ସାମିଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା
କଲକାତା: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନିମନ୍ତେ ଅଡ଼ୁଆ କ୍ରମଶଃ ବଢ଼ିବାରେ ଲାଗିଛି। କିଛିଦିନ ତଳେ ପତ୍ନୀ ହସିନ୍ ଜାହାଁ ପତି ସାମିଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣିଥିବା ବେଳେ ଶୁକ୍ରବାର ବିଧିବଦ୍ଧ ଭାବେ ସ୍ଥାନୀୟ ଯାଦବପୁର ଥାନାରେ ସାମିଙ୍କ ବିରୋଧରେ ଲିଖିତ ଏତଲା ଦାଏର କରିଛନ୍ତି। ସାମିଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଧାରା ୪୯୮ଏ, ୩୨୩, ୩୦୭, ୫୦୬, ୩୨୮ ଓ ୩୪ ଦଫାରେ ମାମଲା ରୁଜୁ ହୋଇଛି। ପତ୍ନୀ ହସିନ୍ ଜାହାଁଙ୍କ ଅଭିଯୋଗ କ୍ରମେ ପୁଲିସ ହତ୍ୟା ଉଦ୍ୟମ, ଘରୋଇ ହିଂସା ସମେତ ଅନ୍ୟାନ୍ୟ ଧାରା ଅନୁଯାୟୀ ସାମିଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ସାମିଙ୍କ ବଡଭାଇଙ୍କ ବିରୋଧରେ ବଳତ୍କାର (୩୭୬) ଦଫାରେ ମାମଲା ରୁଜୁ କରାଯାଇଛି।
ଗତବର୍ଷ ଉତ୍ତର ପ୍ରଦେଶରେ ସାମିଙ୍କ ବଡ଼ଭାଇ ହସିବ ଅହମ୍ମଦ ତାଙ୍କୁ ବଳାତ୍କାର କରିଥିଲେ ବୋଲି ହସିନ୍ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ହସିନ୍ ଜାହାଁଙ୍କ ତରଫରୁ ପୁଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ; ସାମି ଓ ତାଙ୍କ ପରିବାର ୪ ଜଣ ସଦସ୍ୟ କ୍ରମାଗତ ଭାବେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ସାମି ପରକୀୟା ପ୍ରୀତିରେ ଲିପ୍ତ ଥିବା ଜଣାପଡ଼ିବା ପରେ ତାଙ୍କ ଉପରେ ଅତ୍ୟାଚାର ବଢ଼ି ଯାଇଥିଲା ବୋଲି ହସିନ୍ ଅଭିଯୋଗ କରିଛନ୍ତି। ସାମି ଓ ତାଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିବା ସହ ବିଷ ଦେଇ ମାରି ଦେବାକୁ ଚେଷ୍ଟା କରୁଥିଲେ। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କଲକାତା ପୁଲିସର ଯୁଗ୍ମ କମିସନର ପ୍ରବୀଣ ତ୍ରିପାଠୀ କହିଛନ୍ତି, ହସିନ୍ଙ୍କ ଅଭିଯୋଗ କ୍ରମେ ସାମିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ କେଉଁ କେଉଁ ଧାରାକୁ ନେଇ ତଦନ୍ତ ଆରମ୍ଭ କରାଯିବ; ସେଥିନେଇ ବିଚାର ବିମର୍ଶ ଚାଲିଛି। ହସିନ୍ଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ପୁଲିସ ସବୁମତେ ଉଦ୍ୟମ କରିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।
ଅନ୍ୟପକ୍ଷରେ ନିଜ ପ୍ରତିକ୍ରିୟାରେ ସାମି କହିଛନ୍ତି ତାଙ୍କ କ୍ରିକେଟ୍ ଜୀବନ ସମାପ୍ତ କରିବାକୁ ହସିନ୍ଙ୍କୁ ହାତକରି କେହି ଜଣେ ଷଡ଼ଯନ୍ତ୍ର କରୁଥିବା ଭଳି ଲାଗୁଛି। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଓ ଅମୂଳକ। ହସିନ୍ଙ୍କ ସହ କଥା ହେବାକୁ ସେ ଚେଷ୍ଟା କରିଥିଲେ ମଧ୍ୟ ହସିନ୍ ତାଙ୍କ ଫୋନ୍ ଉଠାଇନଥିଲେ। ତେବେ ସେ ହସିନ୍ଙ୍କ ବାପାଙ୍କ ସହ କଥା ହୋଇଛନ୍ତି ଏବଂ ସବୁ କିଛି ଖୁବ୍ ଶୀଘ୍ର ସମାଧାନ ହୋଇଯିବ ବୋଲି ସାମି ଆଶାବ୍ୟକ୍ତ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ; ହସିନ୍ ଜାହାଁଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ବିସିସିଆଇ ତରଫରୁ ନିକଟରେ ଘୋଷିତ ବାର୍ଷିକ ଚୁକ୍ତିରେ ସାମିଙ୍କୁ ସାମିଲ କରାଯାଇ ନାହିଁ।
ଏତଲା ଦେବା ପରେ ଥାନା ବାହାରେ ହସିନ୍ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ; ସାମିଙ୍କ ବହୁ ନାରୀଙ୍କ ସହ ପ୍ରେମ ସଂପର୍କ ରହିଛି। ଏଭଳି ସଂପର୍କରୁ ଦୂରେଇଯିବା ପାଇଁ ସେ ସାମିଙ୍କୁ ବହୁବାର ବୁଝାଇଛନ୍ତି। ତେବେ ସାମି ନିଜ ଦୋଷ ସ୍ୱୀକାର କରିବା ପରିବର୍ତ୍ତେ ତାଙ୍କୁ ଧମକ ଚମକ ଦେବା ସହ ମାଡ଼ ମାରିବାକୁ ପଛାଇନଥିଲେ। ଅତ୍ୟାଚାର ଅସହ୍ୟ ହେବାରୁ ସେ ପୁଲିସରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଛନ୍ତି। ହସିନ୍ ଖୁବ୍ କମ୍ ବୟସରୁ କଲକାତାରେ ନିଜ ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦୧୨ ଆଇପିଏଲ୍ ସମୟରେ ସାମିଙ୍କ ସଂପର୍କରେ ଆସିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା ଏବଂ ୨୦୧୪ରେ ସେମାନେ ବିବାହ କରିଥିଲେ। ସାମିଙ୍କ ଅନୁଯାୟୀ; ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀ, ଆର୍. ଅଶ୍ୱିନଙ୍କ ପତ୍ନୀ ପ୍ରୀତି, ଗୌତମ ଗମ୍ଭୀରଙ୍କ ପତ୍ନୀ ନତାଶା ଓ ଅଜିଙ୍କ୍ୟ ରାହାଣେଙ୍କ ପତ୍ନୀ ରାଧିକାଙ୍କ ସହ ହସିନ୍ଙ୍କ ଝଗଡ଼ା କରିଛନ୍ତି। ହସିନ୍ଙ୍କ ଅଭିଯୋଗ କ୍ରମେ ପୁଲିସ ମହମ୍ମଦ ସାମି ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ଭବିଷ୍ୟତରେ କ’ଣ ଘଟିବ ତାହାକୁ ନେଇ ବିଭିନ୍ନ ମହଲରେ ଉତ୍କଣ୍ଠା ଦେଖାଦେଇଛି।