ଦୁର୍ନୀତି ଯୋଗୁ ବିଶ୍ୱର ୫% ଜିଡିପି କ୍ଷତି ହେଉଛି: ଜାତିସଂଘ ମହାସଚିବ

0

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ଓ ଟିକସ ଫାଙ୍କି ଭଳି ଦୁର୍ନୀତି ଯୋଗୁ ବିଶ୍ୱର ୫% ଜିଡିପି (ପ୍ରାୟ ୨.୬ ଟ୍ରିଲିୟନ୍‍ ଡଲାର) କ୍ଷତି ହେଉଛି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେର୍ସ ପ୍ରକାଶ କରିଛନ୍ତି। ଉଚିତ ପଦକ୍ଷେପ ଗ୍ରହଣ ସ୍ୱରୂପ ଏହିସବୁ ଦୁର୍ନୀତିର ଦମନ କରିବାକୁ ସେ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଛନ୍ତି। ଶାନ୍ତି ତଥା ଅନ୍ତର୍ଜାତୀୟ ସୁରକ୍ଷା ନିମନ୍ତେ ଦୁର୍ନୀତିର ମୁକାବିଲା ସମ୍ବନ୍ଧୀୟ ଏକ ଆଲୋଚନାଚକ୍ରରେ ଯୋଗ ଦେଇ ସେ କହିଛନ୍ତି, ଦୁର୍ନୀତିର ଚେର ସମସ୍ତ ରାଷ୍ଟ୍ରରେ ମାଡିଚାଲିଛି। ବିଶେଷକରି ଦରିଦ୍ରମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡୁଛି। ବିଶ୍ୱସ୍ତରରେ ଲୋକେ ସେମାନଙ୍କ ଦେଶର ଦୁର୍ନୀତିଗ୍ରସ୍ତ ନେତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି। ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ତଥା ବ୍ୟକ୍ତିବିଶେଷ ପ୍ରତିବର୍ଷ ୧ ଟ୍ରିଲିୟନ୍‍ ଡଲାରର ଲାଞ୍ଚ କାରବାର କରୁଥିବା ବିଶ୍ୱବ୍ୟାଙ୍କ ସୂତ୍ରରୁ ଜଣାପଡିଛି। ନିଶାଦ୍ରବ୍ୟ ଓ ଅପରାଧ ସମ୍ବନ୍ଧୀୟ ଜାତିସଂଘ କାର୍ଯ୍ୟାଳୟ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁସାରେ ସଂଘର୍ଷର ଶିକାର ହୋଇଥିବା ଅଞ୍ଚଳଗୁଡିକରେ ଅଧିକାରୀମାନଙ୍କୁ ଲାଞ୍ଚ ପ୍ରଦାନ ଭଳି ଦୁର୍ନୀତି ସର୍ବାଧିକ ଘଟୁଛି। ଗୁଟେର୍ସ ଦୁର୍ନୀତିକୁ ଅସ୍ଥିରତା ଏବଂ ହିଂସା ସହିତ ସଂଶ୍ଲିଷ୍ଟ କରି କହିଛନ୍ତି, ଅସ୍ତ୍ରଶସ୍ତ୍ର ବେଆଇନ କାରବାର, ନିଶାଦ୍ରବ୍ୟ ଓ ମାନବ ଚାଲାଣ, ଆତଙ୍କବାଦ ଏବଂ ଉଗ୍ରବାଦ ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଜାତିସଂଘ ନିରାପତ୍ତା ପରିଷଦ ଏବଂ ସାଧାରଣ ସଭା ଜାଣିବାକୁ ପାଇଛି। ଏଣୁ ଏସବୁ ରୋକିବା ଲାଗି ଜାତୀୟ ଦୁର୍ନୀତି ନିବାରଣ କମିସନ ଓ ତଥା ଅନ୍ୟ ବ୍ୟବସ୍ଥାକୁ ମଜବୁତ କରିବା ହେବ। ଏ ବିଷୟରେ ତୃଣମୂଳସ୍ତରରୁ ଲୋକଙ୍କୁ ସଚେତନ ଓ ସଶକ୍ତିକରଣ କରିବାକୁ ହେବ ବୋଲି ଗୁଟେର୍ସ ଦର୍ଶାଇଛନ୍ତି। ଏହି ଅବସରରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉଠାଇ ସେ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୨୦୨୦ ସୁଦ୍ଧା ଉପଯୁକ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ଭବିଷ୍ୟତରେ ପରିସ୍ଥିତି ଅଣାୟତ ହୋଇପଡିବ।

Leave A Reply