ସାଇକଲ୍ରେ ରୁଷିଆ ପହଞ୍ଚିଲେ କ୍ରୋଏସିଆ ପ୍ରଶଂସକ
କଲିନ୍ଗାର୍ଡ (ରୁଷିଆ): ବିଶ୍ୱକପ୍ରେ ଖେଳୁଥିବା ବିଭିନ୍ନ ଦେଶର ପ୍ରଶଂସକ ସର୍ବଦା ନିଜ ଦେଶର ମ୍ୟାଚ୍ ଦେଖିବାକୁ ଯେକୌଣସି ତ୍ୟାଗ ସ୍ୱୀକାର କରିବାକୁ ପ୍ରସ୍ତୁତ ଥାଆନ୍ତି। ଏହାର ବଳିଷ୍ଠ ଉଦାହରଣ ଦେଖିବାକୁ ମିଳିଛି ଚଳିତ ବିଶ୍ୱକପ୍ରେ। ସାଇକଲ୍ରେ ଦୀର୍ଘ ୧,୫୦୦ କିଲୋମିଟର ଅତିକ୍ରମ କରି ରୁଷିଆରେ ମ୍ୟାଚ୍ ଦେଖିବାକୁ ପହଞ୍ଚିଛନ୍ତି କ୍ରୋଏସିଆର ୫ ପ୍ରଶଂସକ। କ୍ରୋଏସିଆ ନିବାସୀ ଏହି ୫ ବନ୍ଧୁ ଜାଗରେବ୍ରୁ ବାହାରି କଲିନ୍ଗାର୍ଡରେ ପହଞ୍ଚିଛନ୍ତି। ଏଥିପାଇଁ ସେମାନଙ୍କୁ ୧୫ଦିନ ସମୟ ଲାଗିଥିଲା। ସେମାନେ ପ୍ରତିଦିନ ୧୦ ଘଣ୍ଟା ସାଇକେଲିଂ କରୁଥିଲେ। ଏହି ୫ଜଣ ସ୍ଲୋଭେନିଆ, ହଙ୍ଗେରି, ସ୍ଲୋଭାକିଆ, ଚେକ୍ ଗଣରାଜ୍ୟ ଓ ପୋଲାଣ୍ଡ ଅତିକ୍ରମ କରି ରୁଷିଆରେ ପହଞ୍ଚିଥିଲେ। ବାଟରେ ସେମାନଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲେ ମଧ୍ୟ ବିଶ୍ୱକପ୍ରେ କ୍ରୋଏସିଆ ଦଳର ମ୍ୟାଚ୍ ଦେଖିବାକୁ ସେମାନେ ଏହି କଷ୍ଟକୁ ତୁଚ୍ଛ ମନେ କରନ୍ତି ବୋଲି ମତ ଦେଇଛନ୍ତି।