ମୂଳଲକ୍ଷ୍ୟଠାରୁ ଦୂରେଇ ଯାଉଛି ମନରେଗା ଫାର୍ମପଣ୍ଡ ଯୋଜନା

ଶ୍ରମିକ ଶୋଷଣ ନୀତିରେ ଚାଲିଛି ଖନନ, ଅନୁପାଳନ ହେଉନି ନିୟମ

ହରଭଙ୍ଗା: ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟରେ ଗତ ୨୦ ବର୍ଷ ମଧ୍ୟରେ ଚାଷୀଙ୍କ ଆର୍ଥିକ ବିକାଶ ଅଗ୍ରଗତି ଅତ୍ୟନ୍ତ ନିମ୍ନଗାମୀ। ଏହାର ମୂଳ କାରଣ ହେଉଛି ବାତ୍ୟା, ବନ୍ୟା ଏବଂ ମରୁଡ଼ି। ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଉଭୟ ଚାଷ ଓ ଚାଷୀ କ୍ଷତି ସହୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଅନ୍ୟପଟେ ୨୦୧୯ରେ କରୋନା ମହାମାରୀ ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫ଟି ମୋ-ସରକାର ନିୟମ ଆଧାରରେ ୨୦୧୯-୨୦ରୁ ୨୦୨୪-୨୫ ଭଳି ୫ଟି ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୫ଲକ୍ଷ କୃଷି ପୋଖରୀ ଖନନ ପାଇଁ ଯୋଜନା କରିଛନ୍ତି। ଏହି ଯୋଜନାରେ ଉଭୟ ଚାଷ, ଚାଷୀ, ସ୍ୱୟଂ ସହାୟକ ମହିଳା ଏବଂ ଅଣକୁଶଳୀ ଶ୍ରମିକଙ୍କୁ ରୋଜଗାରକ୍ଷମ କରିବା ଭଳି ମୂଳ ଲକ୍ଷ୍ୟ ନେଇ ଏହି ମହତ୍‍ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଯଦ୍ୱାରା ଆଗ୍ରହୀ ଗରିବ ଚାଷୀଟିଏ ନିଜ ଜମିରେ ବିନା ଖର୍ଚ୍ଚରେ ଅଣକୁଶଳୀ ଶ୍ରମିକ ସାହାଯ୍ୟରେ କୃଷି ପୋଖରୀ ଖନନ କରି ସେଠାରେ ପରିବାଠାରୁ ଆରମ୍ଭ କରି ବିଭିନ୍ନ ଅର୍ଥକାରୀ ଫସଲ କରି ରୋଜଗାରକ୍ଷମ ହୋଇପାରିବ।

ଅନ୍ୟପଟେ କୃଷି ପୋଖରୀ ଖନନ ଦ୍ୱାରା ଜଳ ସୁରକ୍ଷା ଏବଂ ମୃତିକା ଓ ଆର୍ଦ୍ରତାର ସଂରକ୍ଷଣ କରାଯିବା ଏହାର ଆଉ ଏକ ଲକ୍ଷ୍ୟ। ଫାର୍ମପଣ୍ଡ ଭଳି ମହତାକାଂକ୍ଷୀ ଯୋଜନା ଦ୍ୱାରା ଚାଷ, ଚାଷୀ ଏବଂ ଅଣକୁଶଳୀ ଶ୍ରମିକ, ସ୍ୱୟଂସହାୟକ ମହିଳାମାନେ ଅଧିକ ଉପକୃତ ହେବା ସହିତ ପରିବେଶ ସନ୍ତୁଳନ ପାଇଁ ଜଳ ସୁରକ୍ଷା, ମୃତିକା ଏବଂ ଆର୍ଦତା ସଂରକ୍ଷଣ ଲକ୍ଷ୍ୟ ନେଇ ଏହି ମହତ୍‍ ଯୋଜନା ଗତ ୨୦୧୯-୨୦ ଆର୍ଥୀକ ବର୍ଷରେ ରାଜ୍ୟସରକାର ଶୁଭାରମ୍ଭ କଲେ। ପଂଚାୟତିରାଜ, କୃଷି, ଉଦ୍ୟାନ କୃଷି, ମୃତିକା ସଂରକ୍ଷଣ, ମତ୍ସ୍ୟ ଭଳି ୫ଟି ବିଭାଗକୁ ଏହି ଯୋଜନାରେ ସାମିଲ କରାଗଲା। ସବୁ ବିଭାଗ ସହିତ ସମ୍ମନ୍ୱୟ ରଖି ଏହି ମହତ୍‍ ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଗଲା। ବର୍ତମାନ ବୌଦ୍ଧ ଜିଲ୍ଲାରେ ବିଭାଗୀୟ ଅଧିକାରୀଙ୍କ ଇଛାଶକ୍ତି ଅଭାବ ସାଙ୍ଗକୁ କିଛି ଦୁର୍ନୀତିଖୋର କର୍ମଚାରୀଙ୍କ ଯୋଗୁଁ ଏହି ଯୋଜନାଟି ତାର ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଇଛି। ବିଶେଷକରି ଜିଲ୍ଲାର ହରଭଙ୍ଗା, କଂଟାମାଳ ଏବଂ ବୌଦ୍ଧ ବ୍ଲକରେ ମୃତିକା ସଂରକ୍ଷଣ ବିଭାଗ ଦ୍ୱାରା କୃଷି ପୋଖରୀ ଖନନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଚାଲିଥିବା ନଜରକୁ ଆସିଛି। ବିଶେଷକରି ହରଭଙ୍ଗା ବ୍ଲକରେ ଏହି ଯୋଜନାରେ ଖନନ ହେଉଥିବା କୃଷି ପୋଖରୀ କାର୍ଯ୍ୟରେ ଦଲାଲ ଗୋଷ୍ଠୀଙ୍କୁ ନିୟୋଜିତ କରାଯାଇ ମେସିନ ସାହାଯ୍ୟରେ ଖନନ କାର୍ଯ୍ୟ ଯୋଗୁଁ ଶ୍ରମିକ ପରିବାର ଶୋଷଣର ଶୀକାର ହେଉଛନ୍ତି। ନିୟମ ଅନୁସାରେ ଗ୍ରାମସଭା ଏବଂ ପଲ୍ଲୀସଭା ଅନୁମୋଦନରେ ଆଧାରରେ ଚାଷୀଙ୍କୁ କୃଷି ପୋଖରୀ ଯୋଜନାରେ ସାମିଲ କରିବା କଥା, ମାତ୍ର ତାହା ବାସ୍ତବରେ ହେଉନାହିଁ। ସେହିପରି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ କୃଷି ପୋଖରୀ ଖନନଠାରୁ ଆରମ୍ଭ କରି ଏହାର ପରିଚାଳନ ଦାୟିତ୍ୱ ସହିତ ଶ୍ରମିକ କାର୍ଡ ସଂଗ୍ରହ ଇତ୍ୟାଦି କାର୍ଯ୍ୟ କରିବାର କଥା ତାହା ମଧ୍ୟ କରାଯାଉନାହିଁ। କୃଷି ପୋଖରୀ ସମ୍ପୂର୍ଣ୍ଣ ଭାବେ ଶ୍ରମିକ ଦ୍ୱାରା ଖନନ କରାଯାଇ ଶ୍ରମିକମାନଙ୍କୁ କାମ ଯୋଗାଇବା ବଦଳରେ ମେସିନ ସାହାଯ୍ୟରେ ଖନନ କାର୍ଯ୍ୟ ସମ୍ପାଦିତ କରାଯାଉଛି। ଫଳରେ ମିଥ୍ୟା ଶ୍ରମିକ ନାଁରେ ମଷ୍ଟର ରୋଲ ତିଆରି କରି ବିଲ ପଇଠ କରାଯାଉଛି। ପ୍ରକଳ୍ପ ଆସୋସିଏଟ, ବିଭାଗୀୟ ପି.ଆଇ.ଏ ପୋଖରୀ ଖନନର କାର୍ଯ୍ୟ ତଦାରଖ ବଦଳରେ ଦଲାଲଙ୍କ ସହ ମଧୁଚନ୍ଦ୍ରିକାରେ ବିନା ଏନ.ଏମ.ଏମ.ଏସରେ ଖନନ କାର୍ଯ୍ୟ କରାଯାଉଛି। ପୋଖରୀ ଖନନପରେ ଭେଜିଟେବୁଲ କିଟ୍‍, ତାରଜାଲି, ମାଛ ଜାଆଁଳ ପାଇଁ ୧୧ହଜାର ଟଙ୍କା ଏବଂ ପି.ଭି.ସି ଆଉଟଲେଟ, ଇନଲେଟ ବାବଦ ୮ହଜାର ୭ଶହଟଙ୍କା ହିତାଧିକାରୀଙ୍କୁ ଅନ୍ଧାରରେ ରଖି ସମ୍ପୂର୍ଣ୍ଣ ବାଟମାରଣା କରାଯାଉଛି। ଭି.ଏ.ଡବ୍ଲ୍ୟୁ, ଏଚ.ଇ.ଡବ୍ଲୁ, ଏସ.ସି ଇ.ଡବ୍ଲ୍ୟୁଙ୍କ ବିନା ସମ୍ମନ୍ୱୟରେ ଦଲାଲ ସାହାଯ୍ୟରେ ହିତାଧିକାରୀ ଚୟନ ଯୋଗୁଁ ପ୍ରକୃତ ଚାଷୀ ଏହି ଯୋଜନାରୁ ବଞ୍ଚିତ ହେଉଛି।

ସୂଚନା ଅନୁସାରେ, ବାଣୀଭୂଷଣପୁର ପଂଚାୟତ ତିଲକୂପ ଗ୍ରାମର ବେଣୁଧର କହଁର ୨୦୨୦-୨୧ ଆର୍ଥିକ ବର୍ଷରେ ୧ଲକ୍ଷ୬୭ ହଜାର ବ୍ୟୟବରାଦରେ ଏକ କୃଷି ପୋଖରୀ ଖନନ ମୃତିକା ସଂରକ୍ଷଣ ଜଳବିଭାଜିକା ବିଭାଗଦ୍ୱାରା କରିଥିଲେ। ହିତାଧିକାରୀଙ୍କ ଓ୍ବାର୍କକୋଡ୍‍ ୨୪୨୬୦୦୨/ଆଇଏଫ/୧୦୪୮୮୧୭୬ରେ ଅନୁସାରେ ପ୍ରକଳ୍ପ ବାବଦକୁ ୧୬ଟି ମଷ୍ଟର ରୋଲରେ ଅଣ କୁଶଳୀ ଶ୍ରମିକ ବାବଦରେ ୧ଲକ୍ଷ ୩୭ହଜାର ଟଙ୍କା ଏବଂ ମେଟେରିଆଲ ବାବଦ ୧୮ହଜାର୬ଶହ ଟଙ୍କା ଏବଂ କୁଶଳୀ ବାବଦ ୭ହଜାର୫୦୪ ଟଙ୍କା ପଇଠ କରାଯାଇଛି। ମାତ୍ର ଆଶ୍ଚର୍ଯ୍ୟର କଥା ପଇଠ ହୋଇଥିବା ମଷ୍ଟର ରୋଲନମ୍ବର-୯୨୬୭/୯୨୬୮ ରେ ମେଜରମେଣ୍ଟ ବୁକ ନମ୍ବର ୧୩୦୮ ରହିଥିବାବେଳେ ୧୮୯୨୩ ମଷ୍ଟର ରୋଲରେ ଏମ.ବି ନମ୍ବର ୧୩୬୪, ୧୮୯୨୨ ମଷ୍ଟର ରୋଲରେ ମେଜରମେଣ୍ଟ ବୁକ ନମ୍ବର -୧୩୭୦, ୨୧୦୩୨ ମଷ୍ଟର ରୋଲରେ ଏମ.ବି ନମ୍ବର-୧୩୧୫, ୫୦୨୩୪ ମଷ୍ଟରରୋଲରେ ଏମ.ବି ନମ୍ବର-୧୩୧୨ ରହିଛି। ଫଳରେ ଗୋଟିଏ ପ୍ରକଳ୍ପ କାର୍ଯ୍ୟରେ କିପରି ପାଞ୍ଚ ପାଞ୍ଚଟି ମେଜରମେଣ୍ଟ ବୁକ ଦ୍ୱାରା ବିଲ ପଇଠ କରାଯାଇଛି। ତାହା ବାସ୍ତବରେ ଅନିୟମିତତା ଏବଂ ଦୁର୍ନୀତିକୁ ଦର୍ଶାଉଛି।

ସେହିପରି ବାଣିଭୁଷଣପୁରର ସୁବଳ ପ୍ରଧାନ ୨୦୨୧-୨୨ ଆର୍ଥୀକ ବର୍ଷରେ ୧ଲକ୍ଷ୮୫ ହଜାର ଟଙ୍କା ବ୍ୟୟବରାଦରେ ଏକ କୃଷି ପୋଖରୀ ଖନନ ମୃତିକା ସଂରକ୍ଷଣ ବିଭାଗ ଦ୍ୱାରା କରିଛନ୍ତି। ତାଙ୍କ ଓାର୍କକୋଡ ନମ୍ବର -୨୪୨୬୦୦୨/ଆଇ.ଏଫ/୧୦୬୦୭୮୮୬ରେ ପଇଠ ହୋଇଥିବା ୧ଲକ୍ଷ୩୯ହଜାର ୯୩୨ ଟଙ୍କାରୁ ଅଣକୁଶଳୀ ଶ୍ରମିକ ବାବଦକୁ ୧୨ଟି ମଷ୍ଟରରୋଲରେ ୧ଲକ୍ଷ୩୧୫୮୦ଟଙ୍କା ପଇଠ ହୋଇଛି। ମାତ୍ର ମଷ୍ଟର ରୋଲ ନମ୍ବର ୮୬୭୭ରେ ଏମ.ବି ନମ୍ବର-୧୩୭୦ ଏବଂ ମଷ୍ଟର ରୋଲ ନମ୍ବର-୧୧୪୬୦/୧୧୪୬୧ରେ ଏମ.ବି ନମ୍ବର-୧୦୭୦ ଭଳି ଅନିୟମିତତା ନଜରକୁ ଆସିଛି। ବାସ୍ତବରେ ଗୋଟିଏ ପ୍ରକଳ୍ପ କାର୍ଯ୍ୟରେ ମନଇଛା ଏମ.ବି ନମ୍ବର ଏଣ୍ଟ୍ରି କରାଯାଇ ପଇସା ପଇଠ କରାଯାଇଥିବା ଦେଖିବାକୁ ମିଳିଛି।

 

Comments are closed.