ବାଧୁଛି ତେଲ ମୂଲ୍ୟ
ଆମଦାନୀ ହେଉଥିବା ତୈଳ ଉପରେ ନିର୍ଭରଶୀଳ ଭାରତର ଅର୍ଥନୀତିକୁ ଆଗକୁ ବଢ଼ାଇବାକୁ ହେଲେ ପେଟ୍ରୋଲିୟମ ପଦାର୍ଥର ବିକ୍ରୟମୂଲ୍ୟକୁ ଯୁକ୍ତିସଂଗତ କରିବାକୁ ପଡ଼ିବ। ତା’ ନ କରି ମାଛ ତେଲରେ ମାଛ ଭାଜିବାଭଳି ନୀତି ଆପଣାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଆପଣା ଢ଼ଙ୍ଗରେ କର, ଉପକର ବସାଇ ଯେଉଁଭଳି ଭାବରେ ଖାଉଟିଙ୍କୁ ତଣ୍ଡୁଛନ୍ତି ସେଥିରେ ପ୍ରତିବାଦ ଓ ଅସନ୍ତୋଷ ସୃଷ୍ଟିହେବା ସ୍ବାଭାବିକ। ଦେଶ ଓ ରାଜ୍ୟର ବିକାଶ ପାଇଁ ସରକାରଙ୍କର ରାଜସ୍ବ ଲୋଡ଼ା, ଏକଥାକୁ କେହି ବିରୋଧ କରୁନାହାନ୍ତି। ହେଲେ ଗୋଟିଏ ସାମଗ୍ରୀ ଉପରେ ଶତ ପ୍ରତିଶତ ଟିକସ ଲାଗୁ କଲେ ଏହାର ମୂଲ୍ୟକୁ ତ ନିୟନ୍ତ୍ରଣରେ ରଖି ହେବନାହିଁ, ବରଂ ଏହା ଲୋକଙ୍କୁ ଲୁଟିବାସହ ସମାନ ହେବ। ଭାରତ ବ୍ୟତୀତ କୌଣସି ବିକାଶଶୀଳ ଦେଶରେ ପେଟ୍ରୋଲିୟମ୍ର ଏଭଳି ଅଯୌକ୍ତିକ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥା ନାହିଁ। ଗରିବ ନେପାଳ ଯିଏ କି ଭାରତରୁ ତୈଳ ନେଇ ଏହାର ଇନ୍ଧନ ଆବଶ୍ୟକତା ମୁଖ୍ୟତଃ ପୂରଣକରେ ସେଠାରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଭାରତ ତୁଳନାରେ ଯଥେଷ୍ଟ କମ୍। ପଡ଼ୋଶୀ ବାଂଲାଦେଶ ଓ ପାକିସ୍ତାନରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଭାରତଠାରୁ ଶସ୍ତା। ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମର (ଅଶୋଧିତ) କ୍ରୟମୂଲ୍ୟ ସହ ଖୁଚୁରା ବିକ୍ରୟମୂଲ୍ୟକୁ ସଂଯୋଗ କରି ଭାରତ ଯେବେଠାରୁ ନୂଆ ମୂଲ୍ୟ ନିର୍ଦ୍ଧାରଣ ନୀତି ଆରମ୍ଭ କଲା ସେବେଠୁ ଏହି ଇନ୍ଧନର ମୂଲ୍ୟ ଲଗାମଛଡ଼ା ହୋଇଛି। ବଜାରଭିତ୍ତିକ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାରେ ଆମଦାନୀ ମୂଲ୍ୟ ଉପରେ ଲାଭ ରଖି ବିକିବା ଯୁକ୍ତିଯୁକ୍ତ; କିନ୍ତୁ ସେହି ମୂଲ୍ୟ ଆକାଶଛୁଆଁ ହେବା ଓ ଏହା ଉପରେ ବିପୁଳ ବିବିଧ ଟିକସ ବସିବା ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା। ସରକାର ଏ କ୍ଷେତ୍ରରେ ଆଉ ଏକ ଇଚ୍ଛାକୃତ ପ୍ରତିବନ୍ଧକ ରଖି ରାଷ୍ଟ୍ରାୟତ୍ତ ଉଦ୍ୟୋଗଙ୍କୁ ତୈଳ ଆମଦାନୀର ଏକଚାଟିଆ ଅଧିକାର ପ୍ରଦାନ କରିଛନ୍ତି। ଫଳରେ ଘରୋଇ ଉଦ୍ୟୋଗ ସିଧାସଳଖ ବିଦେଶରୁ ତୈଳ ଆମଦାନୀର ସୁଯୋଗ ପାଉନାହାନ୍ତି। ଅନ୍ୟ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ଜିଏସ୍ଟି ବ୍ୟବସ୍ଥା ଫଳରେ ସାରା ଦେଶ ପାଇଁ ଗୋଟିଏ ଟିକସ ନୀତି ପ୍ରବର୍ତ୍ତିତ ହୋଇଥିଲେ ମଧ୍ୟ ପେଟ୍ରୋଲିୟମ ଭଳି ଅତ୍ୟାବଶ୍ୟକ ଓ ସମ୍ବେଦନଶୀଳ ପ୍ରସଙ୍ଗଟିକୁ ଏହାର ପରିସରରୁ ଜାଣିଶୁଣି ବାହାରେ ରଖାଯାଇଛି।
ପେଟ୍ରୋଲ ଓ ଡିଜେଲ ମୂଲ୍ୟ ରେକର୍ଡ ସୀମା ଛୁଇଁବା ନିଶ୍ଚିତ ଚିନ୍ତାର ବିଷୟ। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଁ ସାମୟିକ ଏହା ଘଟୁଛି ବୋଲି କୁହାଯାଇ ନ’ ପାରେ। ଏହି ପରିପ୍ରେକ୍ଷୀରେ ସୋମବାର କଂଗ୍ରେସ ଓ ଅନ୍ୟ କେତେକ ଦଳଙ୍କ ଭାରତବନ୍ଦକୁ କେବଳ ରାଜନୈତିକ କହି ନ୍ୟୂନ କରାଯାଇ ନ’ପାରେ। ଯେ କୌଣସି ବିରୋଧୀଦଳ ଏଭଳି ପରିସ୍ଥିତିରେ ରାସ୍ତାକୁ ବାହାରି ଜନତାର ସ୍ବାର୍ଥ ପାଇଁ ଅବଶ୍ୟ ପ୍ରତିବାଦ କରିବ। ରାଜସ୍ଥାନ ସରକାରଙ୍କ ପରେ ସୋମବାର ଆନ୍ଧ୍ର ସରକାର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଦୁଇଟଙ୍କା ଲେଖାଏଁ ଲିଟର ପିଛା କମ୍ କରିଛନ୍ତି। ଆଗକୁ ନିର୍ବାଚନ ଥିବାରୁ ଆଉ କେତେକ ରାଜ୍ୟ ଏକା ପଦକ୍ଷେପ ନେଇପାରନ୍ତି। ତେବେ ଏହା ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ। ଦୈନିକ ମୂଲ୍ୟବୃଦ୍ଧି ରୋକିବା ସହ ଏହି ଦୁଇ ସାମଗ୍ରୀର ମୂଲ୍ୟକୁ ଏକ ନିର୍ଦିଷ୍ଟ ସୀମା ମଧ୍ୟରେ ନିର୍ଦିଷ୍ଟ ସମୟ ପାଇଁ ସ୍ଥିର ରଖାଯାଉ। ଆବଶ୍ୟକ ପଡ଼ିଲେ କର, ଉପକରକୁ ମଧ୍ୟ ହ୍ରାସ କରିବାର ବ୍ୟବସ୍ଥା ହେଉ। ତାହା ନ’ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଗକୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଦେଶର ଅର୍ଥନୀତି ମଧ୍ୟ ଅସୁବିଧାର ସମ୍ମୁଖୀନ ହେଇପାରେ।