ମେଘାଳୟରେ ମୁଖ୍ୟମନ୍ତ୍ରୀ ସାଙ୍ଗମାଙ୍କ ଶପଥ

0

ଶିଲଂ : ନ୍ୟାସନାଲ ପିପୁଲ୍‌ସ ପାର୍ଟି (ଏନ୍‌ପିପି) ସଭାପତି କନ୍‌ରାଡ୍‌ ସାଙ୍ଗମା ମେଘାଳୟ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ମଙ୍ଗଳବାର ସ୍ଥାନୀୟ ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଗଙ୍ଗା ପ୍ରସାଦ ସାଙ୍ଗମାଙ୍କୁୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସାଙ୍ଗମାଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ଅନ୍ୟ ୧୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ।
ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ମୋଟ ୫୯ଟି ଆସନ ମଧ୍ୟରୁ କ୍ଷମତାସୀନ କଂଗ୍ରେସ ୨୧ଟି ଆସନରେ ବିଜୟୀ ହୋଇଥିବାବେଳେ ଏନ୍‌ପିପି ୧୯ଟି, ୟୁଡିପି (ୟୁନାଇଟେଡ ଡେମୋକ୍ରାଟିକ୍‌ ପାର୍ଟି) ୬, ପିଡିଏଫ୍‌ (ପିପୁଲ୍‌ସ ଡେମୋକ୍ରାଟିକ ଫ୍ରଣ୍ଟ) ୪, ବିଜେପି ୨, ହିଲ୍‌ ଷ୍ଟେଟ୍‌ ପିପୁଲ୍‌ସ ଡେମୋକ୍ରାଟିକ ପାର୍ଟି (ଏଚ୍‌ଏସ୍‌ପିଡିପି) ୨, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ୧, କେଏଚ୍‌ଏନଏମଏମ୍‌ ୧ ଓ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ ହୋଇଛନ୍ତି। ନିର୍ବାଚନରେ ବିଜେପିକୁ ମାତ୍ର ୨ଟି ଆସନ ମିଳିଥିଲେ ସୁଦ୍ଧା ଏଠାରେ ସରକାର ଗଠନ ପ୍ରକ୍ରିୟାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଛି। ଏନ୍‌ପିପି, ୟୁଡିପି, ପିଡିଏଫ୍‌, ବିଜେପି ଓ ଅନ୍ୟ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଯୋଗାଡ କରି ରାଜ୍ୟରେ ଏକ ନୂତନ ମେଣ୍ଟ ଯଥା ମେଘାଳୟ ଡେମୋକ୍ରାଟିକ ଆଲାଏନ୍ସ ଗଠନ କରାଯାଇଛି। ଏଚ୍‌ଏସ୍‌ପିଡିପି ପ୍ରଥମେ ଏହି ମେଣ୍ଟରେ ସାମିଲ ହେବ ନାହିଁ ବୋଲି ଘୋଷଣା କରିଥିଲା। ତେବେ ଶେଷ ମୁହୂର୍ତ୍ତରେ ଦଳର ନବନିର୍ବାଚିତ ଦୁଇ ବିଧାୟକଙ୍କ ମଧ୍ୟରୁ ସାମଲିନ୍‌ ମାଲ୍‌ଜିଆଙ୍ଗ୍‌ ମଙ୍ଗଳବାର ସାଙ୍ଗମାଙ୍କ କ୍ୟାବିନେଟରେ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ଦଳର ଦୁଇଜଣ ବିଧାୟକ ୟୁଡିପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୟୁଡିପି ବିଧାୟକ ଡୋନ୍‌କୁପାର ରାୟ ବାଚସ୍ପତି ମନୋନୀତ ହେବାର ସମ୍ଭାବନା ଉଜ୍ଜ୍ୱଳ ହୋଇଉଠିଛି। ତେବେ ସାଙ୍ଗମାଙ୍କ କ୍ୟାବିନେଟରେ ଉପ ମୁଖ୍ୟମନ୍ତ୍ରୀ ପଦ ରହିବ ନାହିଁ ବୋଲି ମେଣ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି।
୪୦ ବର୍ଷୀୟ କନ୍‌ରାଡ ସାଙ୍ଗମା ହେଉଛନ୍ତି ପୂର୍ବତନ ଲୋକସଭା ବାଚସ୍ପତି ପି.ଏ.ସାଙ୍ଗମାଙ୍କ ପୁତ୍ର। ୨୦୦୮ରେ ରାଜନୀତିରେ ପ୍ରବେଶ କରିଥିବା କନ୍‌ରାଡ୍‌ ପ୍ରଥମ ନିର୍ବାଚନରେ ପରାଜିତ ହୋଇଥିଲେ। ତେବେ ୨୦୧୬ରେ ପିତାଙ୍କ ପରଲୋକ ପରେ କନ୍‌ରାଡ୍‌ ତୁରା ଲୋକସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ବିଜୟୀ ହୋଇଥିଲେ। ପିତାଙ୍କ ଅକସ୍ମାତ ମୃତ୍ୟୁ ପରେ ଦୁଇ ପୁତ୍ର ଜେମ୍‌ସ ଓ କନ୍‌ରାଡ୍‌ ଆଞ୍ଚଳିକ ଦଳ ଏନ୍‌ପିପିକୁ ନୂତନ ଶିଖରରେ ପହଞ୍ଚାଇଛନ୍ତିି।

Leave A Reply