ଦୁଇ ହାତ ନ ଥିବା ସତ୍ତ୍ବେ ପାଠପଢ଼ାରେ ଧୁରୀଣ ଅମନ୍
ଏଭଳି ସଂଖ୍ୟାଧିକ ପିଲା ଅଛନ୍ତି, ଯେଉଁମାନେ ବିଭିନ୍ନ କାମରେ ପାରଙ୍ଗମ ହୋଇଥିବା ସତ୍ତ୍ବେ ପାଠପଢ଼ାରେ ପଛୁଆ। ଆଜିକାଲି ପିତାମାତାମାନେ ପିଲାଙ୍କ ସମସ୍ତ ସଉକ୍ ପୂରଣ କରିବା ସହ ସୋମନଙ୍କ ପଢ଼ାପଢ଼ି ନିମନ୍ତେ ନାନାଦି ଜିନିଷମାନ ଖଞ୍ଜି ଦେଉଛନ୍ତି। ହେଲେ ଏହି ପିଲାମାନେ ସେଭଳି କିଛି ଚମତ୍କାର ପ୍ରଦର୍ଶନ କରୁନାହାନ୍ତି। ଏଭଳି ବର୍ଗର ପିଲାଙ୍କ ନିମନ୍ତେ ଏକ ସୁନ୍ଦର ଓ ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ୧୩ ବର୍ଷୀୟ ଅମନ୍ ସିଂହ। ରାଜସ୍ଥାନର ଏକ ସାଧାରଣ ପରିବାରର ସାନ ପୁଅ ହେଲେ ଅମନ୍। ବଡ଼ ଭଉଣୀ ଗୀତିକା ଡାକ୍ତରୀ ଛାତ୍ରୀ। କହିବାକୁ ଗଲେ, ଦୁଇ ପିଲାଙ୍କ ଭଲ ପାଠପଢ଼ା ପାଇଁ ତାଙ୍କ ବାପା-ମା’ ସେଠାରେ ପରିଚିତ। ଫେବୃଆରୀ ୨୦୧୧ର ଘଟଣା। ସପରିବାର ସେମାନେ ରେଳରେ ଲକ୍ଷ୍ନୌ ଯାତ୍ରା କରୁଥିଲେ। ଅମନ୍ ସାମାନ୍ୟ ଅସାବଧାନତା ହେବା କାରଣରୁ ସେ ରେଳଧାରଣା ଉପରେ ପଡ଼ିଯାଇଥିଲେ ଓ ତାଙ୍କର ଦୁଇ ହାତ କଟିଯାଇଥିଲା। ପ୍ରାୟ ୨ ବର୍ଷ ଚିକିତ୍ସା ଚାଲିବା ପରେ ହିଁ ଅମନ୍ ବିଦ୍ୟାଳୟ ଯିବା ନିମନ୍ତେ ସକ୍ଷମ ହୋଇଥିଲେ। ଦୁଇ ହାତ ନଥିବା ସତ୍ତ୍ବେ ସପ୍ତମ ଶ୍ରେଣୀରେ ଏବେ ମଧ୍ୟ ସେ ଶୀର୍ଷ ସ୍ଥାନରେ ରହୁଛନ୍ତି। ପୂରା ରାଜସ୍ଥାନ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଅମନ୍ ଏକ ଉତ୍ତମ ଉଦାହରଣ ପାଲଟିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ହାତ ନଥିବା ଜାଣିବା ପରେ କିଛି ମାସ ପର୍ଯ୍ୟନ୍ତ ତାଙ୍କ ମାନସିକ ସ୍ଥିତି ଠିକ୍ ରହିନଥିଲା। ଏଇ ପରିସ୍ଥିତିରେ ବାପା ମଧ୍ୟ ଭାଙ୍ଗିପଡ଼ିଥିଲେ। ମନୋବଳ ବଢ଼ାଇଥିଲେ ମା’ ଓ ବଡ଼ ଭଉଣୀ ଗୀତିକା। ଈଶ୍ବରଙ୍କ ଏଇ ସୁନ୍ଦର ସୃଷ୍ଟିରେ ସେ ଜୀବିତ ଅଛନ୍ତି, ତାହା ହିଁ ତାଙ୍କ ପାଇଁ ବଡ଼ କଥା। ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାରେ ଲକ୍ଷ୍ୟ ରଖିଛନ୍ତି ଏଇ କୁନି ବାଳକ ଅମନ୍।