ପୁଲିସ ଗୁଳିରେ ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଦିଅ : ହାଇକୋର୍ଟ

କଟକ : ପାରାଦୀପ ଅଞ୍ଚଳରେ ଜଣେ ଯୁବ ଇଂଜିନିୟରଙ୍କ ୨୦୦୫ରେ ପୁଲିସ ଗୁଳିରେ ମୃତ୍ୟୁ ଘଟଣାରେ ଏ ପର୍ଯ୍ୟନ୍ତ ପୀଡିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଇ ନ ଥିବାରୁ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି। ରାୟର ୭ ଦିନ ଭିତରେ ମୃତ ଇଞ୍ଜିନିୟରଙ୍କ ମା’ ତଥା ଅାବେଦନକାରୀଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜଷ୍ଟିସ ବିଶ୍ବନାଥ ରଥଙ୍କ ପୀଠ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସରକାରଙ୍କ ତରଫରୁ ଅାବେଦନକାରୀଙ୍କୁ ମାତ୍ର ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଥିଲା। ବାକି ୪୯ ଲକ୍ଷ ଟଙ୍କାର ଡ୍ରାଫ୍ଟ ତାଙ୍କୁ ଘରେ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୧ ଲକ୍ଷ ଟଙ୍କା ମୋକଦ୍ଦମା ଖର୍ଚ୍ଚ ମଧ୍ୟ ସମାନ ସମୟରେ ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ୭ଦିନ ମଧ୍ୟରେ ଏହି ରାଶି ଯଦି ପ୍ରଦାନ କରା ନ ଯାଏ ତେବେ ତଦନ୍ତ କମିସନଙ୍କ ରିପୋର୍ଟ ଦାଖଲ ତାରିଖରୁ ବାର୍ଷିକ ୭% ସୁଧ ସହ ସମୁଦାୟ କ୍ଷତିପୂରଣ ରାଶି ସରକାର ଆବେଦନକାରୀଙ୍କୁ ପ୍ରଦାନ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ନିଗାର ବେଗମଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପୁଅ ସୟଦ ମମତାଜ ଅଲ୍ଲୀ ଚଣ୍ଡିଖୋଲ-ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ବୋର୍ଡ ରାସ୍ତା ପ୍ରକଳ୍ପରେ ଏକ ନିର୍ମାଣକାରୀ ସଂସ୍ଥାରେ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ। ୨୦୦୫ ନଭେମ୍ବର ୨୮ ରାତିରେ କମ୍ପାନୀର କର୍ମଚାରୀ ଜୟନ୍ତ ଦାସଙ୍କୁ ପୁଲିସ ନିର୍ମାଣସ୍ଥଳରୁ ଉଠାଇ ନେଇଥିଲା। ମମତାଜଙ୍କ ସହ ଅନ୍ୟ କର୍ମଚାରୀ ଚକ୍ରଧରପୁର ଫାଣ୍ଡିକୁ ଯାଇ ଘଟଣା କଣ ଜାଣିବାକୁ ଚାହିଁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଏସଆଇ ମୁରଲୀଧର ସାହୁ ଗୁଳି ଚଳାଇଥିଲେ। ଏସଆଇଙ୍କ ଗୁଳିରେ ମମତାଜଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଥିଲେ।

Comments are closed.