍ରେ ଗୋଟିଏ ଭାଷାରେ କାର୍ଯ୍ୟକାରୀ ଦକ୍ଷତା ଆବଶ୍ୟକ। ଆପଣା ଭାଷାରେ ନିଜକୁ ପ୍ରାଞ୍ଜଳ ଭାବରେ ଉପସ୍ଥାପିତ କରିପାରିଲେ, ବ୍ୟକ୍ତିଜଣକ କେବେହେଲେ ହୀନମନ୍ୟତାର ଶିକାର ହେବ ନାହିଁ। ଏଥିସହ ମାଟ୍ରିକ୍ୟୁଲେସନ ସ୍ତର ଶେଷ ହେବା ପୂର୍ବରୁ ପ୍ରତିପିଲାଙ୍କୁ ମୂଳ ଓଡ଼ିଆ ଭାଗବତ, ମହାଭାରତ ଓ ରାମାୟଣ ପାଠ କରିବାରୁ ଉତ୍ସାହିତ କରାଯିବା ଉଚିତ। ଅର୍ଥ ନବୁଝି ପାରିଲେ ମଧ୍ୟ ଏପରି ପଠନ ଆମ ଭାଷାର ବିଭବ ତଥା ସାଂସ୍କୃତିକ ଜୀବନଧାରା ଓ ପରମ୍ପରା ସମ୍ବନ୍ଧରେ ପିଲାଟିକୁ ସଚେତନ କରିବାରେ ସହାୟକ ହେବ। ପରିଣତିରେ ଓଡ଼ିଆ ଅସ୍ମିତା, ଓଡ଼ିଆର ଗର୍ବ ଗୌରବ ମଣ୍ଡିତ ଆତ୍ମପରିଚୟ ଉଚ୍ଚତର ହେବ, ଏଥିରେ ସନ୍ଦେହ ନାହିଁ।
ଯେଉଁମାନେ ଓଡ଼ିଆ ଭାଷାରେ ପ୍ରଭୂତ ଦକ୍ଷତା ହାସଲ କରିପାରିବେ, ସେମାନଙ୍କ ଲାଗି ଇଂରାଜୀ ଶିକ୍ଷା ଆଦୌ କଷ୍ଟକର ହେବନାହିଁ। ଇଂରାଜୀ ଭାଷା ଆଜି ଯୁଗରେ ଇଂରେଜ ଜାତିର ଏକଚାଟିଆ ଅଧିକାରଭୁକ୍ତ ହୋଇ ରହିନାହିଁ। ପୃଥିବୀର ସବୁ ପ୍ରାନ୍ତରେ ଇଂରାଜୀ ଭାଷାରେ ଲେଖା, ପଢ଼ା, ସମ୍ପର୍କ ସ୍ଥାପନ, ଭାବର ଆଦାନ ପ୍ରଦାନ, ଶିକ୍ଷାର ପ୍ରସାର ହେଉଛି। ପ୍ରତ୍ୟେକ ଦେଶରେ ଇଂରାଜୀ ଭାଷାରେ ସ୍ଥାନୀୟ ସଂସ୍କୃତି, ଭୌେଗାଳିକ, ସାମାଜିକ ପ୍ରଭାବରେ ଛାପ ସୁସ୍ପଷ୍ଟ। ଭାରତ ବୋଧହୁଏ ଇଂରାଜୀ ଭାଷା କ୍ଷେତ୍ରରେ ସବୁଠାରୁ ଜନବହୁଳ ରାଷ୍ଟ୍ର। ଯେତେ ପ୍ରକାର ପ୍ରଚାର କଲେ ମଧ୍ୟ ଇଂରାଜୀ ଭାଷା ହିଁ ଆମର ଜାତୀୟ ସ୍ତରରେ ତଥା ଅନ୍ତର୍ଜାତୀୟ ସ୍ତରରେ ପରସ୍ପର ସହ ସମ୍ପର୍କ, ସୌହାର୍ଦ୍ୟ, ସଂଯୋଗର ଭାଷା ରହିବ ହିଁ ରହିବ।
ଏଥିସହ ପ୍ରତିପିଲାକୁ, ଓଡ଼ିଆରେ ଲେଖାଥିବା ବିଭିନ୍ନ ବିଷୟ/ବିଭାଗରୁ ଯଥା କୃଷି, ବିଜ୍ଞାନ, ଜୀବନୀ, ମେରୁ ମଣ୍ଡଳ, ଭୂଗୋଳ, ମହାକାଶ, ବୈଷୟିକ ଆଲେଖ୍ୟ ଇତ୍ୟାଦି ଯଥେଷ୍ଟ ପରିମାଣରେ ଇଂରାଜୀକୁ ଅନୁବାଦ କରିବାକୁ ବାଧ୍ୟତାମୂଳକ ହିସାବରେ ଅଭ୍ୟାସ କରିବାକୁ ଦିଆଯିବା ବିଧେୟ। ଇଂରାଜୀରୁ ଓଡ଼ିଆକୁ ଅନୁବାଦ କରିବାର ଶିକ୍ଷା ମଧ୍ୟ ଦିଆଯିବା ଉଚିତ୍। ଫଳରେ ପିଲାମାନଙ୍କର ଦୁଇଟି ଭାଷାରେ ତୁଳନାତ୍ମକ ଅଧ୍ୟୟନ ଦୃଷ୍ଟିରୁ ଭାଷା ଜ୍ଞାନ ମାର୍ଜିତ ଓ ସମୃଦ୍ଧ ହେବ। ଯେ କୌଣସି ଅନୁସୃଜନରେ ପ୍ରତ୍ୟେକ ବାକ୍ୟର ପୂର୍ବବର୍ତ୍ତୀ ତଥା ପରବର୍ତ୍ତୀ ବାକ୍ୟମାନଙ୍କ ସହ କିପରି ଭାବଗତ, ଅର୍ଥଗତ, ଭାଷାଗତ ସମ୍ପର୍କ ରକ୍ଷା କରାଯାଇପାରେ ତା’ର କଳାତ୍ମକ ନୈପୁଣ୍ୟ ସେ ଆହରଣ କରିବାକୁ ସମର୍ଥ ହେଲେ, ଆପଣାର ଜ୍ଞାନର ଦିଗ୍ବଳୟ ଅନନ୍ତ ଆକାଶରେ ସମ୍ପ୍ରସାରିତ ହୋଇପାରିବ ନିଶ୍ଚୟ।
ଶ୍ରେଣୀଗୃହରେ ଶିକ୍ଷକର ପଦପଦବୀ କାମରେ ଆସେ ନାହିଁ। ପିଲା କେବଳ ଜଣେ ସୁଶିକ୍ଷକଙ୍କୁ ଖୋଜୁଥାଏ ଏବଂ ସେପରି ଗୁରୁଙ୍କୁ ସଦାଜୁହାର ଜଣାଉଥାଏ। ତେଣୁ ଜଣେ ବିଦ୍ୱାନ ସ୍କୁଲଶିକ୍ଷକ ଯଦି ଉଚ୍ଚ ଶିକ୍ଷାଦାନର ସୁଦକ୍ଷ ବିନ୍ଧାଣି ସାଜିପାରନ୍ତି, ତେବେ ବୁଝିବାକୁ ହେବ ଯେ, ଆମ ସଂସ୍କୃତିରେ ଗୁରୁମାନଙ୍କୁ ସମ୍ମାନ ଦେବାର ପରମ୍ପରା ଅବଲୁପ୍ତ ହୋଇନାହିଁ। ଆମର ସବୁ କାମ ଯେ ସରକାର କରିଦେବେ,ଏପରି ମାନସିକତା ପରିତ୍ୟାଗ କରିବାକୁ ହେବ। ଅନ୍ତତଃ ଆମ ଉତ୍ତର ପିଢ଼ିର ଦାୟାଦମାନଙ୍କର ଭବିଷ୍ୟତ ଗଢ଼ିବାର କାର୍ଯ୍ୟ ଆମକୁ ହିଁ କରିବାକୁ ପଡ଼ିବ।
Comments are closed.