୩୬ ବର୍ଷରେ ରୋହିତ
ଅନେକ ରେକର୍ଡର ଅଧିକରୀ
ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ହିଟ୍ ମ୍ୟାନ ରୋହିତ ଶର୍ମା ୩୬ ବର୍ଷରେ ପଦାର୍ପଣ କରିଛନ୍ତି । ରବିବାର ରୋହିତଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁମ୍ବଇ ଇଣ୍ଡିଆନ୍ସର ଖେଳାଳି ରୋହିତଙ୍କ ଜନ୍ମଦିନକୁ ସ୍ବତନ୍ତ୍ର ଭାବେ ପାଳନ କରିଥିଲେ। ବିସିସିଆଇ ସହ ଭାରତୀୟ କ୍ରିକେଟର ବିରାଟ କୋହଲି, ପୂର୍ବତନ କ୍ରିକେଟର ମହମ୍ମଦ କୈଫ, ହରଭଜନ ସିଂହ, ଯୁବରାଜ ସିଂହ, ଶିଖର ଧାୱନ, ପୂର୍ବତନ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀ ପ୍ରମୁଖ ରୋହିତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ଏହାସହ ରୋହିତ ଆଇପିଏଲ୍ ଦଳ ମୁମ୍ବଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ୧୦ ବର୍ଷ ପୂରଣ କରିଛନ୍ତି। ୨୦୧୩ ଏପ୍ରିଲ ୨୪ରେ ରୋହିତ ମୁମ୍ବଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ବ ନେଇଥିଲେ। ରୋହିତଙ୍କ ନେତୃତ୍ବରେ ମୁମ୍ବଇ ଇଣ୍ଡିଆନ୍ସ ସର୍ବାଧିକ ୫ଥର ଚମ୍ପିଆନ ହୋଇଛି। ରୋହିତ ୪୯ଟି ଟେଷ୍ଟରୁ ୩୩୯୭ ରନ୍, ୨୪୩ଟି ଦିନିକିଆରୁ ୯୮୨୫ ରନ୍ ଓ ୧୪୮ଟି ଟ୍ବେଣ୍ଟି୨୦ ମ୍ୟାଚ୍ରୁ ୩୮୫୩ ରନ କରିଛନ୍ତି। ମୋଟ ଉପରେ ୩ଟିଯାକ ଫର୍ମାଟରେ ରୋହିତ ୪୨ଟି ଶତକ ଓ ୯୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ରୋହିତ ଦିନିକିଆରେ ୩ଟି ଦ୍ବିଶତକ ହାସଲ କରିଛନ୍ତି। ରୋହିତଙ୍କ ୨୬୪ ରନ୍ ଦିନିକିଆରେ ସର୍ବାଧିକ ସ୍କୋର୍ର ବିଶ୍ବ କୀର୍ତ୍ତିମାନ। ୨୦୧୯ ଦିନିକିଆ ବିଶ୍ବକପ୍ ରୋହିତଙ୍କ ବିଶ୍ବକପ୍ ଥିଲା। ଏଥିରେ ସେ ୯ଟି ମ୍ୟାଚ୍ରୁ ୫ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ସର୍ବାଧିକ ୬୪୮ ରନ୍ କରିଥିଲେ। ତାଙ୍କ ଆଭ୍ରେଜ ଥିଲା ୮୧। ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଏକ ବିଶ୍ବକପ୍ରେ ସର୍ବାଧିକ ୫ଟି ଶତକ ରୋହିତ ମାରିଛନ୍ତି।
Comments are closed.