ଆଇପିଏଲ: ଟିଭି ଦର୍ଶକ ସଂଖ୍ୟା ମାତ୍ର ୧୧% ବଢିଛି

0

ମୁମ୍ବଇ : ଏପ୍ରିଲ ୭ରୁ ଚଳିତବର୍ଷର ଆଇପିଏଲ ଆରମ୍ଭ ହୋଇଥିବାବେଳେ ଶନିବାର ସୁଦ୍ଧା ୪୫ଟି ମ୍ୟାଚ ଖେଳାଯାଇସାରିଲାଣି। ତେବେ ଏପ୍ରିଲ ୩୦ ସୁଦ୍ଧା ଖେଳାଯାଇଥିବା ୩୦ଟି ମ୍ୟାଚର ସର୍ଭେ ରିପୋର୍ଟକୁ ଆଧାର କରି ଜଣାପଡିଛି ଯେ ଗତବର୍ଷ ତୁଳନାରେ ଏହି ସମୟରେ ଟିଭି ଦର୍ଶକଙ୍କ ସଂଖ୍ୟାରେ ମାତ୍ର ୧୧ ପ୍ରତିଶତ ବୃଦ୍ଧି ଘଟିଛି। ବ୍ରଡକାଷ୍ଟ୍‍ ଅଡିଏନ୍ସ ରିସର୍ଚ୍ଚ କାଉନସିଲ (ବାର୍କ) ଦ୍ୱାରା ପ୍ରସ୍ତୁତ ସର୍ଭେ ଅନୁଯାୟୀ ଚଳିତବର୍ଷ ଏପ୍ରିଲ ୩୦ ସୁଦ୍ଧା ୭୩ କୋଟି ଦର୍ଶକ ଆଇପିଏଲ ମ୍ୟାଚକୁ ଟିଭି ପରଦାରେ ଉପଭୋଗ କରିସାରିଲେଣି। ଗତବର୍ଷ ଏହି ସମୟରେ ଟିଭି ଦର୍ଶକଙ୍କ ସଂଖ୍ୟା ୬୬ କୋଟି ରହିଥିଲା। ଗତବର୍ଷ ତୁଳନାରେ ୧୧ ପ୍ରତିଶତ ବୃଦ୍ଧି ଘଟିଛି। ଷ୍ଟାର ଇଣ୍ଡିଆ ୧୬,୩୪୭.୫ କୋଟି ଟଙ୍କାରେ ଆସନ୍ତା ପାଞ୍ଚବର୍ଷ ପାଇଁ ଆଇପିଏଲ ମ୍ୟାଚର ମିଡିଆ ପ୍ରସାରଣ ଅଧିକାର (ଭାରତ ଓ ବିଦେଶରେ) ହାସଲ କରିଛି। ଗତବର୍ଷ ସୋନି ପାଞ୍ଚଟି ଚ୍ୟାନେଲରେ ଆଇପିଏଲ ମ୍ୟାଚ ପ୍ରସାରଣ କରିଥିବାବେଳେ ଏବର୍ଷ ଷ୍ଟାର ଇଣ୍ଡିଆ ଦଶଟି ଚ୍ୟାନେଲରେ ମ୍ୟାଚ ପ୍ରସାରଣ କରୁଛି। ଏପରିକି ଷ୍ଟାର ସୁବର୍ଣ୍ଣା ପ୍ଲସ, ଷ୍ଟାର ମା ମୁଭିଜ୍‍ ଓ ଷ୍ଟାର ଜଲସା ଭଳି ଆଞ୍ଚଳିକ ଚ୍ୟାନେଲରେ ମଧ୍ୟ ଆଇପିଏଲ ମ୍ୟାଚର ପ୍ରସାରଣ କରାଯାଉଛି। ଏହାସତ୍ତେ୍ୱ ଟିଭି ଦର୍ଶକଙ୍କ ସଂଖ୍ୟାରେ ଆଖିଦୃଶିଆ ଉନ୍ନତି ଘଟିନଥିବାରୁ ଷ୍ଟାର ଇଣ୍ଡିଆ କର୍ତ୍ତୃପକ୍ଷ ଚିନ୍ତିତ ହୋଇପଡିଛନ୍ତି।

Leave A Reply