ଏବେ ଗ୍ରୀଷ୍ମ ପ୍ରବାହର ବେଳ
ଜୟକୃଷ୍ଣ ପାଣିଗ୍ରାହୀ
ଜୀବଜଗତ ଉପରେ ଗ୍ରୀଷ୍ମ ପ୍ରବାହର ଅନିଷ୍ଟକାରୀ ପ୍ରଭାବକୁ ନେଇ ସମ୍ପ୍ରତି ଭୟ ଓ ଆତଙ୍କ ଜାତ ହେଉଛି। ନିକଟ ଅତୀତରେ ଭାରତ, ଇଉରୋପ, ଆମେରିକା, ରୁଷିଆ, ଅଷ୍ଟ୍ରେଲିଆ ଇତ୍ୟାଦିରେ ଘଟିଥିବା ଅତ୍ୟଧିକ ଉତ୍ତାପ ବୃଦ୍ଧିଜନିତ ପାଣିପାଗ ଘଟଣା, ଭୟଙ୍କର ମରୁଡ଼ି ଏବଂ ବନାଗ୍ନି ପରିସ୍ଥିତି ମାନବ ଜାତିକୁ ଭୀତତ୍ରସ୍ତ କରୁଛି। ଏଥିନିମନ୍ତେ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ବ୍ୟତୀତ ଅନ୍ୟ କୌଣସି କାରକର ବିଶେଷ ଭୂମିକା ନାହିଁ ବୋଲି ବୈଜ୍ଞାନିକ ବିଶ୍ଳେଷଣ ଦର୍ଶାଏ। ବାୟୁମଣ୍ଡଳୀୟ ଉତ୍ତାପ ବୃଦ୍ଧି ନିମନ୍ତେ ମୁଖ୍ୟତଃ ଦାୟୀ ଥିବା ଅଙ୍ଗାରକାମ୍ଳ ପରି ସବୁଜଗୃହ ବାଷ୍ପ କୋଇଲା, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନର ବର୍ଦ୍ଧିତ ବ୍ୟବହାର ଦାୟୀ। ଭାରତରେ ଚଳିତ ବର୍ଷର ଫେବୃଆରୀ ତାପମାତ୍ରା ୧୯୦୧ ପରଠାରୁ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ହୋଇଛି। ବିଶ୍ୱ ପାଣିପାଗ ଅନୁଷ୍ଠାନର ପୂର୍ବାକଳନ କହୁଛି ଚଳିତବର୍ଷ ଏଲ୍ନିନୋ ପ୍ରତ୍ୟାବର୍ତ୍ତନର ସମ୍ଭାବନା ଥିବାରୁ ପୃଥିବୀର ତାପମାତ୍ରାରେ ଅଧିକ ବୃଦ୍ଧି ହେବାର ଆଶଙ୍କା ରହିଛି।
ବିଗତ ୧୪୨ ବର୍ଷର ବିଶ୍ୱ ଇତିହାସର ତଥ୍ୟାନୁଯାୟୀ ୨୦୧୬ ମସିହାରେ ପୃଥିବୀର ହାରାହାରି ଭୂପୃଷ୍ଠ ତାପମାତ୍ରା ରେକର୍ଡ ସୃଷ୍ଟି କରିଛି, ଯାହା ସହିତ ୨୦୨୦ର ତାପମାତ୍ରା ମଧ୍ୟ ସମକକ୍ଷ ହୋଇଛି। ସେହିପରି, ୨୦୧୫ରୁ ୨୦୨୨ ଆଠବର୍ଷ ବିଶ୍ୱସ୍ତରର ସର୍ବାଧିକ ଉତ୍ତପ୍ତ ବର୍ଷ ରୂପେ ପରିଗଣିତ ହୋଇଛି। ୨୦୨୨ରେ ହାରାହାରି ବିଶ୍ୱ ତାପମାତ୍ରା ପ୍ରାକ୍-ଶିଳ୍ପ ବିପ୍ଳବ ସ୍ତରଠାରୁ ପ୍ରାୟ ୧.୧୫ ଡିଗ୍ରୀ ସେଲ୍ସିୟସ ଅଧିକ ଥିଲା। ବିଶ୍ୱ ପାଣିପାଗ ସଂଗଠନ ବିଶ୍ଲେଷିତ ତଥ୍ୟ ଅନୁଯାୟୀ ଏ ସବୁ ନକାରାତ୍ମକ ମାନବୀୟ କାର୍ଯ୍ୟକଳାପରୁ ନିର୍ଗତ ତଥା ସବୁଜ ଗୃହ ବାଷ୍ପ ନିର୍ଗମନ ପ୍ରଭାବରେ ଏକ ଦୀର୍ଘକାଳୀନ ଉତ୍ତାପ ବୃଦ୍ଧି ଧାରାର ପରିପ୍ରକାଶ। ଏହା ଅବ୍ୟାହତ ରହିଲେ ୨୦୧୫ର ପ୍ୟାରିସ୍ ଚୁକ୍ତିନାମାରେ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀରେ ସୀମିତ ରଖିବା ଲକ୍ଷ୍ୟ ୨୦୫୦ ସୁଦ୍ଧା ହାସଲ କରିବା ସମ୍ଭାବନା ନାହିଁ।
ଭାରତରେ ୧୯୯୮ରେ ଘଟିଥିବା ଗ୍ରୀଷ୍ମ ପ୍ରବାହରେ ଅଂଶୁଘାତଜନିତ ପ୍ରାଣହାନି ରେକର୍ଡ ସଂଖ୍ୟା ୩,୦୫୮ରେ ପହଞ୍ଚିଥିଲା, ଯେଉଁଥିରେ ଓଡ଼ିଶାର ପ୍ରାୟ ୨୦୪୨ ମୃତ୍ୟୁ ଅନ୍ତର୍ଭୁକ୍ତ I ସେହିପରି, ୨୦୧୫ରେ ଦେଶର ବିଭିନ୍ନ ଅଞ୍ଚଳରେ ୨,୨୦୦ରୁ ଅଧିକ ଲୋକ ଅଂଶୁଘାତରେ ମୃତ୍ୟୁର ଶିକାର ହୋଇଥିଲେ। ୨୦୧୯ରେ ଘଟିଥିବା ଇଉରୋପୀୟ ଗ୍ରୀଷ୍ମ ପ୍ରବାହ ସର୍ବକାଳୀନ ଉଚ୍ଚ ତାପମାତ୍ରାର ରେକର୍ଡ ସୃଷ୍ଟି କରିଥିଲା। ସେହିପରି ୨୦୧୨ର ଜୁନ୍-ଅଗଷ୍ଟ ଅବଧିରେ କ୍ରମାଗତ ଉଚ୍ଚ ଉତ୍ତାପ ୟୁରୋପର କେତେକାଂଶକୁ ପ୍ରଭାବିତ କରିଥିଲା, ଯାହା ବହୁ ଲୋକଙ୍କର ସ୍ଥାନାନ୍ତରଣ ଏବଂ ୨୦,୦୦୦ରୁ ଅଧିକ ଉତ୍ତାପଜନିତ ମୃତ୍ୟୁର କାରଣ ହୋଇଥିଲା। ପର୍ତ୍ତୁଗାଲ ତାପମାତ୍ରା ସର୍ବାଧିକ ୪୭ ଡିଗ୍ରୀରେ ଥିଲାବେଳେ ଉଚ୍ଚ ଉତ୍ତାପ ପ୍ରଭାବରେ ବ୍ରିଟେନରେ ବିମାନବନ୍ଦରର ରନୱେ ଫାଟିଯିବା, ରେଳ ଲାଇନ୍ ବଙ୍କା ହୋଇଯିବା ଏବଂ ବନାଗ୍ନି ବ୍ୟାପିବା ପରି ଘଟଣା ଘଟିଥିଲା। ୨୦୧୯–୨୦ ଅଷ୍ଟ୍ରେଲିଆରେ ଅତ୍ୟଧିକ ଉତ୍ତାପ ବୃଦ୍ଧି କାରଣରୁ ବନାଗ୍ନିରେ ବନ୍ୟପ୍ରାଣୀଙ୍କର ମୃତ୍ୟୁସଂଖ୍ୟା ଥିଲା କୋଟିଏରୁ ଅଧିକ। ୨୦୨୧ରେ ପଶ୍ଚିମ-ଉତ୍ତର-ଆମେରିକା ଏବଂ ପଶ୍ଚିମ କାନାଡ଼ାରେ ଗ୍ରୀଷ୍ମ ପ୍ରବାହ (ସର୍ବାଧିକ ତାପମାତ୍ରା ୪୯.୬ ଡିଗ୍ରୀ)ର ପ୍ରତ୍ୟକ୍ଷ ପରିଣାମରେ ୧୦୦୦ରୁ ଅଧିକ ମୃତ୍ୟୁ ଘଟିଥିଲା। ବିଶ୍ୱତାପନ ପ୍ରଭାବରେ ଏପରି ଦୃଷ୍ଟାନ୍ତମାନ, ଶୀତ-ପ୍ରଧାନ ରାଷ୍ଟ୍ରରେ, କ୍ରମଶଃ ବଢିଚାଲିଛି। ଦୁଇ ଦଶନ୍ଧିର (୨୦୦୦-୨୦୧୯) ତଥ୍ୟଭିତ୍ତିରେ ଜୁଲାଇ ୨୦୨୧ରେ ‘ଦ ଲାନସେଟ୍’ ପତ୍ରିକାରେ ପ୍ରକାଶିତ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ବିଶ୍ୱରେ ପ୍ରତି ବର୍ଷ ହାରାହାରି ପାଞ୍ଚ ନିୟୁତରୁ ଅଧିକ ଲୋକଙ୍କ ଅତ୍ୟଧିକ ତାପମାତ୍ରା କାରଣରୁ ମୃତ୍ୟୁ ଘଟୁଛି। ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟରତ ଆନ୍ତଃସରକାରୀ ପ୍ୟାନେଲ୍ (ଆଇପିସିସି)ର ଷଷ୍ଠ ମୂଲ୍ୟାଙ୍କନ ରିପୋର୍ଟରେ ଆଗାମୀ ଦିନରେ ବିଶ୍ୱତାପନର ବୃଦ୍ଧି ସହିତ ଚରମ ପାଣିପାଗ-ସମ୍ପର୍କିତ ଘଟଣାମାନ ତୀବ୍ରତର ହେବ ବୋଲି ସତର୍କ କରାଯାଇଛି।
ତାପମାତ୍ରା ବଢୁଥିବାବେଳେ ବୃଷ୍ଟିପାତର ଢାଞ୍ଚା ବଦଳିଛି। ପ୍ରବଳ ବର୍ଷା ଦ୍ୱାରା ବନ୍ୟାର ପ୍ଲାବନ ଘଟୁଛି, ଉତ୍କଟ ମରୁଡ଼ି ଓ ଜଳାଭାବ ପରିସ୍ଥିତି ସୃଷ୍ଟି ହେଉଛି। ଉତ୍ତପ୍ତ, ଶୁଷ୍କ ଅବସ୍ଥାରେ ବନାଗ୍ନି ବ୍ୟାପୁଛି ଏବଂ ମେରୁ ଅଞ୍ଚଳୀୟ ବରଫ ଓ ପର୍ବତସ୍ଥ ହିମବାହ ତରଳି ସମୁଦ୍ର ପତନରେ ଉତ୍ଥାନ ଘଟୁଛି। ଏ ସବୁ କୃଷି ପ୍ରକ୍ରିୟା, ଖାଦ୍ୟ ଓ ଜଳ ଉପଲବ୍ଧି, ପ୍ରାକୃତିକ ପରିସଂସ୍ଥା ଓ ଏହାର ଜୈବ ବିବିଧତାର ଅଭିବୃଦ୍ଧି ଏବଂ ସାମଗ୍ରିକ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ସହରାଞ୍ଚଳର କଂକ୍ରିଟ କୋଠାବାଡ଼ି, ସଡକ ଏବଂ ଭିତ୍ତିଭୂମି ଉତ୍ତାପକୁ ଶୋଷି ନେଉଥିବାରୁ ଏଠାକାର ତାପମାତ୍ରା ଗ୍ରାମାଞ୍ଚଳ ତୁଳନାରେ ୩-୫ ଡିଗ୍ରୀ ଅଧିକ ରହୁଛି, ଯାହା ‘ଉତ୍ତାପ ଦ୍ୱୀପ ପ୍ରଭାବ’ ରୂପେ ଆଖ୍ୟାୟିତ। ଏହା ସହରାଞ୍ଚଳର ଜୀବନ ପ୍ରବାହରେ ବିବିଧ ସଙ୍କଟ ସୃଷ୍ଟି କରୁଛି। ଉତ୍ତାପ ଚାପରୁ ମୁକ୍ତି ନିମନ୍ତେ ଶୀତଳ ପରିବେଶ ଉପଲବ୍ଧ ହେଉ ନଥିବା ଗରିବ ଶ୍ରେଣୀର ଲୋକଙ୍କ ବ୍ୟତୀତ ଅନ୍ୟ ଅସୁରକ୍ଷିତ ଗୋଷ୍ଠୀ ମଧ୍ୟରେ ଅନ୍ତର୍ଭୁକ୍ତ ଅଟନ୍ତି ଅତିବୟସ୍କ, ନବଜାତ, ଶିଶୁ, ପ୍ରଲମ୍ବିତ ସ୍ୱାସ୍ଥ୍ୟ ସମସ୍ୟା ଯୁକ୍ତ ବ୍ୟକ୍ତି ଏବଂ କାର୍ଯ୍ୟରତ ଶ୍ରମିକ।
ଏପରି ପରିବେଶରେ ଉତ୍ତାପଜନିତ ରୋଗ, ବିଶେଷତଃ ଅତ୍ୟଧିକ ଉଷ୍ମତା, ହୃଦ୍ରୋଗ, ଶ୍ୱାସକ୍ରିୟାରେ ଜଟିଳତା ଏବଂ ବୃକ୍କ ରୋଗରେ ବୃଦ୍ଧି ଘଟିଥାଏ। ଗ୍ରୀଷ୍ମ ପ୍ରବାହରେ ବିଦ୍ୟୁତ୍ ବ୍ୟବହାର ଯଥେଷ୍ଟ ଅଧିକ ହେଉଥିବାରୁ ସମଭାବରେ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଏ ଏବଂ ବାୟୁ ଗୁଣବତ୍ତାରେ ଅବନତି ଘଟେ, ଯାହା ସ୍ୱାସ୍ଥ୍ୟ ସମସ୍ୟାକୁ ଅଧିକ ଜଟିଳ କରେ। ଗୃହପାଳିତ ପଶୁମାନେ, ବିଶେଷତଃ ରାତ୍ରକାଳରେ, ଉତ୍ତାପ ଚାପରେ ଅଧିକ ପ୍ରଭାବିତ ହୁଅନ୍ତି, ଯାହା ସେମାନଙ୍କର ଦୁଗ୍ଧ ଉତ୍ପାଦନ, ଶରୀର ଅଭିବୃଦ୍ଧି ଏବଂ ଗର୍ଭଧାରଣ ହାରରେ ହ୍ରାସ ଘଟାଏ। ୨୦୨୧ରେ ଆମେରିକାରେ ଘଟିଥିବା ମରୁଡ଼ି ପ୍ରଭାବରେ ଉତ୍ତର ଡାକୋଟାର ଗୋପାଳନକାରୀମାନେ ଗୋଖାଦ୍ୟାଭାବ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। କାଲିଫର୍ଣ୍ଣିଆର ଜଙ୍ଗଲ ନିଆଁରେ ବହୁ କୃଷିଜମି ପୋଡ଼ି ପାଉଁଶ ହୋଇଗଲା। ଗତ ବର୍ଷ ଚାଇନାରେ ମାସାଧିକ କାଳ ଅତ୍ୟଧିକ ଉତ୍ତାପ ଅନୁଭୂତ ହୋଇ ୨୬୭ଟି ପାଣିପାଗ କେନ୍ଦ୍ରର ରେକର୍ଡ ଭଙ୍ଗ ହୋଇଥିଲା, ଯାହା ୟାଙ୍ଗଜେ ନଦୀକୁ ଶୁଷ୍କ, ଜଙ୍ଗଲ ଅଗ୍ନିକାଣ୍ଡ ଓ ଫସଲ ନଷ୍ଟକୁ ପ୍ରୋତ୍ସାହିତ କରିଥିଲା। ଭାରତ ପାଣିପାଗ ବିଭାଗ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ଗାମ୍ଭୀର୍ଯ୍ୟ ବିଷୟରେ ଯଥେଷ୍ଟ ସତର୍କ ସୂଚନା ପ୍ରଦାନ କରିଛି। ଭାରତ ସରକାର ସମସ୍ୟାର ଗୁରୁତ୍ୱକୁ ହୃଦୟଙ୍ଗମ କରି ସୁରକ୍ଷା ଶକ୍ତିଶାଳୀ କରିବା ଲକ୍ଷ୍ୟରେ ଏକ ପ୍ୟାନେଲ୍ ଗଠନର ନିଷ୍ପତ୍ତି କରିଛନ୍ତି I ବିଶେଷଜ୍ଞମାନଙ୍କ ପରାମର୍ଶ ହେଉଛି ଅଧିକ ଦୀର୍ଘମିଆଦୀ ପଦକ୍ଷେପକୁ ପ୍ରାଧାନ୍ୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଅପରିହାର୍ଯ୍ୟ।
ଆମେରିକାର ଜଳବାୟୁ ବିଶେଷଜ୍ଞ ପ୍ରଫେସର ଜେମସ୍ହାନ୍ କହିଛନ୍ତି ଯେ ଆମର ଦାୟାଦ ଏବଂ ଅନ୍ୟ ଜୀବଜାତିମାନଙ୍କ ଭବିଷ୍ୟତ ଦୃଷ୍ଟିରୁ ଆମେ କରୁଥିବା ନକାରାତ୍ମକ କାର୍ଯ୍ୟ ଏକ ସ୍ପଷ୍ଟ ନୈତିକ ପ୍ରସଙ୍ଗ ରୂପେ ଉଭା ହୋଇଛି। ଆମେ ଜଳବାୟୁ ପ୍ରଣାଳୀର ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଉପନୀତ ହେଲୁଣି, ଯାହାଠାରୁ ମୁକ୍ତିର କୌଣସି ଅବକାଶ ହିଁ ନାହିଁ I ସେ ସତର୍କ କରାଇଛନ୍ତି ଯେ ଆମ ନିକଟରେ ପ୍ରାୟ ଦଶବର୍ଷ ଅଛି – କାର୍ଯ୍ୟ ଉପରେ ନିଷ୍ପତ୍ତି ନେବାକୁ ନୁହେଁ, ବିଶ୍ୱରେ ସବୁଜ ଗୃହ ବାଷ୍ପ ନିର୍ଗମନର ଗତିପଥକୁ ପରିବର୍ତ୍ତନ କରିବା ପାଇଁ। ଗ୍ରୀଷ୍ମ ପ୍ରବାହର ଏପରି ଧାରାରେ ସ୍ଥିରତା ହାସଲ ନିମନ୍ତେ ଉପଯୁକ୍ତ ରଣନୀତି ପ୍ରସ୍ତୁତି ଧନଜୀବନ ହାନିର ସମ୍ଭାବନାକୁ ପ୍ରତିହତ କରିବାରେ ସହାୟକ ହେବ।
Comments are closed.