ହିନ୍ଦୁତ୍ବ: ଧର୍ମ, ଦର୍ଶନ, ରାଜନୀତି!
ହରପ୍ରସାଦ ଦାସ
ଭାରତ ଭଳି ଏକ ହିନ୍ଦୁ-ବହୁଳ ଗଣତାନ୍ତ୍ରିକ ସମାଜବାଦୀ ଧର୍ମନିରପେକ୍ଷ ରାଷ୍ଟ୍ରରେ ହିନ୍ଦୁର ‘ହିନ୍ଦୁତ୍ବ’ ଏକ ବିବଦମାନ ପ୍ରସଙ୍ଗରେ ପରିଣତ ହେଲା କାହିଁକି? ଜଣେ ହିନ୍ଦୁଭାବରେ ମୁଁ ମର୍ମାହତ ଯେ ମୋ ଧର୍ମକୁ ପ୍ରଶ୍ନ କରାଯାଉଛି, ମୋର ଧର୍ମବୋଧକୁ ବିପନ୍ନ କରାଯାଉଛି। ମୁଁ ଯେହେତୁ ଅନ୍ୟ କାହାରି ଧର୍ମରେ ହସ୍ତକ୍ଷେପ କରେ ନାହିଁ, ମୋର ଆଶା ଯେ ଅନ୍ୟ କେହି ମୋ ଧର୍ମରେ ହସ୍ତକ୍ଷେପ କରିବ ନାହିଁ। ଧର୍ମନିରପେକ୍ଷତା ନାଁରେ ମୋ ଧର୍ମ ବଳି ପଡ଼ିବ କାହିଁକି? ମୋ ଧର୍ମର ସଂଖ୍ୟାଗରିଷ୍ଠତା ପାଇଁ ମଁୁ ମୁହଁ ଲୁଚେଇବି? ଲଜ୍ଜିତ ହେବି? କ୍ଷମାପ୍ରାର୍ଥୀ ହେବି? ଦୋଷୀ ଓ ବଞ୍ଚିତ ହୋଇ ରହିବି? କାହିଁକି? ଭାରତରେ ଆଇନ୍ର ଶାସନ ଚଳେ। ସର୍ବୋଚ୍ଚ ନ୍ୟାୟାଳୟ ତ ‘ହିନ୍ଦୁ’ ଓ ‘ହିନ୍ଦୁତ୍ବ’ର ସଂଜ୍ଞା ନିରୂପିତ କରି ସାରିଛନ୍ତି। ପୁଣି କ’ଣ? ହିନ୍ଦୁ ଧର୍ମଗୁରୁମାନେ ‘ହିନ୍ଦୁ’ ଓ ହିନ୍ଦୁତ୍ବର କି ସଂଜ୍ଞା ଦେଲେ, ତାହା ବିଧର୍ମୀ, ଉଦାରବାଦୀ ଓ ନିରୀଶ୍ବରବାଦୀଙ୍କ ଦ୍ବାରା ଗୃହୀତ ନ ହେଉ, କିନ୍ତୁ ଯାହା ଆଇନ୍ର ପ୍ରତିଷ୍ଠା, ତାହା ତ ସର୍ବମାନ୍ୟ, ଏଥିରେ ଶଙ୍କା କାହିଁକି?
ସର୍ବୋଚ୍ଚ ନ୍ୟାୟାଳୟର ଗୋଟିଏ ସମ୍ବିଧାନ ପୀଠ ୧୯୬୬ (ଏଆଇଆର୍/ଏସ.ସି/ ୧୧୧୯)ରେ ସ୍ବାମୀ ନାରାୟଣ ସଂପ୍ରଦାୟର ସ୍ବତନ୍ତ୍ର ଅସ୍ତିତ୍ବ ବିଚାର କରି ଯେଉଁ ରାୟ ଶୁଣାଇଥିଲେ ତାହା ଅଦ୍ୟାବଧି ଅଲଂଘ୍ୟ ହୋଇରହିଛି। ନ୍ୟାୟମୂର୍ତ୍ତି ଗଜେନ୍ଦ୍ର ଗଡ଼କର ଲେଖିଥିବା ଏ ରାୟରେ ‘ହିନ୍ଦୁ ଓ ହିନ୍ଦୁତ୍ବ’ର ସଂଜ୍ଞା ତଥା ଭାଷ୍ୟ ଉଭୟ ପ୍ରଦାନ କରିଥିଲେ। ସେ ରାୟର ମୁଖ୍ୟ ଅଂଶ କିଛି ମୋ ଅନୁବାଦରେ ପଢ଼ନ୍ତୁ।
‘‘‘ହିନ୍ଦୁ’ ଶବ୍ଦର ସଂଜ୍ଞାଗତ ଓ ଐତିହାସିକ ଉଦ୍ଗମକୁ ନେଇ ଭାରତବିଦ୍ମାନଙ୍କ ମଧ୍ୟରେ ମତାନୈକ୍ୟ ରହିଛି; କିନ୍ତୁ ସମସ୍ତେ ସହମତ ଯେ ପଞ୍ଜାବ ଦେଇ ପ୍ରବାହିତ ସିନ୍ଧୁ, ଯାହାକୁ ଇଂରେଜୀରେ ଇଣ୍ଡସ ବୋଲି କୁହାଯାଉଛି, ହିନ୍ଦୁ ଶବ୍ଦର ମୂଳ । ମୋନିକାର୍ ୱିଲିଅମ୍ସ କହିଛନ୍ତି ଯେ ମହାନ୍ ଆର୍ଯ୍ୟ ଜାତିର ଯେଉଁ ଶାଖା ମଧ୍ୟଏସିଆରୁ ଗିରିପଥ ଦେଇ ଭାରତ ଭୂଖଣ୍ଡରେ ପ୍ରବେଶ କଲା, ସେ ଶାଖାର ଲୋକେ ସିନ୍ଧୁ ନଦୀର ପରବର୍ତ୍ତୀ ଅଞ୍ଚଳରେ ପ୍ରଥମେ ବସତି ସ୍ଥାପନ କଲେ। ପର୍ସିଆନ୍ମାନେ ‘ସିନ୍ଧୁ’କୁ ‘ହିନ୍ଦୁ’ ବୋଲି ଉଚ୍ଚାରଣ କଲେ ଓ ସିନ୍ଧୁତୀରର ଏ ଆର୍ଯ୍ୟ ଅଧିବାସୀଙ୍କୁ ବି ‘ହିନ୍ଦୁ’ ବୋଲି କହିଲେ। ଏ ହିନ୍ଦୁମାନଙ୍କର ଧର୍ମକୁ ସଂଜ୍ଞା ପ୍ରଦାନ କରିବା ବା ତା’କୁ ବର୍ଣ୍ଣନା କରିବା ସହଜ ନୁହେଁ, କାରଣ ଅନ୍ୟ ଧର୍ମମାନଙ୍କ ଭଳି ଏ ଧର୍ମର କେହିଜଣେ ପ୍ରଫେଟ୍ ନାହାନ୍ତି, ଏ ଧର୍ମରେ ଗୋଟିଏ ଈଶ୍ବରଙ୍କର ଆରାଧନା ହୁଏନାହିଁ, ୟାର ଗୋଟିଏ ଆସ୍ଥା-ଧାରା ବି ନାହିଁ। ଏ ଧର୍ମରେ ଗୋଟିଏ ପ୍ରକାରର କର୍ମକାଣ୍ଡ ବା ଆଚାରବିଚାର ଚଳେ ନାହିଁ। କଥା ହେଲା ଏଇଆ ଯେ ଏ ହିନ୍ଦୁ ଧର୍ମରେ ଅନ୍ୟ ଧର୍ମମାନଙ୍କଭଳି କୌଣସି ସଂପୂର୍ଣ୍ଣ ରୂପରେଖ ନାହିଁ। ଠିକ୍ ଅର୍ଥରେ ହିନ୍ଦୁ ଧର୍ମ ଗୋଟିଏ ଜୀବନଧାରା (ଏ ୱେ ଅଫ୍ ଲାଇଫ୍), ୟାଠାରୁ ଅଧିକ କିଛି ନୁହେଁ। ଭାରତୀୟ ଦାର୍ଶନିକ ଡକ୍ଟର ରାଧାକ୍ରିଷ୍ଣନ୍ କହିଲେ ଯେ ହିନ୍ଦୁଧର୍ମ ବିବିଧ ଆସ୍ଥାମାନଙ୍କର ଏକ ମ୍ୟୁଜିୟମ। କର୍ମକାଣ୍ଡମାନଙ୍କର ଏକ ମିଶ୍ରଭାଗ, ବା ଇଏ କେବଳ ଏକ ମାନଚିତ୍ର, ଗୋଟିଏ ଭୌଗୋଳିକ ଅଭିବ୍ୟକ୍ତି। ମୂଳତଃ ‘ହିନ୍ଦୁ’ ଏକ କ୍ଷେତ୍ର ନାମ, ଆସ୍ଥାବାଚ୍ୟ ନୁହେଁ, କିନ୍ତୁ ଏ କ୍ଷେତ୍ର ଯେତେ ବିବିଧ ଲୋକସମ୍ପ୍ରଦାୟଙ୍କ ସମ୍ପର୍କରେ ଆସିଲା େସତେ ରୂପ ଏ କ୍ଷେତ୍ରର ଆର୍ଯ୍ୟ ଅଧିବାସୀଙ୍କ ମୂଳ ଆସ୍ଥାରେ ସମାହିତ ହୋଇ ଗୋଟିଏ ବହୁଳତାବାଦୀ ସଂସ୍କାରକୁ ପରିପୁଷ୍ଟ କରିଚାଲିଲା। ଏଥିରେ ରହିଲେ ଆଦିବାସୀ, ଜଙ୍ଗଲିଜାତି, ଅର୍ଦ୍ଧସଭ୍ୟ ଲୋକେ, ସୁସଂସ୍କୃତ ଦ୍ରାବିଡ଼ ଓ ବୈଦିକ ଆର୍ଯ୍ୟ। ଗୋଟିଏ ମାତାର ଅନେକ ସନ୍ତାନ। ହିନ୍ଦୁ ଚିନ୍ତକମାନେ ଭାରତରେ ୟାକୁଇ ଗୋଟେ ଧର୍ମ ଭାବରେ ଗ୍ରହଣ କରିନେଲେ। ମୋନିଅର ୱିଲିଅମସ୍ ହିନ୍ଦୁଧର୍ମକୁ ଗଙ୍ଗା ସହିତ ତୁଳନା କଲେ ଓ କହିେଲ ଯେ ଗଙ୍ଗାର ମହାସ୍ରୋତ ଯେପରି କ୍ଷୁଦ୍ର ଶାଖାନଦୀମାନଙ୍କ ଦ୍ବାରା ପରିପୁଷ୍ଟ ହୋଇ ବୃହତ୍ରୁ ବୃହତ୍ତର ହୋଇଥିଲା, ସେହିଭଳି ବହୁ ମିଶ୍ର ଆସ୍ଥାଧାରା ଓ କର୍ମକାଣ୍ଡମାନଙ୍କ ସମାହାରରେ ହିନ୍ଦୁ ଜୀବନଧାରା ସମୃଦ୍ଧ। ୟାକୁ ଧର୍ମ ବୋଲି କହିେଲ ଗୋଟିଏ ସଂପ୍ରଦାୟର ଧର୍ମ ବୋଲି ନବୁଝି ବହୁଧର୍ମଧାରାର ସମନ୍ବୟର ମହାସ୍ରୋତ ବୋଲି ବୁଝିବାକୁ ହେବ। ସବୁଆଡୁ ସବୁ ସମୟରେ ଗ୍ରହଣ କରିବା ୟାର ପ୍ରକୃତି। ସବୁ ପରିବେଶ ଓ ପରିସ୍ଥିତିରେ ଏ ଜୀବନଧର୍ମ ନିଜକୁ ବଦଳାଇଚି ଓ ତିନି ସହସ୍ର ବର୍ଷରୁ ଊର୍ଦ୍ଧ୍ବକାଳ ଧରି ସବୁକିଛି ସମନ୍ବିତ କରି ବଢ଼ିଯିବା ପାଇଁ ପ୍ରସ୍ତୁତ ହୋଇଛି। ଏ ଧର୍ମ ବା ଜୀବନଧାରା ପ୍ରଥମେ ଧୈର୍ଯ୍ୟର ସହିତ ଧକ୍କା ସହିଚି, ତା’ପରେ ତାକୁ ଆତ୍ମସାତ୍ କରିଚି, ଜୀର୍ଣ୍ଣ କରିଚି ଓ ଅନ୍ୟ ବହୁ ଉପାଦାନଙ୍କ ସହିତ ମିଶାଇ ନିଜର ଅନ୍ତଃପ୍ରକୃତିରେ ପ୍ରବାହିତ କରି ଦେଇଚି। ୟାରି ବିପୁଳ ଦାର୍ଶନିକତାରେ ଅଛନ୍ତି ଅେଦ୍ବୖତର ସିଦ୍ଧାନ୍ତ, ଶୁଦ୍ଧ ଏକେଶ୍ବରବାଦ। ପରିବର୍ତ୍ତିତ ଏକେଶ୍ବରବାଦ ଓ ଅନ୍ତର୍ନିହିତ ଏକେଶ୍ବରବାଦ। ମୁଖ୍ୟତଃ ଏ ଧର୍ମ ଏକେଶ୍ବରବାଦୀ ଆଦର୍ଶରେ ଗଢ଼ା। ସେଇ ଗୋଟିଏ ଏକେଶ୍ବରବାଦ ଭିତରେ ଏତେ ବିଭେଦ, ତର୍କର ଭିନ୍ନତା, କିନ୍ତୁ ଉତ୍ସ ସେଇ ବେଦ ଓ ଉପନିଷଦ। ଏ ପ୍ରକାରର ସମନ୍ବୟର କ୍ଷେତ୍ର ଏ ଧର୍ମରେ ତେଣୁ କୌଣସି ନୀତିସୂତ୍ର ବା ବିଚାରଧାରାକୁ ପ୍ରତ୍ୟାଖ୍ୟାନ କରିବାର ମାନସିକତା ନାହିଁ। ଦୃଷ୍ଟି ସକାରାତ୍ମକ ଓ ଗ୍ରହଣଶୀଳ। ବିଭିନ୍ନ ସମୟରେ ସନ୍ଥ ଓ ସଂସ୍କାରକମାନେ ଆସି ଏ ଧର୍ମରୁ ଭ୍ରଷ୍ଟାଚାର ଓ ଅନ୍ଧବିଶ୍ବାସ ଦୂର କରିବା ପାଇଁ ତଥା ଧର୍ମଧାରଣା ଓ ଧର୍ମପାଳକର ମାର୍ଗ ପୁଷ୍ପଳ କରିବା ପାଇଁ ବିଭିନ୍ନ ପ୍ରୟାସ କରିଛନ୍ତି। ଏହିଭଳି ପ୍ରୟାସରୁ ଆସିଲା ବୌଦ୍ଧଧର୍ମ, ଜୈନଧର୍ମ। ବାସବଙ୍କ ଲିଙ୍ଗାୟତ, ଧ୍ୟାନେଶ୍ବର ଓ ତୁକାରାମଙ୍କ ପନ୍ଥା। ନାନକଙ୍କ ଶିଖ୍ଧର୍ମ, ଦୟାନନ୍ଦଙ୍କ ଆର୍ଯ୍ୟସମାଜ, ଚୈତନ୍ୟଙ୍କ ଭକ୍ତିମାର୍ଗ। ଏସବୁ ଧର୍ମ, ପନ୍ଥା ବା ମାର୍ଗର ବିଶଦ ଅଧ୍ୟୟନ କଲେ ହୃଦ୍ବୋଧ ହେବ ଯେ ସବୁ ପାର୍ଥକ୍ୟର ତଳେତଳେ ଗୋଟିଏ ଅଦୃଶ୍ୟ, ଅବ୍ୟକ୍ତ ସୂକ୍ଷ୍ମ ‘ଐକାନ୍ତିକ’ ଭାବ ପ୍ରବାହିତ ହେଉଛି ଯେଉଁଥିପାଇଁ ହିନ୍ଦୁଧର୍ମର ବିପୁଳତା ଭିତରେ ଏଗୁଡ଼ିକ ସମାହିତ ହୋଇ ରହିଛନ୍ତି।’’
ସର୍ବୋଚ୍ଚ ନ୍ୟାୟାଳୟର ସମ୍ବିଧାନ ପୀଠ ଏହି ତର୍ଜମାର ଆଧାରରେ ସ୍ବାମୀ ନାରାୟଣ ସଂପ୍ରଦାୟକୁ ସ୍ବତନ୍ତ୍ର ଧର୍ମର ପ୍ରତିଷ୍ଠା ଦେବାପାଇଁ ଚାହିଁଲେ ନାହିଁ। ଏ ସଂପ୍ରଦାୟ ବୃହତ୍ତର ‘ହିନ୍ଦୁଧର୍ମ’ର ଗୋଟିଏ ‘ଡିନୋମିନେସନ୍’ ବା ଏକକ ସିଦ୍ଧ ହେଲା।
‘ହିନ୍ଦୁ’ ଓ ‘ହିନ୍ଦୁତ୍ବ’ର ଏ ତର୍ଜମା ବସ୍ତୁତଃ ଭାରତରେ ହିନ୍ଦୁଧର୍ମର ଆଇନଗତ ଦିଗନିର୍ଦେଶିକା ସାବ୍ୟସ୍ତ ହେଲା। ଏହି ଧାରାରେ ଯାଇ ୧୯୮୪ରେ ସର୍ବୋଚ୍ଚ ନ୍ୟାୟାଳୟର ଗୋଟିଏ ତିନିଜଣିଆ ଖଣ୍ଡପୀଠ ପାଇଁ ରାୟ ଲେଖି ନ୍ୟାୟମୂର୍ତ୍ତି ରଙ୍ଗନାଥ ମିଶ୍ର (୧୯୮୪/୧/ଏସ.ସି.ଆର୍ ୪୪୭), ‘ଆନନ୍ଦମାର୍ଗ’କୁ ମଧ୍ୟ ବୃହତ୍ତର ହିନ୍ଦୁଧର୍ମର ‘ଏକକ’ (ଡିନୋମିନେସନ) ବୋଲି ସ୍ଥିର କଲେ।
ହିନ୍ଦୁଧର୍ମର ବ୍ୟାପକ ଛତ୍ର ତଳେ ବହୁ ମଠ, ଆରାଧନା ପୀଠ, ମତ ଓ ସଂସ୍କାର ଉପରେ ୧୯୫୪ରେ ସର୍ବୋଚ୍ଚ ନାୟାଳୟର ସମ୍ବିଧାନ ପୀଠ (୧୯୫୪)/ଏସ.ସି.ଆର/୧୦୦୫) ଯେଉଁ ରାୟ ଦେଇଥିଲେ, ତାହା ହେଲା ୧୯୬୬ ଓ ୧୯୮୪ର ପୂର୍ବରୁ ‘ଧର୍ମ ଓ ତା’ର ଏକକ’ ଉପରେ ନିର୍ଣ୍ଣାୟକ ତର୍ଜମା। ରାୟରେ ନ୍ୟାୟମୂର୍ତ୍ତି ମୁଖାର୍ଜୀ କହିଥିଲେ ଯେ ଭାରତୀୟ ସମ୍ବିଧାନରେ ‘ଧର୍ମ’ ସଂଜ୍ଞାୟିତ ହୋଇନାହିଁ, କିନ୍ତୁ ସ୍ବୀକାର କରିବାକୁ ହେବ ଯେ ଏହା ନିଶ୍ଚିତ ଭାବରେ ବ୍ୟକ୍ତିଗତ ଆସ୍ଥାର ବ୍ୟାପାର ଓ ଏହା ବିଶ୍ବର ବ୍ୟାପାରରେ ହସ୍ତକ୍ଷେପ କରୁଥିବା ଜଣେ ଈଶ୍ବର ଅଛନ୍ତି (ଥେଇଜ୍ମ୍) ଏଭଳି ଏକ ଧାରଣାରେ ଆବଦ୍ଧ ନୁହେଁ। ବୌଦ୍ଧ ଓ ଜୈନ ଧର୍ମରେ ତ ଈଶ୍ବର ବିଶ୍ବାସ ନାହିଁ। ଏଇଠି ଏକେଶ୍ବରବାଦ ଯାଇ ‘ନିରୀଶ୍ବରବାଦ’ର ରୂପ ଫୁଟିଲା।
୧୯୫୪ର ଶ୍ରୀ ଶିରୁର ମଠ ମାମଲା, ୧୯୬୬ର ସ୍ବାମୀନାରାୟଣ ମାମଲା, ୧୯୮୪ର ଆନନ୍ଦମାର୍ଗ ମାମଲାରେ ହିନ୍ଦୁଧର୍ମ ହିନ୍ଦୁଦର୍ଶନ ଓ ହିନ୍ଦଧର୍ମର ବ୍ୟାପ୍ତି ଓ ଏକକ ବିଷୟରେ ସେର୍ବାଚ୍ଚ ନ୍ୟାୟାଳୟ ଯେଉଁ ରାୟ ଦେଇଥିଲେ ତାହାରି ଆଧାରରେ ୧୯୯୫ ରାମକୃଷ୍ଣ ମିଶନ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ସିଭିଲ୍ ଅପିଲର ରାୟରେ (ନ୍ୟାୟମୂର୍ତ୍ତି ଭେଙ୍କଟାଚଳ) ଲେଖିଲେ ଯେ ରାମକୃଷ୍ଣ ପରମହଂସଙ୍କ ଧର୍ମଭାବନା, ନୀତିବିଚାର ଓ ଅଧ୍ୟାତ୍ମ ଆଧାରରେ ‘ରାମକୃଷ୍ଣଧର୍ମ’ ହିନ୍ଦୁଧର୍ମ ବାହାରେ ଏକ ସ୍ବତନ୍ତ୍ର ଧର୍ମର ମର୍ଯ୍ୟାଦା ପାଇପାରିବ ନାହିଁ। ଏ ରାୟରେ ସର୍ବୋଚ୍ଚ ନ୍ୟାୟାଳୟ ବିପୁଳ ବୌଦ୍ଧିକ ପ୍ରମାଣ, ଉଦ୍ଘୋଷ, ଉକ୍ତି-ପ୍ରତ୍ୟୁକ୍ତି ଓ ଦୃଷ୍ଟିକୋଣର ତର୍ଜମା କରି ‘ହିନ୍ଦୁ ଓ ହିନ୍ଦୁତ୍ବ’ର ତର୍କକୁ ସମାପ୍ତ କରିଦେଲେ। ବସ୍ତୁତଃ ଏଇ ରାୟଟି ‘ହିନ୍ଦୁତ୍ବ’ ରାୟ ଭାବରେ ଆଇନ୍ରେ କ୍ଷେତ୍ର ଅଧିକାର କରି ବସିଚି। ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପ୍ରତିଷ୍ଠିତ ଏ ହିନ୍ଦୁତ୍ବ ରାୟଟି ସଂେକ୍ଷପରେ ଏହି ଯେ ‘ହିନ୍ଦୁ’ ‘ହିନ୍ଦୁତ୍ବ’ ଓ ‘ହିନ୍ଦୁଇଜିମ୍’ର କୌଣସି ନିର୍ଦିଷ୍ଟ ସଂଜ୍ଞା ବାହାରି ପାରିବ ନାହିଁ। ଏ ଧର୍ମ ଏଭଳି ଯେ ଏଥିରୁ ଭାରତୀୟ ସଂସ୍କୃତି ଓ ଐତିହ୍ୟକୁ ବାଦ୍ଦେଇ କୌଣସି ସଂକୀର୍ଣ୍ଣ ଧର୍ମୀୟ ସାରାଂଶରେ ପହଞ୍ଚି ହେବନାହିଁ। ଏ ଧର୍ମ ହେଉଛି ପ୍ରକୃତରେ ‘ଭାରତୀୟ ଉପମହାଦେଶ’ରେ ଲୋକଜୀବନର ଏକ ଧାରା, ୟାକୁ ମୌଳବାଦୀ ହିନ୍ଦୁ ଧର୍ମାନ୍ଧତା ସହିତ ସମାନ ବୋଲି ଭାବି ହେବନାହିଁ।
ମୋଟ ଉପରେ ୧୯୫୪ରୁ ୧୯୯୫, ଏହି ଚାରିଦଶକରୁ ଊର୍ଦ୍ଧ୍ବ କାଳ ଭିତରେ ଭାରତୀୟ ଗଣତନ୍ତ୍ରରେ ହିନ୍ଦୁଧର୍ମର ସମସ୍ୟା ଥିଲା ‘ବ୍ୟାପକ’ ଭିତରେ ‘ଏକକ’ ମାନଙ୍କର ସ୍ବପ୍ରତିଷ୍ଠା ସନ୍ଧାନ। ବୈଦିକ ପ୍ରକୃତି ପୂଜନରୁ ସନାତନ ବ୍ରହ୍ମାଣ୍ଡଦର୍ଶନ, ତହିଁରୁ ପୁଣି ବ୍ରାହ୍ମଣ୍ୟ କର୍ମକାଣ୍ଡ ଦେଇ ବୌଦ୍ଧ ଓ ଜୈନ ପ୍ରତିରୋଧ ଓ ଧର୍ମର ବ୍ୟାପକତା ଭିତରେ ନିରାକାର ଓ ସାକାର ପନ୍ଥା ନିର୍ବାଚନରେ ସ୍ବାଧୀନ, ଏ ଧର୍ମ ‘ହିନ୍ଦୁ’ ହେଲା ଅନେକ ପରେ । ତା ଆଗରୁ ସିନ୍ଧୁ ତୀରରେ ଯଜ୍ଞାଗ୍ନି ପ୍ରଜ୍ବଳିତ କରି ସଂସାରର ମଙ୍ଗଳକାମନା କରୁଥିବା ସେ ଋତ୍ବିକ୍ ବା ମୁନି କୋଉଧର୍ମର ଥିଲେ? ଶ୍ରୀ ଭେଙ୍କଟାଚଳଙ୍କ ରାୟରେ ହିନ୍ଦୁଧର୍ମର ମୁଖ୍ୟ ଆସ୍ଥାପିଣ୍ଡ ଭାବରେ ପ୍ରାରବ୍ଧ ଓ ପୁନର୍ଜନ୍ମରେ ବିଶ୍ବାସ, ବେଦରେ ସର୍ବୋଚ୍ଚ ମାନ୍ୟତା, ସୃଜନ ଓ ପ୍ରଳୟର ପୌନଃପୁନିକତା, ବିଶାଳ ବ୍ରହ୍ମାଣ୍ଡ ଓ ପ୍ରକାଣ୍ଡ କାଳକଳ୍ପନା ଚିହ୍ନିତ ହେଲେ, କିନ୍ତୁ ଏସବୁର ବାହାରେ ଜଣେ ସାଧାରଣ ଈଶ୍ବରବିଶ୍ବାସୀ ବା ପ୍ରତିମାଭଂଜକ ଅଧ୍ୟାତ୍ମ ସନ୍ଧାନୀ ବା ନିରାଟ ଶୂନ୍ୟବାଦୀ ବି ହିନ୍ଦୁ ଏକଥା ବି ରହିଗଲା। ଆରମ୍ଭ, ଖଣ୍ଡ, ଆକାର, ରୂପ, ଛଟା, ବର୍ଣ୍ଣନା ବା ତର୍କରେ ଧରାପଡ଼ୁନଥିବା ଏ ଧର୍ମ ଏକ ବିସ୍ମୟକର ସଭ୍ୟତା ପ୍ରବାହର ଦାନ। ୟାକୁ ସଂଜ୍ଞାୟିତ କରିବା ଅସମ୍ଭବ। ଏକଥା ତ ଏ ରାୟମାନଙ୍କରେ ବହୁ ଶ୍ରମ ସ୍ବୀକାର କରି ନ୍ୟାୟମୂର୍ତ୍ତିମାନେ ପ୍ରତିପାଦିତ କରିଗଲେ। ୧୯୯୫ର ରାୟ ହେଲା ଏକ ପ୍ରକାରର ସର୍ବୋଚ୍ଚ ନ୍ୟାୟାଳୟର ‘ହିନ୍ଦୁତ୍ବ ବିବେଚନ’ର ସାରାଂଶ ଓ ଶୀର୍ଷକଥନ।
କିନ୍ତୁ ଶ୍ରୀ ଭେଙ୍କଟାଚଳଙ୍କ ରାୟ ପର୍ଯ୍ୟନ୍ତ ଧର୍ମ ଓ ରାଜନୀତି ମୁହାମୁହିଁ ହୋଇନଥିଲେ, ଅନ୍ତତଃ ସର୍ବୋଚ୍ଚ ନ୍ୟାୟାଳୟର ବିଚାର କ୍ଷେତ୍ରରେ । ତାହା ଘଟିଲା ଡିସେମ୍ବର ୧୧, ୧୯୯୫ରେ। ନ୍ୟାୟମୂର୍ତ୍ତି ଜେ.ଏସ.ବର୍ମା, ନ୍ୟାୟମୂର୍ତ୍ତି ଏନ.ପି.ସିଂହ ଓ ନ୍ୟାୟମୂର୍ତ୍ତି କେ. ଭେଙ୍କଟସ୍ବାମୀ ଗୋଟିଏ ରାୟ ଦେଲେ ନିର୍ବାଚନରେ ଧର୍ମର ଭୂମିକା ଉପରେ। ଏ ହୋଇଗଲା ପ୍ରସିଦ୍ଧ ‘ହିନ୍ଦୁତ୍ବ’ ରାୟ, କାରଣ ଏଥିପୂର୍ବରୁ ହିନ୍ଦୁଧର୍ମର ଆଭ୍ୟନ୍ତରୀଣ ବିବାଦ ଓ ବିଭାଜନ ଥିଲା ପ୍ରସଙ୍ଗ, ଏବେ କଥା ଆସିଲା ଗଣତନ୍ତ୍ରରେ ୟାର ପ୍ରୟୋଗର ଓ ୧୯୯୬ରେ ଭାରତୀୟ ଜନତା ପାର୍ଟି ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ତାଙ୍କ ବିଚାରଧାରାର ଅନୁକୂଳ ବୋଲି ମୁକ୍ତ କଣ୍ଠରେ କହିଲେ। କହିବାକୁ ଗଲେ ଏ ରାୟ ଦ୍ବାରା ହିନ୍ଦୁବହୁଳ ଭାରତରେ ଗଣତନ୍ତ୍ରର ଏକ ଅବଦମିତ ଗଣ-ସ୍ବର ଆସ୍ଥାର ନିର୍ଭରଯୋଗ୍ୟ ରାଜନୈତିକ ଯୁକ୍ତି ପାଇଲା। କହିବା ବାହୁଲ୍ୟ ଯେ ନ୍ୟାୟମୂର୍ତ୍ତି ବର୍ମା ଉଦାରବାଦୀଙ୍କ ଦ୍ବାରା ଘୋର ଆପତ୍ତିର ସମ୍ମୁଖୀନ ହେଲେ। ଏମିତିକି ସେର୍ବାଚ୍ଚ ନ୍ୟାୟାଳୟରେ ଏ ରାୟର ପୁନର୍ବିଚାର ପାଇଁ ଆବେଦନ ହେଲା, କିନ୍ତୁ ଫଳ କିଛି ହେଲାନାହିଁ।
କ’ଣ କହିଲେ ନ୍ୟାୟମୂର୍ତ୍ତି ବର୍ମା ଏ ରାୟରେ? କହିଲେ ‘ହିନ୍ଦୁତ୍ବ ଏକ ଜୀବନଧାରା (ଏ ୱେ ଅଫ୍ ଲାଇଫ)’ ଧର୍ମ ନୁହେଁ। ଏକଥା ଅନେକ ଆଗରୁ ବି କହି ଆସିଥିଲେ ସର୍ବୋଚ୍ଚ ନ୍ୟାୟାଳୟ, କିନ୍ତୁ ନ୍ୟାୟମୂର୍ତ୍ତି ବର୍ମାଙ୍କର ଏ ରାୟର ରାଜନୀତିକରଣ ହୋଇଗଲା। କାରଣ ସେତେବେଳକୁ ଭାରତୀୟ ଜନତାପାର୍ଟି, ଉଦାରବାଦୀ-ବାମପନ୍ଥୀ ମେଣ୍ଟ ସାମ୍ନାରେ ଏକ ବୈକଳ୍ପିକ ବିଚାରଧାରାର ରାଜନୀତି ନେଇ ଠିଆ ହୋଇଥିଲା ଓ ଏ ରାୟକୁ ନିଜପକ୍ଷକୁ ଟାଣିନେଇ ସେମାନେ ବୈଚାରିକ ପ୍ରତିଷ୍ଠା ପାଇଯାଇଥିଲେ। ସେଥିରେ କିଛି ଭୁଲ୍ ନଥିଲା ତ! ଉଦାରବାଦୀମାନେ ନା ଭାରତବିରୋଧୀ ନା ହିନ୍ଦୁ ବିରୋଧୀ, କିନ୍ତୁ ପ୍ରତିପକ୍ଷକୁ ଶକ୍ତିପରୀକ୍ଷାର ନିର୍ବାଚନୀ ସୁଯୋଗ ଦେବାପାଇଁ ସେମାନେ ପ୍ରସ୍ତୁତ ନଥିଲେ। ରାଜନୀତିର ବୈଠକଘରେ ହାତୀ ଭଳି ଠିଆ ହୋଇଥିଲା ଏ ରାୟ!
୨୦୧୬ରେ ସର୍ବୋଚ୍ଚ ନ୍ୟାୟାଳୟ ସମ୍ମୁଖରେ ‘ଲୋକ ପ୍ରତିନିଧିତ୍ବ ଆଇନ୍’ର ଧାରା ୧୨୩(୩) ଥିଲା ବିଚାର ପାଇଁ। ଧର୍ମ ନାମରେ ଭୋଟ୍ ମାଗିବା ଆଇନର ଖିଲାପ କି? ସାତଜଣିଆ ଖଣ୍ଡପୀଠ ତରଫରୁ ରାୟ ଦେଇ ନ୍ୟାୟମୂର୍ତ୍ତି ଠାକୁର କହିଲେ: ‘ନିର୍ବାଚନ ଏକ ଧର୍ମନିରପେକ୍ଷ କର୍ମ, ତେଣୁ ଧର୍ମ, ଜାତି ଓ ସଂପ୍ରଦାୟ ନାମରେ ଭୋଟ୍ ମାଗିବା ଭ୍ରଷ୍ଟାଚାର (କରପ୍ଟ ପ୍ରାକ୍ଟିସ୍) ଓ ତେଣୁ ଯେଉଁ ପ୍ରାର୍ଥୀ ତାହା କରିଥିବେ ତାଙ୍କର ନିର୍ବାଚନ ଅସିଦ୍ଧ’। କିନ୍ତୁ ଏ ରାୟ ଦେଲାବେଳେ ନ୍ୟାୟମୂର୍ତ୍ତି ସ୍ପଷ୍ଟ କହିଦେଲେ ଯେ ସେମାନେ ୧୯୯୫ ର ହିନ୍ଦୁତ୍ବ ରାୟକୁ ପୁଣିଥରେ ଖୋଲିବାକୁ ଚାହାନ୍ତି ନାହିଁ। ୪:୩ ସଂଖ୍ୟାଗରିଷ୍ଠତାରେ ଏ ରାୟ ପ୍ରକାଶିତ ହେଲା, ଅର୍ଥାତ ସପକ୍ଷରେ ୪ ଓ ବିପକ୍ଷରେ ୩।
ବିପକ୍ଷରେ ରହିେଲ ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼, ନ୍ୟାୟମୂର୍ତ୍ତି ଗୋଏଲ ଓ ନ୍ୟାୟମୂର୍ତ୍ତି ଲଲିତ୍। ଏମାନଙ୍କର ଅସହମତି ଏହିପରି ଥିଲା: ଏ ବ୍ୟାପାରରେ ନ୍ୟାୟାଳୟର ହସ୍ତକ୍ଷେପ ଅନୁଚିତ, କାରଣ ଏହାଫଳରେ ଆଇନ୍ର ନ୍ୟାୟିକ ପୁନଃରଚନା (ରିଡ୍ରାଫ୍ଟିଂ ଅଫ୍ ଲ)ହୋଇଯିବ। ପ୍ରାର୍ଥୀମାନେ ତାଙ୍କର ଦୃଷ୍ଟିକୋଣ, ଭୋଟଦାତାଙ୍କ ପାଖରେ ପହଞ୍ଚାଇବାରେ କୋର୍ଟର ରାୟ ଯଦି ଅନ୍ତରାୟ ହୁଏ, ତେବେ ଗଣତନ୍ତ୍ର ଅର୍ଥହୀନ ହୋଇଯିବ।
ୟାର ଅର୍ଥ ୟା ନୁହେଁ ଯେ ଧର୍ମନିରପେକ୍ଷତା ନାମରେ ଧର୍ମର ନିର୍ବାଚନୀ ପ୍ରୟୋଗ ପ୍ରତିବନ୍ଧିତ ହେବା ଅଗଣତାନ୍ତ୍ରିକ। ୟାର ମର୍ମ ମାତ୍ର ଏତିକି ଯେ ଯେପର୍ଯ୍ୟନ୍ତ ହିନ୍ଦୁତ୍ବକୁ ଏକ ଜୀବନଧାରା ଭାବରେ ବୁଝାଯିବ ସେପର୍ଯ୍ୟନ୍ତ ହିନ୍ଦୁଧର୍ମ ନାମରେ ଭୋଟ ମାଗିବାର ଆବଶ୍ୟକତା ପଡ଼ିବ ନାହିଁ। ଏଇଥିପାଇଁ ତ ସର୍ବୋଚ୍ଚ ନ୍ୟାୟାଳୟ ୧୯୯୫ର ହିନ୍ଦୁତ୍ବ ତର୍ଜମାକୁ ପୁଣିଥରେ ଖୋଲିବାକୁ ଚାହିଁଲେ ନାହିଁ! ଅର୍ଥାତ୍ ହିନ୍ଦୁଧର୍ମର ‘ଜୀବନଧାରା’ ତର୍ଜମା କାଏମ ଏବେବି, କିନ୍ତୁ ନିର୍ବାଚନରେ ଧର୍ମ, ଜାତି ଓ ସଂପ୍ରଦାୟ ନାମରେ ଭୋଟ ମାଗିବା ଅସିଦ୍ଧ! ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼-ଗୋଏଲ-ଲଲିତ୍ଙ୍କ ଦୃଷ୍ଟିକୋଣ ଭାରତର ନ୍ୟାୟବିଦ୍ମାନଙ୍କଦ୍ବାରା ଏବେବି ଚର୍ଚ୍ଚିତ ହେଉଥିବ, ଏଥିରେ ସନ୍ଦେହ ନାହିଁ। ବୈଠକଖାନାର ଏ ହାତୀ ପାଇଁ ମାହୁନ୍ତ ଦରକାର, କିନ୍ତୁ ଯେଉଁମାନେ ୧୯୯୫ର ହିନ୍ଦୁତ୍ବ ରାୟକୁ ଖଣ୍ଡିତ ଓ ଏକଦିଗଦର୍ଶୀ ମନେକରନ୍ତି ଏଇଥିପାଇଁ ଯେ ଏଥିରେ ସାବରକରଙ୍କର ‘ହିନ୍ଦୁତ୍ବ’ ବିଚାରର ତର୍ଜମା ନାହିଁ, ସେମାନେ ଜାଣିବା ଉଚିତ ଯେ ସାବରକରଙ୍କର ‘ହିନ୍ଦୁତ୍ବ’ ପ୍ରକାଶିତ ହୋଇଥିଲା ୧୯୨୩ରେ। ସେତେବେଳେ ସମୟ ଥିଲା ବିଭାଜିତ ହିନ୍ଦୁଧର୍ମକୁ ଗୋଟିଏ ଭାବଛତ୍ର ତଳେ ଏକତ୍ରିତ କରିବାର। ଲୋକ ସମାଜରେ ପୁନରେକୀକରଣର ଏକ ଚିନ୍ତାଧାରାକୁ ନେଇ ସାବରକର ‘ଅଖଣ୍ଡ ହିନ୍ଦୁତ୍ବ’ର କଳ୍ପନା କରୁଥିଲେ। ଅଥଚ ସାବରକର ଥିଲେ ଜଣେ ନାସ୍ତିକ। ଯେଉଁମାନେ ବିନାୟକ ଦାମୋଦର ସାବରକରଙ୍କ ‘ହିନ୍ଦୁତ୍ବ’ ପଢ଼ିଛନ୍ତି ସେମାନେ ନିଶ୍ଚୟ ଜାଣନ୍ତି ଯେ ତାଙ୍କର ଦୃଷ୍ଟିରେ ରାଜନୀତି ନଥିଲା। ସେ ଥିଲେ ହିନ୍ଦୁ ସଭ୍ୟତାର ଦାର୍ଶନିକ ଓ ‘ଦେଶପ୍ରେମ’ ଥିଲା ତାଙ୍କର ହିନ୍ଦୁଧର୍ମର କଷଟି। ଯିଏ ଏ ‘ଦେଶ’କୁ ଭଲ ପାଏ, ସେ ହିନ୍ଦୁ। ହିନ୍ଦୁ ଅର୍ଥାତ ସମସ୍ତ ଅାସ୍ଥା, ବିଶ୍ବାସ, ଆଚାର-ବିଚାରକୁ ଦେଶପ୍ରେମରେ ଆତ୍ମସାତ୍ କରି ତିଷ୍ଠିଥିବା ଏକ ରକ୍ତ ସମ୍ପର୍କ। ୟା’ଠାରୁ ବଡ଼ ଧର୍ମନିରପେକ୍ଷ ମାନବବାଦ ଆଉ କ’ଣ ହୋଇପାରେ? ସେ ଯାହାହେଉ, ସାବରକରଙ୍କ ହିନ୍ଦୁତ୍ବ ବିଷୟରେ ସର୍ବୋଚ୍ଚ ନ୍ୟାୟାଳୟ ମତ ରଖିନାହାନ୍ତି, କାରଣ ଏ ବିଷୟ ତାଙ୍କର ବିଚାର ପାଇଁ ନଥିଲା।
‘ହିନ୍ଦୁତ୍ବ’କୁ କର୍ମକାଣ୍ଡୀ ବିଚାର ନକରି ସମଗ୍ର ବିଶ୍ବର ଆଧ୍ୟାତ୍ମିକ ହୃଦୟ ବୋଲି ଭାବିବାରେ ପ୍ରମାଦ କେଉଁଠି? ଭାରତୀୟ ସନ୍ଥ ପରମ୍ପରାରେ ‘ହିନ୍ଦୁତ୍ବ’ର କଳ୍ପନା ୟାକୁଇ ନେଇ ବିକଶିତ ହୋଇଚି। ‘ମୌଳ ହିନ୍ଦୁବାଦ’କୁ ହିନ୍ଦୁତ୍ବ ବୋଲି ଭାବୁଥିବା ତଥାକଥିତ ଉଦାରବାଦୀମାନେ ଜାଣନ୍ତି ନାହିଁ ଯେ ମୌଳବାଦୀ ଭାବରେ ନିନ୍ଦିତ ମଧ୍ୟ ଥିଲେ ଜଣେ ‘ନାସ୍ତିକ’। ଜଣେ ‘ନାସ୍ତିକ’ ବି ହିନ୍ଦୁ ଧର୍ମର ଛତ୍ରତଳେ ‘ଦେଶପ୍ରେମୀ’ଙ୍କୁ ଏକାଠି କରି ମାନବବାଦର ଜୟଗାନ କରିପାରେ। ଏ ଧର୍ମ ବିଭେଦହୀନ ଅଖଣ୍ଡ ଭାରତୀୟତାର ମନ୍ତ୍ର ହେବାରେ ଶଙ୍କା କେଉଁଠି? ହିନ୍ଦ୍ ନିବାସୀ ହିନ୍ଦ୍ପ୍ରେମୀ ହିନ୍ଦୁର ଦର୍ଶନ ଓ ରାଜନୀତି ନିଃଶଙ୍କ ଭାରତୀୟତାର ଜୀବନଧର୍ମ। ଏଥିରେ ବିଭେଦ ନାହିଁ କି ବୈର ନାହିଁ।
ଭୁବନେଶ୍ବର