ଆହୁରି ୨ ଦିନ ତାତି : ବାରିପଦା ଉତ୍ତପ୍ତ ସହର,୨୫ ସ୍ଥାନରେ ପାରଦ ୪୦ ଡ଼ିଗ୍ରୀ ଉପରେ
୮ସହରର ତାପମାତ୍ରା ୪୨ ଡ଼ିଗ୍ରୀ
ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମର ପ୍ରଭାବ ଜାରି ରହିଛି । ପ୍ରଚଣ୍ଡ ଖରା, ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଗୁରୁବାର ବାରିପଦା ରାଜ୍ୟର ଉତ୍ତପ୍ତ ସହର ପାଲଟିଯିଛି । ବାରିପଦାରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଜି ରାଜ୍ୟର୨୫ ସହରରେ ପାରଦ ୪୦ ଡ଼ିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ କହିଛି । ସେହିପରି ୮ଟି ସହରର ତାପମାତ୍ରା ୪୨ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି । ଅନ୍ୟପକ୍ଷରେ ଗୁରୁବାର କଟକରେ ୪୧.୪ ଡ଼ିଗ୍ରୀ ଏବଂ ଭୁବନେଶ୍ବରରେ ୪୦.୮ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ ଆଗାମୀ ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୨ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରା ବୃଦ୍ଧିର ସମ୍ଭାବନା ରହିଛି।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଂଜ ଓ ବାଲେଶ୍ୱର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ୧୪ ତାରିଖରେ ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଂଜ , ଦେବଗଡ , ଓ ବାଲେଶ୍ୱର ଏବଂ ୧୫ ତାରିଖରେ ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମର ପ୍ରବାହ ବା ହିଟ୍ ୱେଭ୍ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ସାମାନ୍ୟ କମିପାରେ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି।
Comments are closed.