ବିନା ପୋଖରୀରେ ମାଛଚାଷ
ଆତ୍ମନିଯୁକ୍ତିର ସଫଳ ପ୍ରୟାସ
ଭୁବନେଶ୍ୱର(ସନ୍ଦୀପ ଚୌଧୁରୀ) : ଶିକ୍ଷିତ ଯୁବକଙ୍କ ପାଇଁ ନିଯୁକ୍ତି ଏକମାତ୍ର ବିକଳ୍ପ ନୁହେଁ। ଦୃଢ ଆତ୍ମବିଶ୍ବାସର ସହିତ କିଛି ନୂଆ କରି ମଧ୍ୟ ସ୍ବାବଲମ୍ବନଶୀଳ ହୋଇପାରିବ। କେବଳ ନିଜେ ରୋଜଗାର କରିବନି; ବରଂ ଅନ୍ୟମାନଙ୍କୁ ନିଯୁକ୍ତି ବି ଦେଇପାରିବ। ଏହାକୁ ପ୍ରମାଣିତ କରିଛନ୍ତି ତିନି ଓଡ଼ିଆ ଯୁବକ। ନିଜ ଉଦ୍ୟମରେ ଅଭିନବ ଉପାୟରେ ମାଛଚାଷ ଆରମ୍ଭ କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ମାଛଚାଷ ଲାଗି ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୋଖରୀ ଖୋଲିବାକୁ ପଡିନି। କମ୍ ଜାଗାରେ ସ୍ବଳ୍ପ ଖର୍ଚ୍ଚରେ ମାଛ ଚାଷ କରିବାର ନୂଆ ଉପାୟକୁ ଆପଣେଇଛନ୍ତି ଏମାନେ। ଦୁଇ ଅକ୍ଷର ପାଠ ପଢିବା ପରେ ଚାଷକାର୍ଯ୍ୟରୁ ଦୂରେଇ ଯାଉଥିବା ଆଜିର ଯୁବପିଢିଙ୍କ ଲାଗି ରାଜଧାନୀର ଏହି ତିନି ସାଥୀ ବ୍ୟତିକ୍ରମ ନିଶ୍ଚୟ। ଭାରତର ବିଭିନ୍ନ ରାଜ୍ୟ ଓ ବିଦେଶରେ ହେଉଥିବା ବାଓଫ୍ଲକ୍ ପଦ୍ଧତିରେ ମାଛ ଚାଷକୁ ରାଜଧାନୀରେ ଆରମ୍ଭ କରିଛନ୍ତି ଏମାନେ।
ଭୁବନେଶ୍ବରରେ ରହୁଥିବା କମ୍ପ୍ୟୁଟର ଇଞ୍ଜିନିୟର ସଂଗ୍ରାମ ପରିଡ଼ା, ଅଟୋମୋବାଇଲ ଇଞ୍ଜିନୟର ଶାଶ୍ବତ ଧଳ ରାଜ୍ୟ ବାହାରେ ଚାକିରି କରିଥିଲେ। ରାଜ୍ୟରେ ରହିବାକୁ ସେମାନଙ୍କର ଇଚ୍ଛା ଥିବାବେଳେ ପିଲାବେଳୁ କୃଷି ପ୍ରତି ଆଗ୍ରହ ରହିଥିଲା। ରାଜ୍ୟରେ ଚାକିରି ନମିଳିବାରୁ ରାଜ୍ୟ ବାହାରେ କିଛି ଦିନ ଧରି ଚାକିରି କରିଥିଲେ। ତେବେ ଚାକିରି କରିବା ସମୟରେ ଉତ୍ତରପ୍ରଦେଶରେ ବିନା ଗାଡ଼ିଆରେ ଥିବା ଖାଲି ସ୍ଥାନରେ କିଭଳି ମାଛ ଚାଷ ହୋଇପାରେ ସେନେଇ ପ୍ରଶିକ୍ଷଣ ନେଇଥିଲେ। ଏହାକୁ ସଫଳ ରୂପାୟନ କରିବାକୁ ଫେରି ଆସିଥିଲେ ଓଡ଼ିଶା। ତାଙ୍କ ସହ ସାମିଲ ହୋଇଥିଲେ ବିଏସ୍ସି ସ୍ନାତକ କରି ପୋଷାକ ବ୍ୟବସାୟ କରୁଥିବା ପ୍ରତାପ ନାୟକ। ତିନି ଜଣ ମିଳିତ ଭାବେ ଭୁବନେଶ୍ବର ଉପକଣ୍ଠ ଅନ୍ଧାରୁଆଠାରେ ଆରମ୍ଭ କରିଥିଲେ ମାଛ ଚାଷ। ୧୮ଶହ ବର୍ଗଫୁଟ ଜାଗାରେ ଏହି ଚାଷ ଆରମ୍ଭ କରିଛନ୍ତି। ଏଥିପାଇଁ ଗାଡ଼ିଆ ଖୋଳିବାକୁ ପଡ଼ିନି। ଖାଲି ସ୍ଥାନରେ ତାରପୋଲିନ, ତାରଜାଲି, ରଡ, ପାଇପ ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି ଅସ୍ଥାୟୀ ମାଛ କୁଣ୍ଡ। ପ୍ରତି କୁଣ୍ଡରେ ୧୦ ହଜାର ଲିଟର ପାଣି ରହୁଛି। ମୋଟ ୮ଟି କୁଣ୍ଡ ପ୍ରସ୍ତୁତ କରିଥିବାବେଳେ ଭାକୁର, ରୋହି, କଉ, ରତା, ମିରିକାଳି, ଜଳଙ୍ଗ ଭଳି ମାଛ ଚାଷ କରାଯାଇଛି। ଖରା ତାପରୁ ମାଛ କୁଣ୍ଡକୁ ରକ୍ଷା କରିବା ପାଇଁ ସେଥିରେ ସବୁଜ ଜାଲି(ଗ୍ରିନ୍ ନେଟ୍) ବିଛାଯାଇଛି। ପ୍ରତି ଅସ୍ଥାୟୀ କୁଣ୍ଡ ପ୍ରସ୍ତୁତ ପାଇଁ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଏହି ପ୍ରଣାଳୀରେ ମାଛ ଚାଷ କରିବା ଦ୍ବାରା ବ୍ୟାକ୍ଟେରିଆ କଲୋନୀ ପ୍ରସ୍ତୁତ ହୁଏ। ଏହାଦ୍ବାରା ମାଛଙ୍କର ମଳରୁ ପୁନର୍ବାର ଏହା ତାଙ୍କ ଖାଦ୍ୟ ଭାବେ ବ୍ୟବହାର ହୋଇପାରିବ। ଦାନା ଖର୍ଚ୍ଚ କମ୍ କରିବା ପାଇଁ ଛୋଟ ଦଳକୁ ଏହି କୁଣ୍ଡରେ ଛଡ଼ାଯାଇଛି। ଛୋଟଛୋଟ ଦଳକୁ ମାଛ ଖାଇବା ଦ୍ବାରା ଦାନା ଖର୍ଚ୍ଚ ମଧ୍ୟ କମ୍ ହୋଇପାରୁଛି। ପ୍ରତି କୁଣ୍ଡରୁ ପ୍ରାୟ ୧ ଟନ୍ ମାଛ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ପ୍ରତି କୁଣ୍ଡରୁ ଲକ୍ଷେ ଟଙ୍କା ହିସାବରେ ୮ଟି କୁଣ୍ଡରୁ ପ୍ରାୟ ୮ ଲକ୍ଷ୍ ଟଙ୍କା ରୋଜଗାର ହୋଇପାରିବ।
ଯାଆଁଳ ଛାଡ଼ିବା ୮ରୁ୯ ମାସ ମଧ୍ୟରେ ମାଛ ଏକ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରିବେ। ଏହି ଚାଷ ଆରମ୍ଭକୁ ଛଅ ମାସ ହୋଇଥିବାବେଳେ ବର୍ତ୍ତମାନ ମାଛର ଓଜନ ପ୍ରାୟ ୭ଶହ ଗ୍ରାମ ହେଲାଣି। ମାଛ ବଢ଼ାଇବାକୁ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଉନାହିଁ। ମାଛଚାଷ ପାଇଁ କୁଣ୍ଡରେ ପାଣି ରଖିବା ଓ ନିଷ୍କାସନ ସହଜରେ କରିବାକୁ ପମ୍ପ ବ୍ୟବହାର କରାଯାଇଥାଏ। ମାଛକୁ ଅମ୍ଳଜାନ ଯୋଗାଇଥିବା ମେସିନ୍(ଏରିଏଟ୍ର) ମଧ୍ୟ ବିଦ୍ୟୁତ୍ ଦ୍ବାରା ପରିଚାଳିତ ହେଉଛି। ଏହି ତିନି ଯୁବକ ବର୍ତ୍ତମାନ ପମ୍ପ ଓ ଏରିଏଟ୍ର ବିଦ୍ୟୁତ୍ରେ ଚଳାଇଥିବାବେଳେ ଆଗାମୀ ଦିନରେ ସୌରଶକ୍ତି (ସୋଲାର ପାୱାର)ରେ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି। କମ୍ପ୍ୟୁଟର ଇଞ୍ଜିନିୟର ଶ୍ରୀ ପରିଡ଼ା କହିଛନ୍ତି ଯେ, ନିଜ ବ୍ୟକ୍ତିଗତ ବ୍ୟବହାର ଓ ବ୍ୟବସାୟ ପାଇଁ ଚାଷ କରାଯାଇପାରିବ। ଏଥିପାଇଁ କମ୍ ସ୍ଥାନ, ସ୍ବଳ୍ପ ଖର୍ଚ୍ଚରେ ଅଧିକ ଉପାର୍ଜନ ହୋଇପାରିବ। ପ୍ରଥମେ ଏହା ଇସ୍ରାଏଲର ମରୁଭୂମି ଅଞ୍ଚଳରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଆମ ଦେଶର ବିଭିନ୍ନ ରାଜ୍ୟରେ ଆରମ୍ଭ ହେଲାଣି। ଯୁବପିଢ଼ି ଚାକିରି ପଛରେ ନ ଗୋଡ଼ାଇ ଏହି ଚାଷ କଲେ ଲକ୍ଷଲକ୍ଷ ଟଙ୍କା ରୋଜଗାର କରିପାରିବେ ବୋଲି ସେ କହିଛନ୍ତି।
Comments are closed.