ଇଣ୍ଟରନେଟରେ ଓଡ଼ିଆ ପାଠ୍ୟ
ପ୍ରଦୀପ ମହାପାତ୍ର
ବିବର୍ତ୍ତନଧାରାରେ ମାନବ ସଭ୍ୟତାରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଭାଷାର ଅସ୍ତିତ୍ୱ ଓ ପ୍ରସାର ଆହ୍ୱାନର ସମ୍ମୁଖୀନ ହୋଇ ଆସିଛି। ପ୍ରଯୁକ୍ତି ବିଜ୍ଞାନ ପ୍ରଗତି କାରଣରୁ ଗଣମାଧ୍ୟମ ମଞ୍ଚଗୁଡ଼ିକ କେତେକ ଭାଷାର ପ୍ରସାର ନିମନ୍ତେ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରୁଥିବାସ୍ଥଳେ ଅନ୍ୟ କେତେକ ଭାଷାକୁ ଅବକ୍ଷୟର ଗହ୍ୱର ମଧ୍ୟକୁ ଠେଲି ଦେଉଛି।
ଗଣମାଧ୍ୟମ ଇତିହାସରେ ଲିପି ଉଦ୍ଭାବନ ପରକୁ ମୁଦ୍ରଣ କଳାକୌଶଳ ପ୍ରସାର ଅନ୍ୟତମ ବିଶିଷ୍ଟ ସୋପାନ। ଊନବିଂଶ ଶତାବ୍ଦୀର ସପ୍ତମ ଦଶକ ଶେଷାର୍ଦ୍ଧରେ ବ୍ରିଟିଶଶାସିତ ଭୌଗୋଳିକ ଓଡ଼ିଶାରେ ନବପ୍ରତିଷ୍ଠିତ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାରେ ଶିକ୍ଷାଦାନ ନିଷ୍ପତ୍ତି ଅବସରରେ ଓଡ଼ିଆ ଭାଷାରେ ମୁଦ୍ରିତ ପୁସ୍ତକ ଅଭାବରୁ ଓଡ଼ିଆ ଭାଷା ବଦଳରେ ପ୍ରାଶାସନିକ କେନ୍ଦ୍ର ବଙ୍ଗ ପ୍ରଦେଶର ବଙ୍ଗଳା ଭାଷାରେ ଶିକ୍ଷାଦାନ କରିବା ନିମନ୍ତେ ପ୍ରସ୍ତାବ ଚର୍ଚ୍ଚିତ ହୋଇଥିଲା। ସେତେବେଳକୁ ଓଡ଼ିଆ ଭାଷାସାହିତ୍ୟ ସମୃଦ୍ଧ ଥିଲେ ହେଁ ଓଡ଼ିଶାରେ ମୁଦ୍ରଣ ଯନ୍ତ୍ର ଅଭାବ କାରଣରୁ ମୁଦ୍ରିତ ପୁସ୍ତକର ଅଭାବ ଓଡ଼ିଆ ଭାଷାକୁ ଏଭଳି ଏକ ଅପମାନଜନକ ସ୍ଥିତିରେ ପହଞ୍ଚାଇ ଦେଇଥିଲା। ଓଡ଼ିଆ ସାହିତ୍ୟର ଇତିହାସରେ ଏହାକୁ ‘ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ’ ନାମିତ କରାଯାଇଥାଏ। ଇତିହାସ ପୃଷ୍ଠାରେ ତାହାର ବିବରଣୀ ପ୍ରତ୍ୟେକ ଓଡ଼ିଆପ୍ରେମୀଙ୍କ ପାଇଁ ଏକ ରୋମାଞ୍ଚକର ଅନୁଭୂତି।
ଓଡ଼ିଆ ଭାଷାରେ ମୁଦ୍ରିତ ପୁସ୍ତକର ଇତିହାସ ନୈରାଶ୍ୟଜନକ। ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନରେ ବିଦ୍ୟାଳୟ ନିମନ୍ତେ ପାଠ୍ୟପୁସ୍ତକ ପ୍ରକାଶନରେ ଆରମ୍ଭ ହୋଇଥିବା ଉଦ୍ୟମ ଆଜି ଯାଏଁ ସେଠି ହିଁ ଅଟକି ରହିଛି। ଦୀର୍ଘ ୧୫୦ ବର୍ଷ ମଧ୍ୟରେ ମୋଡ଼ ପରିବର୍ତ୍ତନ ପାଇଁ ଅନେକ ଉଦ୍ୟମ ହୋଇଛି ସତ, ତେବେ କୌଣସିଟିରେ ଉଲ୍ଲେଖନୀୟ ସଫଳତା ମିଳିପାରିନାହିଁ। ସମକାଳରେ ସାହିତ୍ୟ ଓ ସଂସ୍କୃତି ପ୍ରସାର କ୍ଷେତ୍ରରେ ଅଗ୍ରଣୀ ମାଲାୟାଲମ, ତାମିଲ ଓ ତେଲଗୁ ଭାଷାରେ ପୁସ୍ତକ ଓ ପତ୍ରପତ୍ରିକା ପ୍ରକାଶନ ତଥା ସାକ୍ଷରତା ପ୍ରସାରର ଉଦାହରଣ ଓଡ଼ିଆ ଭାଷାରେ ପ୍ରତିବିମ୍ୱିତ ହୋଇପାରି ନାହିଁ।
ଓଡ଼ିଶାରେ ଆଧୁନିକ ସାଂସ୍କୃତିକ ବିକାଶ ନିମନ୍ତେ ବହୁ ଅନ୍ତରାୟ ରହିଛି । ୨୦୧୧ ଜନଗଣନା ତଥ୍ୟ ଅନୁଯାୟୀ ଏଠାକାର ୮୬ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାରବର୍ଗଙ୍କ ମଧ୍ୟରୁ ୫୨ ପ୍ରତିଶତ ଭୂମିହୀନ ଦିନ ମଜୁରିଆ ଓ ୩ ପ୍ରତିଶତରୁ କମ ସ୍ନାତକ ଉପାଧିଧାରୀ ଶିକ୍ଷିତକୁ ନେଇ ଉନ୍ନତ ପ୍ରକାଶନ ଶିଳ୍ପ ନିଶ୍ଚିତ ଭାବେ ବ୍ୟାବସାୟିକ ଦୃଷ୍ଟିରୁ ତ୍ରୁଟିପୂର୍ଣ୍ଣ। ତେବେ ଊନବିଂଶ ଶତାବ୍ଦୀର ସପ୍ତମ ଦଶକ ବେଳକୁ ଓଡ଼ିଶାର ଅବସ୍ଥା କ’ଣ ଥିଲା ଏବଂ ସେତେବେଳକାର ନେତୃସ୍ଥାନୀୟ ଓଡ଼ିଆମାନେ କିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇବାରେ ସମର୍ଥ ହୋଇଥିଲେ ତାହା ଅନୁଶୀଳନ କଲେ ସୃଜନଶୀଳଙ୍କ ନିମନ୍ତେ ଦିଗ୍ଦର୍ଶନ ସମ୍ଭବପର ବୋଲି ଆଶା କରାଯାଇପାରେ। ମୁଦ୍ରଣ କାରିଗରୀ କୌଶଳ ପରକୁ ଚଳଚ୍ଚିତ୍ର, ରେଡ଼ିଓ ଓ ଟେଲିଭିଜନ ଦ୍ୱାରା ଭାଷା ଓ ସାହିତ୍ୟ ସ୍ଥାୟିତ୍ୱ ଓ ପ୍ରସାର ଯେତିକି ପ୍ରଭାବିତ ହୋଇ ନଥିଲା ବିଗତ ଦୁଇ ଦଶନ୍ଧି ଧରି ଇଣ୍ଟରନେଟର ପ୍ରସାର ସମସ୍ତ ଉପଲବ୍ଧ ଗଣମାଧ୍ୟମର ଏକକ ମଞ୍ଚ ଗଢ଼ିତୋଳି ଏକ ନୂତନ ସମୀକରଣ ସୃଷ୍ଟି କରିଛି। ସଂପ୍ରସାରଣରେ ପଛୁଆ ପଡ଼ିରହିଥିବା ଓଡ଼ିଆ ଭଳି ଭାଷା, ସାହିତ୍ୟ କ୍ଷେତ୍ରରେ ବିଗତ ବିଫଳତାକୁ ଏଡ଼ାଇ ବିସ୍ତୃତ ଲେଖକ ଓ ପାଠକଗୋଷ୍ଠୀ ଗଠନ କରିବାରେ ଏହି ବୈଷୟିକ କାରିଗରୀ କୌଶଳ ଏକ ‘ଲିପ୍ ଫ୍ରଗ୍’ ପରିବେଶ ସୃଷ୍ଟି କରିବାରେ ସମର୍ଥ।
ଇଣ୍ଟରନେଟ ମଞ୍ଚରେ ଓଡ଼ିଆ ତଥା ତାହାଠାରୁ େଢର କମ ଭାଷାଭାଷୀ ସମୃଦ୍ଧ ଭାଷାଗୁଡ଼ିକର ବ୍ୟବହାର ନିମନ୍ତେ ସ୍ୱତଃପ୍ରବୃତ୍ତଭାବେ ବିଭିନ୍ନ ବିଭବ ଆତ୍ମପ୍ରକାଶ କରୁଥିବା ଆନନ୍ଦର ବିଷୟ । ଗୁଗୁଲ, ମାଇକ୍ରୋସଫ୍ଟ, ଫେସ୍ବୁକ ଓ ୟୁଟ୍ୟୁବ ଭଳି ବୃହତ ପ୍ରତିଷ୍ଠାନମାନ ବ୍ୟାବସାୟିକ ପ୍ରସାର ବିଚ଼ାରକୁ ନେଇ ନିଜ ଉତ୍ପାଦଗୁଡ଼ିକୁ ଭାରତୀୟ ଭାଷା ଉପଯୋଗ କରିବା ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରି ଚ଼ାଲିଛନ୍ତି।
‘ଇଣ୍ଟରନେଟ ଏଣ୍ଡ ମୋବାଇଲ ଆସୋସିଏସନ ଅଫ ଇଣ୍ଡିଆ’ ଓ ଗବେଷଣା ସଂସ୍ଥା ‘କାନ୍ତାର’ ଆନୁକୂଲ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶରେ ୨୦୧୮ ଆରମ୍ଭ ସୁଦ୍ଧା ୪୮ କୋଟି ୧୦ ଲକ୍ଷ ଇଣ୍ଟରନେଟ ଉପଭୋକ୍ତା ଥିବା ହିସାବ କରାଯାଇଛି । ନିକଟ ଭବିଷ୍ୟତରେ ଭାରତୀୟ ଭାଷାଭାଷୀ ୨୦ କୋଟି ୫୦ ଲକ୍ଷ ନୂତନ ଇଣ୍ଟରନେଟ ଉପଭୋକ୍ତା ସଂଯୁକ୍ତ ହେବେ। ୨୦୧୭ରେ ଇଣ୍ଟରନେଟ ମଞ୍ଚରେ ପହଞ୍ଚୁଥିବା ପ୍ରତି ଦଶ ଜଣ ବ୍ୟକ୍ତିଙ୍କ ମଧ୍ୟରେ ୯ ଜଣ ଭାରତୀୟ ଭାଷା ବ୍ୟବହାରକାରୀ ଅନ୍ତର୍ଭୁକ୍ତ ଥିଲେ । ଏଭଳି ତଥ୍ୟାବଳୀ ଓଡ଼ିଆ ଭାଷାରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢୁଥିବା ତଥା ଏଭଳି ଧାରା ବଳବତ୍ତର ରହିବା ହୃଦ୍ବୋଧ ହୋଇଥାଏ । ତେବେ ବିପୁଳ ସଂଖ୍ୟକ ଭାରତୀୟ ଭାଷାଭାଷୀ ଉପଭୋକ୍ତାଙ୍କ ନିମନ୍ତେ ଇଣ୍ଟରନେଟ ମଞ୍ଚରେ ଉପଲବ୍ଧ ପାଠ୍ୟ ବା ଟେକ୍ସଟ ମଧ୍ୟରୁ ମାତ୍ର ଏକ ପ୍ରତିଶତ ଭାରତୀୟ ଭାଷାସମୂହରେ ପାଠ୍ୟ ଗଣିତ କରାଯାଉଥିବା ସ୍ଥିତାବସ୍ଥା ବୈଷୟିକ ସମୃଦ୍ଧ ପରିବେଶର ବିରୋଧାଭାସ କରିଥାଏ। ଓଡ଼ିଆ ଭାଷାରେ ଇଣ୍ଟରନେଟରେ ଉପଲବ୍ଧ ପାଠ୍ୟ ପରିମାଣ ବିସ୍ମୟକର ଭାବେ ସୀମିତ। ଇଣ୍ଟରନେଟ ମଞ୍ଚରେ ଓଡ଼ିଆ ଭାଷାସାହିତ୍ୟର ଦୁର୍ବଳ ସ୍ଥିତିର ଦୁଇଗୋଟି କାରଣ ଚ଼ିହ୍ନଟ କରାଯାଇପାରେ। ଏକପକ୍ଷରେ ଇଣ୍ଟରନେଟ ମଞ୍ଚରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ଏଯାଏଁ ପର୍ୟ୍ୟାପ୍ତ ସୁବିଧାସୁଯୋଗ ସୃଷ୍ଟି ହୋଇପାରି ନାହିଁ ଏବଂ ଅପରପକ୍ଷରେ ସ୍ଥାନୀୟ ସାହିତ୍ୟିକ ଗୋଷ୍ଠୀ ମାନସିକ ସ୍ତରରେ ମୁଦ୍ରଣଯୁଗରୁ ଉନ୍ନୀତ ହୋଇପାରି ନଥିବା ଲକ୍ଷ୍ୟ କରାଯାଇପାରେ। ସ୍ୱାଭାବିକ ଧାରାରେ ଏହି ଦୁଇ ସମସ୍ୟାର କାଳକ୍ରମେ ସମାଧାନ ସଂଭବ ସତ, ତେବେ ଏତାଦୃଶ ଅବହେଳା ଆମକୁ ପ୍ରତିବେଶୀ ଭାଷାସାହିତ୍ୟସହ ଦୌଡ଼ରେ ପଛୁଆ କରିପକାଉଥିବା ଚ଼ିନ୍ତାର ବିଷୟ।
ଇଣ୍ଟରନେଟରେ ଓଡ଼ିଆ ପାଠ୍ୟ ସୃଷ୍ଟି ନିମନ୍ତେ ପ୍ରାଥମିକ ପଦକ୍ଷେପ ସ୍ୱରୂପ ପର୍ଯ୍ୟାପ୍ତ ପରିମାଣରେ ଇ-ବୁକ ପ୍ରକାଶନ ନିମନ୍ତେ ଯତ୍ନବାନ ହେବାକୁ ପଡ଼ିବ। ଇ-ବୁକ ପ୍ରଯୋଜନା ଓ ପ୍ରସାରଣ ମୁଦ୍ରିତ ପୁସ୍ତକ ତୁଳନାରେ ସହଜ ଓ କମ ବ୍ୟୟସାପେକ୍ଷ। ଏହି ଧାରାକୁ ଲୋକପ୍ରିୟ କରିବା ନିମନ୍ତେ ବ୍ୟାବସାୟିକ ସଂସ୍ଥା ବଦଳରେ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ପକ୍ଷରୁ ଉଦ୍ୟମ ଅପେକ୍ଷାକୃତ ସଫଳ ହେବ ବୋଲି ବିଚ଼ାର କରାଯାଏ; କାରଣ ଭର୍ଚୁଆଲ ପ୍ରକାଶନ ଓ ବିତରଣ ଧାରାରେ ହଠାତ ମୁନାଫା ପାଇବା ସଂଭବପର ନୁହଁ। ଇ-ବୁକ ପ୍ରସ୍ତୁତି ନିମନ୍ତେ ସୃଜନ ମହଲରେ ସ୍ୱତନ୍ତ୍ର ପ୍ରସ୍ତୁତି ଜରୁରୀ। ମୁଦ୍ରଣଯୋଗ୍ୟ ପୁସ୍ତକର ଡ଼ିଜିଟାଲ ରୂପଭାବେ ଇ-ବୁକକୁ ଗ୍ରହଣ କରାଯାଇପାରେନା। ବିଷୟ ନିର୍ବାଚନଠାରୁ ଆରମ୍ଭ କରି ପଦବିନ୍ୟାସ, ଉପସ୍ଥାପନ ଶୈଳୀ ତଥା କଳେବର ନିର୍ଦ୍ଧାରଣ ବିଭିନ୍ନ କ୍ଷେତ୍ରରେ ମୌଳିକ ନୀତିନିୟମ ଉପଯୋଗ ଆବଶ୍ୟକ। ସର୍ବୋପରି ଏଭଳି ଉତ୍ପାଦ ମୋବାଇଲ ଫୋନ ପର୍ଦ୍ଦା ଅନୁକୂଳ ବା ‘ମୋବାଇଲ ପାଂଷ୍ଟ’ ହେବାପ୍ରତି ଦୃଷ୍ଟି ଦେବା ବାଞ୍ଚନୀୟ। ମୁଦ୍ରଣରୁ ଇ-ବୁକ ପ୍ରକାଶନ ପରିବର୍ତ୍ତନ ସନ୍ଧିକାଳରେ ଡିଜିଟାଲ ପ୍ରିଣ୍ଟ-ଟୁ-ଅର୍ଡ଼ର ମୁଦ୍ରଣ କୌଶଳ ଉପଯୋଗୀ ମନେ କରାଯାଇପାରେ। ପ୍ରିଣ୍ଟ-ଟୁ-ଅର୍ଡ଼ର ଧାରାରେ ପାଣ୍ଡୁଲିପି ପଚ୍ଛଦପଟ୍ଟ ସହ ଇ-ବୁକ ଆକାରରେ ପ୍ରସ୍ତୁତ କରାଯାଏ। ପାଠକମାନଙ୍କ ବରାଦ ମତେ ଏକକିତା ଡିଜିଟାଲ ପ୍ରିଣ୍ଟ ପୁସ୍ତକ ତତ୍କ୍ଷଣାତ ମୁଦ୍ରଣ ଓ ବନ୍ଧେଇକରି ଯୋଗାଇ ଦିଆଯାଇଥାଏ। ବ୍ୟାବସାୟିକ ହିସାବରେ ଦୁଇଶହ ପୃଷ୍ଠାର ପ୍ରିଣ୍ଟ-ଟୁ-ଅର୍ଡ଼ର ଡିଜିଟାଲ ପ୍ରିଣ୍ଟ ପୁସ୍ତକର ଦାମ ଅଢ଼େଇ ଶହ ଟଙ୍କା ହିସାବ କରାଯାଇଥିବାସ୍ଥଳେ ଅଣ-ବ୍ୟାବସାୟିକ ଉପକ୍ରମରେ କେବଳ କାଗଜ ଓ ଆନୁଷଙ୍ଗିକ ଖର୍ଚ୍ଚ ବାବଦରେ ପୁସ୍ତକ କିତା ପିଛା ଏକଶହ ଟଙ୍କା ନିର୍ଦ୍ଧାରଣ କରିବା ସଂଭବପର। କିନ୍ତୁ ଡିଜିଟାଲ ମୁଦ୍ରଣ ଯନ୍ତ୍ର ଓ ଭିତ୍ତିଭୂମି ପ୍ରସ୍ତୁତି ପାଇଁ ଦାନ ସୂତ୍ରରେ ମୂଳଧନ ଓ ଆଂଶିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ଭରଣା କରାଯିବା ଆବଶ୍ୟକ।
ସରକାରୀ ସ୍ତରରେ ଏତାଦୃଶ ଯୋଜନାମାନ କାର୍ଯ୍ୟକାରୀ କରାଯିବା ଉଚ଼ିତ, କିନ୍ତୁ ଅତୀତରେ ସମଧର୍ମୀ ପ୍ରକଳ୍ପମାନ ରୂପାୟନରେ ଅଯୋଗ୍ୟ କର୍ମକର୍ତ୍ତା ମନୋନୟନ, ନିଷ୍ପତ୍ତି ଗ୍ରହଣରେ ଅମଲାତାନ୍ତ୍ରିକ ମନୋଭାବ ପୋଷଣ ତଥା ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଇତ୍ୟାଦି ଅଭିଜ୍ଞତା ନୂତନ ପ୍ରକଳ୍ପ ସଫଳ ରୂପାୟନ ଲାଗି ଅନୁପଯୁକ୍ତ ମନେହୁଏ। ସ୍ୱାଧୀନ ଉଦ୍ୟମ ନିମନ୍ତେ ନିବେଶ ଅଭାବ। ବିକଶିତ ରାଷ୍ଟ୍ରଗୁଡ଼ିକରେ ଏସବୁ ସମସ୍ୟାର ସମାଧାନ ପାଇଁ ସମବେତ ଦାନ ସଂଗ୍ରହ ବା ‘କ୍ରାଉଡ଼ ସୋର୍ସିଂ’ଧାରା ବ୍ୟବହୃତ ହେଉଥିବା ସ୍ଥଳେ ଓଡ଼ିଶା କ୍ଷେତ୍ରରେ ତାହା ଫଳବତୀ ହେବା ଆଶା କରାଯାଇନପାରେ। ସଂଖ୍ୟାଲଘୁ ଉଚ୍ଚଶିକ୍ଷିତ ଓଡ଼ିଆ ଭାଷାଭାଷୀ ପାଠ୍ୟ ଅନ୍ୱେଷଣରେ ଇଂରାଜୀ ଭାଷାମୁଖୀ ହେବାରେ ଏକ ବିଶିଷ୍ଟ କାରଣ ଓଡ଼ିଆ ଭାଷାରେ ପର୍ଯ୍ୟାପ୍ତ ପରିମାଣରେ ପାଠ୍ୟ ଅଭାବ। ରାଜ୍ୟରେ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଇଣ୍ଟରନେଟ ମଞ୍ଚ ବିକଶିତ ହେବା ଅବସରରେ ଏହି ଧାରାରେ ଅଧିକରୁ ଅଧିକ ଶିକ୍ଷିତ ଓଡ଼ିଆ ପ୍ରଭାବିତ ହେବାରୁ ରୋକିବାକୁ ହେଲେ ଭର୍ଚୁଆଲ ସ୍ତରରେ ଓଡିଆ ଭାଷାରେ ଅଧିକ ପାଠ୍ୟ ପ୍ରଯୋଜନା ବାଞ୍ଚନୀୟ।
ନବସାକ୍ଷରମାନେ ଓଡ଼ିଆ ଭାଷାରେ ଖୋଜୁଥିବା ସୂଚ଼ନା ଓ ସାହିତ୍ୟ ପାଇପାରିଲେ ଦୁର୍ବଳ ଭାଷାଜ୍ଞାନ କାରଣରୁ ଇଂରାଜୀ ଅଭିମୁଖୀ ହେବେ ନାହିଁ । ଭୂଗୋଳ, ଇତିହାସଠାରୁ ଆରମ୍ଭ କରି ଯାନ୍ତ୍ରିକ ବିଜ୍ଞାନ, ଭେଷଜ ଶାସ୍ତ୍ର ସବୁକ୍ଷେତ୍ରରେ ଓଡ଼ିଆ ଭାଷାରେ ଯତ୍ ସାମାନ୍ୟ ରଚ଼ନା ପ୍ରସ୍ତୁତ ହୋଇ ଇଣ୍ଟରନେଟରେ ସ୍ଥାନିତ ହୋଇପାରିଲେ ଦୀର୍ଘଦିନ ଧରି ବ୍ୟବହାର୍ଯ୍ୟ ନହୋଇ ପଡ଼ିରହିଥିବା ଓଡ଼ିଆ ଭାଷା ପୁନର୍ଜୀବନ ଲାଭ କରିପାରିବ। ଅତଏବ ଇଣ୍ଟରନେଟର ପ୍ରସାର ଓଡ଼ିଆ ଭାଷାର ସମୃଦ୍ଧିଲାଗି ଏକ ସୁଯୋଗ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଏ ସୁଯୋଗର ଉଚ଼ିତ ଉପଯୋଗ ଆବଶ୍ୟକ।
ଇଣ୍ଟରନେଟ ମଞ୍ଚ ବିକାଶ କାଳରେ ସଂପ୍ରତି ଯେଉଁ ପୁନର୍ଜାଗରଣର ଆବଶ୍ୟକତା ଅନୁଭୂତ ହେଉଛି ତାହା ସରକାର, କୌଣସି ସଂଗଠନ କିମ୍ୱା ନିବେଶକ ପୂରଣ କରିପାରିବେ ନାହିଁ। କେତେକ ସର୍ଜନଶୀଳ ବ୍ୟକ୍ତିଙ୍କ ନିରଳସ ସାଧନା ଫଳରେ ହିଁ ଭର୍ଚୁଆଲ ଓଡ଼ିଆ ପାଠ୍ୟ ବିକଶିତ ହୋଇପାରିବ। ଅବଶ୍ୟ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିବା ନିମନ୍ତେ ସରକାରୀ ତଥା ବେସରକାରୀ ସାଂଗଠନିକ ସ୍ତରରେ ଉଦ୍ୟମ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ। ଇଣ୍ଟରନେଟ ମଞ୍ଚରେ ଓଡ଼ିଆ ପାଠ୍ୟ ସୃଷ୍ଟି ନିମନ୍ତେ ଇ-ବୁକ ରଚ଼ନା ଓ ପ୍ରଯୋଜନା ଉପଲବ୍ଧ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଅନ୍ୟତମ। ପ୍ରତ୍ୟେକ ସମସ୍ୟାର ସମାଧାନ ବ୍ୟାପକ ବିଚ଼ାରବିମର୍ଶ ଆବଶ୍ୟକ କରିଥାଏ। ଓଡ଼ିଆ ଭାଷାସାହିତ୍ୟ ପ୍ରସାରରେ ରୁଚ଼ି ରଖୁଥିବା ନେତୃସ୍ଥାନୀୟ ଗୋଷ୍ଠୀ ଏଥିପ୍ରତି ଯତ୍ନବାନ ହେବା ସମୟର ଆହ୍ୱାନ।