ନୂଆଦିଲ୍ଲୀ: ଅଗ୍ନିପଥ ନିଯୁକ୍ତି ଯୋଜନା ମାମଲାରେ ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାର ଏକ ବଡ଼ ବିଜୟ ହାସଲ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବୈଧ ବୋଲି କୋର୍ଟ ଘୋଷଣା କରିଛନ୍ତି। ଏହା ସହ ଅଗ୍ନିପଥ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡିକ ଖାରଜ କରାଯାଇଛି। ପ୍ରଧାନ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ଏକ ବେଞ୍ଚ ଏହି ମାମଲାରେ ନିଜର ରାୟ ଶୁଣାଇଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଗତ ବର୍ଷ ଡିସେମ୍ବର ୧୫ରେ ଏହି ମାମଲାରେ ନିଜ ରାୟ ସୁରକ୍ଷିତ ରଖିଥିଲେ।
ଶୁଣାଣି ସମୟରେ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାକୁ ସମର୍ଥନ କରିଥିଲେ। ସଶସ୍ତ୍ର ବାହିନୀରେ ଯୁବକମାନଙ୍କ ନିଯୁକ୍ତି ପାଇଁ ଗତ ବର୍ଷ ଜୁନ୍ ୧୪ରେ ଅଗ୍ନିପଥ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାର ନିୟମ ଅନୁଯାୟୀ, ସାଢେ ୧୭ରୁ ୨୧ ବର୍ଷ ବୟସର ଯୁବକମାନେ ଆବେଦନ କରିବାକୁ ଯୋଗ୍ୟ ଏବଂ ସେମାନଙ୍କ କାର୍ଯ୍ୟକାଳ ଚାରି ବର୍ଷ ରହିବ। ଏହି ଯୋଜନା ଅଧୀନରେ ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ନିୟମିତ କରାଯିବ।
ଅଗ୍ନିପଥ ଆରମ୍ଭ ହେବା ପରେ ଅନେକ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରାଯାଇଥିଲା। ପରେ ସରକାର ୨୦୨୨ରେ ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମାକୁ ବୃଦ୍ଧି କରି ୨୩ ବର୍ଷ କରିଥିଲେ। ଏହି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟ ସମେତ ଅନେକ ହାଇକୋର୍ଟରେ ଆବେଦନ ଦାଖଲ କରାଯାଇଥିଲା। ପରେ ସୁପ୍ରିମକୋର୍ଟ ଏହି ଆବେଦନଗୁଡ଼ିକୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।



