ସତ୍ୟ ପଦାକୁ ଆସିବା ପର୍ଯ୍ୟନ୍ତ ଆଦାନିଙ୍କ ସମ୍ପର୍କରେ ପ୍ରଶ୍ନ ପଚାରୁଥିବୁ : ରାହୁଲ
ଆରମ୍ଭ ହେବ ଦ୍ବିତୀୟ ଭାରତ ଯୋଡ଼ୋ ଯାତ୍ରା
ରାୟପୁର : କେନ୍ଦ୍ର ସରକାରଙ୍କ ସହିତ ଶିଳ୍ପପତି ଗୌତମ ଆଦାନିଙ୍କ ସମ୍ପର୍କ କ’ଣ? ଗୌତମ ଆଦାନିଙ୍କ ବ୍ୟାବସାୟିକ ସାମ୍ରାଜ୍ୟ ଏତେ ଶୀଘ୍ର କିପରି ବୃଦ୍ଧି ପାଇଲା ? ଗୌତମ ଆଦାନିଙ୍କ ସମ୍ପର୍କରେ ସତ୍ୟ ପଦାକୁ ଆସିବା ପର୍ଯ୍ୟନ୍ତ କଂଗ୍ରେସ ଏପରି ପ୍ରଶ୍ନ ପଚାରିବା ଜାରି ରଖିବ ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି । କଂଗ୍ରେସର ୮୫ତମ ବାର୍ଷିକ ଅଧିବେଶନ ଅବସରରେ ରବିବାର ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ବୋଧନ କାଳରେ ରାହୁଲ ଏହା କହିଛନ୍ତି । ସଂସଦରେ ଗୌତମ ଆଦାନିଙ୍କ ସମ୍ପର୍କରେ ସେ ପ୍ରଶ୍ନ ପଚାରିବାରୁ ସରକାରଙ୍କ ମନ୍ତ୍ରୀ ଓ ବିଜେପି ନେତାମାନେ ତାଙ୍କ ସପକ୍ଷରେ ବାହାରିଥିଲେ। ଆଦାନି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି ଯେ ଆଦାନିଙ୍କ କମ୍ପାନୀ ଦେଶ ପାଇଁ ବଡ କ୍ଷତି ପହଞ୍ଚାଉଛି । ଦେଶର ସମସ୍ତ ସମ୍ପତ୍ତିକୁ ଆଦାନି ହାତେଇ ନେବାର ଉଦ୍ୟମ ଚଳାଇଛନ୍ତି । ଆଦାନିଙ୍କ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନକୁ ସଂସଦର ବିବରଣୀରୁ ବାଦ୍ ଦିଆଯାଇଛି । ମାତ୍ର ସତ୍ୟ ପଦାକୁ ଆସିବା ପର୍ଯ୍ୟନ୍ତ କଂଗ୍ରେସ ଏହି ପ୍ରଶ୍ନ ହଜାର ବାର ପଚାରି ଚାଲିବ। ସେହିପରି ଚୀନ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଦେଇଥିବା ମନ୍ତବ୍ୟକୁ ରାହୁଲ ସମାଲୋଚନା କରିଛନ୍ତି। ଚୀନ ପ୍ରସଙ୍ଗରେ ଜୟଶଙ୍କର ଦେଇଥିବା ମନ୍ତବ୍ୟ ତାଙ୍କ ଜାତୀୟତା ପ୍ରତିପାଦନ କରୁ ନାହିଁ। ଏହା ତାଙ୍କର ଭୀରୁତାକୁ ପ୍ରମାଣିତ କରୁଛି। ଜୟଶଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ ଚୀନର ଅର୍ଥନୀତି ଭାରତ ଠାରୁ ବହୁତ ବଡ। ତେଣୁ ଏହା ଉପରେ ଭାରତ ଆକ୍ରମଣ କରିପାରିବ ନାହିଁ। ବ୍ରିଟିଶ ସରକାର ବିରୋଧରେ ଲଢେଇ କରିବା ବେଳେ କଣ ଭାରତର ଅର୍ଥନୀତି ବ୍ରିଟେନ ଠାରୁ ବଡ ଥିଲା ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ରାହୁଲ ଆହୁରି କହିଛନ୍ତି ଯେ ଭାରତ ଯୋଡୋ ଯାତ୍ରା ଭଳି ଆଉ ଏକ ଯାତ୍ରା ସାରା ଦେଶରେ କରାଯିବ। କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ହୋଇଥିବା ଭାରତ ଯୋଡୋ ଯାତ୍ରାକୁ ରାହୁଲ ତପସ୍ୟା ବୋଲି କହିଛନ୍ତି। ଏହି ତପସ୍ୟା ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଛି।
ବୈଠକ ପରେ କଂଗ୍ରେସ ମୁଖପାତ୍ର ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ହୋଇଥିବା ଭାରତ ଯୋଡୋ ଯାତ୍ରା ଅନୁରୂପ ଆଉ ଏକ ଯାତ୍ରା କରାଯିବ। ଏହି ଯାତ୍ରା ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ହେବ। ଗତବର୍ଷ ସେପ୍ଟେମ୍ବର ୭ରେ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରାରେ ଦଳ ଲୋକଙ୍କ ନିକଟତର ହୋଇପାରିଛି। ଲୋକଙ୍କ ସମସ୍ୟା ସମ୍ପର୍କରେ ଦଳ ଜାଣିପାରିଛି। ଏହା ଦଳକୁ ବହୁତ ସଫଳତା ଦେଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଆଉ ଏକ ଯାତ୍ରା କରିବ।
ବିଜେପି ସହିତ ଲଢ଼ିବାର ସାହସ କଂଗ୍ରେସ କର୍ମୀଙ୍କ ରହିଛି: ପ୍ରିୟଙ୍କା
ବିଜେପି ସହିତ ଲଢିବାର ସାହସ କଂଗ୍ରେସ କର୍ମୀଙ୍କର ରହିଛି। ଆଉ ବର୍ତ୍ତମାନ ସମୟରେ କଂଗ୍ରେସ କର୍ମୀମାନେ ଏହି ସାହସକୁ ଦେଖାଇବା ଦରକାର ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ଗାନ୍ଧୀ କହିଛନ୍ତି। କଂଗ୍ରେସ ବାର୍ଷିକ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରିୟଙ୍କା କହିଛନ୍ତି ଯେ ସମସ୍ତଙ୍କର ଆଶା ଯେ କଂଗ୍ରେସ ବିରୋଧୀ ଦଳଗୁଡିକୁ ଏକଜୁଟ୍ କରିବ। ବିରୋଧୀ ଦଳଗୁଡିକ ମଧ୍ୟ ଏକଜୁଟ୍ ହେବାକୁ ଚାହୁଁଛନ୍ତି। ତେଣୁ କଂଗ୍ରେସ ଏହାର ସଂଗଠନକୁ ମଜଭୁତ କରିବାକୁ ହେବ। କଂଗ୍ରେସର ସଂଗଠନକୁ ମଣ୍ଡଳ ଓ ବ୍ଲକ ସ୍ତରରୁ ମଜଭୁତ କରିବାକୁ ହେବ। ଦଳର ନେତାମାନେ ଲୋକଙ୍କ ନିକଟରେ ପହଞ୍ଚିବା ଦରକାର। କଂଗ୍ରେସ ପ୍ରତିନିଧି ପ୍ରତିଟି ଘରକୁ ଯାଇ ଦଳର କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇବା ଦରକାର। ବିଜେପିକୁ କ୍ଷମତାରୁ ହଟାଇବାକୁ ଆଉ ମାତ୍ର ବର୍ଷେ ସମୟ ରହିଲା। ଏହି ସମୟ ମଧ୍ୟରେ କଂଗ୍ରେସ ସମସ୍ତ କର୍ମୀ ଓ ନେତା ସାହସର ସହିତ କାମ କରିବା ଦରକାର। ବିଜେପିର ନୀତି ଓ ଆଦର୍ଶକୁ ବିରୋଧ କରୁଥିବା ବିରୋଧୀ ଦଳଗୁଡିକ ଏକଜୁଟ୍ ହୋଇପାରିଲେ ବିଜେପିକୁ ପରାସ୍ତ କରିହେବ ବୋଲି ପ୍ରିୟଙ୍କା କହିଛନ୍ତି।
Comments are closed.