ରେଳବାଇ ପରିବର୍ତ୍ତନ ହେଲେ ଦେଶର ଅର୍ଥନୀତି ପରିବର୍ତ୍ତନ ହେବ : ଅଶ୍ବିନୀ ବୈଷ୍ଣବ

୬୭ ତମ ଜାତୀୟ ରେଲୱେ ପୁରସ୍କାର ବିତରଣ

୧୫୬ କର୍ମଚାରୀ ପୁରସ୍କୃତ, ରେଳବାଇ ବିକାଶ ପାଇଁ ଅଧିକ ପୁଞ୍ଜି ଆବଶ୍ୟକ, ୯ ହଜାର କିମି ହେବ ବିଦ୍ୟୁତ୍‌ ରେଳଲାଇନ

prayash

ଭୁବନେଶ୍ବର : ଭବିଷ୍ୟତ ପାଇଁ ଭାରତୀୟ ରେଳର ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରୁଛି। ଯାହା ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ। ରେଳବାଇ ପରିବର୍ତ୍ତନ ହେଲେ ଦେଶର ଅର୍ଥନୀତି ପରିବର୍ତ୍ତନ ହୋଇପାରିବ। ଭାରତୀୟ ରେଳବାଇରେ ମୌଳିକ ପରିବର୍ତ୍ତନ ଆଣିବା ପାଇଁ ଗାଡ଼ି ଷ୍ଟକ, ନିର୍ମାଣ କାର୍ଯ୍ୟ କିମ୍ବା ନିରାପତ୍ତା ଏବଂ ସାଇବର ସୁରକ୍ଷା ଦୃଷ୍ଟିରୁ ବୈଷୟିକ ଜ୍ଞାନ ଦ୍ରୁତ ନବୀକରଣ କରାଯିବାର ଆବଶ୍ୟକ ରହିଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।
୬୭ ତମ ଜାତୀୟ ରେଲୱେ ପୁରସ୍କାର ବିତରଣ ଉତ୍ସବ-୨୦୨୨ ରେଲୱେ ଅଡିଟୋରିୟମରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଥିଲେ, ରେଳବାଇର ବିକାଶ ପାଇଁ ଅଧିକ ପୁଞ୍ଜି ବିନିଯୋଗ କରିବା ଆବଶ୍ୟକ। ୨୦୧୪ରୁ ସରକାର କ୍ରମାଗତ ଭାବେ ରେଳବାଇରେ ପୁଞ୍ଜି ବିନିଯୋଗ ବୃଦ୍ଧି କରୁଛନ୍ତି। ଚଳିତ ବର୍ଷ ଏହା ୧ ଲକ୍ଷ ୩୭ ହଜାର କୋଟିରେ ପହଞ୍ଚିଛି। ନୀତି ପ୍ରଣୟନ କରିବା ବେଳେ ସମାଜର ବିଭିନ୍ନ ବର୍ଗ ଲୋକଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖିବାକୁ ପଡିବ। ପ୍ରଧାନମନ୍ତ୍ରୀ ଗାଡି ଶକ୍ତି ଯୋଜନା ଅନ୍ତର୍ଗତ ପ୍ରକଳ୍ପ ଗୁଡ଼ିକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ରେଳ ମନ୍ତ୍ରାଳୟ ରେଳବାଇ ବୋର୍ଡ ଅଧୀନରେ ଏକ ନୂତନ ନିର୍ଦେଶାଳୟ ଗଠନ କରିଛି। ଆଗାମୀ ୫୦ ବର୍ଷକୁ ଲକ୍ଷ୍ୟ ରଖି ରେଳବାଇ ପାଇଁ କାମ କରିବାକୁ ହେବ। ୧୦୦ ବର୍ଷ ଭିତରେ ରେଳବାଇ ଅନେକ କିଛି କରିଛି। ରେଳବାଇ ହେଉଛି ବହୁମୁଖୀ ସଂସ୍ଥାନ। ଉଲ୍ଲେଖନୀୟ ସେବା ପାଇଁ ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୫୬ ରେଳବାଇ କର୍ମଚାରୀ ପୁରସ୍କୃତ ହୋଇଛନ୍ତି। ଜୋନାଲ ରେଳପଥ, ଉତ୍ପାଦନ ୟୁନିଟ ଏବଂ ରେଲୱେ ପିଏସୟୁମାନଙ୍କୁ ସେମାନଙ୍କର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ୨୧ଟି ସିଲ୍ଡ ସହ ପୁରସ୍କୃତ ହୋଇଛନ୍ତି। ପଶ୍ଚିମ କେନ୍ଦ୍ରୀୟ ରେଳପଥ, ଜବଲପୁର ସାମଗ୍ରିକ ଦକ୍ଷତା ପାଇଁ ଗୋବିନ୍ଦ ବଲ୍ଲଭ ପନ୍ଥ ସିଲ୍ଡ ପ୍ରଦାନ କରାଯାଇଛି। ପୂର୍ବତଟ ରେଳପଥକୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଏବଂ ଆକାଉଣ୍ଟସ ଏବଂ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଲ୍ଡ ପ୍ରଦାନ କରାଯାଇଛି।
ରେଳ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି କେ ତ୍ରିପାଠୀ ସ୍ୱାଗତ ଭାଷଣରେ କହିଥିଲେ, ଭାରତୀୟ ରେଳବାଇ ଦେଶର ଅର୍ଥନୀତି ସମୃଦ୍ଧିରେ ବଡ ଭୂମିକା ନିର୍ବାହ କରୁଛି। ଆସନ୍ତାବର୍ଷ ୯୦୦୦ କିମି ବିଦ୍ୟୁତ ରେଳଲାଇନ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଶ୍ବସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତି, ଗତବର୍ଷ ୧୪୧୮ ନିୟୁତ ଟନ ପଣ୍ୟ ପରିବହନ କରିଥିବାରୁ ପୂର୍ବବର୍ଷ ଗୁଡିକ ଅପେକ୍ଷା ୧୫ ପ୍ରତିଶତ ଅଧିକ ପଣ୍ୟ ପରିବହନ କରିଛି ରେଳବାଇ।
କାର୍ଯ୍ୟକ୍ରମରେ ରେଳ ବୋର୍ଡର ମୋହିତ ସିହ୍ନା, ସଦସ୍ୟ (ଅର୍ଥ); ଓ ପି ସିଂ, ସଦସ୍ୟ (ଭିତ୍ତିଭୂମି), ଡି ସି ଶର୍ମା, ସଦସ୍ୟ (ଟ୍ରାକ୍ସନ୍ ଆଣ୍ଡ ରୋଲିଂ ଷ୍ଟକ୍); ଏସ୍ କେ ମହାନ୍ତି, ସଦସ୍ୟ (ଅପରେସନ୍ସ ଏବଂ ବ୍ୟବସାୟ ବିକାଶ) ଏବଂ ରେଳବାଇ ବୋର୍ଡର ସଚିବ ଆର.ଏନ.ସିଂହ, ସମସ୍ତ ଜୋନାଲ ରେଳପଥର ମହାପ୍ରବନ୍ଧକ, ରେଳବାଇର ଉତ୍ପାଦନ ୟୁନିଟ ଏବଂ ରେଳବାଇର ପିଏସୟୁ ଗୁଡିକର କାର୍ଯ୍ୟନିର୍ବାହୀ ନିର୍ଦେଶକଙ୍କ ପରି ଉଚ୍ଚସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକୁ ସୁରୁଖୁରୁରେ ଆୟୋଜନ କରିଥିବାରୁ ପୂର୍ବତଟ ରେଳବାଇ ଗର୍ବିତ ଅନୁଭବ କରୁଛି। ରେଳମନ୍ତ୍ରୀ ବିମାନ ମନ୍ଦରରେ ପହଞ୍ଚିବା ପରେ ବିଜେପି ପକ୍ଷରୁ ସ୍ବାଗତ କରାଯାଇଥିଲା।

kalyan agarbati

Comments are closed.