କ୍ୱାରେଣ୍ଟାଇନ ନିୟମ ଉଲ୍ଲଙ୍ଘନ : ଉପଜିଲାପାଳଙ୍କ ବିରୋଧରେ ମାମଲା

କୋଲାମ : ହୋମ କ୍ୱାରେନଟାଇନ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ କେରଳ କୋଲାମ ଜିଲାର ଉପଜିଲାପାଳ ଅନୁପମ ମିଶ୍ରଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ମାର୍ଚ୍ଚ ୧୯ରେ ଅନୁପମ ସିଙ୍ଗାପୁରରୁ ଫେରିବା ପରେ ୧୪ଦିନ ପାଇଁ ହୋମ କ୍ୱାରେନ୍‌ଟାଇନରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ତେବେ ସ୍ୱାସ୍ଥ୍ୟ ଅଧିକାରୀମାନେ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଲାଗି ଘରକୁ ଯାଇଥିବାବେଳେ ସେ ଘରେ ନ ଥିଲେ। ତାଙ୍କୁ ଯୋଗାଯୋଗ କରାଯିବାବେଳକୁ ସେ ନିଜ ଘରୋଇ ସହର ଉତ୍ତରପ୍ରଦେଶ କାନପୁରରେ ପହଞ୍ଚିସାରିଥିଲେ। ଜିଲାପାଳ ଅବଦୁଲ ନାସର ଉପଜିଲାପାଳ ଅନୁପମଙ୍କ ଏପରି କାର୍ଯ୍ୟକୁ ଦାୟିତ୍ୱହୀନତା ବୋଲି ଦର୍ଶାଇବା ସହିତ ମାମଲା ରୁଜୁ ପାଇଁ ନିର୍ଦେଶ ଦେଇଥିଲେ। ତେବେ ସରକାରୀ ବାସଭବନରେ ଖାଦ୍ୟପେୟରେ ଅଭାବ ହେବାରୁ ଉପଜିଲାପାଳ ନିଜ ସହରକୁ ଚାଲିଯିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଇଛି। ୨୦୧୬ ବ୍ୟାଚ ଏହି ଆଇଏଏସ ଅଫିସର ପୂର୍ବରୁ ଭୁଲ୍‍ ଠିକଣା ଉପସ୍ଥାପନ ପୂର୍ବକ ବନ୍ଧୁକ ଲାଇସେନ୍ସ ହାସଲ କରିବାକୁ ଚେଷ୍ଟା କରି ଧରାପଡିଥିଲେ। ସେହିପରି ନିଜ ଗାଡି ଚାଳକଙ୍କ ନାମରେ ବିଭିନ୍ନ ପ୍ରକାର ବ୍ୟାଙ୍କ ଋଣ ନେଇ ଏହାକୁ ପରିଶୋଧ କରି ନାହାନ୍ତି।

Comments are closed.