କାଳ ବୈଶାଖୀ ପ୍ରଭାବରେ ସମ୍ବଲପୁରରେ ଘଡଘଡି ସହ ବର୍ଷା

- ଚିନ୍ତାରେ ଚାଷୀ : ବ୍ୟାପକ କ୍ଷୟକ୍ଷତି

ସମ୍ବଲପୁର: କାଳ ବୈଶାଖୀର ପ୍ରଭାବ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲାରେ ମଙ୍ଗଳବାର ସକାଳ ଓ ଅପରାହ୍ନରେ ଘଡଘଡି, ଝଡ, ବର୍ଷା, ବଜ୍ରପାତ ଓ କୁଆ ପଥର ମାଡ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ (ପ୍ରସ୍ତୁତ ରୁହ) ଜାରି ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଜିଲାରେ ପୂବାର୍ହ୍ନ ଓ ଅପରାହ୍ନରେ କଳା ମେଘ ଢ଼ାଙ୍କି ଚାରିଆଡେ ଅନ୍ଧକାର କରି ଦେଇଥିଲା। ପରେ ପବନ ଜୋରରେ ବହିବା ସହିତ ବିଜୁଳି ମାରି ତୁହାକୁ ତୁହା ବର୍ଷା ଲାଗି ରହିଥିଲା। ଏହା ସହିତ ପ୍ରବଳ କୂଆ ପଥର ମାଡ ଯୋଗୁଁ ଶହ ଶହ ହେକ୍ଟର ଜମିରେ ଚାଷ କରାଯାଇଥିବା ଅମଳକ୍ଷମ ଡାଳୁଅ ଧାନ, ପନିପରିବା, ଆମ୍ବ ଚାଷ ଆଦି ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି। ଜିଲାର ତବଲା, କୁକୁଡାପାଲି, ପରମାଣପୁର, ଭିକମପୁର, ଜୟନ୍ତପୁର, କବରାପାଲି, ବାହାମ, ସନାତନପାଲି, ମୁଣ୍ଡେନପାଲି, କରଡୋଲା ସମେତ ଅନେକ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଲୋକଙ୍କ ଘର ଛାତ ଉଡିବା, ଘର ଉପରେ ଗଛ ଉପୁଡି ପଡିବା ଦ୍ୱାରା ଲୋକେ ଏହି ବିପଦ ସମୟରେ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହୋଇଛନ୍ତି। ବହୁ ଗ୍ରାମ ମାନଙ୍କରେ ରହିଥିବା ଅଙ୍ଗନୱାଡି କେନ୍ଦ୍ର, ଏନଏମ କେନ୍ଦ୍ର, ସ୍କୁଲ ଘର ଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। କିଛି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଲୋକଙ୍କୁ ସରପଞ୍ଚ ମାନେ ତୁରନ୍ତ ସହାୟତା ଯୋଗାଇ ଦେଇଥିବା ବେଳେ ଏବେ ମଧ୍ୟ ବହୁ ଅଞ୍ଚଳରେ ସହାୟତା ପାଇଁ ଅନାଇ ବସିଛନ୍ତି। ଏବେ ଧାନ ପାଚି ଅମଳ ହେବାକୁ ବସିଥିବା ବେଳେ ଜିଲାରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ଏବେ ଘର ଦ୍ୱାରା ଭାଙ୍ଗି ଖୋଲା ଆକାଶ ତଳେ ରହିଥିବା ଅଞ୍ଚଳବାସୀ ମାନେ ବେଶ ଆତଙ୍କିତ ହୋଇ ରହିଛନ୍ତି।

ଏବେ ଲକ ଡାଉନ ଯୋଗୁଁ ଶ୍ରମିକ ମିଳୁ ନ ଥିବା ବେଳେ କାଳ ବୈଶାଖୀ ଝଡ, ବର୍ଷା ଓ କୂଆ ପଥର ମାଡ ଯୋଗୁଁ ଚାଷୀ କୂଳ ଏବେ ମୁଣ୍ଡରେ ହାତ ଦେଇ ବସିଛି। ଆଉ ୧୦ ଦିନ ମଧ୍ୟରେ ଚାଷ ଅମଳ ହେବା ସମୟ ହୋଇଯାଇଥିବା ବେଳେ କୁଆ ପଥର ମାଡ ଓ ଝଡ ତୋଫାନ ଚାଷୀ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଯାଇଛି। ଏହି ଅଦିନିଆ ବର୍ଷା, କୂଆ ପଥର ମାଡ ଓ ଝଡ ତୋଫାନ ଯୋଗୁଁ ଜିଲାର ବହୁ ପଞ୍ଚାୟତ ଅଞ୍ଚଳରେ ଅମଳ ହେବାକୁ ଥିବା ଡାଳୁଅ ଧାନ ଫସଲ ବ୍ୟାପକ କ୍ଷତି ହୋଇଛି। ପ୍ରଥମରୁ କରୋନା ମାଡରେ ବେହାଲ ଥିବା ଚାଷୀ ଚଳିତ ଡାଳୁଅ ଫସଲ ଭଲ ହୋଇଥିବାର ଦେଖି ଖୁସି ହେଉଥିବା ବେଳେ ଅଦିନିଆ ବର୍ଷା ଓ କୂଆପଥର ମାଡ ଯୋଗୁଁ ପାଚିଥିବା ଧାନ ଫସଲ ନଷ୍ଟ ହୋଇଯାଇଛି। ପୂର୍ବରୁ ଚାଷୀ ମାନେ ପ୍ରତି ବର୍ଷ କୌଣସି ନା କୌଣସି କାରଣରୁ କ୍ଷତି ସହି ଆସୁଥିବାରୁ କ୍ଷତିଗ୍ରସ୍ତ ଫସଲର ତୁରନ୍ତ ଆକଳନ କରି କ୍ଷତିପୂରଣ ସରକାର ଦିଅନ୍ତୁ ବୋଲି ଚାଷୀ ମାନେ ଦାବୀ କରିଛନ୍ତି।

Comments are closed.