ଜେନେରାଲ ନରବଣେଙ୍କ ନିର୍ଦେଶ : ପ୍ରସ୍ତୁତ ରହିବେ କ୍ଷେତ୍ରୀୟ ସେନା ଡାକ୍ତରଖାନା
ନୂଆଦିଲ୍ଲୀ : କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭାରତୀୟ ସେନା ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ସେନା ଅଧୀନ କ୍ଷେତ୍ରୀୟ ଡାକ୍ତରଖାନାଗୁଡ଼ିକରେ ସ୍ବତନ୍ତ୍ର କରୋନା ଚିକିତ୍ସା ବ୍ୟବସ୍ଥା କରିବାକୁ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ନିର୍ଦେଶ ଦେଇଛନ୍ତି। ପ୍ରତି କ୍ଷେତ୍ରୀୟ ଡାକ୍ତରଖାନାରେ ୪୫ଶଯ୍ୟା ବିଶିଷ୍ଟ ‘ଆଇସୋଲେସନ୍ ୱାର୍ଡ’ ଓ ଅନ୍ୟୂନ ୧୦ଟି ଆଇସିୟୁ ପ୍ରତିଷ୍ଠା କରିବାକୁ ସେ ନିର୍ଦେଶ ଦେଇଛନ୍ତି।
ଏହି ନିର୍ଦେଶ ପାଇବାର ୬ଘଣ୍ଟା ମଧ୍ୟରେ ଏସବୁ ସହିତ ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରସ୍ତୁତ ରହିବାକୁ ଜେନେରାଲ ନରବଣେ କହିଛନ୍ତି। ତ୍ବରିତ ପ୍ରତିକାର ପାଇଁ ଉଦ୍ଦିଷ୍ଟ ସେନାର ଡାକ୍ତରୀ ଦଳ (କ୍ୟୁଆରଏମ୍ଟି)କୁ ଏଥିପାଇଁ ପ୍ରସ୍ତୁତ ରଖାଯାଇଛି। ସେମାନେ ସାଧାରଣ ପ୍ରଶାସନ ସହିତ କରୋନା ମୁକାବିଲାରେ ନିଜକୁ ନିୟୋଜିତ ରଖିବାକୁ ସେନାମୁଖ୍ୟ ପରାମର୍ଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ୩୦ପ୍ରତିଶତ କ୍ଷେତ୍ରୀୟ ସେନା ଡାକ୍ତରଖାନାକୁ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି। କରୋନା ମୁକାବିଲା ପାଇଁ ଆସନ୍ତା କେଇ ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଡାକ୍ତରଖାନା ଓ ଚିକିତ୍ସକ ଦଳର ଚାହିଦା ବଢ଼ିବା ନିଶ୍ଚିତ। ସେନା ଏଥିପାଇଁ ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ ଥିବା ଜେନେରାଲ ନରବଣେ ଗଣମାଧ୍ୟମକୁ କହିଛନ୍ତି।
ସୂଚନାଯୋଗ୍ୟ ଯେ ସେନା ପକ୍ଷରୁ ହରିୟାଣାର ମାନେଶର, ରାଜସ୍ଥାନର ଜୟସଲେମର ଓ ଯୋଧପୁରଠାରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। କରୋନା ସଂକ୍ରମିତ ରାଷ୍ଟ୍ର ଚୀନ୍, ଇଟାଲୀ, ଇରାନ୍ରୁ ଫେରାଇ ଅଣାଯାଇଥିବା ଭାରତୀୟଙ୍କୁ ଉପରୋକ୍ତ ତିନି ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯାଇଛି। ଯୋଧପୁର ବିମାନଘାଟିରେ ସ୍ବତନ୍ତ୍ର କ୍ବାରେଣ୍ଟାଇନ୍ କେନ୍ଦ୍ର ନିର୍ମାଣ କରାଯାଇ ସେଠାରେ ଇରାନ୍ରୁ ଫେରିଥିବା ୨୭୭ଙ୍କୁ ଯାଞ୍ଚ ପାଇଁ ରଖାଯାଇଛି। ମାନେଶରଠାରେ ୩୭୨ଙ୍କର ଚିକିତ୍ସା କରାଯାଇଥିବାବେଳେ ସମ୍ପ୍ରତି ୮୨ଜଣ କ୍ବାରେଣ୍ଟାଇନ୍ରେ ଅଛନ୍ତି। ଜୟସଲମେରଠାରେ ୪୮୪ କ୍ବାରେଣ୍ଟାଇନ୍ରେ ଅଛନ୍ତି।
Comments are closed.