ବିଶ୍ବକୁ ଭୁଆଁ ବୁଲାଇଛି ଚୀନ୍
ୱାଶିଂଟନ୍ : ବିଶ୍ବବ୍ୟାପୀ କରୋନା ସଂକ୍ରମଣକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ସୃଷ୍ଟ ବିବାଦରୁ ନୂଆ ତଥ୍ୟ ସାମ୍ନାକୁ ଆସିଛି। କରୋନାକୁ ‘ଚାଇନା ଭୂତାଣୁ’ ବୋଲି ସମାଲୋଚନା କରିଆସୁଥିବା ଆମେରିକା ସରକାର ବ୍ୟାପକ ସଂକ୍ରମଣ ନେଇ ଚୀନ୍କୁ ବାରମ୍ବାର ଦୋଷ ଦେଇ ଆସିଛି; ତେବେ ଚୀନ୍ କିପରି ପ୍ରଥମରୁ କରୋନା ଭୂତାଣୁ ସମ୍ପର୍କରେ ତମାମ ବିଶ୍ବକୁ ଭୁଆଁ ବୁଲାଇ ଚାଲିଥିଲା ତାହାର ପ୍ରମାଣ ଏବେ ଉପସ୍ଥାପନ କରିଛି। ଆମେରିକୀୟ ପତ୍ରିକା ‘ନ୍ୟାସନାଲ ରିଭ୍ୟୁ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚୀନ୍ ସରକାର ଆରମ୍ଭରୁ କରୋନା ସମ୍ପର୍କିତ ତଥ୍ୟ ଲୁଚାଇ ଆସିଥିଲେ; ଯାହାଫଳରେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଗଲା ଓ ମହାମାରୀ ରୂପ ନେଲା। ସୂଚନାନୁଯାୟୀ, ଡିସେମ୍ବର ୧ରେ କେନ୍ଦ୍ରୀୟ ଚୀନ୍ର ହୁବେଇ ପ୍ରଦେଶର ଉହାନ ସହରରେ ଥିବା ଆମିଷ ବଜାରରେ ଜଣେ ୫୩ବର୍ଷୀୟ ବ୍ୟକ୍ତି ସନ୍ଦିଗ୍ଧ ବେମାରିରେ ଆକ୍ରାନ୍ତ ହୋଇଥିଲେ। ଏହାର ୫ଦିନ ପରେ ଆଦୌ ବଜାର ସଂସ୍ପର୍ଶରେ ଆସି ନ ଥିବା ତାଙ୍କ ପତ୍ନୀ ସମାନ ରୋଗରେ ଆକ୍ରାନ୍ତ ହୋଇଥିଲେ। ରୋଗର ଲକ୍ଷଣ ନିମୋନିଆ ଭଳି ଥିଲେ ମଧ୍ୟ କେତେକ ବୈଚିତ୍ର୍ୟ ରହିଥିଲା। ତାଙ୍କୁ ହସ୍ପିଟାଲ ଆଇସୋଲେସନ୍ ୱାର୍ଡରେ ରଖାଯାଇଥିଲା। ଡିସେମ୍ବର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଏ ସମ୍ପର୍କରେ ସରକାରୀସ୍ତରରେ କୌଣସି ସୂଚନା ପ୍ରକାଶ କରାଗଲା ନାହିଁ। ସେତେବେଳକୁ ଏହା ମଣିଷରୁ ମଣିଷ ବ୍ୟାପିବା ଆରମ୍ଭ କରିଥିଲା। ଡିସେମ୍ବର ୨୫ ସୁଦ୍ଧା ଉହାନର ଦୁଇ ଡାକ୍ତରଖାନାର ସ୍ବାସ୍ଥ୍ୟକର୍ମୀ ଏଥିରେ ଆକ୍ରାନ୍ତ ହୋଇଥିଲେ। ଚାହୁଁଚାହୁଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ଡାକ୍ତରମାନେ ଏଥିନେଇ ସନ୍ଦେହ ପ୍ରକଟ କଲେ। ଏହା ଏକ ନୂଆ ଭୂତାଣୁ ଜନିତ ରୋଗ ଓ ଉହାନ୍ ଅନ୍ତର୍ଗତ ହୁଆନାନ୍ ସାମୁଦ୍ରିକ ମାଛ ବଜାର ଏହାର ନାଭିକେନ୍ଦ୍ର ବୋଲି ଜାଣିବାକୁ ପାଇଲେ ଡାକ୍ତର ଲି ୱେନ୍ଲିଆଙ୍ଗ। ସେ ଏ ସମ୍ପର୍କରେ ପ୍ରଥମେ ତାଙ୍କ ସାଥୀମାନଙ୍କୁ ଜଣାଇଲେ ଏବଂ ସମ୍ଭାବ୍ୟ ମହାମାରୀ ନେଇ ସତର୍କ କରାଇଲେ। ଏହା ‘ସାର୍ସ’ ଭଳି ଏକ ଭୟଙ୍କର ଭୂତାଣୁ ବୋଲି ଦର୍ଶାଇ ସେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନେବା ପାଇଁ ତାଙ୍କ ସାଥୀ ଡାକ୍ତରଙ୍କୁ ପ୍ରବର୍ତ୍ତାଇଲେ। ଡିସେମ୍ବର ୩୧ରେ ଉହାନ୍ ପୌରାଞ୍ଚଳ ସ୍ବାସ୍ଥ୍ୟ କମିସନ ଏ ସବୁକୁ ଅସ୍ବୀକାର କଲେ। କୌଣସି ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇ ନ ଥିବା ବା ଏହି ରୋଗ ସଂକ୍ରମଣର ପ୍ରମାଣ ନାହିଁ ବୋଲି କମିସନ ଦର୍ଶାଇଲେ। ଜାନୁଆରୀ ୨ରେ ଡାକ୍ତର ୱେନ୍ଲିଆଙ୍ଗ ବିରୋଧରେ ଗୁଜବ ପ୍ରଚାର ଅଭିଯୋଗ ଆଣିଲେ ସ୍ଥାନୀୟ ପୁଲିସ ପ୍ରଶାସନ। ୩ତାରିଖରେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ଦାୟର ହେଲା ଓ ତାଙ୍କୁ ଅଟକ ରଖାଗଲା। ସେହିଦିନ ଏଭଳି ‘ନୂଆ ରୋଗ’ରେ ଆକ୍ରାନ୍ତଙ୍କ ରକ୍ତ ନମୁନା ପରୀକ୍ଷାକୁ କର୍ତ୍ତୃପକ୍ଷ ବନ୍ଦ କଲେ। ପରୀକ୍ଷାଗାରରେ ଯେତିକି ନମୁନା ଥିଲା ତାହାକୁ ନଷ୍ଟ କରି ଦିଆଗଲା। ସେତେବେଳକୁ ଉହାନର ୫୬୯ଜଣ ଆକ୍ରାନ୍ତ ହୋଇସାରିଥିଲେ ମଧ୍ୟ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ୱେନ୍ଲିଆଙ୍ଗ୍ଙ୍କ ସୂଚନାକୁ ଖଣ୍ଡନ ପୂର୍ବକ ସର୍ବସାଧାରଣ ବିଜ୍ଞପ୍ତି ପ୍ରକାଶ କଲେ। ଜାନୁଆରୀ ୬ରେ ‘ନ୍ୟୁ ୟର୍କ ଟାଇମ୍ସ’ ଖବରକାଗଜରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ମାତ୍ରେ ଚୀନ୍ର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧକ କେନ୍ଦ୍ର ଚେଇଁ ଉଠିଲେ। ଉହାନକୁ ଭ୍ରମଣ କଟକଣା ଜାରି ସହ ଆମିଷ ବଜାରକୁ ଯିବା ଓ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବାକୁ ବାରଣ କରାଗଲା। ଦୁଇ ଦିନ ପରେ ସ୍ବାସ୍ଥ୍ୟ ପ୍ରଶାସନ ନୂଆ ଭୂତାଣୁ ଚିହ୍ନଟ କରିଥିବା ସୂଚନା ଦେଲେ; କିନ୍ତୁ ମଣିଷରୁ ମଣିଷ ସଂକ୍ରମଣ ସମ୍ପର୍କରେ ନିରବ ରହିଲେ। ୧୧ରେ ଡାକ୍ତର ୱେନ୍ଲିଙ୍ଗଙ୍କ କଥାକୁ ଉହାନ ସ୍ବାସ୍ଥ୍ୟ କମିସନ ସ୍ବୀକାର କଲେ। ସେତେବେଳକୁ ନେଡ଼ିଗୁଡ଼ କହୁଣିକୁ ବୋହି ଯାଇଥିଲା। ଜାନୁଆରୀ ୧୨ରେ ୱେନ୍ଲିଆଙ୍ଗ ନିଜେ ଏହାର ଆକ୍ରାନ୍ତ ହେଲେ। ତାଙ୍କୁ ଡାକ୍ତରଖାନା ଆଇସିୟୁରେ ରଖାଗଲା। ୧୩ରେ ଚୀନ୍ ବାହାରେ ପ୍ରଥମ କରୋନା ଭୂତାଣୁ ସଂକ୍ରମଣର ଖବର ମିଳିଲା। ଥାଇଲାଣ୍ଡରେ ଉହାନରୁ ଫେରିଥିବା ଜଣେ ଚୀନ୍ ମହିଳା ଆକ୍ରାନ୍ତ ହୋଇଥିଲେ। ଇତ୍ୟବସରରେ ଚୀନ୍ ସରକାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)କୁ ଏ ନେଇ ଅବଗତ କରିଥିଲେ। ୧୪ରେ ‘ହୁ’ ଚୀନ୍ ସରକାରଙ୍କ ଉକ୍ତିକୁ ଉଦ୍ଧାର କରି ସୂଚନା ଦେଲା ଯେ ଏହି ଭୂତାଣୁ ଦ୍ବାରା ମଣିଷରୁ ମଣିଷ ସଂକ୍ରମଣ ହେବାର ପ୍ରମାଣ ନାହିଁ। ଏଥିସହିତ ହୁ ଏହି ଭୂତାଣୁ ନାମକରଣ ‘ଏନ୍-କଭ୍’ କଲା। ୧୫ରେ ଜାପାନରେ ପ୍ରଥମ ସଂକ୍ରମଣ ମାମଲା ସାମ୍ନାକୁ ଆସିଲା। ଏହା ପରେ ଉହାନ ସ୍ବାସ୍ଥ୍ୟ ପ୍ରଶାସନ ମଣିଷରୁ ମଣିଷ ସଂକ୍ରମଣକୁ ଆଂଶିକ ସ୍ବୀକାର କଲା। ଏହି ଭୂତାଣୁ ଅତି ଭୟଙ୍କର ବୋଲି ଉହାନର ଡାକ୍ତରମାନେ ସୂଚନା ପାଇଥିଲେ ମଧ୍ୟ ନବ ବର୍ଷ ପାଳନ ପାଇଁ ଅନୁମତି ଦେଲେ; ଯେଉଁଠାରେ ୪୦ହଜାର ପରିବାର ଏକତ୍ର ହୋଇ ଘର ରନ୍ଧା ଖାଦ୍ୟ ଖାଇବା ସହ ମଉଜ ମଜଲିସ୍ରେ ମାତିଲେ। ଏହା ହିଁ ସାରା ବିଶ୍ବ ପାଇଁ କାଳ ହେଲା। ଏଠାରୁ ଦେଶ ବିଦେଶକୁ ଫେରିଥିବା ଲୋକେ ଭୂତାଣୁକୁ ନିଜ ସହିତ ବୋହିନେଲେ; ଯାହାର ଫଳ ଏବେ ଭୋଗୁଛନ୍ତି ଇଟାଲୀବାସୀ। ଏହାସତ୍ତ୍ବେ ୧୯ରେ ଚୀନ୍ର ସ୍ବାସ୍ଥ୍ୟ କମିସନ କହିଲେ ଯେ ଏହି ରୋଗ ଉପଶମ ହେବା ସମ୍ଭବ ଏବଂ ନିୟନ୍ତ୍ରଣକ୍ଷମ। ଏହାର ଦିନକ ପରେ କମିସନ୍ ମଣିଷରୁ ମଣିଷ ସଂକ୍ରମଣକୁ ବିଧିବଦ୍ଧ ଭାବେ ସ୍ବୀକାର ପୂର୍ବକ ସତର୍କତା ଜାରିକଲେ। ଜାନୁଆରୀ ୨୧ରେ ଆମେରିକାରେ ପ୍ରଥମ କରୋନା ଭୂତାଣୁ ସଂକ୍ରମଣ ଘଟଣା ଧରାପଡ଼ିଲା। ଆକ୍ରାନ୍ତ ବ୍ୟକ୍ତି ସପ୍ତାହକ ପୂର୍ବେ ଚୀନ୍ରୁ ଫେରିଥିଲେ। ୨୨ରେ ‘ହୁ’ ପ୍ରତିନିଧି ମଣ୍ଡଳୀ ଉହାନ୍ ପରିଦର୍ଶନ ପୂର୍ବକ ରୋଗର ଭୟାବହତା ଅନୁଭବ କଲେ ଓ ଏ ନେଇ ସତର୍କ କଲେ। ରୋଗ ଚିହ୍ନଟ ପାଇଁ ନୂଆ ପ୍ରକ୍ରିୟା ଅବଲମ୍ବନ କରାଗଲା। ପ୍ରଥମ ସଂକ୍ରମଣ ସା୍ନାକୁ ଆସିବାର ଦୁଇ ମାସ ପରେ ଚୀନ୍ ସରକାର ଉହାନରେ କ୍ବାରେଣ୍ଟାଇନ୍ ବ୍ୟବସ୍ଥା ଆରମ୍ଭ କଲେ। ଫେବୃଆରୀ ୧ରେ ସବୁଠୁ ଦୁର୍ଭାଗ୍ୟଜନକ ଘଟଣାକ୍ରମେ ଡାକ୍ତର ୱେନ୍ଲିଆଙ୍ଗଙ୍କର ମୃତ୍ୟୁ ଘଟିଲା; କିନ୍ତୁ ସେତେବଳେକୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।
Comments are closed.