ସର୍ବନିମ୍ନ ମଜୁରି ଓ ଆଠଘଣ୍ଟା କାମ

ଶ୍ରେଣୀ ବିଭକ୍ତ ସମାଜରେ ଅଧିକାଂଶ ମଣିଷ ନିଜର ଶ୍ରମଶକ୍ତି ଓ ନିଜର ଧି-ଶକ୍ତି ବିକ୍ରିକରି ଜୀବିକା ନିର୍ବାହ କରନ୍ତି। ଅଧୁନା ପୁଞ୍ଜିବାଦୀ ସମାଜରେ ପୁଞ୍ଜିପତି ମାଲିକ ଶ୍ରେଣୀ ଶ୍ରମିକକୁ ବେଶି ସମୟ ଖଟାଇବାକୁ ଚାହେଁ। ଯେତେ ବେଶି ସମୟ ଜଣେ ଶ୍ରମିକ ମାଲିକ ପାଇଁ ଶ୍ରମ କରିବ, ମାଲିକର ମୁନାଫା ସେତେ ବଢିବ। ଏ ସଂକ୍ରାନ୍ତରେ ଦାର୍ଶନିକ କାର୍ଲମାର୍କ୍ସ ଲେଖିଛନ୍ତି- “ପୁଞ୍ଜି (ମେସିନ୍‍) ଏକ ମୃତଶ୍ରମ, ଏହା ଠିକ୍‍ ପିଶାଚ ଭଳି। ଜୀବନ୍ତ ଶ୍ରମକୁ ଶୋଷି ଏହା ବଞ୍ଚି ଉଠେ ଓ ଯେତେ ଅଧିକ ଜୀବନ୍ତ ଶ୍ରମକୁ ଶୋଷେ ସେତେ ଅଧିକ ବଞ୍ଚି ରହେ।’’
ଦିନକୁ ଜଣେ ଶ୍ରମିକ ସର୍ବାଧିକ ଆଠ ଘଣ୍ଟା କାମ କରିବାର ଦାବି ନେଇ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା, ତାହାର ଇତିହାସ ହେଉଛି ମେ’ ଦିବସର ଇତିହାସ। ଯୁକ୍ତରାଷ୍ଟ୍ର ଆମେରିକାରେ ୧୮୮୪ରେ ଗଠିତ ଆମେରିକାନ୍‍ ଫେଡେରେସନ୍‍ ଅଫ୍‍ ଲେବର, ୧୮୮୬ ମସିହା ମେ’ ପହିଲାଠାରୁ ଦିନକୁ ଆଠ ଘଣ୍ଟା କାର୍ଯ୍ୟ କରିବାର ସମୟ ଦାବି କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଆରମ୍ଭ କରିଥିଲା। ସେହି କାଳରେ ଆମେରିକାର ଚିକାଗୋ ସହର ଏକ ଶିଳ୍ପନଗରୀ ଭାବେ ଗଢି ଉଠିଥିଲା ଓ ଶ୍ରମିକମାନେ ଦିନକୁ ୧୬ଘଣ୍ଟାରୁ ୨୦ ଘଣ୍ଟା ପର୍ଯ୍ୟନ୍ତ ଶ୍ରମ କରୁଥିଲେ। ଆଠ ଘଣ୍ଟା ଦାବି କରି ହୋଇଥିବା ଆନ୍ଦେଳନକୁ ପୁଲିସ ଗୁଳି ଚଳାଇ ଦବାଇ ଦେଇଥିଲା ଓ ଧର୍ମଘଟର ୪ ଜଣ ନେତାଙ୍କୁ ଫାଶୀ ଦିଆଯାଇଥିଲା। ଫାଶୀ ଆସାମୀ ଶ୍ରମିକ ନେତା ଅଗଷ୍ଟ ସ୍ପାଇସ୍‍ ଫାଶୀ ପାଇବାର ଠିକ୍‍ ପୂର୍ବ ମୁହୂର୍ତ୍ତରେ ଚିତ୍କାର କରି କହିଥିଲେ – “ଦିନ ଆସିବ, ଯେଉଁ ଦିନ ଆମର କଣ୍ଠସ୍ୱର ଯାହାକୁ ତୁମେ ଫାଶୀ ଦଉଡିରେ ଚିପି ଦେଉଛ, ତାହାର ଭୟଙ୍କର ଗର୍ଜନରେ ତୁମେ ଥରି ଉଠିବ।’’
୧୮୮୬ ମସିହାର ଆନ୍ଦୋଳନ ବିଶ୍ୱବ୍ୟାପୀ ରୂପ ନେଲା ଓ ୧୮୮୯ରେ ଫ୍ରାନ୍ସ ବିପ୍ଲବର ଶତବାର୍ଷିକୀ ଅବସରରେ ଦ୍ୱିତୀୟ ଆନ୍ତର୍ଜାତିକର ଅଧିବେଶନ ମେ’ ପହିଲାକୁ ସାରା ବିଶ୍ୱରେ ଶ୍ରମିକ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କଲା। ସେବେଠୁ ସମଗ୍ର ବିଶ୍ୱରେ ମେ’ ଦିବସ ପାଳନ ହେଉଛି। ଏହା ମଧ୍ୟରେ ୧୩୭ ବର୍ଷ ବିତିଗଲେ ବି, ଶ୍ରମିକମାନେ ଆଜି ବି ବହୁ କ୍ଷେତ୍ରରେ ଦିନକୁ ଆଠ ଘଣ୍ଟାରୁ ଅଧିକ ସମୟ କାମ କରୁଛନ୍ତି। ଭାରତରେ ୧୯୪୮ରେ ଶିଳ୍ପ ବିବାଦ ଆଇନ ଗୃହୀତ ହେବା ପରେ ବି ସବୁ ଶ୍ରମିକମାନେ ନ୍ୟାୟ ପାଉ ନାହାନ୍ତି। ଜଣେ ଶ୍ରମିକ ‘ସର୍ବାଧିକ ଆଠଘଣ୍ଟା କାମ କରିବ, ତା’ଠାରୁ ଅଧିକ କରିବ ନାହିଁ’- ଏହି ଅଧିକାର ଶ୍ରମିକଶ୍ରେଣୀ ଆଜି ବି ହାସଲ କରିପାରିନାହିଁ। ଶ୍ରମିକର ଶ୍ରମଶକ୍ତି ବିନିଯୋଗ ନ ହେଲେ ଉତ୍ପାଦନ ହୋଇପାରିବ ନାହିଁ କି ମାଲିକ ମୁନାଫା ଅର୍ଜନ କରିପାରିବ ନାହିଁ। ଏହାଠାରୁ ବଡ଼ କଠୋର ସତ୍ୟ ଆଉ କିଛି ନାହିଁ। ମାତ୍ର ମାଲିକ ଓ ପୁଞ୍ଜିପତିମାନେ ପ୍ରଚାର କରନ୍ତି ଯେ, ସେମାନଙ୍କ ଦୟାରେ ଶ୍ରମିକ ବଞ୍ଚୁଛି। ଭାରତରେ ସଂପ୍ରତି କେନ୍ଦ୍ର ସରକାର ଶ୍ରମିକମାନଙ୍କ କାର୍ଯ୍ୟ ସମୟ ଦିନକୁ ୧୨ ଘଣ୍ଟା କରିବାକୁ ଆଇନ ଆଣିଛନ୍ତି। ଆମ ସମ୍ବିଧାନରେ ‘ଶ୍ରମ’ ପ୍ରସଙ୍ଗଟି ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ହୋଇଥିବାରୁ ଏହି ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ହିଁ ମୁଖ୍ୟତଃ କାର୍ଯ୍ୟକାରୀ ହୋଇଥାଏ।
ଆମ ରାଜ୍ୟରେ ବହୁ ଘରୋଇ ଶିଳ୍ପରେ ଓ ସରକାରୀ ଉଦ୍ୟୋଗରେ ନିଯୁକ୍ତ ଠିକା ଶ୍ରମିକମାନେ ପ୍ରାୟତଃ ଦିନକୁ ୧୨ଘଣ୍ଟା କାମ କରିଥାନ୍ତି। ୧୨ଘଣ୍ଟା ବିରୋଧରେ ଶ୍ରମିକମାନେ ପ୍ରତିବାଦ କଲେ ପୁଲିସ ଓ ପ୍ରଶାସନ ଶ୍ରମିକମାନଙ୍କୁ ଦମନ କରିଥାନ୍ତି। ଓଡ଼ିଶାର ପ୍ରାୟ ୧୧ଟି ଜିଲାରୁ ଶ୍ରମିକମାନେ ବହୁ ସଂଖ୍ୟାରେ ଅନ୍ୟ ରାଜ୍ୟକୁ କାମ କରିବାକୁ ବାଧ୍ୟ ହୋଇ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡା, ସୋନପୁର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର ଓ ଖୋର୍ଦ୍ଧା ଇତ୍ୟାଦି ଜିଲାରୁ ଯାଇଥାଆନ୍ତି। ଆହୁରି ଦୁଃଖ ଓ ପରିତାପର ବିଷୟ ଯେ, ମାଲିକମାନଙ୍କ ହସ୍ତକ୍ଷେପ ଯୋଗୁଁ ଶ୍ରମ ଅଫିସ ଶ୍ରମିକମାନଙ୍କ ୟୁନିୟନ ଗଢିବାର ଅଧିକାରକୁ ଲୋପ କରିଚାଲିଛି। ଆମ ଦେଶରେ ଓ ଆମ ରାଜ୍ୟରେ ପ୍ରାୟ ୯୪ ଭାଗ ଶ୍ରମିକ ମାସକୁ ଦଶହଜାର ଟଙ୍କାରୁ କମ ମଜୁରି ପାଇଥାଆନ୍ତି। ୧୯୫୭ ମସିହାରେ ୧୫ଶ ଶ୍ରମ ସମ୍ମିଳନୀରେ ନିଷ୍ପତ୍ତି ହୋଇଥିଲା ଯେ, ଜଣେ ଶ୍ରମିକର ପରିବାର ସଦସ୍ୟଙ୍କ ସଂଖ୍ୟା-୪। ସ୍ୱାମୀ, ସ୍ତ୍ରୀ ଓ ଦୁଇଟି ନାବାଳକ ଶିଶୁ। ଖାଦ୍ୟ ବାବଦରେ ଦିନକୁ ୨୭୦୦ କ୍ୟାଲୋରୀ ଖାଦ୍ୟ, ବର୍ଷକୁ ମୁଣ୍ଡପିଛା ୧୮ଗଜ କପଡା, ଜାଳେଣି ଓ ଘରଭଡା ଆଦିକୁ ହିସାବ କରି ସର୍ବନିମ୍ନ ମଜୁରି ଧାର୍ଯ୍ୟ କରାଯାଇଥିଲା। ତେବେ ମଜୁରୀ ଥିଲା ତିନି ପ୍ରକାର। (୧) ଆବଶ୍ୟକ ମଜୁରି,(୨) ଉତ୍ତମ ମଜୁରି, (୩) ସର୍ବନିମ୍ନ ମଜୁରି। ସରକାର ଭାରତର ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରି ଦେବାକୁ ହିଁ ସ୍ଥିର କରିଛନ୍ତି; କିନ୍ତୁ ୧୯୯୧ରେ ସୁପ୍ରିମକୋର୍ଟ ମଜୁରି ସଂକ୍ରାନ୍ତ ଏକ ମାମଲାରେ ରାୟ ଶୁଣାଇ କହିଥିଲେ ଯେ, ଶ୍ରମିକ ପରିବାରର ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଉତ୍ସବ ଆଦି ଖର୍ଚ୍ଚ ଭରଣା ପାଇଁ ଆଉ ୨୫% ଅଧିକ ମଜୁରି ଦେବାକୁ ହେବ। ଏହି ପରିମାଣକୁ ହିସାବକୁ ନେଇ ୨୦୧୬ରେ ସ୍ଥିର ହେଲା ଯେ, ଜଣେ ଶ୍ରମିକଙ୍କ ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା ମଜୁରି ଦେବାକୁ ହେବ; କିନ୍ତୁ ଦୁଃଖର କଥା ଯେ, କେରଳ ସରକାର ବ୍ୟତୀତ ଆଉ କୌଣସି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସର୍ବନିମ୍ନ ମଜୁରି ବୃଦ୍ଧି କରୁନାହାନ୍ତି। କେରଳ ସରକାର ସର୍ବନିମ୍ନ ମଜୁରି ଦିନକୁ ୧୧ ଶହ ଟଙ୍କା ସ୍ଥିର କରିଛି। ଗୁଜରାଟରେ ଦୈନିକ ମଜୁରି ମାତ୍ର ୨୬୮ଟଙ୍କା ରହିଛି।
ଭାରତର ସମ୍ବିଧାନର ସ୍ପଷ୍ଟ ନିର୍ଦ୍ଦେଶ ସ​ତ୍ତ୍ବେ‌, ସମ୍ବିଧାନର ନିର୍ଦ୍ଦେଶକୁ ଅବମାନନା କରାଯାଇ ଶ୍ରମିକଙ୍କୁ ବଞ୍ଚିବା ଭଳି ମଜୁରି ମିଳୁନାହିଁ କି ସର୍ବାଧିକ କାମ ସମୟ ଦିନକୁ ଆଠଘଣ୍ଟା କରାଯାଉନାହିଁ। ଶିଳ୍ପପତି ଓ ପୁଞ୍ଜିପତିଙ୍କ ମୁନାଫା ଆକାଶଛୁଆଁ ହେଲାବେଳେ ଶ୍ରମଜୀବୀ ଓ କୃଷିଜୀବୀଙ୍କ ଜୀବନ ଶୋଚନୀୟ ହୋଇଉଠିଛି। ଏହାର ପରିଣାମ ସ୍ବରୂପ ଭାରତର ଅର୍ଥନୀତି ସଂକଟ ଦେଇ ଗତି କରୁଛି। ଟଙ୍କାର ମୂଲ୍ୟ କମି କମି ଯାଉଛି ଓ ଜିନିଷର ଦର ବଢି ବଢି ଚାଲିଛି। ଅଧିକାଂଶ ଦେଶବାସୀ ଆବଶ୍ୟକ ସାମଗ୍ରୀ କିଣିପାରୁ ନାହାନ୍ତି।
୨୦୨୩ର ମଇ ଦିବସ ପାଳନ ଅବସରରେ ଗୋଟିଏ ବିଷୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ – ତାହା ହେଉଛି ଆମର ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅଧିକାର। ଶ୍ରମିକ ଶ୍ରେଣୀ ଏହି ଗଣତାନ୍ତ୍ରିକ ଅଧିକାର ବଳରେ ଆଠଘଣ୍ଟା ଶ୍ରମ ସମୟ ଓ ସର୍ବନିମ୍ନ ମଜୁରି ହାସଲ କରିବାରେ ସକ୍ଷମ ହେବ।

prayash

ଜନାର୍ଦ୍ଦନ ପତି
ଦୂରଭାଷ:୯୪୩୭୦୦୭୭୭୦

Comments are closed.