ଭାରତ ବିଶ୍ୱର ଷଷ୍ଠ ଧନଶାଳୀ ରାଷ୍ଟ୍ର

0

ନୂଆଦିଲ୍ଲୀ : ୮୨୩୦ ଶହ କୋଟି ଡଲାର ସମ୍ପତ୍ତି ସହ ଭାରତ ହେଉଛି ବିଶ୍ୱର ଷଷ୍ଠ ଧନଶାଳୀ ରାଷ୍ଟ୍ର। ବିଶ୍ୱର ଧନଶୀଳ ରାଷ୍ଟ୍ର ତାଲିକାରେ ଆମେରିକା ଶୀର୍ଷ ସ୍ଥାନରେ ରହିଥିବାବେଳେ ଦ୍ୱିତୀୟରେ ଚୀନ ଓ ତୃତୀୟରେ ଜାପାନ ରହିଛନ୍ତି ବୋଲି ଆଫ୍ରଏସିଆ ବ୍ୟାଙ୍କ ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଆମେରିକାର ସମ୍ପତ୍ତି ପରିମାଣ ୬୨,୫୮୪ ଶହ କୋଟି ଡଲାର। ଏହାପଛକୁ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ଚୀନର ସମ୍ପତ୍ତି ପରିମାଣ ୨୪,୮୦୩ ଶହ କୋଟି ଡଲାର ଏବଂ ଜାପାନର ସମ୍ପତ୍ତି ପରିମାଣ ୧୯,୫୨୨ ଶହ କୋଟି ଡଲାର। ବିଭିନ୍ନ ରାଷ୍ଟ୍ରରେ ଲୋକଙ୍କ ବ୍ୟକ୍ତିଗତ ସମ୍ପତ୍ତି, ନଗଦ ଅର୍ଥ, ଅଂଶଧନ, ବ୍ୟବସାୟ ସ୍ୱାର୍ଥ, ଋଣକୁ ସାମିଲ କରାଯାଇଛି। ଏଥିରୁ ସରକାରୀ ସମ୍ପତ୍ତି ଏବଂ ଫଣ୍ଡକୁ ସାମିଲ କରାଯାଇନାହିଁ। ଏହି ତାଲିକାରେ ୯,୯୧୯ ଶହ କୋଟି ଡଲାର ସମ୍ପତ୍ତି ସହ ବ୍ରିଟେନ ଚତୁର୍ଥ, ଜର୍ମାନୀ (୯,୬୬୦ ଶହ କୋଟି ଡଲାର ସମ୍ପତ୍ତି) ପଞ୍ଚମ, ଭାରତ (୮୨୩୦ ଶହ କୋଟି ଡଲାର ସମ୍ପତ୍ତି) ଷଷ୍ଠ, ଅଷ୍ଟ୍ରେଲିଆ (୬,୧୪୨ ଶହ କୋଟି ଡଲାର ସମ୍ପତ୍ତି) ସପ୍ତମ, କାନାଡା (୬,୩୯୩ ଶହ କୋଟି ଡଲାର ସମ୍ପତ୍ତି) ଅଷ୍ଟମ, ଫ୍ରାନ୍ସ (୬,୬୪୯ ଶହ କୋଟି ଡଲାର ସମ୍ପତ୍ତି) ନବମ ଏବଂ ୪,୨୬୭ ଶହ କୋଟି ଡଲାର ସମ୍ପତ୍ତି ପରିମାଣ ସହ ଇଟାଲୀ ଦଶମ ସ୍ଥାନରେ ରହିଛି। ଉତ୍ତମ ଶିକ୍ଷା ବ୍ୟବସ୍ଥା, ବହୁ ସଂଖ୍ୟକ ଉଦ୍ୟୋଗ, ଆଇଟି ବ୍ୟବସାୟ, ରିଅଲ ଇଷ୍ଟେଟ୍‍, ସ୍ୱାସ୍ଥ୍ୟ ଏବଂ ଔଷଧ କ୍ଷେତ୍ର ଭାରତର ବିକାଶରେ ସହାୟକ ହୋଇଛନ୍ତି। ଏଗୁଡ଼ିକ କ୍ଷେତ୍ରରେ ଭାରତରେ ୧୦ ବର୍ଷ ମଧ୍ୟରେ ୨୦୦% ବୃଦ୍ଧି ଘଟିବ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ଦିନମାନଙ୍କରେ ଚୀନ ଦ୍ରୁତଗତିରେ ଅଭିବୃଦ୍ଧି କରିବ ଓ ୨୦୨୭ ସୁଦ୍ଧା ଚୀନ ସମ୍ପତ୍ତି ପରିମାଣ ୬୯,୪୪୯ ଶହ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ସେହିପରି ଆମେରିକା ସମ୍ପତ୍ତି ପରିମାଣ ୨୦୨୭ ବେଳକୁ ୭୫,୧୦୧ ଶହ କୋଟି ପହଞ୍ଚିବ ବୋଲି ଅନୁମାନ କରାଯାଇଛି।

Leave A Reply