‘ଶକ୍ତି ସଂରକ୍ଷଣ’ ଉପରେ ରାଜ୍ୟସ୍ତରୀୟ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା
ଭୁବନେଶ୍ୱର: ‘ଶକ୍ତି ସଂରକ୍ଷଣ-୨୦୨୧’ ବିଷୟବସ୍ତୁ ଉପରେ ରାଜ୍ୟସ୍ତରୀୟ, ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କ ପାଇଁ ପୁରସ୍କାର ବିତରଣ ସମାରୋହ ଭୁବନେଶ୍ୱରର ଇନଷ୍ଟିଚ୍ୟୁସନ ଅଫ ଇଞ୍ଜିନିୟର୍ସ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଏନଟିପିସି ପୂର୍ବାଞ୍ଚଳ-୨ ମୁଖ୍ୟାଳୟର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏ.କେ.ଗୋସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ଅତିରିକ୍ତ ନିର୍ଦ୍ଦେଶକ ପ୍ରଦୀପ କୁମାର ନାୟକ ଏବଂ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ଉପ-ନିର୍ଦ୍ଦେଶିକା, ସୌଦାମିନୀ ଦାଶ ସମ୍ମାନନୀୟ ଅତିଥି ରୂପେ ଯୋଗଦେଇଥିଲେ ।
ଓଡ଼ିଶା ନିମନ୍ତେ ଏନ୍ଟିପିସି ପୂର୍ବ-୨ ମୁଖ୍ୟାଳୟ, କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ବ୍ୟୁରୋ ଅଫ ଏନର୍ଜି ଏଫିସିଏନ୍ସି ସହିତ ମିଳିତ ଭାବେ ପ୍ରତିଯାଗିତାକୁ ସଂଯୋଜନା କରିଥିଲେ । ଦେଶରେ ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ଶକ୍ତି ମନ୍ତ୍ରଣାଳୟ ଏହି ଜାତୀୟ ସଚେତନତା ଅଭିଯାନ ଆରମ୍ଭ କରିଛି । ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତାକୁ ଏହି ଅଭିଯାନର ଅନ୍ୟତମ କାର୍ଯ୍ୟକଳାପ ଭାବେ ଗ୍ରହଣ କରାଯାଇଛି, ଯାହା କେବଳ ଛାତ୍ରଛାତ୍ରୀଙ୍କୁ ଶକ୍ତି ସଂରକ୍ଷଣର ଆବଶ୍ୟକତା ବିଷୟରେ ଅବଗତ କରାଇବ ନାହିଁ, ବରଂ ସେମାନଙ୍କର ଅଭିଭାବକମାନଙ୍କୁ ସଚେତନ କରାଇବ ।
ସରକାରୀ ଉଚ୍ଚ ବିଦ୍ୟାଳୟ, ସିଆରପି ସ୍କୋୟାର, ଭୁବନେଶ୍ୱରର ବିନୋଦିନୀ ବିରୁଆ, ଗ୍ରୁପ-କ ବର୍ଗରେ (୫ମରୁ ୭ମ ଶ୍ରେଣୀ) ପ୍ରଥମ ପୁରସ୍କାର ଏବଂ ମଡର୍ଣ୍ଣ ପବ୍ଲିକ ସ୍କୁଲ, ବାଲେଶ୍ୱରର ଦୀପିକା ଶତପଥି, ଦ୍ୱିତୀୟ ପୁରସ୍କାର ଜିତିଥିଲେ । ବିଭୁପ୍ରସାଦ ସ୍ୱାଇଁ, ତୃତୀୟ ପୁରସ୍କାର ଜିତିଥିଲେ । ସରକାରୀ କେସିବି ସ୍କୁଲ, ଯାଜପୁରର ନାରାୟଣ ଚନ୍ଦ୍ର ପଣ୍ଡା, ଗ୍ରୁପ-ଖ ବର୍ଗରେ (୮ମରୁ ୧୦ମ ଶ୍ରେଣୀ) ପ୍ରଥମ ପୁରସ୍କାର ଏବଂ ସନ୍ଡେ ଆର୍ଟ ସ୍କୁଲ, କେନ୍ଦୁଝରର ମୃଦୁପର୍ଣ୍ଣା ପାତ୍ର, ଦ୍ୱିତୀୟ ପୁରସ୍କାର ଲାଭ କରିଥିଲେ । ଶିବମ୍ ଚୌଧୁରୀ ତୃତୀୟ ପୁରସ୍କାର ଜିତିଥିଲେ । ପ୍ରତ୍ୟେକ ବର୍ଗରେ ୧୦ଟି ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା ।
ରଜନୀଶ ରସ୍ତୋଗୀ, ମହା ପ୍ରବନ୍ଧକ (ମାନବ ସମ୍ବଳ), ଏନ୍ଟିପିସି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଡଃ ଦେବସ୍ମିତା ତ୍ରିପାଠୀ, ଅତିରିକ୍ତ ମହା ପ୍ରବନ୍ଧକ (ମାନବ ସମ୍ବଳ) ଏନଟିପିସି ଧନ୍ୟବାଦ ପ୍ରଦାନ କରିଥିଲେ ।
Comments are closed.