www.samajalive.in
Monday, December 15, 2025
24.1 C
Bhubaneswar

କରୋନାର ନୂଆ ପ୍ରଭାବକୁ ରୋକିବ ଟିକା

ବ୍ରିଟେନରେ କରୋନାର ନୂଆ ପ୍ରଭାବ ଏବେ ଦେଶ ପରେ ଦେଶ ମାଡି ଚାଲିଥିବା ବେଳେ ଭାରତରେ ଅଦ୍ୟାବଧି ୬ ଜଣ ବ୍ରିଟେନ ଫେରନ୍ତା ନୂଆ ସଂକ୍ରମଣରେ ପୀଡିତ ହୋଇଥିବା ଜଣାପଡିଛି। ଦେଶରେ ସାମୁହିକ ଟୀକାକରଣ ପାଇଁ ଅଭ୍ୟାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସମୟରେ ଏବେ ପ୍ରସ୍ତୁତ ହେଉଥିବା କରୋନା ଟିକା କେତେ ଫଳପ୍ରଦ ହେବ ସେ ନେଇ ଯେଉଁ ସଂଶୟ ପ୍ରକାଶ ପାଇଥିଲା ସେଥିରେ ଅପାତତଃ ପୂର୍ଣ୍ଣଛେଦ ପଡିଛି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାପ୍ତାହିକ ତଥା ଚଳିତ ବର୍ଷର ଶେଷ ପ୍ରେସ ମିଟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ପରାମର୍ଶଦାତା ବୈଜ୍ଞାନିକ କେ. ବିଜୟ. ରାଘବନ କହିଛନ୍ତି।

- Advertisement -

ଭାରତରେ ହ୍ରାସ ପାଇଛି ସଂକ୍ରମଣ ଓ ମୃତ୍ୟୁ ହାର
ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଦେଶରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ଗତ ୬ ମାସ ମଧ୍ୟରେ ହ୍ରାସ ପାଇ ୨ ଲକ୍ଷ ୭୦ ହଜାରରୁ କମ ରହିଛି। ଏଠି ସହ ସର୍ବମୋଟ ସଂକ୍ରମଣ ହାର ମଧ୍ୟ ୬.୦୨ ପ୍ରତିଶତକୁ ହ୍ରାସ ପାଇଛି। ଗତ ସପ୍ତାହରେ ପଜିଟିଭ ହାର ମାତ୍ର ୨.୨୫ ପ୍ରତିଶତ ରହିଛି। ସେ କହିଛନ୍ତି, ଇନ୍ସାକଗ ନାମକ ଏକ ସଂଘ ଗଠନ କରାଯାଇଛି ଯେଉଁଥିରେ ଦେଶର ୧୦ଟି ବଡ ବଡ ପରୀକ୍ଷାଗାରକୁ ସାମିଲ କରାଯାଇଛି। ଏଥିରେ ସିଆଇଏସଆର, ଡ଼ିବିଟି, ଆଇସିଏମଆର ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲାବ ରହିଛି। ଏହି ସବୁ ପରୀକ୍ଷାଗାରରେ ଗତ ୧୧ ମାସରେ ୫ ହଜାରରୁ ଅଧିକ ଜିନୋମ ଉପରେ ଅଧ୍ୟୟନ କରାଯାଇଛି ଏବଂ ଦେଶରେ କୌଣସି ଅଂଚଳରେ କୋଭିଡ ଅଲଗା ରୂପ ଧାରଣ କରିନଥିବା ଜଣାପଡିଛି।

ଦେଶରେ ପୁରୁଷ ହୋଇଛନ୍ତି ଅଧିକ କୋଭିଡ ଆକ୍ରାନ୍ତ
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ ଦେଶରେ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ଆକ୍ରାନ୍ତ ହୋଇଛନ୍ତି। ପ୍ରାୟ ୬୩ ପ୍ରତିଶତ ପୁରୁଷ ସଂକ୍ରମଣର ଶିକାର ହୋଇଥିବା ବେଳେ ମହିଳାଙ୍କ ହାର ୩୭ ପ୍ରତିଶତ ରହିଛି। ସେହିପରି ବୟସ ବର୍ଗରେ ୧୭ ବର୍ଷରୁ କମ ୮ ପ୍ରତିଶତ ମାମଲା, ୧୮ରୁ ୨୫ ବର୍ଷ ମଧ୍ୟରେ ୧୩ ପ୍ରତିଶତ, ୨୬ରୁ ୪୪ ବର୍ଷ ମଧ୍ୟରେ ୩୯ ପ୍ରତିଶତ, ୪୫ରୁ ୬୦ ବର୍ଷ ବୟସ ମଧ୍ୟରେ ୨୬ ପ୍ରତିଶତ ଏବଂ ୬୦ରୁ ଅଧିକ ବୟସର ଲୋକମାନଙ୍କ ମଧ୍ୟରେ ୧୪ ପ୍ରତିଶତ ଲୋକେ ଏହି ସଂକ୍ରମଣର ଶିକାର ହୋଇଛନ୍ତି।

କରୋନା ନୂଆ ପ୍ରଭାବକୁ ରୋକିବ ଟିକା
ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ପରାମର୍ଶଦାତା ବୈଜ୍ଞାନିକ କେ. ବିଜୟ. ରାଘବନ କହିଛନ୍ତି ଯେ ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନକୁ ପ୍ରତିହତ କରିବା କ୍ଷେତ୍ରରେ ବର୍ତ୍ତମାନ ପ୍ରସ୍ତୁତ ହେଉଥିବା କୋଭିଡ ଟିକା ପ୍ରଭାବଶାଳୀ ହେବ। ସେ କହିଛନ୍ତି ଯେ କୋଭିଡ ଟିକା ଏହି ନୂଆ ଷ୍ଟ୍ରେନ କ୍ଷେତ୍ରରେ ବିଫଳ ହେବାର କୌଣସି ପ୍ରମାଣ ମିଳିନାହିଁ। ସେ କହିଛନ୍ତି ଯେ ଟିକା ସାଧାରଣତଃ ଭାଇରସ ଉପରେ ଥିବା ଆବରଣ ସ୍ପାଇକକୁ ଟାର୍ଗେଟ କରିଥାଏ ଏବଂ ନୂଆ ଷ୍ଟ୍ରେନ ସେହି ସ୍ପାଇକ ପ୍ରୋଟିନରେ ପ୍ରଭାବ ପକାଇବା ସହ ପରିବର୍ତ୍ତନ କରିଥାଏ। ଅନ୍ୟପକ୍ଷରେ ଟିକା ଆମ ଦେହରେ ବ୍ୟାପକ ଭାବରେ ଆଣ୍ଟି ବଡ଼ି ତିଆରି କରିଥାଏ ଯାହା କରୋନାର ନୂଆ ଷ୍ଟ୍ରେନର ମଧ୍ୟ ମୁକାବିଲା କରିପାରିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories