www.samajalive.in
Sunday, December 7, 2025
18.1 C
Bhubaneswar

ସମୟୋଚିତ ପଦକ୍ଷେପ

ଆଇନଜୀବୀଙ୍କୁ ପୁଲିସର ମାଡ଼ ପ୍ରତିବାଦରେ ସମଗ୍ର ରାଜ୍ୟରେ ଓକିଲଙ୍କ ଦ୍ବାରା ଆନ୍ଦୋଳନ ହେତୁ ସୃଷ୍ଟ ପରିସ୍ଥିତି ଅତି ଦୁର୍ଭାଗ୍ୟଜନକ। ନ୍ୟାୟାଳୟଙ୍କ ପରାମର୍ଶ ପରେ ମଧ୍ୟ ସମାଜର ଏହି ଗୁରୁତ୍ବପୂର୍ଣ୍ଣ ବୁଦ୍ଧିଜୀବୀବର୍ଗଟି ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇ ରଖିବାକୁ ଉଚିତ ମଣିଛନ୍ତି। ଏହାଦ୍ବାରା ଯେଉଁ ସବୁଠୁ ବଡ଼ ସମସ୍ୟା ସୃଷ୍ଟି ହୋଇଛି, ତାହା ହେଲା ବିଚାରାଧୀନ ଅଭିଯୁକ୍ତମାନଙ୍କୁ ଜାମିନ ନମିଳିପାରିବା। ଏହାର କ୍ରମପରିଣାମ ଜେଲଗୁଡ଼ିକ ଉପରେ ବୋଝ ବୃଦ୍ଧି। ଶେଷରେ ରାଜ୍ୟର ଜେଲଗୁଡ଼ିକର ଏ ଅସମ୍ଭାଳ ସ୍ଥିତି ଦେଖି ଉଚ୍ଚ ନ୍ୟାୟାଳୟଙ୍କୁ ହିଁ ବାଟ ବାହାର କରିବାକୁ ପଡ଼ିଛି। ଏବେ ପ୍ରତ୍ୟେକ ଜିଲାସ୍ଥିତ ଜେଲଗୁଡ଼ିକରେ କ୍ୟାମ୍ପ୍‌କୋର୍ଟ କରି କଏଦୀମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅଦାଲତ ଜିଲା ଦୌରାଜଜ୍‌ମାନଙ୍କୁ ନିର୍ଦେଶ ଦେଇଛନ୍ତି। କହିବା ବାହୁଲ୍ୟ ଯେ ଏହା ଏକ ସମୟୋଚିତ, ସ୍ବାଗତଯୋଗ୍ୟ ପଦକ୍ଷେପ।
କେବଳ ଆମ ରାଜ୍ୟ ନୁହେଁ, ଦେଶର ପ୍ରାୟ ଅଧିକାଂଶ କାରାଗାରରେ ବ୍ୟବସ୍ଥିତ ସଂଖ୍ୟାଠାରୁ ଅଧିକ କଏଦୀ ରହୁଥିବା ଖବର ଅନେକ ସମୟରେ ଦୃଷ୍ଟିଗୋଚର ହୁଏ। ଏହାର ମୂଳ କାରଣ ଅପରାଧ ବୃଦ୍ଧି ପାଇବା ସହିତ ବିଚାର ବିଭାଗୀୟ ମନ୍ଥରତା; ଅର୍ଥାତ ବିଚାରାଧୀନ ମାମଲାଗୁଡ଼ିକର ଶୁଣାଣିରେ ବିଳମ୍ବ। ଏଥିପାଇଁ ଅବଶ୍ୟ ଆରମ୍ଭ ଦିନରୁ ହିଁ ନୂଆ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ରଞ୍ଜନ ଗୋଗଇ ଧ୍ୟାନ ଦେବା ଆଶ୍ବାସନାର ବିଷୟ। ସେ ଏଥିପାଇଁ କେତେକ ନୂତନ ବ୍ୟବସ୍ଥା ଆପଣାଇବାକୁ ନିର୍ଦେଶ ଦେଇଛନ୍ତି। ତେବେ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ବିଚାରାଧୀନ କଏଦୀଙ୍କୁ ଜାମିନ ନମିଳିପାରିବା ଏବଂ ସେହିହେତୁ କାରାଗାରଗୁଡ଼ିକର ବୋଝ ବଢ଼ିବା ଅଭୂତପୂର୍ବ ଘଟନା ମନେହୁଏ। କାରାଗାର ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୯୧ଟି କାରାଗାରରେ ମୋଟ ୧୬ ହଜାର କଏଦୀ ରହିବା ପାଇଁ ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ୧୮ ହଜାର ୬ ଶହ ଅଛନ୍ତି; ଅର୍ଥାତ ୨ ହଜାର ୬ ଶହ ଅଧିକ କଏଦୀଙ୍କୁ ବାଧ୍ୟହୋଇ ରଖିବାକୁ ପଡ଼ିଛି। ଏଥିଯୋଗଁୁ କାରାଗାର କର୍ତ୍ତୃପକ୍ଷ ନିଶ୍ଚିତଭା​‌େ​‌ବ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଥିବେ। ଏବେ ନ୍ୟାୟାଳୟଙ୍କ ନିର୍ଦେଶ କିଭଳି ଠିକ୍‌ରୂପେ ପାଳନ କରାଯିବ, ତାହା ଖୁବ୍ ଗୁରୁତ୍ବପୂର୍ଣ୍ଣ; କାରଣ କ୍ୟାମ୍ପ୍‌କୋର୍ଟଗୁଡ଼ିକର ସୁପରିଚାଳନା ନହେଲେ ଅନେକ ବିଭ୍ରାଟ ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ବିଶେଷତଃ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଆବଶ୍ୟକ।
ଅପରପକ୍ଷେ, ଆଇନଜୀବୀମାନେ ଦୀର୍ଘ ଦୁଇ ମାସ ଧରି ଆନ୍ଦୋଳନ ଜାରି ରଖିବା ଜନସାଧାରଣଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିବା ସ୍ବାଭାବିକ। ଏଥିଯୋଗୁଁ ଅନେକ ଅଭିଯୁକ୍ତ ଜାମିନ ପାଇବାକୁ ଥିଲେ ମଧ୍ୟ ତାହା ନପାଇ କାରାଗାରରେ ବନ୍ଦୀ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି। ଜାମିନ ପାଇ ମଧ୍ୟ ମୁକୁଳି ପାରିନଥିବା କଏଦୀ ମଧ୍ୟ ରହିଛନ୍ତି। ଅଦାଲତରେ ଶୁଣାଣି ହୋଇନପାରି ବିଚାରାଧୀନ ବନ୍ଦୀଙ୍କ ସଂଖ୍ୟା ବଢ଼ିଚାଲୁଛି। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥସାଧନ ପାଇଁ ଆଇନଜୀବୀ ସଂଘ ସମେତ ସରକାର ଓ ବିଚାର ବ୍ୟବସ୍ଥା ସହ ସଂପୃକ୍ତ ସମସ୍ତ ପକ୍ଷ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବା ଅତି ଜରୁରୀ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories