‘ପୂର୍ଣ୍ଣ ଗଣତନ୍ତ୍ର’ ପାଇଁ ସର୍ବନିମ୍ନ ସଂସ୍କାର
ଅଭୟ କୁମାର ଦାସ
ସଭ୍ୟତାର କ୍ରମବିକାଶ ତାଳରେ ବିଶ୍ୱର ବିଭିନ୍ନ ଭୂଖଣ୍ଡରେ ନାନା ରକମର ଶାସନ ବ୍ୟବସ୍ଥା ଚାଲିଆସିଛି। ସମୟାନୁକ୍ରମେ ଏହି ବ୍ୟବସ୍ଥାଗୁଡ଼ିକ ମଧ୍ୟରୁ ଗଣତନ୍ତ୍ରକୁ ସର୍ବୋତ୍କୃଷ୍ଟ ବୋଲି ବିବେଚନା କରାଯାଏ; କାରଣ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନସାଧାରଣ ମୁକ୍ତ, ନିରପେକ୍ଷ ଭୋଟ୍ ଜରିଆରେ ନିଜ ପସନ୍ଦର ନେତା ମନୋନୟନ କରିବା ସହିତ ପ୍ରତ୍ୟେକ ନାଗରିକଙ୍କ ଅଧିକାରକୁ ସମାନ ଗୁରୁତ୍ୱ ଦିଆଯାଇଥାଏ। ଗଣତନ୍ତ୍ରର ଏହିଭଳି ସକାରାତ୍ମକ ଦିଗ ପାଇଁ ବିଶ୍ୱର ୧୯୫ ଦେଶ ମଧ୍ୟରୁ ୧୬୭ଟି ଦେଶ ଏହାକୁ ବାଛିଛନ୍ତି। ତେବେ ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ର ପୂର୍ଣ୍ଣକ୍ଷମ ନୁହେଁ। ଲଣ୍ଡନସ୍ଥିତ ‘ଦି ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ’ ତରଫରୁ ଗଣତନ୍ତ୍ର ସୂଚକାଙ୍କ ଉପରେ ଏକ ଗବେଷଣା କରାଯାଇଥିଲା ଯେଉଁଥିରେ ୬୦ଟି ସୂଚକକୁ ୫ ଭାଗରେ ବିଭକ୍ତ କରାଯାଇଥିଲା। ଏଇ ଆଧାରରେ ପ୍ରଥମ ୧୯ଟି ରାଷ୍ଟ୍ର ‘ପୂର୍ଣ୍ଣ ଗଣତନ୍ତ୍ର’ ମାନ୍ୟତା ପାଇଥିବା ବେଳେ ଭାରତ ୪୨ ତମ ସ୍ଥାନରେ ରହି ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ବିବେଚିତ ହୋଇଥିଲା। ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’କୁ ‘ପୂର୍ଣ୍ଣ ଗଣତନ୍ତ୍ର’ ଆଡ଼କୁ ନେବାକୁ ହେଲେ ଯେଉଁ ସର୍ବନିମ୍ନ ସଂସ୍କାର ଆବଶ୍ୟକ ସେଗୁଡ଼ିକ ମଧ୍ୟରୁ କେତୋଟି ଆଲୋଚନା କରିବା।
ଗୁରୁତ୍ୱପୂର୍ଣ୍ଣ ସଂସ୍କାରଗୁଡ଼ିକ ମଧ୍ୟରୁ ‘ଆନୁପାତିକ ପ୍ରତିନିଧିତ୍ୱ’ ଅନ୍ୟତମ। ଆମ ଦେଶର ନିର୍ବାଚନ ବ୍ୟବସ୍ଥାକୁ ‘ଫାଷ୍ଟ୍ ପାଷ୍ଟ୍ ଦି ପୋଷ୍ଟ୍’ କୁହାଯାଏ, ଅର୍ଥାତ ବିଜୟୀ ପ୍ରାର୍ଥୀଙ୍କୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ଅତିକ୍ରମ କରିବାକୁ ହୁଏ। ଜିତିବା ପାଇଁ ଭୋଟ୍ର ସୀମା କିଛି ନଥିବାରୁ ସଂଖ୍ୟାଗରିଷ୍ଠ ଭୋଟର ବିରୋଧରେ ଗଲେ ବି ବିଜୟୀ ହେବାର ଅସୁବିଧା ନାହିଁ। ଏହି ବ୍ୟବସ୍ଥାରେ ଯେଉଁ ଅସଙ୍ଗତିମାନ ରହିଛି, ତା’ର ସମାଧାନ ହେଉଛି ‘ଆନୁପାତିକ ପ୍ରତିନିଧିତ୍ବ’ ବ୍ୟବସ୍ଥା। ଏବେ ଏହା ୯୪ଟି ଦେଶରେ ପ୍ରଚଳିତ। ଏହି ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ଦଳକୁ ମିଳିଥିବା ଭୋଟ ଅନୁପାତ ଆଧାରରେ ସେହି ଦଳର ଆସନ ସଂଖ୍ୟା ସ୍ଥିର ହୋଇଥାଏ। ଏହି ବ୍ୟବସ୍ଥାରେ ପ୍ରତ୍ୟେକଟି ଭୋଟ୍ ଓ ପ୍ରତ୍ୟେକ ଦଳକୁ ଯଥା ଗୁରୁତ୍ୱ ଦିଆଯାଉଥିବାରୁ ବିଶେଷଜ୍ଞମାନେ ଏହାକୁ ବିଜ୍ଞାନସମ୍ମତ ବୋଲି ମତ ଦିଅନ୍ତି। ଏହି ବ୍ୟବସ୍ଥା ସାଧାରଣତଃ ଦୁଇପ୍ରକାରର ଦେଖିବାକୁ ମିଳେ। ଇଉରୋପୀୟ ଦେଶ ଏବଂ ଦକ୍ଷିଣ ଆଫ୍ରିକା ସମେତ ୮୦ ଭାଗ ଦେଶରେ ‘ପାର୍ଟି ତାଲିକା ଭୋଟିଂ’ ବ୍ୟବସ୍ଥା ପ୍ରଚଳିତ ଥିବାବେଳେ ଜର୍ମାନୀରେ ଆଉ ଏକ ପ୍ରକାରର। ପାର୍ଟି ତାଲିକା ଭୋଟିଂ ବ୍ୟବସ୍ଥାରେ ପ୍ରାର୍ଥୀମାନେ ‘ବହୁ ସଦସ୍ୟ ବିଶିଷ୍ଟ ଜିଲା’ରୁ ନିର୍ବାଚିତ ହେବେ। ଗୋଟିଏ ଦେଶକୁ କେତୋଟି ନିର୍ବାଚନୀ ଜିଲାରେ ଭାଗ କରାଯାଏ। ନିର୍ଦ୍ଦିଷ୍ଟ ଜିଲାରେ ଥିବା ସିଟ୍ ସଂଖ୍ୟା ଯେତେ ଗୋଟିଏ ଦଳ ସର୍ବାଧିକ ସେତିକି ପ୍ରାର୍ଥୀଙ୍କ ନାମ ଲିଖିତ ଘୋଷଣା କରିବ। ସ୍ୱାଧୀନ ପ୍ରାର୍ଥୀ ପୃଥକ୍ ଭାବେ ନାମିତ ହେବେ ଯେଭଳି ସେମାନେ ଗୋଟିଏଗୋଟିଏ ଦଳ। ଦଳ ଘୋଷଣା କରିଥିବା ପ୍ରାର୍ଥୀଙ୍କ ତାଲିକା ‘କ୍ଲୋଜ୍ ଲିଷ୍ଟ’ ବା ‘ଓପନ୍ ଲିଷ୍ଟ’ ହୋଇପାରେ। କ୍ଲୋଜ୍ ଲିଷ୍ଟ ବ୍ୟବସ୍ଥାରେ ଦଳ ଘୋଷଣା କରିଥିବା ପ୍ରାର୍ଥୀ କ୍ରମର ପରିବର୍ତ୍ତନ ହୁଏ ନାହିଁ କିନ୍ତୁ ଓପନ୍ ଲିଷ୍ଟ ବ୍ୟବସ୍ଥାରେ ଭୋଟରମାନଙ୍କ ପସନ୍ଦ ଭିତ୍ତିରେ ଦଳ ଘୋଷଣା କରିଥିବା ପ୍ରାର୍ଥୀଙ୍କ କ୍ରମ ପରିବର୍ତ୍ତନ ହୋଇପାରେ।
ଜର୍ମାନୀରେ ପ୍ରଚଳିତ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାରେ ଜଣେ ଭୋଟରକୁ ୨ ଖଣ୍ଡ ଭୋଟ ଦେବାକୁ ପଡ଼ିଥାଏ। ଦେଶର ଅର୍ଦ୍ଧେକ ସାଂସଦ ଆମ ଢାଞ୍ଚାରେ (ନିର୍ବାଚନମଣ୍ଡଳୀ ପ୍ରତିନିଧି) ନିର୍ବାଚିତ ହେଉଥିବାବେଳେ ବାକି ଅର୍ଦ୍ଧେକ ଉପର ବର୍ଣ୍ଣିତ ପାର୍ଟି ତାଲିକା ଭୋଟିଂ ମାଧ୍ୟମରେ ନିର୍ବାଚିତ ହେବେ। ଏହି ବ୍ୟବସ୍ଥା ‘ମିଶ୍ରିତ ସଦସ୍ୟ ଆନୁପାତିକ ଭୋଟିଂ’ ହୋଇଥିବାରୁ ଏହାକୁ ବିଶେଷଜ୍ଞମାନେ ସର୍ବୋତ୍କୃଷ୍ଟ ବୋଲି କହନ୍ତି। ଦୁଇଟି ପରସ୍ପର ବିରୋଧୀ ବ୍ୟବସ୍ଥା ମଧ୍ୟରେ ସନ୍ତୁଳନ ଏହାର ସ୍ୱତନ୍ତ୍ରତା। ଭୋଟର ଡବଲ୍ ବାଲଟ୍ରେ ଭୋଟ ଦିଅନ୍ତି। ଗୋଟିଏ ପଟେ ନିର୍ବାଚନମଣ୍ଡଳୀ ପ୍ରତିନିଧିଙ୍କୁ ଭୋଟ ଦେବାବେଳେ ଅନ୍ୟପଟରେ ପାର୍ଟି ତାଲିକାକୁ ଭୋଟଦିଅନ୍ତି। ପାର୍ଟି ତାଲିକା ଭୋଟକୁ ଜାତୀୟ ସ୍ତରରେ ବିବେଚନା କରାଯାଏ। ଉଦାହରଣସ୍ୱରୂପ ଆମ ଦେଶର ୫୪୩ ଜଣ ନିର୍ବାଚିତ ସାଂସଦଙ୍କ ମଧ୍ୟରୁ ୨୭୧ ଜଣ ଆମ ପ୍ରଚଳିତ ବ୍ୟବସ୍ଥାରେ ନିର୍ବାଚିତ ହେବେ ଓ ବାକି ୨୭୨ ଜଣ ପାର୍ଟି ତାଲିକା ଭୋଟିଂ ଜରିଆରେ ନିର୍ବାଚିତ ହେବେ। ଧରାଯାଉ କଂଗ୍ରେସକୁ ନିର୍ବାଚନମଣ୍ଡଳୀ ପ୍ରତିନିଧି ବ୍ୟବସ୍ଥାରେ ୨୭୧ରୁ ୧୦୦ ଆସନ ମିଳିଲା ଓ ପାର୍ଟି ତାଲିକା ବ୍ୟବସ୍ଥାରେ ୪୦ ଶତାଂଶ ଭୋଟ ମିଳିଲା। ତେବେ କଂଗ୍ରେସର ସମୁଦାୟ ସିଟ୍ ସଂଖ୍ୟା ୫୪୩ର ୪୦ ଶତାଂଶ ଅର୍ଥାତ୍ ୨୧୭ଟି। ନିର୍ବାଚନମଣ୍ଡଳୀ ପ୍ରତିନିଧି ବ୍ୟବସ୍ଥାରେ କଂଗ୍ରେସକୁ ପୂର୍ବରୁ ଯେହେତୁ ୧୦୦ଟି ଆସନ ମିଳିଛି ଆଉ ବାକି ୧୧୭ଟି ଆସନ ପାର୍ଟି ତାଲିକାରୁ ବଛାଯିବ। ଜର୍ମାନୀ ଢାଞ୍ଚାକୁ ଏବେ ବଲିଭିଆ, ସ୍କଟ୍ଲାଣ୍ଡ, ହଙ୍ଗେରୀ, ଭେନେଜୁଆଲା, ନିଉଜିଲାଣ୍ଡ ଆଦି ଦେଶ ଗ୍ରହଣ କଲେଣି।
ସେହିଭଳି ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ସଂସ୍କାର ହେଉଛି ‘ରାଷ୍ଟ୍ର ବହନ କରୁଥିବା ନିର୍ବାଚନ ଖର୍ଚ୍ଚ’। ଗଣତନ୍ତ୍ର ସଂସ୍କାର ସଂଗଠନ ତଥ୍ୟ ଅନୁଯାୟୀ ଆମ ଦେଶରେ ୭୦ ଶତାଂଶ ପାଣ୍ଠିର ଉତ୍ସ ଅଜ୍ଞାତ। ନିର୍ବାଚନ ଆୟୋଗଙ୍କ ମତାନୁଯାୟୀ ଗତ ୧୦ ବର୍ଷରେ ରାଜନୈତିକ ଦଳଙ୍କ ପାଣ୍ଠି ଆଦାୟ ୪୧୮ ଶତାଂଶ ବୃଦ୍ଧି ପାଇଛି। ଯେହେତୁ ଆମ ଗଣତନ୍ତ୍ର ମୁକ୍ତ ଓ ନିରପେକ୍ଷ ନୁହେଁ, ଏବଂ ଅଧିକାଂଶ ଭୋଟରଙ୍କ ଶିକ୍ଷା ଓ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ, ତେଣୁ ବିଭିନ୍ନ ରାଜନୈତିକ ଦଳ ଧନବଳରେ ନିର୍ବାଚିତ ହେବାକୁ ଚେଷ୍ଟା କରୁଛନ୍ତି। ନିର୍ବାଚନ ପାଣ୍ଠି ସଂଗ୍ରହ ପାଇଁ ଦୁର୍ନୀତିର ଆଶ୍ରୟ ନେବାସହିତ ପୁଞ୍ଜିପତିଙ୍କ ସପକ୍ଷରେ ନୀତି ନିିର୍ଦ୍ଧାରଣ କରିବାର ପ୍ରତିଶ୍ରୁତି ଦେଇ ସେମାନଙ୍କ ସାହାଯ୍ୟ ଲୋଡୁଛନ୍ତି। ଏହାଫଳରେ ଆଦର୍ଶ ବ୍ୟକ୍ତିତ୍ୱ ଓ ସଚ୍ଚୋଟ ଦଳ ଧନତନ୍ତ୍ରରେ ବଳି ପଡ଼ିଯାଉଛି; ଯଦି ନିର୍ବାଚନ ଖର୍ଚ୍ଚ ରାଷ୍ଟ୍ର ବହନ କରନ୍ତା ତେବେ ଛୋଟବଡ଼ ସମସ୍ତ ଦଳକୁ ସମାନ ଗୁରୁତ୍ୱ ମିଳିପାରନ୍ତା। ନିର୍ବାଚନ ଖର୍ଚ୍ଚ ନାମରେ ରାଷ୍ଟ୍ର ପାଣ୍ଠିକୁ ହାତେଇବାକୁ ଲକ୍ଷ୍ୟ ରଖିଥିବା ଅଣଗୁରୁତ୍ୱପୂର୍ଣ୍ଣ ପ୍ରାର୍ଥୀଙ୍କୁ ନିରୁତ୍ସାହିତ କରିବାପାଇଁ ସମୁଦାୟ ଭୋଟିଂର ଏକ ଶତାଂଶର ନିୟମ ଏହି ବ୍ୟବସ୍ଥାରେ ରଖାଯାଇଥାଏ। କାନାଡ଼ା, ବ୍ରିଟେନ୍, ସୁଇଜରଲାଣ୍ଡରେ ଭୋଟଖଣ୍ଡ ପ୍ରତି ଏକ ନିର୍ଦ୍ଦିଷ୍ଟ ରାଶି ଧାର୍ଯ୍ୟ କରାଯାଇଛି। ଏହି ବିଜ୍ଞାନସମ୍ମତ ସଂସ୍କାର ପାଇଁ ଦାବି ଉତ୍ଥାପନ ହେଉଥିବାବେଳେ ମୋଦୀ ସରକାର ‘ଇଲେକ୍ଟୋରାଲ୍ ବଣ୍ଡ’ ବ୍ୟବସ୍ଥା ପ୍ରଚଳନ ଜରିଆରେ ଦାତା-ଗ୍ରହୀତାଙ୍କ ସୂଚନା ଲୁକ୍କାୟିତ ରଖିବା ସହିତ ସହାୟତା ରାଶିକୁ କୌଣସି ତଦନ୍ତ ପରିସରଭୁକ୍ତ ନ କରିବା ବିଡ଼ମ୍ବନାର ବିଷୟ। ଏତଦ୍ବ୍ୟତୀତ ବିଦେଶୀ ଅନୁଦାନ ନିୟମାଙ୍କ ଆଇନ(ଏଫ୍.ସି.ଆର୍.ଏ)କୁ ପରିବର୍ତ୍ତନ କରିବାଫଳରେ ଏଣିକି ବିଦେଶରେ ଥିବା କମ୍ପାନୀ ଭାରତର ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇପାରିବେ ଏବଂ ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବନାହିଁ। ମୋଦୀ ସରକାରଙ୍କ ସମୟରେ ନିର୍ବାଚନ ପାଣ୍ଠି ପାଇଁ ଆଉ ଏକ ପରିବର୍ତ୍ତନ ମଧ୍ୟ କରାଯାଇଛି। ପୂର୍ବ ନିୟମାନୁସାରେ କୌଣସି କମ୍ପାନୀ ତା’ର ନିଟ୍ ଲାଭର ୭.୫ ଶତାଂଶଠାରୁ ଅଧିକ ଚାନ୍ଦା ଦେଇପାରୁ ନଥିଲା। ଏ ସୀମାକୁ ଏବେ ଉଚ୍ଛେଦ କରିବାସହିତ ଦାତା-ଗ୍ରହୀତାଙ୍କ ସଂପର୍କିତ ସୂଚନା ଗୋପନୀୟ ରଖାଯିବ ବୋଲି ଆଇନ କରାଯାଇଛି। ଉପର ଦେଖାଣିଆଭାବେ ନଗଦ ଟଙ୍କା ଦେୟର ସୀମା କମ୍ କରାଗଲା; କିନ୍ତୁ ଚେକ୍ର ସୀମା ରହିଲା ନାହିଁ। ଏ ସବୁର ସମାଧାନ ହେଉଛି ରାଜନୈତିକ ଦଳଙ୍କ ନିର୍ବାଚନ ପାଣ୍ଠି ସଂଗ୍ରହରେ ଲଗାମ ଲଗାଇବା ଓ ନିର୍ବାଚନ ଖର୍ଚ୍ଚକୁ ରାଷ୍ଟ୍ର ବହନ କରିବା।
ତୃତୀୟ ଆବଶ୍ୟକୀୟ ନିର୍ବାଚନ ସଂସ୍କାର ହେଉଛି ନିର୍ବାଚିତ ପ୍ରତିନିଧିଙ୍କୁ ‘ପ୍ରତ୍ୟାବର୍ତ୍ତନ କରିବାର ଅଧିକାର’; ଅର୍ଥାତ୍ ଜନାଦେଶ ଆଧାରରେ ନିର୍ବାଚିତ ପ୍ରାର୍ଥୀଙ୍କୁ ଅବଧି ଶେଷ ପୂର୍ବରୁ ଫେରାଇ ଆଣିବାର ବ୍ୟବସ୍ଥା। ଅନେକ ସମୟରେ ଦେଖାଯାଉଛି ବହୁ ଅପରାଧରେ ଜଡ଼ିତ ପ୍ରାର୍ଥୀ ନିର୍ବାଚିତ ହୋଇଯାଉଛନ୍ତି, ଯାହାକି ପରବର୍ତ୍ତୀ ଅବସ୍ଥାରେ ଜଣାପଡୁଛି କିମ୍ବା ନିର୍ବାଚନ ପରେ କ୍ଷମତାର ଦୁରୁପଯୋଗ କରି ଅନେକ ପ୍ରତିନିଧି ବହୁ ଅପରାଧ ଭିଆଉଛନ୍ତି। କାନାଡ଼ା ଭଳି ଦେଶରେ ଏଭଳି ବ୍ୟବସ୍ଥା ରହିଛି ଯେଉଁଠିକି ଅନ୍ୟୂନ ୫୦ ପ୍ରତିଶତ ଭୋଟର ନିର୍ବାଚିତ ପ୍ରାର୍ଥୀଙ୍କ ବିରୁଦ୍ଧରେ ମତ ଦେଲେ ତାଙ୍କ ପ୍ରତିନିଧିତ୍ୱ ନାକଚ ହୋଇପାରିବ।
ଏହିଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆବଶ୍ୟକ ଥିଲାବେଳେ ସରକାର ଏବେ ଏକକାଳୀନ ନିର୍ବାଚନ ପଛରେ ପଡ଼ିଛନ୍ତି। ଏହା କୌଣସି ନୂଆ କଥା ନୁହେଁ। ଆମ ଦେଶରେ ୧୯୫୨ରେ ନିର୍ବାଚନ ଆରମ୍ଭବେଳେ ଏକକାଳୀନ ନିର୍ବାଚନ ଥିଲା। ବିଭିନ୍ନ ସମୟରେ ଦେଖାଯାଇଛି କେନ୍ଦ୍ର ଓ ରାଜ୍ୟରେ ଶାସନ କରୁଥିବା ଦଳ ଏକ ହୋଇନଥିବାରୁ ୩୫୬ ଧାରା ବଳରେ ରାଜ୍ୟ ସରକାରକୁ ଭାଙ୍ଗି ଦିଆଯାଇଛି ଏବଂ କେଉଁଠିକେଉଁଠି ସଂଖ୍ୟାଗରିଷ୍ଠତା ଅଭାବରୁ ସରକାର ଛାଏଁ ଭାଙ୍ଗିଯାଇଛି ଓ ନିର୍ବାଚନ ପୁନଶ୍ଚ ହେବାଫଳରେ ଲୋକସଭା-ବିଧାନସଭା ନିର୍ବାଚନର ତାଳମେଳ ବିଗିଡ଼ିଯାଇଛି। ଏକକାଳୀନ ନିର୍ବାଚନ ପାଇଁ ଏହାମଧ୍ୟରେ ଆଇନ କମିଶନ ସରକାରଙ୍କ ସପକ୍ଷରେ ଏକ ଚିଠା ପ୍ରସ୍ତୁତ କରିଛନ୍ତି– ‘ଏକକାଳୀନ ନିର୍ବାଚନ: ସାମ୍ବିଧାନିକ ଓ ନ୍ୟାୟିକ ଦୃଷ୍ଟିଭଙ୍ଗୀ’। ଏହାସହିତ ବିଭିନ୍ନ ରାଜନୈତିକ ଦଳ, ସମ୍ବିଧାନ ବିଶେଷଜ୍ଞ, ପ୍ରଶାସକ, ଶିକ୍ଷାବିତ୍ ତଥା ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏକକାଳୀନ ନିର୍ବାଚନକୁ ୯ଟି ଦଳ ବିରୋଧ କରିଥିବାବେଳେ କଂଗ୍ରେସ ଓ ବିଜେପି ଆଲୋଚନାରୁ ଦୂରେଇ ରହିଥିଲେ। ଆଇନ କମିଶନ ଏକକାଳୀନ ନିର୍ବାଚନ ପାଇଁ ଦୁଇଟି ସାମ୍ବିଧାନିକ ପରିବର୍ତ୍ତନ ଚାହିଁଛନ୍ତି। ତନ୍ମଧ୍ୟରେ ରହିଛି ଲୋକସଭାର ୧୯୮ ନିୟମରେ ବର୍ଣ୍ଣିତ ଅନାସ୍ଥା ପ୍ରସ୍ତାବ ଓ ସମ୍ବିଧାନର ୧୦ମ ସିଡ୍ୟୁଲରେ ଥିବା ଦଳ-ବଦଳ ଆଇନରେ ପରିବର୍ତ୍ତନ। ଅସମୟରେ ସରକାର ଭଙ୍ଗକୁ ଏଡ଼ାଇବାକୁ ୧୯୮ ନିୟମର ପରିବର୍ତ୍ତନ କରାଗଲେ ଜର୍ମାନୀ ଢାଞ୍ଚାରେ ଅନାସ୍ଥା ପ୍ରସ୍ତାବ ସହିତ ବିରୋଧୀ ଦଳ ବିକଳ୍ପ ସରକାର ଗଢ଼ିବାକୁ ପ୍ରସ୍ତାବ ଦେବେ। ଏହା ଗଣତନ୍ତ୍ରର ବିରୋଧୀ। କାରଣ ବିରୋଧୀ ଦଳର ନୂତନ ସରକାର ଗଠନ କରିବାର କ୍ଷମତା ନଥିଲେ ସେମାନେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସାହସ କରିବେ ନାହିଁ। ଫଳରେ ଶାସକ ଦଳ ଭୁଲ ରାସ୍ତାରେ ଥିଲେ ବି କାହାକୁ ଭୟ କରିବ ନାହିଁ। ଦ୍ୱିତୀୟତଃ, ବହୁବିଶେଷଜ୍ଞଙ୍କ ତର୍ଜମା ପରେ ୧୯୮୫ରେ ତତ୍କାଳୀନ ସରକାର ୫୨ ତମ ପରିବର୍ତ୍ତନ ଜରିଆରେ ସମ୍ବିଧାନର ୧୦ମ ସିଡ୍ୟୁଲରେ ଦଳ-ବଦଳ ଅପରାଧରେ ଯେଉଁ ବରଖାସ୍ତର ବ୍ୟବସ୍ଥା ରଖିଛନ୍ତି ତା’ର ପରିବର୍ତ୍ତନ ଗଣତନ୍ତ୍ରର ମୂଳଦୁଆକୁ ଦୁର୍ବଳ କରିବ। ଏହି ପରିବର୍ତ୍ତନ ‘ମନ୍ଦିରଠାରୁ ମୁଖଶାଳା ବଳିଯିବା’ ସଦୃଶ ହେବ। ଅଧାରୁ ସରକାର ଭାଙ୍ଗିଲେ ରାଷ୍ଟ୍ରପତି ଶାସନ ବା କୌଣସି ଦୁର୍ବଳ ଶକ୍ତି ଦ୍ୱାରା କାମଚଳା ସରକାର ଏହା ସଂସଦୀୟ ଓ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ। ଯାନ୍ତ୍ରିକ ଭାବେ ଏକକାଳୀନ ନିର୍ବାଚନ ପାଇଁ ଆମର ଆର୍ଥିକ ନୀତି, ବୈଦେଶିକ ନୀତି ତଥା ଅନେକ ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏଭଳି ଏକ ଦୁର୍ବଳ ଶକ୍ତି ହାତରେ ଛଡ଼ାଯାଇ ପାରିବ ନାହିଁ। ଉଦାହରଣସ୍ୱରୂପ ୧୯୯୬ରେ ବାଜପେୟୀଙ୍କ ସରକାର ମାତ୍ର ୧୩ ଦିନରେ ଭାଙ୍ଗିଥିଲା। ଏକକାଳୀନ ନିର୍ବାଚନକୁ ଆଖିରେ ରଖି ଆମେ କ’ଣ ଏକ କାମଚଳା ସରକାର ହାତରେ ବାକି ୪ ବର୍ଷ ୧୧ ମାସ ୧୭ ଦିନ ପାଇଁ ଦେଶକୁ ଛାଡ଼ିଦେବା; ନା ୨୯ଟି ରାଜ୍ୟରେ ସରକାର ସଂଖ୍ୟାଗରିଷ୍ଠତା ଥାଇ ମଧ୍ୟ ରାଜ୍ୟ ସରକାରଗୁଡ଼ିକୁ ଲୋକସଭା ସହ ଭାଙ୍ଗିଦେବା? ଏକକାଳୀନ ନିର୍ବାଚନ ପାଇଁ ନିର୍ବାଚନ ଖର୍ଚ୍ଚ ହ୍ରାସର ଯେଉଁ ଯୁକ୍ତି ଉପସ୍ଥାପନ କରାଯାଉଛି ତାହା ଯଥାର୍ଥ ହୋଇପାରେ କିନ୍ତୁ ଯଥେଷ୍ଟ ନୁହେଁ। କାରଣ ୨୦୧୪ ଲୋକସଭା ନିର୍ବାଚନରେ ସରକାରଙ୍କ ୩୪୨୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ମୋଦି ସରକାରଙ୍କ ୪ ବର୍ଷର ବିଜ୍ଞାପନ ଖର୍ଚ୍ଚ ୩୫୦୦ କୋଟି ଟଙ୍କା। ଗଣତନ୍ତ୍ରକୁ ମୁକ୍ତ, ଅବାଧ, ନିରପେକ୍ଷ ତଥା ଜନବାଦୀ କରିବାକୁ ହେଲେ ଆଲୋଚିତ ଗୁରୁତ୍ୱପୂର୍ଣ୍ଣ ସଂସ୍କାରକୁ ଅବିଳମ୍ବେ ଆପଣେଇବାକୁ ହେବ।