ସିଡନୀରେ ଏଭଳି ଇଙ୍ଗିତ କରି ଅଷ୍ଟ୍ରେଲୀୟ ପ୍ରଶଂସକଙ୍କୁ ଚିଡ଼ାଇଲେ କୋହଲି
ଡେସ୍କ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅନେକ କାରଣରୁ ଚର୍ଚ୍ଚାରେ ରହିଥିଲା। ଏହାର ସବୁଠାରୁ ବଡ କାରଣ ଥିଲା ଭାରତୀୟ ଖେଳାଳିଙ୍କ ପ୍ରତି ଅଷ୍ଟ୍ରେଲୀୟ ପ୍ରଶଂସକ ଓ ଅଷ୍ଟ୍ରେଲୀୟ ଗଣମାଧ୍ୟମର ଆଚରଣ। ତେବେ ବିରାଟ କୋହଲି ସିଡନୀରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟରେ ଏସବୁର ଜବାବ ଦେଇଥିଲେ। ଅଷ୍ଟ୍ରେଲିଆର ଦ୍ବିତୀୟ ଇନିଂସରେ ସେ ଅଷ୍ଟ୍ରେଲିଆ ପ୍ରଶଂସକ ଓ ଗଣମାଧ୍ୟମକୁ କଡ଼ା ଜବାବ ଦେଇଥିଲେ। ବିରାଟ ତାଙ୍କୁ ସାଣ୍ଡପେପର ଗେଟ୍ ଦୁର୍ନୀତି କଥା ମନେ ପକାଇ ଦେଇଥିଲେ। ୨୦୧୮ରେ ଅଷ୍ଟ୍ରେଲିଆର ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଘଟିଥିବା ସାଣ୍ଡପେପର ଗେଟ୍ ଦୁର୍ନୀତିର ଦୃଶ୍ୟକୁ ସେ ନକଲ କରୁଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି।
ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଗଣମାଧ୍ୟମ ବିରାଟ କୋହଲିଙ୍କୁ ଏଭଳି ଭାବେ ବର୍ଣ୍ଣନା କରିଥିଲା ଯେମିତି କି ତାଙ୍କ ଯୋଗୁ ଏହି ସିରିଜର ମାନ୍ୟତା ଅଧିକ ବୋଲି ଅନୁଭବ ହେବ। ତେବେ ଦ୍ବିତୀୟ ଟେଷ୍ଟ ପରେ ଅଷ୍ଟ୍ରେଲିଆ ଗଣମାଧ୍ୟମର ଦୋମୁହାଁ ଚରିତ୍ର ସାମ୍ନାକୁ ଆସିଥିଲା। ଅଷ୍ଟ୍ରେଲିଆ ଗଣମାଧ୍ୟମ ବିରାଟଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ବିରାଟଙ୍କ ଫଟୋଗୁଡ଼ିକୁ ଏଡିଟ୍ କରି ଭୁଲ ଭାବେ ଉପସ୍ଥାପନ କରାଯାଇଥିଲା। କେବଳ ବିରାଟ ନୁହଁନ୍ତି, ରୋହିତ ଏବଂ ବାକି ଭାରତୀୟ ଖେଳାଳିଙ୍କୁ ମଧ୍ୟ ସମାନ ଢଙ୍ଗରେ ଟାର୍ଗେଟ କରାଯାଇଥିଲା। ତଥାପି ଭାରତୀୟ ଖେଳାଳିମାନେ ନିଜର ସ୍ଥିରତା ବଜାୟ ରଖିଥିଲେ। ଶନିବାର ଦିନ ରୋହିତ ଶର୍ମା କହିଥିଲେ ଯେ ତାଙ୍କ ଦଳ ଅଷ୍ଟ୍ରେଲିଆ ପ୍ରଶଂସକଙ୍କୁ କଡା ଜବାବ ଦେବା ଚାହୁଁଛି। ରବିବାର ବିରାଟ ମଧ୍ୟ ସ୍ଥାନୀୟ ପ୍ରଶଂସକଙ୍କୁ କଡା ଜବାବ ଦେଇଥିଲେ।
ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ପ୍ରସିଦ୍ଧ କ୍ରିଷ୍ଣା ଷ୍ଟିଭ୍ ସ୍ମିଥ୍ଙଙ୍କୁ ତୃତୀୟ ୱିକେଟ୍ ଭାବେ ଆଉଟ୍ କରିବା ପରେ ବିରାଟ ଷ୍ଟାଡିୟମରେ ଉପସ୍ଥିତ ଥିବା ଅଷ୍ଟ୍ରେଲୀୟ ପ୍ରଶଂସକଙ୍କ ଆଡ଼କୁ ମୁହାଁଇଥିଲେ। ଖାଲି ପକେଟ ଦେଖାଇଲେ, ତା’ପରେ ତାଙ୍କ ପୋଷାକ ଭିତରେ ମଧ୍ୟ ସ୍ୟାଣ୍ଡ ପେପର ନଥିବା ଦେଖାଇଲେ। ଏଭଳି ଇଙ୍ଗିତ ମାଧ୍ୟମରେ ବିରାଟ ଦେଖେଇବାକୁ ଚାହୁଁଥିଲେ ଯେ ସେ ଅଷ୍ଟ୍ରେଲିଆ ଖେଳାଳିଙ୍କ ଭଳି ବଲରେ ସ୍ୟାଣ୍ଡ ପେପର ଘଷୁନାହାନ୍ତି। କୋହଲିଙ୍କ କହିବା ଅନୁଯାୟୀ, ଟିମ୍ ଇଣ୍ଡିଆ ନେଇଥିବା ୱିକେଟ୍ ସମ୍ପୂର୍ଣ୍ଣ କଠିନ ପରିଶ୍ରମ ଯୋଗୁ ମିଳିଥିଲା। ସେମାନେ ଅଷ୍ଟ୍ରେଲିଆ ଭଳି ବିଜୟ ପାଇଁ ଭୁଲ କିମ୍ବା ଫାଉଲ ସ୍କୋରିଂ ରାସ୍ତା ବାଛି ନଥିଲେ।
୨୦୧୮ରେ ବଲ୍ ଟ୍ୟାମ୍ପରିଙ୍ଗ ବିବାଦ ଚର୍ଚ୍ଚାରେ ରହିଥିଲା। ସେତେବେଳେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ଭେଟିଥିଲା। ୨୦୧୮ରେ ସେଣ୍ଡପେପର ଦୁର୍ନୀତି ସମୟରେ ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍, କ୍ୟାମେରନ୍ ବ୍ୟାନକ୍ରଫ୍ଟ ଓ ଡେଭିଡ୍ ୱାର୍ଣ୍ଣର ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। କେପଟାଉନରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ଏହି ତିନି ଜଣ ବଲ୍ ଟ୍ୟାମ୍ପରିଙ୍ଗ ଉଦ୍ୟମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ଘଟଣା ପରେ କ୍ରିକେଟ୍ ଅଷ୍ଟ୍ରେଲିଆ ୱାର୍ଣ୍ଣରଙ୍କ ଉପରେ ଅଧିନାୟକତ୍ୱ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲା। ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ କ୍ୟାମେରନ୍ ବ୍ୟାନକ୍ରଫ୍ଟ ବଲରେ ସ୍ୟାଣ୍ଡପେପର ପ୍ରୟୋଗ କରୁଥିବା ଧରାପଡ଼ିବା ପରେ ୱାର୍ଣ୍ଣର ଓ ସ୍ମିଥ୍ଙଙ୍କୁ ଏକ ବର୍ଷ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାରୁ ନିଷିଦ୍ଧ କରାଯାଇଥିଲା।
ସ୍ୟାଣ୍ଡ ପେପରର ଅର୍ଥ ହେଉଛି ବାଲି କାଗଜ। ଏହାକୁ ସାଧାରଣତଃ କାଠ ଓ ଧାତୁ ନିର୍ମିତ କେତେକ ବସ୍ତୁରେ ଘଷାଯାଇ ମସୃଣ କରାଯାଇଥାଏ। ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ଖେଳାଳି ବାଲି କାଗଜ ବ୍ୟବହାର କରି ବଲକୁ ମସୃଣ କରିଦେଉଥିଲେ ଯାହା ଫଳରେ ଦକ୍ଷିଣ ଆଫ୍ରିକାର ଅନେକ ଉଇକେଟ ଯାଇଥିଲା।
Comments are closed.