ମାଗଣା ପାଠ ପଢାଉଛନ୍ତି ଅବସରପ୍ରାପ୍ତ ଉପଜିଲାପାଳ
ଆଜିର ସମୟରେ ବିନା ସ୍ବାର୍ଥବାଦୀ ଲୋକଟିଏ ଖୋଜିବା ମୁସ୍କିଲ୍। ସମସ୍ତେ ଚାହିଁଥାନ୍ତି ନିଜର କାମ ହାସଲ। ହାତଗଣତି ବୋଧହୁଏ କେତେଜଣ ଲୋକ ହିଁ ଅନ୍ୟ ପାଇଁ ନିଜ ପ୍ରାଣ ଉତ୍ସର୍ଗ କରିବାକୁ ଦ୍ବିଧା କରିନଥାନ୍ତି। ଏଇଭଳି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ମୁମ୍ବଇର ଅବସରପ୍ରାପ୍ତ ଡେପୁଟି କଲେକ୍ଟର କିରୋଡିମଲ୍ ଅଗ୍ରୱାଲ୍। ଚାକିରିରୁ ଅବସର ପରେ ସେ ଗଲା ୧୧ବର୍ଷ ହେଲା ଦେଶ ସେବାରେ ଲାଗିଛନ୍ତି। ପ୍ରଶାସନିକ ସେବା ନିମନ୍ତେ ଉତ୍ସୁକ ଗରିବ ବର୍ଗର ଛାତ୍ରଛାତ୍ରୀଙ୍କୁ କିରୋଡିମଲ୍ କୋଚିଂ ଦେଉଛନ୍ତି। ପାଉଣା ଟଙ୍କାଟିଏ ନିଅନ୍ତିନାହିଁ, ହେଲେ କଡ଼ା ଅନୁଶାସନରେ ସଂଖ୍ୟାଧିକ ଛାତ୍ରଛାତ୍ରୀଙ୍କୁ ପ୍ରଶାସନିକ କ୍ଷେତ୍ରରେ ଉତ୍ତୀର୍ଣ୍ଣ କରାଇପାରିଛନ୍ତି। ନିଜ କୋଚିଂ ସେଣ୍ଟରର ସେ କୌଣସି ପ୍ରଚାର କରନ୍ତିନାହିଁ। ହେଲେ କେଉଁଆଡ଼ୁ ପ୍ରତିବର୍ଷ ସଂଖ୍ୟାଧିକ ଯୁବପିଢ଼ି ଏଠାକୁ ଧାଇଁ ଆସନ୍ତି। କେବଳ ଯେ ନିଃଶୁଳ୍କ କୋଚିଂ ଲାଳସା ଶୁଣି ଏହି କେନ୍ଦ୍ରକୁ ଆସିଲେ ଲାଭ ମିଳିନଥାଏ। ବରଂ ଏଥିପାଇଁ କିରୋଡିମଲ୍ ପ୍ରତି ସପ୍ତାହରେ ଥରେ ସେମାନଙ୍କର ପରୀକ୍ଷା କରନ୍ତି। ଅକୃତକାର୍ଯ୍ୟ ହେଲେ ସେମାନଙ୍କୁ ତୁରନ୍ତ ବାଦ୍ ଦିଆଯାଏ। ନିଜର ଏଇ ସେବା ପାଇଁ ସେ କହିଛନ୍ତି, ଈଶ୍ବର କିଛିହେଲେ ତାଙ୍କର ଅଭାବ ରଖିନାହାନ୍ତି। ଦେଶର ଏଇ ପିଢ଼ିଙ୍କ ଠାରୁ ସାମାନ୍ୟ ପାଉଣା ନେଇ କ’ଣ ସେ ଧନୀ ହୋଇଯିବେ। ବରଂ ଏଭଳି ଅଭାବୀ ପିଲାଙ୍କୁ ସାହାଯ୍ୟ କରିପାରୁଥିବାରୁ ତାଙ୍କୁ ଆତ୍ମସନ୍ତୋଷ ମିଳୁଥିବାର କହିଛନ୍ତି କିରୋଡିମଲ୍। ତାଙ୍କରି ପାଖରୁ ପ୍ରଶାସନିକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରି ଜୟା ବିଶ୍ବାସ, ମିତାଲୀ ଦେ, ଅନୁଜ ରାଓ, ହିତେନ୍ ସାମଲ, ସୌମେଶ୍ ସିଂ, ଅଂଶୁଲା କୁଲି ଓ ଅନ୍ୟ ୩୧ଜଣ ଛାତ୍ରଛାତ୍ରୀ ଆଜି ପ୍ରଶାସନିକ ସେବା ଅଧିକାରୀ ହୋଇପାରିଛନ୍ତି। ଏହା ହିଁ ତାଙ୍କ ପାଇଁ ଗୁରୁଦକ୍ଷିଣା ବୋଲି ସେ କହିଛନ୍ତି।