ହାଲେପ୍‍ଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ୍‍ ଟାଇଟଲ

0

ପ୍ୟାରିସ : ବିଶ୍ୱର ଏକ ନମ୍ବର ମହିଳା ଟେନିସ ଖେଳାଳି ରୋମାନିଆର ସିମୋନା ହାଲେପ୍‍ ସିଜିନର ୨ୟ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନରେ ମହିଳା ସିଙ୍ଗଲ୍‍ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ଶନିବାର ଫାଇନାଲରେ ଟପ୍‍ ସିଡ୍‍ ହାଲେପ୍‍ ୩-୬, ୬-୪, ୬-୧ ସେଟ୍‍ରେ ୧୦ମ ସିଡ୍‍ ଆମେରିକାର ସ୍ଲୋଏନ ଷ୍ଟିଫେନ୍‍ସଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ପ୍ରାୟ ଦୁଇ ଘଣ୍ଟା ଚାଲିଥିଲା। ହାଲେପ୍‍ ପୂର୍ବରୁ ଦୁଇ ଦୁଇ ଥର ଏଠାରେ ରନର୍ସଅପ୍‍ ହୋଇଥିବା ବେଳେ ଏଥର ଚମ୍ପିଆନ ହୋଇଛନ୍ତି। ପୁଣି ହାଲେପ୍‍ ଜୀବନରେ ପ୍ରଥମ ଥର କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ହାଲେପ୍‍ଙ୍କୁ ୨୨,୦୦,୦୦୦ ୟୁରୋ (ଭାରତୀୟ ମୁଦ୍ରାରେ ପ୍ରାୟ ୧୭.୫ କୋଟି ଟଙ୍କା) ଓ ରନର୍ସଅପ୍‍ ଷ୍ଟିଫେନ୍‍ସଙ୍କୁ ୧୧,୨୦,୦୦୦ ୟୁରୋ (ଭାରତୀୟ ମୁଦ୍ରାରେ ପ୍ରାୟ ୮.୯ କୋଟି ଟଙ୍କା) ପୁରସ୍କାର ମିଳିଛି।
ପ୍ରଥମ ସେଟ୍‍ରେ ଷ୍ଟିଫେନ୍‍ସ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ। ୬ଷ୍ଠ ଗେମରେ ହାଲେପ୍‍ଙ୍କ ସର୍ଭିସ ବ୍ରେକ୍‍ କରି ଷ୍ଟିଫେନ୍‍ସ ଏହାକୁ ୬-୩ରେ ଜିତିଥିଲେ। ଗୋଟିଏ ସେଟ୍‍ରେ ପଛୁଆ ଥିବା ସତ୍ତ୍ବେ ୨ୟ ସେଟ୍‍ରେ ହାଲେପ୍‍ ତିନିଥର ଷ୍ଟିଫେନ୍‍ସଙ୍କ ସର୍ଭିସ ବ୍ରେକ କରିଥିବାବେଳେ ଦୁଇଥର ନିଜର ସର୍ଭିସ ରକ୍ଷା କରିବାରେ ବିଫଳ ହୋଇଥିଲେ। ଏହାସତ୍ତ୍ବେ ହାଲେପ୍‍ ଏହାକୁ ୬-୪ରେ ଜିତି ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ନିର୍ଣ୍ଣାୟକ ତୃତୀୟ ସେଟ୍‍ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବ ବୋଲି ଟେନିସପ୍ରେମୀ ଆଶା କରୁଥିଲେ। ତେବେ ହାଲେପ୍‍ ନିଜର ଶକ୍ତିଶାଳୀ ସର୍ଭିସ ଓ ବ୍ୟାକ୍‍ହ୍ୟାଣ୍ଡ କ୍ରସ୍‍କୋର୍ଟ ଭଲି ସଟ୍‍ ଜରିଆରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ହାଲେପ୍‍ ଏହି ସେଟ୍‍ର ଦ୍ୱିତୀୟ ଓ ଚତୁର୍ଥ ଗେମରେ ଷ୍ଟିଫେନ୍‍ସଙ୍କ ସର୍ଭିସ ବ୍ରେକ କରି ଏକଦା ୫-୦ରେ ଆଗୁଆ ରହିଥିଲେ। ଷଷ୍ଠ ଗେମରେ ଷ୍ଟିଫେନ୍‍ସ ନିଜର ସର୍ଭିସ ରକ୍ଷା କରିଥିଲେ ସୁଦ୍ଧା ହାଲେପ୍‍ ଏହାକୁ ୬-୧ରେ ଜିତି ଚମ୍ପିଆନ ହେବାର ସ୍ୱପ୍ନକୁ ସାକାର କରିଥିଲେ। ହାଲେପ୍‍ ପୂର୍ବରୁ ୨୦୧୪ ଓ ୨୦୧୭ରେ ଏଠାରେ ଫାଇନାଲକୁ ଉନ୍ନୀତ ହୋଇଥିଲେ ସୁଦ୍ଧା ଯଥାକ୍ରମେ ରୁଷର ମାରିଆ ସାରାପୋଭା ଓ ଲାଟ୍‍ଭିଆର ଜେଲିନା ଓସ୍ତାପେଙ୍କୋଙ୍କ ନିକଟରୁ ହାରି ତାଙ୍କୁ ରନର୍ସଅପ୍‍ରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଅପରପକ୍ଷରେ ଷ୍ଟିଫେନ୍‍ସ କ୍ୟାରିୟରରେ ପ୍ରଥମ ଥର ଫ୍ରେଞ୍ଚ ଓପନରେ ଫାଇନାଲକୁ ଉନ୍ନୀତ ହୋଇଥିଲେ ସୁଦ୍ଧା ଚମ୍ପିଆନ ହେବାରୁ ବଞ୍ଚିତ ହୋଇଛନ୍ତି।

kalyan agarbati
Leave A Reply