ବିବର୍ଣ୍ଣ ଓ ଅଶାନ୍ତ ଭୂସ୍ବର୍ଗର କଥା
ନିତ୍ୟାନନ୍ଦ ମିଶ୍ର
୨୦୧୫ ନିର୍ବାଚନରେ କୌଣସି ଦଳ ସଂଖ୍ୟାଗରିଷ୍ଠ ସମର୍ଥନ ନ ପାଇବାରୁ ରାଜ୍ୟପାଳ ଶାସନ ଏଡ଼ାଇବାକୁ ପରସ୍ପର ବିପରୀତ ବିଚାର ଓ କାର୍ଯ୍ୟଧାରା ସତ୍ତ୍ବେ ଜାମ୍ମୁକାଶ୍ମୀରରେ ପିଡିପି ଓ ବିଜେପି ଶାସନକୁ ମିଳିତ ଭାବେ ଆସିଥିଲେ। ତିନି ବର୍ଷର ପିଡିପି-ବିଜେପି ମନ୍ତ୍ରିମଣ୍ଡଳର ନିକଟରେ ଅଚାନକ ପତନ ଘଟିଲା। ମନ୍ତ୍ରିମଣ୍ଡଳ ପତନର ଦିନକ ପରେ ରାଷ୍ଟ୍ରପତି କାଶ୍ମୀର ସମ୍ବିଧାନର ୯୨ ଧାରା ଅନୁସାରେ ରାଜ୍ୟପାଳଙ୍କ ସୁପାରିସ କ୍ରମେ କାଶ୍ମୀରରେ ରାଜ୍ୟପାଳ ଶାସନ ଜାରି କଲେ। ଭାରତୀୟ ସମ୍ବିଧାନର ୩୭୦ ଧାରା ମତେ କାଶ୍ମୀର ପାଇଁ ଏକ ସ୍ବତନ୍ତ୍ର ସାମ୍ବିଧାନିକ ସ୍ଥିତି ଅଛି ଓ ତଦନୁସାରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବା ବଦଳରେ ରାଜ୍ୟପାଳ ଶାସନ ଛଅମାସ ପାଇଁ ଲାଗୁ ହେଲା। ରାଜ୍ୟପାଳ ଶାସନର ଛଅମାସ ପରେ ତେଣିକି ନିର୍ବାଚନ ବା ରାଷ୍ଟ୍ରପତି ଶାସନ। ଚାରି ଦଶନ୍ଧି ମଧ୍ୟରେ କାଶ୍ମୀରରେ ଏହା ଅଷ୍ଟମଥର ପାଇଁ ରାଜ୍ୟପାଳ ଶାସନ। କିନ୍ତୁ ରାଜ୍ୟ ବିଧାନସଭାକୁ ଭଙ୍ଗ ନକରି ଜୀବିତ ରଖାଯାଇଛି। ୮୧ ବର୍ଷୀୟ ରାଜ୍ୟପାଳ ଏନଏନ ଭୋରା ଚତୁର୍ଥଥର ପାଇଁ ରାଜ୍ୟ ଶାସନ ହାତକୁ ନେଇଛନ୍ତି।
କେହିକେହି କହନ୍ତି- ‘ଏସା ହୋନା ହି ଥା’। କାହିଁକି ନା ପିଡିପି ଓ ବିଜେପି ମଧ୍ୟରେ କିଛି ବିଚାରଗତ ବା ପ୍ରୟୋଗାତ୍ମକ ସାମଞ୍ଜସ୍ୟ କେବେ ନଥିଲା କି ଏବେ ମଧ୍ୟ ନାହିଁ। ଇତିହାସ ଓ ଭୂଗୋଳ ଏଥିପାଇଁ ଦାୟୀ। ଧର୍ମ ଭିତ୍ତିରେ ପାକିସ୍ତାନ ଗଠିତ ହୋଇଥିବାରୁ ଭାରତରେ ରହିଯାଇଥିବା ମୁସଲମାନ ସମୁଦାୟର ପାକିସ୍ତାନ ପ୍ରତି ମମତା ଓ ସହାନୁଭୂତି ରହି ଆସିବା କଥା ସମସ୍ତେ ଜାଣନ୍ତି। ସେଥିପାଇଁ ମେହବୁବା ମୁଫ୍ତି ଆତଙ୍କବାଦୀଙ୍କ ପ୍ରତି କୋହଳ ମନୋଭାବ ଦେଖାଉଥିଲେ। ସେନାବାହିନୀର ଯୱାନଙ୍କ ଉପରକୁ ପଥର ଫୋପାଡ଼ୁଥିବା ଏଗାର ହଜାର ଲୋକଙ୍କ ଉପରୁ ମୋକଦ୍ଦମା ସେ ଉଠେଇ ନେଇଥିଲେ। ବିଜେପି ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ଅଗୋଚରରେ ପିଡିପି-ବିଜେବି ମିଳିତ ସରକାରରୁ ଓହରିଯିବାକୁ ଉପଯୁକ୍ତ ସମୟକୁ ଅପେକ୍ଷା କରିଥିଲା। ଦୁଇ ଦଳର ଏହା ଏକ ବାଧ୍ୟତାମୂଳକ ବ୍ୟବସ୍ଥା ଥିଲା। ବିଚାର ବା କୌଶଳାତ୍ମକ ଦୃଷ୍ଟିରୁ ସେମାନଙ୍କ ଭିତରେ କିଛି ସାମ୍ୟ ନଥିଲା। ମନ ଫଟାଫଟି ଆରମ୍ଭ ହୋଇଥିଲା ଆତଙ୍କବାଦୀ ବୁରହାନ୍ ୱାନିଙ୍କର ସେନା ବାହିନୀ ହାତରେ ମୃତ୍ୟୁ ହେବା ଦିନରୁ। ଏହି ମୃତ୍ୟୁରେ ବିଚ୍ଛିନ୍ନତାବାଦୀ, ଆତଙ୍କବାଦୀମାନେ ଓ ପାକିସ୍ତାନ ପ୍ରତି ଭିତିରିଆ ପ୍ରୀତି ଥିବା କାଶ୍ମୀରର କେତେକ ଲୋକ ଉତ୍କ୍ଷିପ୍ତ ହୋଇ ପଡ଼ିଥିଲେ। ପିଡିପି ମଧ୍ୟ ଅସହଜ ହୋଇପଡ଼ିଥିଲା। ଏହାପରେ ଘଟିଲା କଠୁଆ ଧର୍ଷଣ ମାମଲା। ଆଠବର୍ଷର ଏକ ନାବାଳିକା ପ୍ରତି ହୋଇଥିବା ଗଣବଳାତ୍କାର ଉଭୟ ଦଳର ସମ୍ପର୍କକୁ ଆହୁରି ତିକ୍ତ କରିଥିଲା। ପିଡିପି ଏହି ଗଣଧର୍ଷଣ ପାଇଁ ବିଜେପିର କିଛି ନେତାଙ୍କୁ ଦାୟୀ କରିଥିଲା। ଏହି ଘଟଣା ଏପରି ତିକ୍ତ ହୋଇଥିଲା ଯେ ବିଜେପି ମନ୍ତ୍ରିମଣ୍ଡଳରୁ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ତା’ର ଦୁଇଜଣ ମନ୍ତ୍ରୀଙ୍କୁ ବଦଳେଇବାକୁ ବାଧ୍ୟ ହୋଇଥିଲା। ଏହି ସମୟରେ ବିଜେପି ମିଳିତ ସରକାରରୁ ଓହରି ଆସି ପାରିଥାନ୍ତା; କିନ୍ତୁ ତାହା ଉପଯୁକ୍ତ ସମୟ ନୁହେଁ ବୋଲି ବିଚାର କରି ସମୟକୁ ଅପେକ୍ଷା କରିଥିଲା। ଦେଶର ସାଧାରଣ ନିର୍ବାଚନ ସହ କାଶ୍ମୀର ନିର୍ବାଚନ କରେଇବା ପାଇଁ ବିଜେପି ଦିନ ଗଣୁଥିଲା। ଏହାପରେ ପବିତ୍ର ରମଜାନ୍ ସମୟରେ ସେନାବାହିନୀର ଅପରେସନ ବନ୍ଦ କରି ଅସ୍ତ୍ରବିରତି କରିବାକୁ ମୁଖ୍ୟମନ୍ତ୍ରୀ ମେହବୁବା ଚାହିଁଥିଲେ। ଏହା ମେହବୁବାଙ୍କର ଆତଙ୍କବାଦୀଙ୍କ ପ୍ରତି କୋହଳ ନୀତିର ଏକ ଉଦାହରଣ। ବିଜେପି ଏହା ନ ଚାହୁଁଥିଲେ ମଧ୍ୟ କୌଶଳାତ୍ମକ ଦୃଷ୍ଟିରୁ ଏହି ପ୍ରସ୍ତାବକୁ ଅନିଚ୍ଛା ସତ୍ତ୍ବେ ଗ୍ରହଣ କରିଥିଲା। ରମଜାନ ପରେ ମଧ୍ୟ ଅସ୍ତ୍ରବିରତି ଅବ୍ୟାହତ ରହୁ ବୋଲି ମଧ୍ୟ ମେହବୁବା ଚାହୁଁଥିଲେ। ସରକାରରୁ ବିଜେପି ଓହରି ଆସିବାର ଚାରିଦିନ ପୂର୍ବରୁ ଘଟିଲା ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ‘ରାଇଜିଂ କାଶ୍ମୀର’ ନାମକ ଏକ ଧର୍ମ ନିରପେକ୍ଷବାଦୀ ସମ୍ବାଦପତ୍ରର ସଂପାଦକ ଶୁଜାତ୍ ବୁଖାରୀ ଶ୍ରୀନଗରରେ ଅଫିସ କାମ େଶଷକରି ତାଙ୍କ ଦେହରକ୍ଷୀଙ୍କ ସହ ବାହାରକୁ ଆସି ତାଙ୍କ ଗାଡ଼ିରେ ଚଢ଼ୁଥିବା ସମୟରେ ଚାରିଜଣ ମଟର ସାଇକଲ ଆରୋହୀ ତାଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ। ଏଥିରେ ବୁଖାରୀ ଓ ତାଙ୍କର ଦେହରକ୍ଷୀଙ୍କର ମୃତ୍ୟୁ ହେଲା। ବିଜେପି ଆଉ ଅପେକ୍ଷା କରିପାରିଲା ନାହିଁ। ଏହା ପରେ ଅମିତ ଶାହାଙ୍କର କାଶ୍ମୀରର ବିଜେପି ନେତାଙ୍କ ସହ ଦିଲ୍ଲୀ ବୈଠକରେ ସରକାରରୁ ଓହରିଯିବାର ନିଷ୍ପତ୍ତି ନିଆଯାଇଥିଲା।
ଗତ ଦଶ ବର୍ଷ ମଧ୍ୟରେ ଥରେ ନୁହେଁ ଆଠଥର ପାଇଁ ଜାମ୍ମୁକାଶ୍ମୀରରେ ରାଜ୍ୟପାଳ ବା ରାଷ୍ଟ୍ରପତି ଶାସନ ଜାରି ହୋଇଛି। ଦେଶର ଅନ୍ୟ କୌଣସି ରାଜ୍ୟରେ ଏପରି ଅବ୍ୟବସ୍ଥା ଦେଖାଯାଇନି। ଯଦି ଆମେ ଏହାର କାରଣ ଖୋଜି ବସିବା ତେବେ ପ୍ରଥମତଃ ଜାମ୍ମୁ-କାଶ୍ମୀରର ଭୌଗୋଳିକ ସ୍ଥିତି କଥା ବୁଝିବାକୁ ହେବ। ଏହି ପାର୍ବତ୍ୟ ରାଜ୍ୟ ମୁଖ୍ୟତଃ ତିନି ଭୂଭାଗରେ ବିଭକ୍ତ, ଯଥା ହିନ୍ଦୁ ବହୁଳ ଜାମ୍ମୁ, ମୁସଲିମ ବହୁଳ କାଶ୍ମୀର ଉପତ୍ୟକା ଏବଂ ବୌଦ୍ଧ ଧର୍ମାବଲମ୍ବୀ ବାସ କରୁଥିବା ଲଦାଖ ଇଲାକା। ବିଧାନସଭାର ୮୭ ସିଟ୍ ମଧ୍ୟରୁ କାଶ୍ମୀର ଉପତ୍ୟକାରେ ୪୬. ଜାମ୍ମୁରେ ୩୭ ଏବଂ ଲଦାଖରେ ୪ଟି ସିଟ୍ ରହିଛି। ଏହାଛଡ଼ା ମହିଳାମାନଙ୍କ ନିମନ୍ତେ ୨ଟି ମନୋନୀତ ସିଟ୍ ଅଛି। ୨୦୧୫ ନିର୍ବାଚନରେ ପିଡିପିକୁ ୪୬ଟି, ବିଜେପିକୁ ୩୭ଟି, ନାସନାଲ କନଫରେନ୍ସକୁ ୧୫ଟି, କଂଗ୍ରେସକୁ ୧୨ଟି, ଜାମ୍ମୁ-କାଶ୍ମୀର ଡେମୋକ୍ରାଟିକ ଫ୍ରଣ୍ଟକୁ ୧ଟି ଓ ଅନ୍ୟମାନଙ୍କୁ ୬ଟି ସିଟ୍ ମିଳିଥିଲା। ଏହି କାରଣରୁ କୌଣସି ଦଳ ସଂଖ୍ୟା ଗରିଷ୍ଠତା ଲାଭ କରିବା ସହଜ ହୋଇନଥିଲା। କାଶ୍ମୀରରେ ଏଇଥିପାଇଁ ଜନାଦେଶ ବରାବର ଖଣ୍ଡିତ ହେଉଛି। ବିଜେପି ସମ୍ଭବତଃ ଅଧିକ ସିଟ୍ ପାଇବା ମାନସରେ ପିଡିପି ସହିତ ସମ୍ପର୍କ ଚ୍ଛିନ୍ନ କରିଛି। ଜାମ୍ମୁ ଓ ଲଦାଖର ବିକାଶ ପ୍ରତି ଅଧିକ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି ବୋଲି ବିଜେପିର ଆକଳନ।
ଏହି ସୁଷମାମୟ ରାଜ୍ୟରେ ରାଜନୈତିକ ଅସ୍ଥିରତା ଓ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ଅନ୍ୟତମ କାରଣ ଧର୍ମର ଅପବ୍ୟବହାର। ହିନ୍ଦୁ ରାଜା ମହାରାଜା ହରି ସଂିହ ଭାରତ ସହିତ ଜାମ୍ମୁ-କାଶ୍ମୀର ବିଲୟ କଲାବେଳେ ଜନମତର ଆବଶ୍ୟକତା ନଥିଲା ସେତେବେଳେ। ମୁସଲିମ ବହୁଳ ପ୍ରଜାଙ୍କର ଭାରତ ସହିତ ବିଲୟରେ କିଛି ଆପତ୍ତି ବା ଅସୁବିଧା ପ୍ରକଟ ହୋଇନଥିଲା। ରାଜା ହରି ସିଂହଙ୍କର ପୂର୍ଣ୍ଣ ଅଧିକାର ଥିଲା ଭାରତ ସହ ବିଲୟ କରିବାର ନିଷ୍ପତ୍ତି। ପରେ ନିର୍ବାଚନ ରାଜନୀତି ଆସିଲା ଯେଉଁଥିରେ ଜନମତ ମୁଖ୍ୟ କଥା ହେଲା। ଏହାର ଫାଇଦା ନେବାକୁ ପ୍ରୟାସ କରୁଛି ପାକିସ୍ତାନ। ଧର୍ମ ନାମରେ କାଶ୍ମୀରକୁ ଅସ୍ଥିର କରିବା ପାକିସ୍ତାନର ଏକ ଜାତୀୟ ନୀତି ଭାବେ ଗୃହୀତ ହୋଇଛି। ଭାରତୀୟ ସେନା ଏବେ ଜାଗ୍ରତ, ପାକିସ୍ତାନର ଆଶା ପୂରଣ ହେବାକୁ ନଦେବାକୁ ବଦ୍ଧପରିକର। ଅନନ୍ତ ବୁଭୁକ୍ଷାରେ ଜଳୁଛି ପାକିସ୍ତାନ ସେହିଦିନୁ। ତେଣୁ ଧର୍ମନାମରେ କାଶ୍ମୀରର କିଛି ଲୋକଙ୍କୁ ବିଭ୍ରାନ୍ତ କରିଚାଲିଛି। ଇସଲାମର ଦ୍ବାହି ଦେଇ, ଅଜସ୍ର ଅର୍ଥ ଖର୍ଚ୍ଚ କରି କାଶ୍ମୀରରେ ଏକ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ନିର୍ମାଣ କରିଛି ପାକିସ୍ତାନ। ଦୁଇଦୁଇ ଥର ସମ୍ମୁଖ ଯୁଦ୍ଧରେ ପରାସ୍ତ ହୋଇ ଏବେ ଆତଙ୍କବାଦୀଙ୍କୁ ପାକିସ୍ତାନ ଆଇଏସଆଇ ସାମରିକ ତାଲିମ ଦେଇ, ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇ ହିନ୍ଦୁବିରୋଧୀ ଓ ଭାରତ ବିରୋଧୀ ପ୍ରତିକ୍ରିୟା ସୃଷ୍ଟି କରାଯାଉଛି। ଏବେ ଏହା ସହିତ ଆଉ ଏକ ହିନ୍ଦୁ ବିରୋଧୀ ଧାରା ମୁଣ୍ଡ ଟେକୁଛି। ତାହା ହେଲା ରାଡିକାଲ ଇସଲାମର ଉଗ୍ର ନିବର୍ତ୍ତନ। ପଶ୍ଚିମ ଏସିଆରୁ ଆସୁଥିବା ରାଡିକାଲ ଇସଲାମ ଉଗ୍ରବାଦ। ସମଗ୍ର ପଶ୍ଚିମ ଏସିଆକୁ ଗ୍ରାସ କରି ତା’ର କୃଷ୍ଣକାୟା ମେଲିଛି ଇସଲାମିକ୍ ଉଗ୍ରବାଦ। ଏହା ଇଉରୋପ, ଆମେରିକା, ଚୀନ ଓ ପୂର୍ବ ଏସିଆ ଯାଏଁ ବିସ୍ତାରିତ। ଭାରତ ହାତରୁ କାଶ୍ମୀରକୁ ଛଡ଼େଇ ନେବାର ଏହା ଏକ ଭୟଙ୍କର ପ୍ରୟାସ।
କେନ୍ଦ୍ର ସରକାର କାଶ୍ମୀର ଉପତ୍ୟକାର ସଦ୍ୟ ଉଦ୍ଭବ ହୋଇଥିବା ପରିସ୍ଥିତି ପ୍ରତି ସଚେତନ। ତେଣୁ ମେହବୁବା ସରକାର ସହିତ ଆଉ ସାମିଲ ନହେବାର ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର ଦେଖୁଛନ୍ତି ଯେ ହିନ୍ଦୁ ବହୁଳ ଜାମ୍ମୁ ଏବଂ ବୌଦ୍ଧ ଧର୍ମାବଲମ୍ବୀ ବସବାସ କରୁଥିବା ଲଦାଖ କ୍ଷେତ୍ରର ଉପଯୁକ୍ତ ବିକାଶ ବାଧାପ୍ରାପ୍ତ ହେଉଛି। ଏହି ଦୁଇ ଅଞ୍ଚଳ ଆନ୍ତର୍ଜାତିକ ସୀମାରେଖାକୁ ଲାଗିଛି। ଦେଶ ତା’ର ଜାତୀୟ ସ୍ବାର୍ଥ ସଂରକ୍ଷଣ ନିମନ୍ତେ, ପାକିସ୍ତାନ ପଟୁ ଆସୁଥିବା ଆତଙ୍କବାଦୀଙ୍କୁ ନିପାତ କରିବା ସକାଶେ ଦୃଢ଼ ପଦକ୍ଷେପ ନେଇଛି। ଉଗ୍ର ଇସଲାମର ଗତିରୋଧ କରିବାର ତୀବ୍ର ଆବଶ୍ୟକତା ପୂରଣ ନିମନ୍ତେ ମିଳିତ ସରକାରରୁ ଓହରିଯାଇ ଅଶାନ୍ତ ଉପତ୍ୟକାକୁ ପୁନଶ୍ଚ ଶାନ୍ତି ଫେରାଇ ଆଣିବା ନିମନ୍ତେ ଏକ କଠୋର ପଦକ୍ଷେପ ନେଇଛନ୍ତି। କାଶ୍ମୀର ପ୍ରଶାସନକୁ ସୁଦୃଢ଼ କରିବାପାଇଁ ତୁରନ୍ତ ପଦକ୍ଷେପ ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ବି.ବି.ବ୍ୟାସଙ୍କୁ ରାଜ୍ୟପାଳଙ୍କର ପରାମର୍ଶଦାତା ଭାବେ ପଦସ୍ଥ କରାଯାଇଛି। ଶ୍ରୀ ବ୍ୟାସଙ୍କ ସହିତ ଛତିଶଗଡ଼ର ନକ୍ସଲ ବିରୋଧୀ ଅପରେସନର ପ୍ରଖ୍ୟାତ ଆଇପିଏସ ପୁଲିସ ଅଧିକାରୀ ବିଜୟକୁମାରଙ୍କୁ ମଧ୍ୟ ରାଜ୍ୟପାଳଙ୍କର ଅନ୍ୟତମ ପରାମର୍ଶଦାତା ଭାେବ ନିଯୁକ୍ତି ଦିଆଯାଇଛି। ସବୁଠାରୁ ଉଲ୍ଲେଖନୀୟ ଯେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଏକଦା ବ୍ୟକ୍ତିଗତ ସଚିବ ଥିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅମଳରେ ୨୦୧୪-୧୫ରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେସନର ନେତୃତ୍ବ ନେଇଥିବା ବି.ଭି.ସୁବ୍ରମନ୍ୟମଙ୍କୁ କାଶ୍ମୀରର ନୂତନ ମୁଖ୍ୟ ସଚିବ ଭାବେ ଅଧିଷ୍ଠିତ କରାଯାଇଛି। ସେତିକି ନୁହେଁ, ନିଜେ ପ୍ରଧାନମନ୍ତ୍ରୀଙ୍କ ଦପ୍ତର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗୃହ ମନ୍ତ୍ରଣାଳୟ ସହ ସଂଯୋଗ ରକ୍ଷାକରି କାଶ୍ମୀର ଖବର ବୁଝୁଛନ୍ତି।
ପାକିସ୍ତାନ ସହ ଓ ବିଚ୍ଛିନ୍ନତାବାଦୀଙ୍କ ସହ କଥାବାର୍ତ୍ତା ହେଉ ବୋଲି କାଶ୍ମୀରର ସମସ୍ତ ସ୍ଥାନୀୟ ରାଜନୈତିକ ଦଳ ଚାହାନ୍ତି। ସ୍ବରାଷ୍ଟ୍ରବିଭାଗ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଦେଶର ଅଖଣ୍ଡତା ଭିତ୍ତିରେ କଥାବାର୍ତ୍ତା କରିବାରେ କିଛି ଅସୁବିଧା ନାହିଁ । ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ନିମନ୍ତେ କେନ୍ଦ୍ରସରକାର ଦୀନେଶ ଶର୍ମାଙ୍କୁ ନିଯୁକ୍ତି ଦେଇଛନ୍ତି। କାଶ୍ମୀର ଭାରତ ପାକିସ୍ତାନ ମଧ୍ୟରେ ଏକ ଦ୍ବିପାକ୍ଷିକ ସମସ୍ୟା। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଭାରତ ଅଗ୍ରାହ୍ୟ କରିଛି। ଜାତିସଂଘର ମାନବିକ ଅଧିକାର କମିଶନ କାଶ୍ମୀରର ମାନବିକ ଅଧିକାର ବିଷୟରେ ତଦନ୍ତ କରିବାକୁ ଚାହୁଁଛି। ଚୀନ ରାଷ୍ଟ୍ରଦୂତ ଏକ ପ୍ରସ୍ତାବ ଦେଇ କହିଛନ୍ତି ଯେ ଭାରତ ପାକିସ୍ତାନ ଓ ଚୀନ ମଧ୍ୟରେ ଏକ ଦ୍ବିପାକ୍ଷିକ ଶିଖର ସମ୍ମିଳନୀ
ଏସବୁରୁ ଜଣାଯାଉଛି ଯେ ଭାରତ ବିରୋଧରେ ଏକ ଆନ୍ତର୍ଜାତିକ ଷଡ଼ଯନ୍ତ୍ର ରଚାଯାଉଛି। ଭାରତ ବାରମ୍ବାର ପାକିସ୍ତାନ ଓ ଆନ୍ତର୍ଜାତିକ ସମୁଦାୟକୁ କହୁଚି ଯେ ଗୋଟିଏ ହାତରେ ବନ୍ଧୁକ ଓ ଆର ହାତରେ ଶାନ୍ତିର ପତାକା ଧରି ଶାନ୍ତି କଥାବାର୍ତ୍ତା କରିବା ସମ୍ଭବ ନୁହେଁ। ପାକିସ୍ତାନ ପଟୁ ଆସୁଥିବା ଆତଙ୍କବାଦୀ ଆକ୍ରମଣ ପ୍ରଥମେ ବନ୍ଦ ହେଉ। କେବଳ ଆତଙ୍କବାଦୀ ଆକ୍ରମଣ ନୁହେଁ, ଏେବ ପାକିସ୍ତାନ ସେନା ବାହିନୀ ଆନ୍ତର୍ଜାତିକ ସୀମାରେ ବାରମ୍ବାର ଯୁଦ୍ଧବିରତି ଉଲ୍ଲଙ୍ଘନ କରି ଭାରତ ସୀମା ଭିତରକୁ ଆଖିବୁଜା ଗୁଳି ଚାଳନା କରୁଛି, ଯାହା ଫଳେର ବହୁ ଜନ, ଧନ ହାନି ହେଉଛି। ପାକିସ୍ତାନଆଡ଼ୁ କଥାବାର୍ତ୍ତା କରିବାପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଉପରେ କଥାବାର୍ତ୍ତା ନିର୍ଭର କରେ। କାଶ୍ମୀର ଭିତରୁ ଓ ବାହାରୁ ପ୍ରତିକୂଳ ହାୱା ବହୁଥିବା ଯାଏଁ ସେନା ବାହିନୀକୁ ଉପଯୁକ୍ତ ଭାବରେ ନିଯୁକ୍ତ କରିବାକୁ ହେବ। ଏହାକୁ ‘ମସ୍କୁଲାର’ ନୀତି କୁହାଯାଉଛି। କଥାବାର୍ତ୍ତା ସମ୍ଭବ ନହେଲା ପର୍ଯ୍ୟନ୍ତ ସାମରିକ ପନ୍ଥା ଚାଲୁ ରହିବା କେନ୍ଦ୍ର ସରକାରଙ୍କର ନୀତି। ବିବର୍ଣ୍ଣ ଉପତ୍ୟକାର ଅଶାନ୍ତ ପରିବେଶକୁ ଶାନ୍ତ କରିବା ନିମନ୍ତେ କେଉଁ ନୀତି କେତେ ସମୟ ଯାଏଁ ବଳବତ୍ତର ରହିବ ଓ ସଫଳ ହେବ ତାହା ସମୟ କହିବ।