୧୦୦୦ତମ ମ୍ୟାଚ୍‌ରେ ଯଶସ୍ବୀଙ୍କ ଶତକ ନିଷ୍ଫଳ ; ମୁମ୍ବଇ ବିଜୟୀ

ମୁମ୍ବଇ :  ମୁମ୍ବଇ ଇଣ୍ଡିଆନ୍‌ସ ରରିବାର ଆଇପିଏଲ୍‌ ଇତିହାସରେ ୧୦୦୦ତମ ମ୍ୟାଚ୍‌ରେ ବିଜୟୀ ହୋଇଛି । ଟିମ୍ ଡେଭିଡ୍‌ଙ୍କ ବିସ୍ଫୋରକ ଇନିଂସ ବଳରେ ରାଜସ୍ଥାନ ରୟାଲ୍‌ସକୁ ୬ ୱିକେଟରେ ମୁମ୍ବଇ ପରାସ୍ତ କରିଛି। ଓପ୍‌ନର ଯଶସ୍ବୀ ଜୟସୱାଲଙ୍କ ବିସ୍ଫୋରକ ଶତକ ବଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ରୟାଲ୍‌ସ ୭ ୱିକେଟରେ ୨୧୨ ରନ୍‌ କରିଥିଲା। ପରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ କାରେମନ୍ ଗ୍ରିନ୍‌ଙ୍କ ଦର୍ଶନୀୟ ଇନିଂସ୍ ପରେ ଟିମ୍ ଡେଭିଡ୍‌ ୧୪ ବଲ୍‌ରୁ ଅପରାଜିତ ୪୫ ରନ୍‌ କରିବାରୁ ୩ଟି ବଲ୍‌ ବାକିଥାଇ ୬ ୱିକେଟ ହରାଇ ମୁମ୍ବଇ ଜିତିଥିଲା। ମୁମ୍ବଇ ୮ମ ମ୍ୟାଚ୍‌ରେ ୪ର୍ଥ ବିଜୟ ହାସଲ କରିଛି। ରାଜସ୍ଥାନ ୯ମ ମ୍ୟାଚ୍‌ରେ ୪ର୍ଥ ପରାଜୟ ଭୋଗିଛି।
ଏହି ଐତିହାସିକ ମ୍ୟାଚ୍‌ରେ ଘରୋଇ ମୁମ୍ବଇ ଇଣ୍ଡିଆନ୍‌ସ ୨୧୩ ରନ୍‌ର ପିଛା କରିଥିବା ବେଳେ ଆରମ୍ଭରୁ ଏହାକୁ ଶକ୍ତ ଧକ୍କା ଲାଗିଥିଲା। ୨ୟ ଓଭରରେ ଅଧିନାୟକ ରୋହିତ ଶର୍ମା ମାତ୍ର ୩ ରନ୍‌କରି ଆଉଟ୍‌ ହୋଇଥିଲେ। ହେଲେ ଈଶାନ୍ କିଷନ୍ ଓ କାମେରନ୍ ଗ୍ରୀନ୍‌ ପ୍ରତ୍ୟାକ୍ରମଣ କରି ସ୍କୋର୍‌କୁ ଆଗେଇ ନେଇଥିଲେ। ବିଶେଷକରି ଅଷ୍ଟ୍ରେଲିଆର ଗ୍ରୀନ୍‌ ବାଉଣ୍ଡରୀ ପରେ ବାଉଣ୍ଡରୀ ମାରି ଚାଲିଥିଲେ। ଦୁହେଁ ୨ୟ ୱିକେଟ ପାଇଁ ୬୨ ରନ୍‌ ଯୋଡ଼ିଥିଲେ। ଉଭୟଙ୍କୁ ରବିଚନ୍ଦ୍ରନ ଅଶ୍ବିନ ଆଉଟ୍‌ କରିଥିଲେ। ବାମହାତି କିଷନ୍ ୨୩ ବଲ୍‌ରୁ ୪ଟି ଚୌକା ସହ ୨୮ ରନ୍‌ କରିଥିଲେ। ପରେ କାମେରନ୍ ଗ୍ରୀନ୍‌ ୨୬ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୪ ରନ୍‌କରି ବିଦାୟ ନେଇଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଶେଷ ୮ ଓଭରରୁ ୧୦୯ ରନ୍‌ ଆବଶ୍ୟକ ଥିଲା। ୨୪ ବଲ୍‌ରେ ସୂର୍ଯ୍ୟକୁମାର ଅର୍ଦ୍ଧଶତକ ପୂରଣ କରିଥିଲେ। ସନ୍ଦୀପ ଶର୍ମାଙ୍କ ଦର୍ଶନୀୟ କ୍ୟାଚ୍‌ରେ ସୂର୍ଯ୍ୟ ଆଉଟ୍‌ ହୋଇଥିଲେ। ସୂର୍ଯ୍ୟକୁମାର ୨୯ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୫୫ ରନ୍‌ କରିଥିଲେ। ପରେ ତିଳକ ବର୍ମା ଓ ଟିମ୍ ଡେଭିଡ୍‌ ସଂଘର୍ଷ ଜାରି ରଖିଥିଲେ। ଶେଷ ୨ ଓଭରରୁ ୩୨ ଓ ଶେଷ ଓଭରରୁ ୧୭ ରନ୍‌ ଆବଶ୍ୟକ ଥିଲା। ଜେସନ୍ ହୋଲ୍‌ଡର ବୋଲିଂ କରିଥିବା ଏହି ଓଭରର ପ୍ରଥମ ୩ଟି ବଲ୍‌ ଫୁଲ୍‌ଟସ ଥିବା ବେଳେ ଟିମ୍ ଡେଭିଡ୍‌ କ୍ରମାଗତ ୩ଟି ଛକାମାରି ମୁମ୍ବଇକୁ ଜିତାଇଥିଲେ। ତିଳକ ବର୍ମା ଓ ଟିମ୍ ଡେଭିଡ୍‌ ଅବିଭାଜିତ ୫ମ ୱିକେଟ ପାଇଁ ମାତ୍ର ୨୩ ବଲ୍‌ରୁ ୬୨ ରନ୍‌ ଯୋଡ଼ି ଦଳର ବିଜୟରେ ବିନ୍ଧାଣୀ ସାଜିଥିଲେ। ଟିମ୍ ଡେଭିଡ୍‌ ମାତ୍ର ୧୪ ବଲ୍‌ରୁ ୫ଟି ଛକା ଓ ୨ଟି ଚୌକା ସହ ୪୫ ରନ୍‌କରି ଅପରାଜିତ ଥିଲେ। ତିଳକ ବର୍ମା ୨୧ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୯ ରନ୍‌କରି ଅପରାଜିତ ଥିଲେ। ରବିଚନ୍ଦ୍ରନ ଅଶ୍ବିନ ୨ଟି ୱିକେଟ ନେଇଥିଲେ।
ରାଜସ୍ଥାନ ରୟାଲ୍‌ସ ଟସ୍ ଜିତି ବ୍ୟାଟିଂ ନେଇଥିଲା। ଏକା ଯଶସ୍ବୀ ଜୟସୱାଲ ୧୨୪ ରନ୍‌ କରିଥିବା ବେ​ଲେ ଅନ୍ୟ ପଟୁ ମାତ୍ର ୬୩ ରନ୍‌ ହୋଇଥିଲା। ଆରମ୍ଭରୁ ବାମହାତି ଯଶସ୍ବୀ ଜୟସୱାଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ରାଜସ୍ଥାନ ଓପ୍‌ନିଂ ଯୋଡ଼ିରେ ୭ ଓଭରରେ ୭୨ ରନ୍‌ କରିଥିଲା। ଜୋସ୍‌ ବଟ୍‌ଲର ୧୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ମାତ୍ର ୧୮ ରନ୍‌ କରି ପାରିଥିଲା। ଅଧିନାୟକ ସଞ୍ଜୁ ସାମ୍‌ସନ ୧୦ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ରନ୍‌କରି ବିଦାୟ ନେଇଥିଲେ। ପରବର୍ତ୍ତୀ ବ୍ୟାଟ୍‌ସମ୍ୟାନଙ୍କ ମଧ୍ୟରୁ କେବଳ ଜେସନ୍ ହୋଲ୍‌ଡର ୯ ବଲ୍‌ରୁ ୧୧ ରନ୍‌ କରିଥିବା ବେଳେ ଅନ୍ୟ କେହି ଦୁଇ ଅଙ୍କ ସ୍କୋର୍‌ରେ ପହଞ୍ଚି ପାରିନଥିଲେ। ୧୧ ଓଭରରେ ରାଜସ୍ଥାନ ୩ ୱିକେଟରେ ୧୦୩ ରନ୍‌ କରିଥିଲା। ଶେଷ ୯ ଓଭରରୁ ରାଜସ୍ଥାନ ୧୦୯ ରନ୍‌ କରିଥିଲା। ଏହି ୧୦୯ରୁ ଯଶସ୍ବୀ ଏକା ୭୨ ରନ୍‌ କରିଥିଲେ। ଯଶସ୍ବୀ ଜୟସୱାଲ ୬୨ ବଲ୍‌ରୁ ୮ଟି ଛକା ଓ ୧୬ଟି ଚୌକା ସହ ୧୨୪ ରନ୍‌ କରିଥିଲେ। ଏହା ଚଳିତ ଆଇପିଏଲ୍‌ରେ ୩ୟ ଶତକ ଓ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌। ଏହାକୁ ମିଶାଇ ସର୍ବାଧିକ ୪୨୮ ରନ୍‌କରି ଯଶସ୍ବୀ ଜୟସୱାଲ ଅରେଞ୍ଜ୍‌ କ୍ୟାପ୍‌ର ଅଧିକାରୀ ହୋଇଛନ୍ତି। ଅର୍ଶଦ ଖାଁ ୩ଟି ଓ ପୀୟୂଷ ଚାୱଲା ୨ଟି ୱିକେଟ ନେଇଥିଲେ।

Comments are closed.