ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଶାନ୍ତି କଥାବାର୍ତ୍ତା

0

ପୋଙ୍ଗୟାଙ୍ଗ : ଅତୀତର ଶତ୍ରୁତାକୁ ପଛରେ ପକାଇ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ଶାନ୍ତି ପ୍ରତିଷ୍ଠା ପାଇଁ କଥାବାର୍ତ୍ତା କରିଛନ୍ତି। ମଙ୍ଗଳବାର ଦକ୍ଷିଣ କୋରିଆର ଏକ ପ୍ରତିନିଧି ଦଳ ଉତ୍ତର କୋରିଆ ଗସ୍ତରେ ଆସି ଏହାର ସର୍ବୋଚ୍ଚ ନେତା କିମ୍‌ ଜଙ୍ଗ ଉନ୍‌ଙ୍କ ସହ କଥାବାର୍ତ୍ତା କରିଛନ୍ତି। କଥାବାର୍ତ୍ତା ପରେ ଉତ୍ତର କୋରିଆ ଏହାର ଅଣୁଅସ୍ତ୍ର ପ୍ରସ୍ତୁତି କାର୍ଯ୍ୟ ବନ୍ଦ କରିବା ନେଇ ସମ୍ମତି ପ୍ରକାଶ କରିଛି। ଦକ୍ଷିଣ କୋରିଆର ପ୍ରତିନିଧି ଦଳଙ୍କ କହିବା ଅନୁଯାୟୀ ସୁରକ୍ଷା ପ୍ରତିଶ୍ରୁତି ମିଳିଲେ ଉତ୍ତର କୋରିଆ ଏହାର ଅଣୁଅସ୍ତ୍ର ପ୍ରସ୍ତୁତି କାର୍ଯ୍ୟ ବନ୍ଦ କରିବ। ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସୁରକ୍ଷା ପରାମର୍ଶଦାତା ଚୁଙ୍ଗ ଇୟୁ-ୟଙ୍ଗ କହିଛନ୍ତି ଉତ୍ତର କୋରିଆ ପ୍ରତି ସାମରିକ ଭୟ ରହିଥିବାରୁ ଏହା ଅଧିକରୁ ଅଧିକ ଅଣୁଅସ୍ତ୍ର ତିଆରି କରୁଛି। ଆଉ ଏହି ସାମରିକ ଭୟ ଦୂର କରିବାର ପ୍ରତିଶ୍ରୁତି ଦିଆଗଲେ ଏହା ଅସ୍ତ୍ରଅସ୍ତ୍ର ତିଆରିରୁ ବିରତ ରହିବ। ଆଜିର କଥାବାର୍ତ୍ତା ପରେ ଦୁଇଦେଶ ମଧ୍ୟ ହଟ୍‌ ଲାଇଟ ଫୋନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି ଆମେରିକା ସହିତ କଥାବାର୍ତ୍ତା କରିବାକୁ ଉତ୍ତର କୋରିଆ ନିଜର ଇଚ୍ଛା ପ୍ରକାଶ କରିଛି। ୧୯୫୩ରୁ ଦୁଇ କୋରିଆ ମଧ୍ୟରେ ତିକ୍ତତା ରହିଆସିଥିବାବେଳେ ଏବେ ଶାନ୍ତି ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେଇଛନ୍ତି। ଆସନ୍ତା ମାସରେ ସୀମାନ୍ତ ପାନମୁନଜୋମ୍‌ରେ ଦୁଇଦେଶର ପ୍ରଥମ ଶିଖର ସମ୍ମିଳନୀ ହେବା ନେଇ ନିଷ୍ପତ୍ତି ନିଆଯାଇଥିବା ଚୁଙ୍ଗ କହିଛନ୍ତି। ଏହି ଶିଖର ସମ୍ମିଳନୀ ପୂର୍ବରୁ ଉତ୍ତରକୋରିଆ ଏହାର ସମସ୍ତ ଆଣବିକ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ଘୋଷଣା କରିଛି।

Leave A Reply