ପରଲୋକରେ ପଦ୍ମଶ୍ରୀ ରଜତ କର, ସେ ଥିଲେ ‘ଅନ୍ଧପୁଟୁଳି’ର ସ୍ରଷ୍ଟା ଓ ଭଞ୍ଜ ସାହିତ୍ୟର ବ୍ୟାଖାକାର
ଭୁବନେଶ୍ବର: ବିଶିଷ୍ଟ ଶିକ୍ଷାବିତ୍, ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା, ଭଞ୍ଜ ସାହିତ୍ୟର ବ୍ୟାଖାକାର, ସୁସାହିତ୍ୟିକ, ସୁବକ୍ତା ତଥା ଜଣାଶୁଣା ଆଧ୍ୟାତ୍ମିକ ପ୍ରବଚକ ଡ. ରଜତ କୁମାର କରଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୮୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ବୋଲି ପୁଅ ରଞ୍ଜିତ କର ସୂଚନା ଦେଇଛନ୍ତି।
ପଦ୍ମଶ୍ରୀ ରଜତ କର ହୃଦଘାତରେ ଆକ୍ରାନ୍ତ ହେବା ପରେ ଚିକତ୍ସିତ ହେଉଥିଲେ। ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ପଦ୍ମଶ୍ରୀ ରଜତ କର ବିୟୋଗ ହୋଇଥିବା ଜଣାପଡ଼ିଛି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତବର୍ଷ ତାଙ୍କୁୂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶିଷ୍ଟ ସାହିତ୍ୟିକ ରଜତ କରଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ।
ରଜତ କର ୧୯୩୪ ମସିହାର ଅକ୍ଟୋବର ୨ ତାରିଖରେ କଟକ ଜିଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁଳମଣି କର ଓ ମାତାଙ୍କ ନାମ ଇନ୍ଦୁମତୀ ଦେବୀ। ସେ ରେଭେନ୍ସା କଲିଜେଟ ସ୍କୁଲର ଛାତ୍ର ଥିଲେ ଓ ଏହାପରେ ଅର୍ଥନୀତିରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିଲେ। ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘ ଦିନ ଧରି କାର୍ଯ୍ୟ ପରେ ଏସ୍ସିଇଆର୍ଟିର ନିର୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଜଣେ ଶିକ୍ଷାବିତ୍ ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ବେଶ୍ ପରିଚିତ ଥିବା ରଜତ କର ଭଞ୍ଜ ସାହିତ୍ୟକୁ ଲୋକପ୍ରିୟ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିଲେ। ସେ ବହୁ ନାଟକ, କବିତା ଓ ପ୍ରବନ୍ଧ ପୁସ୍ତକ ରଚନା କରିଯାଇଛନ୍ତି। ଏଥିସହ ସେ ଆକାଶବାଣୀ ଓ ବିଭିନ୍ନ ଟେଲିଭିଜନ ଚାନେଲରେ ରଥଯାତ୍ରାର ଧାରା ବିବରଣୀ ଦେଇ ଓଡ଼ିଶାର ଘରେଘରେ ପରିଚିତ ହୋଇଥିଲେ।
ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ। ୨୦୦୬ରେ ଜନ ଜୀବନରେ ଜଗନ୍ନାଥ, ୨୦୦୮ରେ ଅନନ୍ୟ ଜଗନ୍ନାଥ ଅନୁଭୁତିରେ, ୧୯୭୧ରେ ଅନ୍ଧପୁଟୁଳି, ୧୯୬୭ରେ ଚନ୍ଦନ ହଜୁର, ୧୯୯୯ରେ ଜଣାଣ ଜଣାଉଛି ଜଗନ୍ନାଥଙ୍କୁ, ୧୯୯୯ରେ ବାଇଶି ପାବଚ୍ଛ ଓ ୨୦୦୭ରେ ଜନମାନସରେ ଭଞ୍ଜ ତାଙ୍କ ଦ୍ୱାରା ରଚିତ ପୁସ୍ତକ ବେଶ ଲୋକପ୍ରିୟ ହୋଇପାରିଥିଲା।
Comments are closed.