ରଥଖଳାରୁ…. ଭୂଇଁ ଉଠିବାକୁ ପ୍ରସ୍ତୁତି
ପୁରୀ : ନିର୍ମାଣାଧୀନ ରଥରେ ଭୂଇଁ ଉଠିବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଥମ ଭୂଇଁ ନିର୍ମାଣ ସରିଥିବା ବେଳେ ଦ୍ୱିତୀୟ ଭୂଇଁ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ଚାରିନାହାକା ଓ ୬କାଠ ଝାଙ୍କ ସଳଖ କରାଯାଇଛି। ୧୪ନାହାକା ପାଇଁ ଖଦିବିନ୍ଧ କରାଯାଉଛି। ରୂପକାର ସେବକ ନାଟଗୋଡ, ଚାରପରିଛା ଏବଂ ସିଂହାସନ କାଠ ଖୋଦେଇ କରୁଛନ୍ତି। ମହାରଣାଙ୍କ ଦ୍ୱାରା ଗାରେଡି କାଠ ହଣା ଚାଲିଛି। ରବିବାର କିମ୍ବା ସୋମବାର ରଥ ଉପରକୁ ଭୂଇଁ ଉଠିବ। ଏହାପରେ ଚଉଦ ନାହାକା ପକାଯିବ। ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ୮୦% ରଥ ନିର୍ମାଣ ଶେଷହେବ ବୋଲି ଜଣେ ବରିଷ୍ଠ ମହାରଣା ସେବକ ସୂଚନା ଦେଇଛନ୍ତି। ଅସ୍ଥାୟୀ କମାରଶାଳରେ ଭୂଇଁକଣ୍ଟା ପ୍ରସ୍ତୁତ କରାଯାଇଛି। ପ୍ରଥମ ଭୂଇଁକାଠ ରଥ ନିକଟରେ ପହଞ୍ଚିଛି। ଦ୍ୱିତୀୟ ଭୂଇଁ ଶ୍ରୀନଅର ସମ୍ମୁଖ ରଥଖଳାରେ ଯୋଡା ଚାଲିଛି। ରଥ ନିର୍ମାଣ ତଦାରଖ କମିଟି ଶନିବାର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛି। ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୀକ୍ଷା କରାଯାଇଛି। ଚଳିତବର୍ଷ ଯୋଡାଜ୍ୟେଷ୍ଠ (ମଳମାସ) ପଡିବା ଯୋଗୁଁ ଶ୍ରୀଜୀଉଙ୍କ ରଥଯାତ୍ରା ପ୍ରାୟ ୧ମାସ ବିଳମ୍ବିତ ହୋଇଛି।