ପୂର୍ବତନ ପୁରୀ ପୌର ସଦସ୍ୟାଙ୍କୁ ଗୁଳିମାଡ଼ ଘଟଣା: ଏନ୍‍କାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ଆହତ

0

ପିପିଲି: ପିପିଲି ଥାନା ଅନ୍ତର୍ଗତ ନିଜଗଡ଼କୁରୁଖିଠାରେ ଶୁକ୍ରବାର ରାତିରେ ପୁଲିସର ଏନ୍‍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରା ଆହତ ହୋଇଛି। ତା ନିକଟରୁ ପୁଲିସ ଗୋଟିଏ ୯ଏମ୍‍ଏମ୍‍ ପିସ୍ତଲ, ୨ଟି ଖୋକା ଓ ଗୋଟିଏ ପଲ୍ସର ବାଇକ୍‍କୁ ଜବତ କରିଛି। ତା’ ସହ ଥିବା ଅନ୍ୟଜଣେ ଅପରାଧୀ ରାଜେଶ ପାତ୍ରକୁ ପୁଲିସ ଗିରଫ କରିଛି। ପୁରୀର ପୂର୍ବତନ ପୌର ସଦସ୍ୟା ସତ୍ୟଭାମା ବେହେରାଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାରେ ଉଭୟ ସଂପୃକ୍ତ ଥିବା ସୂଚନା ମିଳିଛି।
ପୁଲିସ୍‍ ସୂଚନା ଅନୁଯାୟୀ, ଗତ ଏପ୍ରିଲ୍‍ ୨୧ ତାରିଖ ରାତି ସାଢ଼େ ୮ଟା ସମୟରେ ପୁରୀର ବାସେଳିସାହି ଥାନା ଅନ୍ତର୍ଗତ ଗୋଖାସାହିରେ ପୂର୍ବତନ ପୌର ସଦସ୍ୟା ସତ୍ୟଭାମା ବେହେରାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଗୋଟିଏ ଗୁଳି ସତ୍ୟଭାମାଙ୍କ ପେଟରେ ବାଜିଥିବା ବେଳେ ଅନ୍ୟଟି ତାଙ୍କ ଗୋଡ଼ରେ ବାଜିଥିଲା। ଏନେଇ ବାସେଳିସାହି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ତେବେ ଏହି ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ବେହେରା(୩୩) ସମେତ ଅନ୍ୟମାନେ ଫେରାର ଥିବା ବେଳେ ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିଲା। ଶୁକ୍ରବାର ରାତି ପ୍ରାୟ ୨ଟା ୨୦ ମିନିଟ୍‍ରେ ସର୍ବେଶ୍ୱର ନିଜର ସହଯୋଗୀ ରାଜେଶ ପାତ୍ର ସହ ବାଇକ୍‍ରେ ଯାଉଥିବା ବେଳେ ପିପିଲି ଆଇଆଇସି ଶରତ କୁମାର ସାହୁ, ବାସେଳିସାହି ଥାନା ଆଇଆଇସି ଜୟଦୀପ ମହାନ୍ତି, ପିପିଲି ଥାନା ଏଏସ୍‍ଆଇ ବିନୟ କୁମାର ଦାସ, କନେଷ୍ଟବଳ ଦିଲୀପ କୁମାର ଦାସ, ବାସେଳିସାହି ଥାନା ଏଏସ୍‍ଆଇ ଗଦାଧର ନାୟକ, କନେଷ୍ଟବଳ ତପନ କୁମାର ବେହେରା ପ୍ରମୁଖ ତାକୁ ଧରିବା ପାଇଁ ଉଦ୍ୟମ କରିଥିଲେ। କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡକୁରୁଖି ସ୍ଥିତ ବିରଲା ଜଙ୍କ୍‍ସନ ଠାରେ ପୁଲିସ ଉପରକୁ ସର୍ବେଶ୍ୱର ପ୍ରଥମେ ଗୁଳିମାଡ଼ କରିଥିଲା। ପୁଲିସ ପାଲଟା ଗୁଳିମାଡ଼ କରିବାରୁ ତାର ବାମଗୋଡ଼ରେ ୨ଟି ଗୁଳି ବାଜିଥିଲା। ରାଜେଶ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ ଗୋଡ଼ାଇ ଧରିଥିଲା। ସର୍ବେଶ୍ୱରକୁ ପ୍ରଥମେ ପିପିଲି ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାର ଘର ପୁରୀ ଗୋଖାସାହିରେ ହୋଇଥିବା ବେଳେ ସେ ପୂର୍ବରୁ ହୋମଗାର୍ଡ ଥିବା ସୂଚନା ମିଳିଛି। ଅନ୍ୟ ଗିରଫ ଅଭିଯୁକ୍ତ ରାଜେଶର ଘର ଗଞ୍ଜାମ ଜିଲାରେ ହୋଇଥିବା ବେଳେ ସେ ପୁରୀରେ ରହୁଥିବା ଓ ସତ୍ୟଭାମା ଗୁଳିମାଡ଼ ମାମଲାରେ ମଧ୍ୟ ସଂପୃକ୍ତ ଥିବା ସମ୍ପର୍କରେ ବାସେଳିସାହି ଥାନା ଆଇଆଇସି ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି।

prayash

Leave A Reply