ପ୍ରଶାସନର ପଦକ୍ଷେପ : ବିଦ୍ୟାଳୟରେ ନାମ ଲେଖାଇଲେ ୨ଶିଶୁ 

ଗୁରୁଡିଝାଟିଆ : ଗୋବରା ପଞ୍ଚାୟତ ଓର୍ଦା ଗ୍ରାମର ୨ ଅନାଥ ଭାଇଭଉଣୀଙ୍କ ମୁହଁରେ ଚେନ୍ନାଏ ହସ ଦେଖାଦେଇଛି। ପ୍ରଶାସନ ଓର୍ଦାରେ ପହଞ୍ଚି ବର୍ଷା ଦିଗି ଓ ବଳଭଦ୍ର ଦିଗିଙ୍କୁ ପାଠ ପଢାଇବା ପାଇଁ ଆଜି କଟକସ୍ଥିତ ଯଶୋଦା ଶିଶୁ ଯତ୍ନକେନ୍ଦ୍ରକୁ ପଠାଇଛନ୍ତି। ଆଠଗଡ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କୁମାର ସାହୁ ଓ କଟକ ଶିଶୁ ସୁରକ୍ଷା ବିଭାଗ ଅଧିକାରୀମାନେ ପିଲା ଦୁହିଁଙ୍କୁ ନୂତନ ବସ୍ତ୍ର ପିନ୍ଧାଇଥିଲେ। ପ୍ରକାଶଯୋଗ୍ୟ ଘନ ଦିଗି ଗତ ୬ମାସ ତଳେ ରୋଗରେ ପଡି ମୃତ୍ୟୁବରଣ କରିଥିବା ବେଳେ ଗତ ଅପ୍ରେଲ ମାସରେ ମାଆ ସୁକୁତା ଦିଗି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଫଳରେ ସେମାନଙ୍କ ୪ଟି ପିଲାଙ୍କ ଉପରେ ଦୁଃଖର କଳା ବାଦଲ ଘୋଟି ଆସିଥିଲା। ଘଟଣା ସଂପର୍କରେ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଅବଗତ ହେବା ପରେ ଆଠଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସାହୁଙ୍କୁ ଅନୁଧ୍ୟାନ ପୂର୍ବକ ବିହିତ ବ୍ୟବସ୍ଥା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସ୍ୱାଇଁ ଓ ଶିଶୁ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବର୍ଷା ଓ ବଳଭଦ୍ର ଦୁଇ ଭାଇଭଉଣୀଙ୍କୁ କଟକ ଆଣି ପାଠ ପଢିବା ପାଇଁ ବ୍ୟବସ୍ଥା କରିଥିବାରୁ ଜିଲ୍ଲାପାଳ ଶ୍ରୀ ଚଇନି ବ୍ଲକ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି।

Comments are closed.