୪ବର୍ଷରେ ୧୩ଟି ଏମ୍ସ ପ୍ରତିଷ୍ଠାର ପ୍ରତିଶ୍ରୁତି; ଗୋଟିଏ ବି ଏଯାବତ୍ କାର୍ଯ୍ୟକ୍ଷମ ହୋଇ ନାହିଁ
ନୂଆଦିଲ୍ଲୀ: ମୋଦୀ ସରକାର ନିଜ କାର୍ଯ୍ୟକୁ ନେଇ ଯେତେ ଡିଣ୍ଡିମ ପିଟୁଥିଲେ ମଧ୍ୟ ଘୋଷଣା ଓ ଏହାକୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟାରେ ସରକାର ବେଶ୍ ପଛରେ ପଡ଼ି ଯାଇଛନ୍ତି। ନିକଟରେ ମୋଦୀ ସରକାରଙ୍କ ୪ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର କ୍ୟାବିନେଟ ଦେଶରେ ୨୦ଟି ନୂଆ ଏମ୍ସ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ତେବେ ବିଡ଼ମ୍ବନା ଦେଖନ୍ତୁ ବିଗତ ୪ବର୍ଷରେ କେନ୍ଦ୍ର ସରକାର ଯେଉଁ ୧୩ଟି ଏମ୍ସ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ ସେଗୁଡ଼ିକ ମଧ୍ୟରେ ଗୋଟିଏ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ନାହିଁ। ୪ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ବିଗତ ୟୁପିଏ ସରକାର ଉପରେ କାଟାକ୍ଷ କରି ୨୦୧୪ ସୁଦ୍ଧା କେବଳ ୭ଟି ଏମ୍ସ ପ୍ରତିଷ୍ଠା କରିବାକୁ ସମାଲୋଚନା କରିଥିଲେ। ମୋଦୀ ସରକାର କରିବାର ମାତ୍ର ୪୮ମାସ ମଧ୍ୟରେ ୧୩ଟି ଏମ୍ସକୁ ମଞ୍ଜୁରୀ ଦେଇଥିବା ଘୋଷଣା କରି କେନ୍ଦ୍ର ନିଜ ପିଠି ନିଜେ ଥାପୁଡ଼େଇ ଥିଲା। ତେବେ କେନ୍ଦ୍ରର ଘୋଷଣା ପରେ ଆଜି ମଧ୍ୟ ଗୋଟିଏ ବି ଏମ୍ସ କାର୍ଯ୍ୟକ୍ଷମ ହୋଇ ନାହିଁ। ଆସନ୍ତୁ ଜାଣିବା ମୋଦୀ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇ ଥିବା ୧୩ଟି ଏମ୍ସ ଏବେ କେଉଁ ପରିସ୍ଥିତିରେ ରହିଛି।
୧ ଏମ୍ସ ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗୋରଖପୁରରେ ସରକାରଙ୍କ ପକ୍ଷରୁ ଏକ ଏମ୍ସ ପ୍ରତିଷ୍ଠା କରିବାକୁ ଘୋଷଣା କରାଯାଇ ଥିଲା। ଏହା ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ନିର୍ବାଚନ କ୍ଷେତ୍ର ମଧ୍ୟ। ଏଥିପାଇଁ ଗୋରଖପୁରରେ ଜାଗା ଚିହ୍ନଟ ହେବା ସହ ଏଥିରେ ୧୦୧୧କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇ ଥିଲା। କିନ୍ତୁ ଏଯାବତ୍ ୯୮.୩୪କୋଟି ଟଙ୍କା ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଛି। ପ୍ରକଳ୍ପକୁ ୨୦୨୦ସୁଦ୍ଧା ସମ୍ପନ୍ନ କରିବାର ଲକ୍ଷ୍ୟ ରଖାଯାଇ ଥିଲା। କିନ୍ତୁ ପ୍ରକଳ୍ପର ମୋଟ୍ ୧୦ ପ୍ରତିଶତ କାର୍ଯ୍ୟ ମଧ୍ୟ ଅଦ୍ୟାବଧି ସମ୍ପନ୍ନ ହୋଇ ନାହିଁ।
୨. ଏମ୍ସ ଆନ୍ଧ୍ରପ୍ରଦେଶ: ଆନ୍ଧ୍ରର ଗୁଣ୍ଟୁର ଜିଲାର ମଙ୍ଗଲଗିରି ଅଞ୍ଚଳରେ ସ୍ଥାନ ଚିହ୍ନଟ କରାଯାଇଛି। ୧୬୧୮କୋଟି ବିନିମୟରେ ଏଠାରେ ଏମ୍ସ ନିର୍ମାଣ କରିବାକୁ କେନ୍ଦ୍ର ବ୍ୟାୟ ଅଟକଳ କରିଥିଲା। ଅଦ୍ୟାବଧି କେବଳ ୨୩୩.୮୮କୋଟି ଟଙ୍କା ମଞ୍ଜୁର ହୋଇଛି। ଅକ୍ଟୋବର ୨୦୨୦ ସୁଦ୍ଧା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖାଯାଇ ଥିଲା। ତେବେ ଏହା ମଧ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ ହେବ, ଜଣାପଡ଼ୁ ନାହିଁ।
୩. ଏମ୍ସ ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର କଲ୍ୟାଣିଠାରେ ଏମ୍ସ ପ୍ରତିଷ୍ଠା କରିବା ନିମନ୍ତେ ସ୍ଥାନ ନିରୂପଣ କରାଯାଇଛି। ୧୭୫୪ ବ୍ୟାୟ ଅଟକଳରେ ଏହା ନିର୍ମାଣ କରାଯିବାର ଚୂଡ଼ାନ୍ତ ହୋଇଥିଲା। ୨୭୮.୪୨କୋଟି ଅଦ୍ୟାବଧି ମଞ୍ଜୁର ହୋଇଛି। ତେବେ ନିର୍ମାଣ କାର୍ଯ୍ୟକୁ ଅନୁନ୍ଧ୍ୟାନ କଲେ ୨୦୨୦ଅକ୍ଟୋବର ସୁଦ୍ଧା ଏହାକୁ ସମ୍ପନ୍ନ କରିବାକୁ ହେଲେ କାର୍ଯ୍ୟଧାରାରେ ଅଧିକ ବେଗ ଆଣିବାକୁ ପଡ଼ିବ।
୪. ଏମ୍ସ ମହାରାଷ୍ଟ୍ର: ମହାରାଷ୍ଟ୍ରର ନାଗପୁରଠାରେ ୧୫୭୭କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଥିଲା। ଇତିମଧ୍ୟରେ କେବଳ ୨୩୧.୨୯କୋଟି ମଞ୍ଜୁର ହୋଇଛି। ଏହି କ୍ଷେତ୍ର ନୀତିନ ଗଡ଼କାରୀଙ୍କ ନିର୍ବାଚନ କ୍ଷେତ୍ର। ଏହାକୁ ମଧ୍ୟ ୨୦୨୦ ଅକ୍ଟୋବର ସୁଦ୍ଧା ସମ୍ପନ୍ନ କରିବାକୁ ଲକ୍ଷ୍ୟ ଦିଆଯାଇ ଥିଲେ ମଧ୍ୟ ନିର୍ଦ୍ଧାରିତ ସମୟସୀମାଠାରୁ କାର୍ଯ୍ୟ ବେଶ୍ ପଛରେ ପଡ଼ିଥିବା ଜଣାପଡ଼ୁଛି।
୫.ଏମ୍ସ ଆସାମ: ଆସାମର କାମରୂପ ଜିଲାରେ ଏମ୍ସ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଇଛି। ଏଥିପାଇଁ ୧୧୨୩କୋଟି ବ୍ୟାୟ ଅଟକର କରାଯାଇଛି। ତେବେ ଅଦ୍ୟାବଧି କେବଳ ୫କୋଟି ଟଙ୍କା ପ୍ରକଳ୍ପ ନିମନ୍ତେ ମଞ୍ଜୁର କରାଯାଇଛି। ପ୍ରକଳ୍ପକୁ ଶେଷ କରିବାକୁ ୨୦୨୧ଟାଇମଲାଇନ ଦିଆଯାଇଛି।
୬.ଏମ୍ସ ପଞ୍ଜାବ: ପଞ୍ଜାବର ବଠିଣ୍ଡାରେ ଏମ୍ସ ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇଛି। ଏହି ପ୍ରକଳ୍ପ ନିମନ୍ତେ ୯୨୫କୋଟି ଅର୍ଥ ମଞ୍ଜୁର କରାଯାଇଛି। ଅଦ୍ୟାବଧି ଏ ନିମନ୍ତେ ୩୬.୫୭କୋଟି ଟଙ୍କା ମଞ୍ଜୁର ହୋଇଛି। ଏହାକୁ ଜୁନ ୨୦୨୦ସୁଦ୍ଧା ସମ୍ପନ୍ନ କରିବାର ଲକ୍ଷ୍ୟ ରଖାଯାଇଛି।
୭. ୮.ଏମ୍ସ ଜମ୍ମୁ କାଶ୍ମୀର: ଏହି ରାଜ୍ୟରେ ୨ଟି ଏମ୍ସ ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଛି। ଜମ୍ମୁ କ୍ଷେତ୍ରର ସମ୍ବା ଜିଲାରେ ଗୋଟିଏ ଏମ୍ସ ପାଇଁ ସ୍ଥାନ ନିରୂପଣ କରାଯାଇ ଥିବାବେଳେ କାଶ୍ମୀର ଘାଟିର ପୁଲବାମା ଅଞ୍ଚଳରେ ମଧ୍ୟ ଆଉ ଏକ ଏମ୍ସ ପାଇଁ ସ୍ଥାନ ନିରୂପଣ କରାଯାଇଛି। ଏହି ଦୁଇ ଏମ୍ସ ପାଇଁ କୌଣସି ବ୍ୟୟ ଅଟକଳ କରାଯାଇ ନଥିଲେ ମଧ୍ୟ୯୦.୮୪କୋଟି ଅର୍ଥ ମଞ୍ଜୁର କରାଯାଇଛି। ଏପରିକି ଉଭୟ ଏମ୍ସ କେବେ ସୁଦ୍ଧା ନିର୍ମାଣ ହେବ ଏ ସମ୍ପର୍କରେ କୌଣସି ସମୟସୀମା ମଧ୍ୟ ସ୍ଥିର କରାଯାଇ ନାହିଁ।
୯.ଏମ୍ସ ହିମାଚଳପ୍ରଦେଶ: ହିମାଚଳପ୍ରଦେଶର ବିଲାଶପୁରଠାରେ ଏମ୍ସ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଇଛି। ୩ଅକ୍ଟୋବର ୨୦୧୭ରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏଥି ନିମନ୍ତେ ଅଦ୍ୟାବଧି କୌଣସି ଅର୍ଥ ମଞ୍ଜୁର କରାଯାଇ ନଥିବାବେଳେ ୨୦୨୧ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାର ଲକ୍ଷ୍ୟ ରଖାଯାଇଛି।
୧୦.ଏମ୍ସ ବିହାର: ୨୦୧୫-୧୬ବଜେଟରେ କେନ୍ଦ୍ର ସରକାର ବିହାରରେ ଏମ୍ସ ନିର୍ମାଣ ପାଇଁ ଘୋଷଣା କରିଥିଲେ। ଇତିମଧ୍ୟରେ ୩ବର୍ଷରୁ ଊଦ୍ଧ୍ୱର୍ ସମୟସୀମା ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଅଦ୍ୟାବଧି ସ୍ଥାନ ନିରୂପଣ ହୋଇ ପାରି ନାହିଁ। ଫଳରେ ପ୍ରକଳ୍ପ ପାଇଁ କୌଣସି ଅର୍ଥ ମଞ୍ଜୁର ହୋଇ ନାହିଁ କି’ ଏହାର ସମୟସୀମା ନିର୍ଦ୍ଧାରଣ କରାଯାଇ ନାହିଁ।
୧୧.ଏମ୍ସ ତାମିଲନାଡ଼ୁ: ତାମିଲନାଡ଼ୁରେ ଏମ୍ସ ହେବ ଏଭଳି ଏକ ଘୋଷଣା ପରିବର୍ତ୍ତେ ଏହି ପ୍ରକଳ୍ପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।
୧୨.ଏମ୍ସ ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଦେବଘରରେ ଏମ୍ସ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଇଛି। ୧୧୦୩ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ନିର୍ମାଣ ହେବ। ଏଥିପାଇଁ କେବଳ ୯କୋଟି ଟଙ୍କା ମଞ୍ଜୁରି ମିଳିଛି। ୨୦୨୧ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
୧୩. ଏମ୍ସ ଗୁଜରାଟ: ପ୍ରଧାନମନ୍ତ୍ରୀଙ୍କ ଗୃହ କ୍ଷେତ୍ର ଗୁଜରାଟରେ ଏମ୍ସ ହେବ ଏଭଳି ଏକ ଘୋଷଣା ପରିବର୍ତ୍ତେ ଏହି ପ୍ରକଳ୍ପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।