ଇଣ୍ଡୋନେସିଆ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି, ୭୦୦ ଆହତ
ଜାକର୍ତ୍ତା : ଇଣ୍ଡୋନେସିଆର ଜାଭାରେ ସୋମବାର ଏକ ବଡ ଧରଣର ଭୂକମ୍ପ ସୃଷ୍ଟି ହୋଇଛି । ଏଥିରେ ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି, ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୫.୬ ରେକର୍ଡ କରାଯାଇଛି । ସିୟାଙ୍ଗଜୁରର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ମୃତାହତଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଭୂକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ଜାଭାର ସିୟାନପୁରରୁ ୧୦ କିମି ଗଭୀରରେ ବୋଲି ଜଣାପଡିଛି । ତେବେ ସୁନାମି ଆସିବା ନେଇ କୌଣସି ଆଶଙ୍କା କରାଯାଇ ନାହିଁ । କୋଠାଘର ସବୁ ଭାଙ୍ଗିଯାଇ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଅନୁମାନ କରାଯାଉଛି।
ସୂଚନା ଅନୁଯାୟୀ, ଭୂକମ୍ପରେ ଲୋକମାନେ ଭୟଭୀତ ହୋଇ ପଡିଥିଲେ । ନିଜ କାର୍ଯ୍ୟାଳୟରେ କାମ କରୁଥିବା ଲୋକମାନେ ମଧ୍ୟ ବାହାରକୁ ଚାଲି ଆସିଥିଲେ। ଭୂକମ୍ପରେ କୋଠାଗୁଡିକ ଦୋହଲିବାକୁ ଲାଗିଲା, ଫଳରେ ଲୋକେ ଭୟରେ ଘରୁ ବାହାରି ଏଣେ ତେଣେ ଦୌଡିବାକୁ ଲାଗିଲେ।
ଏହା ପୂର୍ବରୁ ଶୁକ୍ରବାର ରାତିରେ ପଶ୍ଚିମ ଇଣ୍ଡୋନେସିଆରେ ବଡ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏହି ଭୂକମ୍ପରେ କୌଣସି ଧନ ଜୀବନ ହାନୀର ସୂଚନା ମିଳି ନ ଥିଲା। ଭୂକମ୍ପର ତିବ୍ରତା ୬.୯ ଥିଲା। ଏହାର ଭୂକମ୍ପ କେନ୍ଦ୍ର ଦକ୍ଷିଣ ବେଙ୍ଗକୁଲୁ ଠାରୁ ୨୦୨ କିଲୋମିଟର ଦକ୍ଷିଣରେ ୨୫ କିଲୋମିଟର ଗଭୀରରେ ଥିଲା।
ଇଣ୍ଡୋନେସିଆରେ ହୋଇଥିବା ଭୂକମ୍ପରେ ପ୍ରାଣ ହରାଇଥିବା ଲୋକ ପ୍ରତି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ସମବେଦନା ଜଣାଇଛନ୍ତି। ସେ ଆହତମାନଙ୍କ ଆରୋଗ୍ୟ କାମନା କରିଛନ୍ତି । ସେ କହିଛନ୍ତି ଯେ ଏହି ବିପଦ ସମୟରେ ଭାରତ ଇଣ୍ଡୋନେସିଆ ଏବଂ ପୀଡିତ ଲୋକଙ୍କ ସହ ଦୃଢ ଭାବରେ ଠିଆ ହୋଇଛି ।
Comments are closed.