ଚକାଆଖି ସବୁ ଦେଖୁଛି!
ଶ୍ୟାମସୁନ୍ଦର ଅଗ୍ରୱାଲା
ଯଦି ସୋନା ମହାପାତ୍ର କେବଳ ବିତର୍କ ସୃଷ୍ଟି କରି ନାଁ କରିବା ଉଦ୍ଦେଶ୍ୟରେ ‘ଆହେ ନୀଳ ଶଇଳ’ ଭଳି ଜଗନ୍ନାଥଙ୍କ ଜଣାଣକୁ ବିକୃତ କରି ଗାଇଛନ୍ତି ତେବେ ତାଙ୍କ ଅପରାଧ ଅକ୍ଷମଣୀୟ, କିନ୍ତୁ ଯଦି ଓଡ଼ିଆ ଭାଷାର ଅଜ୍ଞାନତାବଶତଃ ଅଜାଣତରେ ଏପରି ଭୁଲ କରିପକେଇଛନ୍ତି ତେବେ ଏହି ପରିପ୍ରେକ୍ଷୀରେ ଗାୟତ୍ରୀ ମନ୍ତ୍ର କଥାଟିଏ ମନେ ପଡ଼ିଯାଏ। ଜଣେ ନୈଷ୍ଠିକ ପଣ୍ଡିତ ଗଙ୍ଗାନଦୀ କୂଳରେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ସ୍ନାନ କରୁଥିଲେ। ଏହି ସମୟରେ ନିକଟସ୍ଥ ଏକ ଘାଟରୁ କିଏ ଜଣେ ଗାୟତ୍ରୀ ମନ୍ତ୍ରର ବିକୃତ ପାଠ କରୁଥିବା ଶୁଣି ପାରିଲେ। ପଣ୍ଡିତ ମହାଶୟ କ୍ରୋଧାନ୍ବିତ ହୋଇପଡ଼ି ନାଆଟିଏ ନେଇ ସେହି ସ୍ବରକୁ ଅନ୍ବେଷଣ କରିଗଲେ ଏବଂ ସେହି ଘାଟ ପାଖରେ ପହଞ୍ଚି ଯାହା ଦେଖିଲେ ତାହା ତାଙ୍କୁ ଆହୁରି ଆଶ୍ଚର୍ଯ୍ୟ ଓ କ୍ରୋଧାନ୍ବିତ କରି ପକେଇଲା। ଦେଖିଲେ କେଉଟଟିଏ ବିକୃତ ଭାବରେ ଗାୟତ୍ରୀ ମନ୍ତ୍ର ପାଠକରି ଜାଲ ପକାଉଛି ଓ ମାଛ ଧରୁଛି। ପଣ୍ଡିତ ମହାଶୟ ତାକୁ ସେଥିରୁ ନିବୃତ୍ତ କରେଇବାକୁ ଯାଇ ଏଭଳି କାର୍ଯ୍ୟରେ ଗାୟତ୍ରୀ ମନ୍ତ୍ର ପାଠ ଓ ତା’ର ବିକୃତ ଉଚ୍ଚାରଣ ନିଶ୍ଚିତ ରୂପେ ତାକୁ ନର୍କଗାମୀ କରେଇବ ବୋଲି ସତର୍କ କରେଇଲେ। ପଣ୍ଡିତଙ୍କ କଥା ଶୁଣି ମୂର୍ଖ କେଉଟଟି କହିଲା ‘ମହାପ୍ରଭୁ! ମୁଁ ମନ୍ତ୍ରଫନ୍ତ୍ର କିଛି ଜାଣେନି। କେବଳ ଏହାକୁ ଶୁଣି ମାଛମାନେ ବେଶୀ ଜାଲରେ ପଡ଼ୁଛନ୍ତି ବୋଲି ମୁଁ ଏହାକୁ ଗାଇଗାଇ ମାଛ ଧରୁଛି। ମୋତେ କ୍ଷମା କରିବେ। ମୁଁ ଏ ଭୁଲ ଆଉ ଆଗକୁ କରିବି ନାହିଁ।’ ତା’ପରେ ପଣ୍ଡିତ ମହାଶୟ କେଉଟକୁ ଗାୟତ୍ରୀ ମନ୍ତ୍ରର ମହତ୍ତ୍ବ ଓ ଠିକ୍ ଉଚ୍ଚାରଣ ଶିଖେଇଲେ ଓ ଖୁସିରେଖୁସିରେ ନିଜ ନାଆ ଧରି ଘାଟକୁ ଫେରିଲେ। ଅଳ୍ପ ବାଟ ଯାଇଛନ୍ତି ତାଙ୍କର ମନେ ପଡ଼ିଲା ସେ ତାଙ୍କର କମଣ୍ଡଳୁଟି କେଉଟ ପାଖରେ ଛାଡ଼ିଦେଇ ଆସଛନ୍ତି। ଠିକ୍ ଏହି ସମୟରେ ଦେଖିଲେ କେଉଟ ତାଙ୍କର କମଣ୍ଡଳୁଟି ଧରି ପାଣିରେ ଚାଲିଚାଲି ତାଙ୍କ ନାଆ ପାଖକୁ ଆସୁଛି। ପଣ୍ଡିତଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ, କାରଣ ସେ ଜାଣନ୍ତି ଯେ ସେହି ସ୍ଥାନରେ ନଦୀରେ କମରୁ କମ ଦୁଇ ତିନିଜଣ ମଣିଷ (ପୁରୁଷ) ଗଭୀର ପାଣି ଥିବ ଓ କେଉଟ ତା’ ଉପରେ ଚାଲିଚାଲି ଆସୁଛି। ଆଶ୍ଚର୍ଯ୍ୟ ହୋଇ ସେ କେଉଟକୁ ପଚାରନ୍ତେ କେଉଟ କହିଲା ‘ମହାପ୍ରଭୁ, ମୁଁ କିଛି ଜାଣିନାହିଁ। ମୁଁ ଯେଉଁ ମନ୍ତ୍ର ବୋଲି ମାଛ ଧରେ ସେହି ମନ୍ତ୍ର ବୋଲିବୋଲି ମୁଁ ଏମିତି ନଦୀରେ ଚଳପ୍ରଚଳ ମଧ୍ୟ କରେ।’ ପଣ୍ଡିତଙ୍କର କେଉଟର ଦିବ୍ୟଜ୍ଞାନ ପ୍ରତି ଆଉ ସନ୍ଦେହ ରହିଲାନାହିଁ। ସେ କେଉଟକୁ କୁଣ୍ଢେଇ ପକେଇ ତା’ର ଭୁଲଭାଲ୍ ଉଚ୍ଚାରଣ ଭିତରେ ନିର୍ଭୁଲ ଭାବାବେଗକୁ ସମ୍ମାନ ପ୍ରଦର୍ଶନ କଲେ।
ଏହି ଗଳ୍ପ ଯେ ସୋନା ମହାପାତ୍ରଙ୍କ ‘ଆହେ ନୀଳ ଶଇଳ’ ଗୀତରେ ଭୁଲଭାଲ ଉଚ୍ଚାରଣ ସବୁ ତାଙ୍କର ଜଗନ୍ନାଥଙ୍କ ପ୍ରତି ନିର୍ଭୁଲ ଭାବାବେଗକୁ ପ୍ରଦର୍ଶନ କରୁଛି ତାହା ତାଙ୍କର ପ୍ରକାଶ ପାଇଥିବା ପରବର୍ତ୍ତୀ ପ୍ରତିକ୍ରିୟା ପ୍ରମାଣ ଦେଉନାହିଁ। ସେ ଯଦି କେଉଟ ଭଳି ନିଜର ଅଜ୍ଞତାକୁ ମାନି ଦେଇ ସଂଶୋଧନ ନିମନ୍ତେ ଆଗେଇ ପାରିଥାନ୍ତେ ତେବେ ତାଙ୍କୁ ଓଡ଼ିଶାର ଜନସାଧାରଣ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରିଥାନ୍ତେ। ସେ କିନ୍ତୁ ଗର୍ବର ସହ ଟ୍ବିଟ କରି କହନ୍ତି ଯେ ସେ ଯାହା ଗାଇଛନ୍ତି ଠିକ୍ ଗାଇଛନ୍ତି। ଓଡ଼ିଶାବାସୀ ତାଙ୍କୁ ଭୁଲ ବୁଝୁଛନ୍ତି। ସେ ପୁଣି କହନ୍ତି ଯେ ଏହି ଭଜନ ଗାଇଲାବେଳେ ସେ ଓଡ଼ିଶାର କୋରାପୁଟ ଜିଲାର କୋଟପାଡ଼ ଶାଢ଼ି ପିନ୍ଧିଛନ୍ତି, କଟିରେ ଓଡ଼ିଆ ମେଖଳା ବାନ୍ଧିଛନ୍ତି ଓ ମୁଣ୍ଡରେ ଚନ୍ଦନ ଟୋପା ଲଗେଇଛନ୍ତି। ଏହା ଅତ୍ୟନ୍ତ ଆନନ୍ଦର ବିଷୟ, କିନ୍ତୁ ଏସବୁ ତାଙ୍କୁ ଗୀତଟିକୁ ବିକୃତ ଉଚ୍ଚାରଣ କରିବାର ଅଧିକାର ଦିଏ ନାହିଁ। ଥରେ ତାଙ୍କର ଭାବିବାର ଥିଲା ଯଦି ଏସବୁ ସହିତ ସେ ଶବ୍ଦ ଉଚ୍ଚାରଣ ପ୍ରତି ଟିକେ ଯତ୍ନବାନ ହୋଇଥାନ୍ତେ ତେବେ ତାହା ଅତୀବ ଚମତ୍କାର ହୋଇ ନଥାନ୍ତା କି? ଏହା ଅସାଧ୍ୟ ମଧ୍ୟ ନୁହେଁ। ଯଦି ଭାରତବର୍ଷରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଓଡ଼ିଆେର ‘ଆଜି ମୁଁ ଶ୍ରାବଣୀ’ ଗୀତଟି ନିର୍ଭୁଲ ଗାଇ ପାରୁଛନ୍ତି ଆଉ ମହମ୍ମଦ ରଫି ‘ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାରେ ମେଘ ସାଜିଲି’ ଅନାୟାସରେ ଗାଇପାରୁଛନ୍ତି, ତେବେ ସୋନା ମହାପାତ୍ର କାହିଁକି ପାରିବେନି?
କୋରାପୁଟ ଶାଢ଼ି, ଓଡ଼ିଆ ମେଖଳା ଓ ଚନ୍ଦନ ଟିପା ଯେମିତି ସୋନା ମହାପାତ୍ରଙ୍କୁ ଜଗନ୍ନାଥ ଭଜନକୁ ବିକୃତ କରିବାର ଅଧିକାର ଦେଇନାହିଁ, ସେହିପରି ପ୍ରତିକ୍ରିୟାରେ ଆମକୁ ମଧ୍ୟ ତାଙ୍କୁ ଗାଳିଗୁଲଜ କରିବାର କି ତାଙ୍କ କୁଶ ପୁତ୍ତଳିକା ଦାହ କରିବାପାଇଁ ଅଧିକାର ଦେଇନାହିଁ। ଏହି ପରିପ୍ରେକ୍ଷୀରେ ପୁନଶ୍ଚ କଥାଟିଏ କହିବାକୁ ଚାହେଁ। ଭିକାରିଟିଏ ଭୋକରେ ଆଉଟୁପାଉଟୁ ହେଉଥିଲା। ଜଣେ ଧାର୍ମିକ ବ୍ୟକ୍ତି ତା’କୁ କିଛି ଖାଇବାକୁ ଦେଲେ।’ ଭୋକରେ ଥିବା ଭିକାରିଟି ହଠାତ ଖାଇବାକୁ ଆରମ୍ଭ କରି ଦେବାରୁ ଧାର୍ମିକ ବ୍ୟକ୍ତିଜଣକ ତାକୁ ସାମାନ୍ୟ ତିରସ୍କାର କରି କହିଲେ ‘ଖାଇବାକୁ ପାଉନଥଲୁ। ଭୋକରେ ଆଉଟୁପାଉଟୁ ହେଉଥିଲୁ। ଖାଇବା ପୂର୍ବରୁ ଥରୁଟିଏ ଠାକୁରଙ୍କୁ ସ୍ମରଣ କରି ଧନ୍ୟବାଦଟିଏ ଦେଇପାରିଲୁ ନାହିଁ।’ ଏ କଥା ଶୁଣି ଭିକାରିଟି ଖାଦ୍ୟଥାଳି ଫୋପାଡ଼ି ଦେଲା, ଆଉ କହିଲା ‘ଆପଣଙ୍କର ଯଦି ମୋତେ ଖାଇବାକୁ ଦେବାର ଅଛି ଦିଅନ୍ତୁ, କିନ୍ତୁ ଏହି ସର୍ତ୍ତରେ ମୁଁ ଆପଣଙ୍କ ଖାଦ୍ୟ ଗ୍ରହଣ କରିପାରିବି ନାହିଁ।’ ଧାର୍ମିକ ବ୍ୟକ୍ତି ଜଣକ ଏପରି କଥାଶୁଣି କ୍ରୋଧାନ୍ବିତ ହୋଇପଡ଼ିଲେ ଓ ଭିକାରିକୁ ଘରୁ ତଡ଼ିଦେଲେ। ରାତିରେ ଭଗବାନ ଧାର୍ମିକ ବ୍ୟକ୍ତିକୁ ଦର୍ଶନ ଦେଇ ପ୍ରଶ୍ନ କଲେ ‘ଭିକାରିକୁ କାହିଁକି ଖାଦ୍ୟ ଖାଇବାକୁ ଦେଲ ନାହିଁ?’ ସେ କହିଲେ ‘ପ୍ରଭୁ ତା’ର ଗର୍ବ ଦେଖନ୍ତୁ। ଥରୁଟିଏ ବି ସେ ଆପଣଙ୍କ ନାଁ ନେବାକୁ ମନାକଲା। ମୁଁ କେମିତି ତା’କୁ ଖାଇବାକୁ ଦେଇଥାନ୍ତି?’ ଭଗବାନ କହିଲେ ‘ସେ ମୋତେ ଅପମାନ ଦେଇପାରେ, କିନ୍ତୁ ସେଥିପାଇଁ ଖାଦ୍ୟ ମନା କରିବାର ଅଧିକାର ତୁମକୁ କିଏ ଦେଲା? ଥରେ ଭାବିକି ଦେଖ। ତାକୁ ଚାଳିଶ ବର୍ଷ ହେଲାଣି ଓ ଆଜିଯାଏଁ ସେ ମୋତେ ଅପମାନ କରି ଆସିଛି। ତଥାପି ସେ ବଞ୍ଚିଛି କେମିତି? ତା’କୁ ଖାଇବାକୁ ଦେଉଛି କିଏ?’
ବନ୍ଧୁଗଣ, ସୋନା ମହାପାତ୍ର ଯଦି ଅଜାଣତରେ ଭୁଲ କରି ଦେଇଛନ୍ତି ଆଉ ଜଗନ୍ନାଥଙ୍କୁ କ୍ଷମା ପ୍ରାର୍ଥନା କରି ସେ ଭଜନକୁ ପୁନର୍ବାର ଠିକ୍ ଉଚ୍ଚାରଣରେ ଗାଇଦିଅନ୍ତି, ତେବେ ଖୁବ୍ ଭଲ ହୁଅନ୍ତା, କିନ୍ତୁ ଯଦି ସେ ତାହା ନ କରନ୍ତି ତେବେ ତାଙ୍କୁ ଡରେଇ ଧମକେଇ ଜଗନ୍ନାଥଙ୍କ ଜଣାଣକୁ ନିର୍ଭୁଲ ଉଚ୍ଚାରଣରେ ଗାୟନ କରେଇବାର ଅଧିକାର ସ୍ବୟଂ ଜଗନ୍ନାଥ ମଧ୍ୟ ଆମକୁ ଦେଇନାହାନ୍ତି; କିନ୍ତୁ ଚକାଆଖି ସବୁ ଦେଖୁଛି।
୯୭, ଜନପଥ, ଭୁବନେଶ୍ବର